ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ
ସୃଷ୍ଟି ରଙ୍ଗମଂଚରେ ଆମେ ସମସ୍ତେ ଜଣେ ଜଣେ ଅଭିନେତା । ପ୍ରତିମୂହୁର୍କ୍ସରେ ଇତର ପ୍ରାଣୀଠାରୁ ଶ୍ରେଷ୍ଠ ମନୁଷ୍ୟ ପର୍ଯ୍ୟନ୍ତ- ପ୍ରତି ସ୍ତରରେ ଅଭିନୟ କରି ଚାଲିଛନ୍ତି । ଏହି ଅଭିନୟ ଶବ୍ଦଟିକୁ ଜାଣିବାକୁ ହେଲେ ଏହାର ବ୍ୟୁତ୍ପତି ସଂପର୍କରେ କିଛି ଧାରଣା ରହିବା ଆବଶ୍ୟକ ।
ଅଭିନୟ- ଅଭି ଉପସର୍ଗ ନୀ ଧାତୁରୁ ଅଚ୍ ବା ଅ ପ୍ରତ୍ୟୟ ।
ଅର୍ଥାତ୍ ଅଭି ଅର୍ଥ ନିକଟ । ଯେଉଁ କଥା ଆମେ କହୁଛୁ ତା ସପକ୍ଷରେ ଯାହା ଆସେ । ସେହି ଅର୍ଥରେ ଅଭି ଉପସର୍ଗ ବ୍ୟବହାର ହୁଏ ।
ନୀ ଅର୍ଥାତ୍ ନେବା । ଏହି ନୀ ଧାତୁରୁ ନେତା, ଅଭିନେତା, ଇତ୍ୟାଦି ଶବ୍ଦ ଗଠିତ ହୁଏ ।
ଅଚ୍ ପ୍ରତ୍ୟୟରେ ଭାବକୁ ବୁଝାଏ । ଯଥା- ନେବାର ଭାବ ହେଉଛି ନୟନ, ଗତି କରିବାର ଭାବ ଗମନ, କରିବାର ଭାବ କରଣ ।
ସାମଗ୍ରୀକ ଭାବରେ ଅଭିନୟର ଅର୍ଥ ଯାହା ବା ଯେଉଁ କାର୍ଯ୍ୟ ଜଣକୁ ଲକ୍ଷ୍ୟ ବସ୍ତୁର ନିକଟତର ହେବାର ଭାବ ସୁଚାଏ । ଉଦାହରଣ ସ୍ୱରୂପ- ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଭଳି ପୁରୁଷମାନେ ଆମ ନିକଟରେ ନାହାଁନ୍ତି । ମାତ୍ର ଅଭିନୟ ଏକମାତ୍ର ସାଧନା ଯାହା ପୂର୍ବର ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କୁ ଆମ ନିକଟରେ ଉପସ୍ଥାପନ କରିଥାଏ ।
ଅଭିନୟ ହେଉଛି ସଙ୍ଗୀତର ଏକ ଅଂଶ ବିଶେଷ । ଯଥା- ନୃତ୍ୟ, ବାଦ୍ୟ ଓ ଗୀତର ମିଶ୍ରଣରେ ସଙ୍ଗୀତ ହୁଏ । ରାଗ ରତ୍ନାକର ଗ୍ରନ୍ଥରେ ଉଲ୍ଲେଖ ଅଛି ଯେ ନୃତ୍ୟ, ବାଦ୍ୟ ଓ ଗୀତ ଏ ତିନିକୁ ସଙ୍ଗୀତ କୁହନ୍ତି ।
ନୃତ୍ୟଂ ବାଦିତ୍ରଂ ଗୀତାନାଂ ତ୍ରୟଂ ସଙ୍ଗୀତ ମୁଚ୍ୟତେ
ନୃତ୍ୟଂ ବାଦ୍ୟାନୁଗଂ ପ୍ରୋକ୍ତଂ ବାଦ୍ୟଂ ଗୀତାନୁବର୍କ୍ସିଚ ।
ନୃତ୍ୟ, ବାଦ୍ୟର ତାଳକୁ ଅନୁସରଣ କରେ ଏବଂ ବାଦ୍ୟ ଗୀତକୁ ଅନୁସରଣ କରିଥାଏ ।
ସଙ୍ଗୀତ ବିଦ୍ୟାରେ ଯେଉଁସବୁ ବାଦ୍ୟ ବ୍ୟବହାର କରାଯାଏ ତାହା ପ୍ରଧାନତଃ ଚାରି ଶ୍ରେଣୀର-
ପ୍ରଥମ- ତାରଯନ୍ତ୍ର । ଯଥା- ବୀଣା, ସୀତାର, ବେହେଲା, ସାରଙ୍ଗୀ, ବେଞ୍ଜୁ, ମାଣ୍ଡୋଲିନ, ଇତ୍ୟାଦି ।
ଦ୍ୱିତୀୟ- ଚର୍ମ ନିର୍ମିତ ବାଦ୍ୟ । ଯଥା- ଢୋଲ, ତବଲା, ମୃଦଙ୍ଗ, ଇତ୍ୟାଦି
ତୃତୀୟ- ପବନ ନିୟନ୍ତ୍ରିତ ବାଦ୍ୟ । ଯଥା- ବଂଶୀ, ତୁରୀ, ଶଙ୍ଖ, ହାରମୋନିୟମ୍, ଇତ୍ୟାଦି ।
ଚତୁର୍ଥ- ଧାତୁ ନିର୍ମିତ ବାଦ୍ୟ । ଯଥା- ଝାଞ୍ଜ, ଗିନି, କରତାଳ, ଇତ୍ୟାଦି ।
ସାଧାରଣତଃ ପାଲାରେ ଚର୍ମ ନିର୍ମିତ ବାଦ୍ୟ ମୃଦଙ୍ଗ ଓ ଧାତୁ ନିର୍ମିତ ବାଦ୍ୟ ଝାଞ୍ଜ, ଗିରି, କରତାଳ ଆଦି ବ୍ୟବହୃତ ହୋଇଥାଏ । ପାଲାରେ ଗାୟକ ଓଡିଶୀ, ଛାନ୍ଦ, ଚଉପଦୀ ପରିବେଷଣ କରୁଥିବା ସମୟରେ ଧାତୁ ନିର୍ମିତ ବାଦ୍ୟ ଗିନିକୁ ବ୍ୟବହାର କରି ନିଜର ଅଭିନୟ ପ୍ରଦର୍ଶନ କରିଥାନ୍ତି । ସେହିପରି ମୃଦଙ୍ଗ ବାଦକ ବାଦ୍ୟ ପରିବେଷଣ ସହ ଅଭିନୟ କରି ଦର୍ଶକମାନଙ୍କୁ ଆକୃଷ୍ଟ କରିଥାନ୍ତି । କାବ୍ୟର ରସ ଆସ୍ୱାଦନ ପାଇଁ କୌଣସି ପ୍ରକାର ପ୍ରତିବନ୍ଧକ ବା କ୍ଳିଷ୍ଟତା ଉପୁଜିଲେ ନୃତ୍ୟ, ଗୀତ, ବାଦ୍ୟ ଓ ଅଭିନୟ ଦ୍ୱାରା ରସୋପଲବ୍ଧି ପାଇଁ ଚେଷ୍ଟା କରାଯାଏ ବୋଲି ଅଭନବ ଗୁପ୍ତ ତାଙ୍କ ‘ଅଭିନୟ ଭାରତୀ’ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି । ପାଲାରେ ଏକକ ଅଭିନୟ ହିଁ ପ୍ରାଧାନ୍ୟ ଲାଭ କରେ । ଏ ଅଭିନୟ ଯାତ୍ରା ପରି ହେଲେ ସେଥିରେ ଆଉ ସ୍ୱାତନ୍ତ୍ର୍ୟ ଓ ମର୍ଯ୍ୟାଦା ରହେନାହିଁ । କେତେକ ଗାୟକ ପାଲାକୁ ଗୀତିନାଟ୍ୟ ଶୈଳୀରେ କରିବାକୁ ପ୍ରୟାସୀ ହୁଅନ୍ତି । ମାତ୍ର ଏହା ଦର୍ଶକଙ୍କୁ ଆକର୍ଷିତ କରିପାରେ ନାହିଁ । ଗାୟକ, ବାୟକ ଓ ସଙ୍ଗୀତମାନେ ଏପରି ଅଙ୍ଗଚାଳନା କରି ଅଭିନୟ କରିବେ ଯାହା ଅତିରଂଜିତ ନହୋଇ ଦର୍ଶକଙ୍କ ମନରେ ଅଫୁରନ୍ତ ଆନନ୍ଦ ବର୍ଦ୍ଧନ କରିବାରେ ସହାୟ ହେବ । ଏଥିପାଇଁ ଦଳର ମୁଖ୍ୟ ବିଶେଷ ଧ୍ୟାନ ଦେବା ଉଚିତ୍ ।
ଅଭିନୟ ବା ନୃତ୍ୟ ଦ୍ୱାରା ଲାଭ କଣ-
ପପୃକ୍ଷେଣ୍ୟମିନ୍ଦ୍ର ତ୍ୱେ ହ୍ୟୋଜୋ
ନୃମ୍ଣାନିଚ ନୃତ୍ତମାନୋ ଅମର୍କ୍ସ
ସ ନ ଏନୀଂ ବସବାନୋ ରୟିଂ ଦାଃ ପ୍ରାର୍ଯ୍ୟଃ
ସ୍ତୁତେ ତୁବି ମଘସ୍ୟ ଦାନମ୍ ।ା
(ରୁକ୍ ବେଦ ୫ମ ମଣ୍ଡଳ ୩୩ ସୂକ୍ତ ୬ ମନ୍ତ୍ର)
ପଦ୍ୟାର୍ଥ- ହେ (ଇନ୍ଦ୍ର) ବିଦ୍ୱନ୍, ଯେ (ନୃତ୍ତମାନଃ) ନୃତ୍ୟ କରିକରି (ଅମର୍କ୍ସ) ଆତ୍ମଭାବରୁ ମରଣ ରହିତ ମନ (ତ୍ୱେ) ଆପଣଙ୍କ ନିକଟରେ (ପପୃକ୍ଷେଣ୍ୟଂ) ପ୍ରଶ୍ନ କରାଯୋଗ୍ୟ (ଓଜଃ) ପରାକ୍ରମ (ନୃମ୍ଣାନିଚ) ଏବଂ ମନୁଷ୍ୟମାନଙ୍କ ଦ୍ୱାରା ରମଣ ଯୋଗ୍ୟ ଧନକୁ ଧାରଣ କରାନ୍ତୁ । (ସଃ) ସେ (ଏନୀଂ) ପ୍ରାପ୍ତବ୍ୟ (ବସବାନରୟିଂ) ବାସ କରାଯାଉଥିବା ଧନକୁ (ଦାଃ) ଦିଅନ୍ତୁ । (ହି) ଯଦ୍ୱାରା (ତୁବି ମଘସ୍ୟ) ବହୁତ ଧନର (ଅର୍ଯ୍ୟଃ) ସ୍ୱାମୀ ହୋଇ (ଦାନଂ) ଦାନକୁ (ପ୍ରସ୍ତୁଷେ) ପ୍ରଶଂସା କରି (ସଃ) ଆପଣମାନେ (ନଃ) ଆମ୍ଭମାନଙ୍କୁ ସୁଖ ଦିଅନ୍ତୁ ।
ଭାବାର୍ଥ- ନୃତ୍ୟ ବା ଅଭିନୟ ଦ୍ୱାରା ଆତ୍ମ ଭାବ ଆସିବା ସହିତ ମରଣ ଧର୍ମ ରହିତ ମନ ପ୍ରାପ୍ତି ହୁଏ । ଅର୍ଥାତ୍ ମୁଁ ଅମର ହୋଇଗଲି, ଏପରି ଭାବ ମନରେ ଆସିବ । ଯେଉଁ ଓଜ ବା ପରାକ୍ରମ ଦ୍ୱାରା ଖୁସିରେ ରହିବା ପାଇଁ ଯାହା ଧନ ଆବଶ୍ୟକ ତାହା ମଧ୍ୟ ମିଳିବ । ହେ ପରମାତ୍ମା ଆମକୁ ସେହିଭଳି ଧନ ଦିଅନ୍ତୁ । ବହୁତ ଧନର ଅଧିକାରୀ ହୋଇ ଏବଂ ସେହି ଧନର ପ୍ରଶଂସା କରି ଆମ୍ଭେମାନେ ଆପଣଙ୍କ ନିକଟତର ହେବୁ ।
ଯେତେବେଳେ ପରମାତ୍ମା ମାନବ ସୃଷ୍ଟି କଲେ ସେତେବେଳେ ମନୁଷ୍ୟ ସୁଖରେ ରହିବା ପାଇଁ ଆନନ୍ଦ, ହର୍ଷ, ବହୁକୃତ ଆନନ୍ଦ ତଥା ହର୍ଷ ଉତ୍ପାଦନ କରୁଥିବା ଯେତେ ପ୍ରକାର ଭାବ ସେ ସମସ୍ତ ଯଥା- ହସ, ଖୁସି, ବିଭିନ୍ନ ପ୍ରକାର ନୃତ୍ୟ, ଅଭିନୟ ଖେଳକୁଦ ଆଦି ମଙ୍ଗଳ କାର୍ଯ୍ୟ ଏ ସମସ୍ତ ପଦାର୍ଥ ମନୁଷ୍ୟକୁ ଦାନ କଲେ ।
ଆନନ୍ଦା ମୋଦାଃ ପ୍ରମୁଦୋଽଭୀ ମୁଦଶ ଯେ
ହସୋ ନରିଷ୍ଟା ନୃତ୍ତାନି ଶରୀର ମନୁ ପ୍ରବିଶନ୍ ।
(ଅଥର୍ବ ବେଦ- ୧୧ଶ କାଣ୍ଡ ୮ମ ସୂକ୍ତ ୨୪ ମନ୍ତ୍ର)
ପଦ୍ୟାର୍ଥ- (ଆନନ୍ଦାଃ) ଆନନ୍ଦ (ମୋଦାଃ) ହର୍ଷ (ପ୍ରମୁଦଃ) ବିଶେଷ ଆନନ୍ଦ (ଚ) ଏବଂ (ଯେ ଅଭୀମୋଦ ମୁଦଃ) ବଡବଡ ଉତ୍ସବରେ ହର୍ଷ ଉତ୍ପାଦନ କରୁଥିବା ଯେଉଁସବୁ ପଦାର୍ଥ ରହିଛି ସେ ସମସ୍ତ ଏବଂ (ହଷଃ) ହସ ବା ମଜ୍ଜା (ନୃତାନି) ବିଭିନ୍ନ ପ୍ରକାର ନୃତ୍ୟ ଏବଂ (ନରିଷ୍ଟା) ଖେଳକୁଦ ଆଦି ମଙ୍ଗଳ କାର୍ଯ୍ୟ ଏସବୁ (ଶରୀରମ୍ ଅନୁପ୍ରବିଶନ୍) ଶରୀରରେ ଧିରେ ଧିରେ ପ୍ରବେଶ କଲା ।
ଯେଉଁମାନେ ଗବେଷଣା ଦ୍ୱାରା ଅଭିନୟର ଇତିହାସ ସମ୍ବନ୍ଧରେ ଲୋକ ଲୋଚନକୁ ଆଣିବାକୁ ଚେଷ୍ଟା କରୁଛନ୍ତି ସେମାନେ ଅଥର୍ବ ବେଦର ଉପରୋକ୍ତ ମନ୍ତ୍ରକୁ ଅନୁଧ୍ୟାନ କରିବା ଦରକାର ।
ଚାରିବେଦର ୪ଟି ଉପବେଦ ରହିଛି-
ରୁକ୍ ବେଦ- ଆୟୁର୍ବେଦ
ଯଜୁର୍ବେଦ- ଧନୁର୍ବେଦ
ସାମ ବେଦ- ଗନ୍ଧର୍ବ ବେଦ
ଅଥର୍ବ ବେଦ- ଅର୍ଥ ବେଦ
ଚାରି ବେଦ ମଧ୍ୟରୁ ସାମ ବେଦକୁ ଈଶ୍ୱରଙ୍କ ବିଭୂତି ବୋଲି ଶ୍ରୀମଦ୍ ଭଗବତ ଗୀତା ବିଭୂତି ଯୋଗଃରେ ସ୍ୱୟଂ ଭଗବାନ ଅର୍ଜୁନଙ୍କୁ କହିଛନ୍ତି ।
ବେଦାନାଂ ସାମବେଦୋଽସ୍ମି ଦେବାନା ବାସବଃ
ଇନ୍ଦ୍ରିୟାଣାଂ ମନଶ୍ଚାସ୍ମି ଭୂତାନା ମସ୍ମି ଚେତନା ।
(ଗୀତା ୧୦ ଅଧ୍ୟାୟ- ଶ୍ଳୋକ-୨୨)
ବେଦମାନଙ୍କ ମଧ୍ୟରେ ମୁଁ ସାମ, ଦେବତାମାନଙ୍କ ମଧ୍ୟରେ ବାସବ, ଇନ୍ଦ୍ରିୟ ମଧ୍ୟରେ ମନ ଓ ପ୍ରାଣୀମାନଙ୍କର ଚେତନା ଅର୍ଥାତ୍ ଜ୍ଞାନ ଶକ୍ତି ସ୍ୱରୂପ ।
ଏହି ସାମ ବେଦରୁ ସମସ୍ତ ସଙ୍ଗୀତ, ନୃତ୍ୟ, ଅଭିନୟ ଯେତେ ଗନ୍ଧର୍ବ ବେଦ ଆସିଛି । ତେଣୁ ଗାନ୍ଧର୍ବ କଣ- ତାହା ଜାଣିବା ଆବଶ୍ୟକ । ଗାନ୍ଧର୍ବ କଳାର ସର୍ବ ଶ୍ରେଷ୍ଠ ପ୍ରାମାଣିକ ଗ୍ରନ୍ଥ ଭରତ ମୁନି ରଚିତ ନାଟ୍ୟ ଶାସ୍ତ୍ର । ଏଥିରେ ଗାନ୍ଧର୍ବ ଶବ୍ଦ ସମ୍ବନ୍ଧରେ ଉଲ୍ଲେଖ ରହିଛି ।
ଯକ୍ସୁ ତନ୍ତ୍ରୀ କୃତଂ ପ୍ରୋକ୍ତଂ ନାନାତୋଦ୍ୟ ସମାଶ୍ରୟମ୍
ଗାନ୍ଧର୍ବମିତି ତତ୍ ଜେ୍ଞୟଂ ସ୍ୱରଂ ତାଳ-ପଦାଶ୍ରୟମ୍ ।
ଅର୍ଥାତ୍ ତନ୍ତ୍ରୀ ନିର୍ମିତ ନାନା ପ୍ରକାର ବାଦ୍ୟଯନ୍ତ୍ର ସାହାଯ୍ୟରେ ସ୍ୱର, ତାଳ ଓ ପଦକୁ ଆଶ୍ରୟ କରି ଯେଉଁ କ୍ରିୟା ସମ୍ପାଦନ କରାଯାଏ, ତାହାକୁ ଗାନ୍ଧର୍ବ କୁହାଯାଏ ।
ପାଲା ଏକ ରସପୂର୍ଣ୍ଣ ଓ ମିଶ୍ରିତ କଳା । ଏଥିରେ ମୁଖ୍ୟତଃ ଧର୍ମ, ସାହିତ୍ୟ ଓ ସଙ୍ଗୀତ ଚର୍ଚ୍ଚା ହେଉଥିଲେ ମଧ୍ୟ ରସ ପରିବେଷଣ ଉପରେ ଅଧିକ ଗୁରୁତ୍ୱ ଆରୋପ କରାଯାଏ ।
ରସ ବିଷୟରେ ଉତ୍କଳର ସ୍ୱନାମ ଧନ୍ୟ ସଂସ୍କୃତ ବିଦ୍ୱାନ ବିଶ୍ୱନାଥ କବିରାଜଙ୍କ ମତ ସର୍ବାଦୃତ । ତାଙ୍କ ରଚିତ ସାହିତ୍ୟ ଦର୍ପଣ ଗ୍ରନ୍ଥାନୁସାରେ ରସ ୧୦ ପ୍ରକାର । ଯଥା-
ଶୃଙ୍ଗାର ହାସ୍ୟ କରୁଣ ରୈାଦ୍ରବୀର ଭୟାନକାଃ
ବିଭତ୍ସୋଽଦ୍ଭୁତ ଇତ୍ୟଷ୍ଟୈା ରସାଃ ଶାନ୍ତ ସ୍ତଥା ମତଃ ।
ସ୍ଫୁଟଂ ଚମତ୍କାରିତୟା ବତ୍ସଳଂ ଚ ରସଂ ବିଦୁଃ ।
ଶୃଙ୍ଗାର, ହାସ୍ୟ, କରୁଣ, ରୌଦ୍ର, ବୀର, ଭୟାନକ, ବିଭତ୍ସ, ଅଦ୍ଭୁତ, ଶାନ୍ତ ଏହିପରି ନବ ରସ ହେଲେ ମଧ୍ୟ କେହି କେହି ବାତ୍ସଲ୍ୟ ରସକୁ ମିଶାଇ ଦଶ ରସ କୁହନ୍ତି । ଅନ୍ୟ କେତେକଙ୍କ ମତରେ ଲୌଲ୍ୟ, ଭକ୍ତି ଓ କାର୍ପଣ୍ୟକୁ ମିଶାଇ ତେର ରସ କହିଥାନ୍ତି । ସେ ଯାହା ହେଉନା କାହିଁକି ଯଦି ପାଲା ଗାୟକ ଓ ସହକର୍ମୀମାନେ ରସ ପ୍ରତି ଧ୍ୟାନ ନଦିଅନ୍ତି ତେବେ ସେମାନେ ପଶୁମାନଙ୍କଠାରୁ ହୀନ ହେବେ ବୋଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ରସିକ ହାରାବଳୀରେ ଉଲ୍ଲେଖ କରିଛନ୍ତି ।
ପଶୁ ମାନେ ବଶ ହେଲେ ଏ ରସେ
ଯେହୁ ପାଷାଣ ସେ ଏଥି ନରସେ ।
ଏହି ରସ ପରିବେଷଣ କରିବାକୁ ହେଲେ ଏହା ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ଯେତେ ଆକର୍ଷିତ କରିବ, ଗାୟକଙ୍କ ପାଣ୍ଡିତ୍ୟପୂର୍ଣ୍ଣ ସଂସ୍କୃତ ସାହିତ୍ୟ ଚର୍ଚ୍ଚା ସେତେ ଆକର୍ଷିତ କରିପାରିବ ନାହିଁ । ଏବେ ପାଲାରେ କଳା କୌଶଳର ପରିବର୍କ୍ସନ ଘଟିଛି, ଯାହାକି ସ୍ୱାଗତ ଯୋଗ୍ୟ । ତେବେ ଅଭିନୟ ବିନା ସେ ସବୁ ଗ୍ରହଣୀୟ ହେବ ନାହିଁ । ଏଣୁ ମୋର ବ୍ୟକ୍ତିଗତ ମତ, ପାଲାକୁ ଲୋକ ସଙ୍ଗୀତ ହିବାସବରେ ଗ୍ରହଣ କଲେ ଏବଂ ଏହା ଯଥେଷ୍ଟ ସହଜ ମନେ ହେଉଥିଲେ ମଧ୍ୟ ଉପଯୁକ୍ତ ସାଧନା, ଗାୟନ ବାଦନ କୌଶଳ, ଉପଯୋଗୀ କଣ୍ଠସ୍ୱର ଓ ଅଭିନୟ ବିନା ସର୍ବ ଜନାଦୃତ ହୋଇପାରିବା କଷ୍ଟସାଧ୍ୟ । ଏ ସମସ୍ତ କଥାକୁ ଲକ୍ଷ୍ୟ କଲେ ଜଣାଯାଏ ଅଭିନୟ ପାଲାର ଏକ ଅବିଚ୍ଛେଦ୍ୟ ଅଙ୍ଗ । କେବଳ ଗାୟକ ନୁହଁନ୍ତି ସଙ୍ଗୀତମାନେ ମଧ୍ୟ ଦର୍ଶକଙ୍କୁ ସନ୍ତୁଷ୍ଟ କରିବାକୁ ବିଭିନ୍ନ ରସର ଅବତାରଣା କରିବା ସହିତ ଅଭିନୟ ମାଧ୍ୟମରେ ସେମାନଙ୍କର ଅଙ୍ଗ ଚାଲନା କରି କରିଥାନ୍ତି । ଏଣୁ ମୋଟାମୋଟି ଭାବରେ ଦର୍ଶକଙ୍କୁ ପାଲାର ନିକଟତର କରିବାର ଏକ ପ୍ରମୁଖ ସୂତ୍ର ହେଉଛି ଅଭିନୟ ।
ଗୁଆଳି, ଫୁଲନଖରା, କଟକ
ମୋ- ୯୩୩୮୨୦୨୪୭୧