Balabhadra Panda

ପାଲା ଏକ ଗଣଶିକ୍ଷା

Submitted by Content Manager on

ଗାୟକ ଚିନ୍ମୟ ଶ୍ରୀ ବଳଭଦ୍ର ପଣ୍ଡା
ବର୍ଷାଣାଂ ଭାରତ ଶ୍ରେଷ୍ଠ ଦେଶାନା ଉତ୍କଳ ସ୍ମୃତ 
ଉତ୍କଳସ୍ୟ ସମଦେଶ ନାସ୍ତି ଭୂବନ ମଣ୍ଡଳେ ।
ଏହି ଉତ୍କଳ ପ୍ରଦେଶର ନାମକରଣ ନେଇ ଭିନ୍ନ ଭିନ୍ନ ଗବେଷକଙ୍କର ଭିନ୍ନ ଭିନ୍ନ ମତ । କେହିକେହି କହନ୍ତି ବେଦର ମୂଳ ରଚକ ହେଉଛନ୍ତି ଏହି ଦେଶର ଦୁଇ ଜଣ ବ୍ୟକ୍ତି ଯାହାଙ୍କର ନାମ ଉଡ୍ର ଓ ଓକଳ । ଉଡ୍ରଙ୍କ ନାମାନୁସାରେ ଏହି ଦେଶର ନାମ ଉଡ୍ରରାଷ୍ଟ୍ର ଏବଂ ଓକଳଙ୍କ ନାମାନୁସାରେ ଉତ୍କଳ ।  କେତେକଙ୍କ ମତରେ କଳାର ଉତ୍କର୍ଷତା ଲାଭ କରିଥିବାରୁ ଏହାର ନାମ ଉତ୍କଳ । ତ୍ରିକଳିଙ୍ଗ ମଧ୍ୟରୁ, ଏହା ଗୋଟିଏ ଦେଶ । ତେବେ ଏ କଳା କଣ ? ଏଥିପାଇଁ କେତୋଟି କଥା ମନେ ପଡେ, ତାହା ଏହିପରି । ବିଷ୍ଣୁ ପୁରାଣରେ ପିତା କର୍ଦ୍ଦମ ଓ ମାତା ଦେବହୁତିଙ୍କ କନ୍ୟାର ନାମ କଳା । ବ୍ରହ୍ମାଙ୍କର ମାନସ ପୁତ୍ର ମରିଚି କଳାଙ୍କର ସ୍ୱାମୀ । ଏହାଙ୍କର ପୁତ୍ର କଶ୍ୟପଙ୍କଠାରୁ ଦେବ, ଗନ୍ଧର୍ବ, ମାନବ, ରାକ୍ଷସ, ପଶୁ, ପକ୍ଷୀ ଆଦି ଜନ୍ମିଥିଲେ । ରାମାୟଣରେ ଅସୁରରାଜ ବିଭିଷଣଙ୍କ ବଡ ଝିଅର ନାମ କଳା । ଚନ୍ଦ୍ରକଳା ପୁରାଣ ଅନୁସାରେ ଚନ୍ଦ୍ରଙ୍କର ନାମ  କଳାନିଧି । ଚନ୍ଦ୍ରଙ୍କର ଷୋହଳ ଅଂଶକୁ କଳା  କୁହାଯାଏ । ଯାହାଙ୍କର ନାମ ଯଥାକ୍ରମେ- ଅମୃତା, ମାନଦା, ପୁଷା, ପୁଷ୍ଟି, ତୁଷ୍ଟି, ରତି, ଧୃତି, ଶଶିନୀ, ଚନ୍ଦ୍ରିକା, କାନ୍ତି, ଜ୍ୟୋତ୍ସ୍ନା, ଶ୍ରୀ, ପ୍ରିତି, ଅଙ୍ଗଦା, ପୂର୍ଣ୍ଣା ଓ ପୂର୍ଣ୍ଣାମୃତା । 
ପୁଣି ସୂର୍ଯ୍ୟ ପୁରାଣ ସୂର୍ଯ୍ୟ ସିଦ୍ଧାନ୍ତ ଆଦି ଗ୍ରନ୍ଥରେ ଭିନ୍ନ ମତ ରହିଛି । ସୂର୍ଯ୍ୟଙ୍କର ବାର ମାସରେ ୧୨ଟି ନାମ ଓ ୧୨ଟି କଳା ଅଛି । ଏହି ବାର କଳା ହେଲା-
ତପିନୀ, ତାପିନୀ, ଧୂମ୍ରା, ମରିଚି, ଜ୍ୱାଳିନୀ, ରିଚ, ସୁଷୁମ୍ନା, 
ଭୋଗଦା, ବିଶ୍ୱା, ବୋଧିନୀ, ଧାରିଣୀ ଓ କ୍ଷମା ।

Balabhadra Panda

ପୁଣି ପୁରାଣ ମତରେ ଅଗ୍ନିଙ୍କର ୧୦ଟି କଳା । ଯଥା- ଧୂମ୍ରା, ଅଚ୍ଚୀ, ଉଷ୍ମା, ଜ୍ୱାଳିନୀ, ବିଷ୍ଣୁଲିଙ୍ଗନୀ, ଶ୍ରୀ, ସ୍ୱରୁଚା, କପିଳା, ହବ୍ୟ ଓ କବ୍ୟବାହ । 
କାମଶାସ୍ତ୍ର ଅନୁସାରେ କଳା ୬୪ ଭାଗରେ  ବିଭକ୍ତ । ଏହି କଳାକୁ ଭାରତୀୟ, ବିଶେଷ କରି ଉତ୍କଳୀୟ ନାରୀମାନେ ଜାଣନ୍ତି । ଯଥା- ଗୀତ, ତାଳ, ଲୟ, ବାଦ୍ୟ, ନୃତ୍ୟ, ଅଭିନୟ, ଆଲେଖ୍ୟ, ଚିତାଲେଖା, ରଚନା, ପୁଷ୍ପାସ୍ତରଣ, କବିତା ରଚନା, ଭାଷାଜ୍ଞାନ, ଇତ୍ୟାଦି ।
ଅଭିନୟରେ ଯାଏ- ଯାତ୍ରା, ସୁଆଙ୍ଗ, ନବରଙ୍ଗ, ଦାସକାଠିଅ, ଚଢେୟା, ଫାର୍ଶ ଓ ପାଲା । ଏମାନଙ୍କ ମଧ୍ୟରୁ ପାଲାକୁ ସରକାର ଲୋକଗୀତ କହୁଛନ୍ତି, କିନ୍ତୁ ପ୍ରକୃତରେ ଏହା ଏକ ବିଦଗ୍ଧ କଳା । ଏଥିରେ ପୁରାଣ, ଉପପୁରାଣ, ଅତିପୁରାଣ, ବେଦ, ବେଦାନ୍ତ, ଉପନିଷଦ, ଗୀତା, ଭାଗବତ, ଷଟ୍ କାବ୍ୟ, ସଂସ୍କୃତ ନାଟକ ଏବଂ ଉତ୍କଳୀୟ ସାହିତ୍ୟ (ପ୍ରାକ୍ ସାହିତ୍ୟ, ରିତି ସାହିତ୍ୟ, ମଧ୍ୟ ଯୁଗୀୟ ସାହିତ୍ୟ, ଆଧୁନିକ ଓ ଅତ୍ୟାଧୁନିକ ସାହିତ୍ୟ) ମଧ୍ୟ ଲୋକଙ୍କୁ ଶିକ୍ଷା ଦିଆଯାଏ । ପାଲା ଏକ ଗଣଶିକ୍ଷା କିପରି ତାର ଏକ ଉଦାହରଣ ଏଠାରେ ଦିଆଗଲା-

ସଂଚାରେ ରତି ମନ୍ଦିରାବଧି ସଖୀକର୍ଣ୍ଣାବଧି ବ୍ୟାହୃତଂ
ଚେତଃ କାନ୍ତ ସମିହିତାବଧି ପଦ ନ୍ୟାସାବଧି ପ୍ରେକ୍ଷତାଂ
ହାସ୍ୟ ଚାଧରପଲ୍ଲବାବଧି ମହାମାନୋଽପି ମୌନାବଧି
ସର୍ବ ସାବଧି ନାବଧି କୁଳଭୁବାଂ ପ୍ରେମତା ପରଂ କେବଳଂ 
(କାଳିଦାସ)
ଗୋଟିଏ କୁଳବଧୁର ଗମନାଗମନ ଶୟନ ମନ୍ଦିର ପର୍ଯ୍ୟନ୍ତ । କଥା କହିବା ସମୟରେ ନିକଟରେ ଥିବା ସଖୀର କାନକୁ ଶୁଭିଲା ଭଳି କହିବ, ମାନେ ବଡ ସ୍ୱରରେ କଥା କହିବ ନାହିଁ । ମନ ସ୍ୱଭାବରେ ଚଂଚଳ ଅଟେ, କିନ୍ତୁ କୁଳବଧୁକୁ ସତର୍କ କରାଯାଇଛି ତାର ମନ କେବଳ ସ୍ୱାମୀଙ୍କ ପର୍ଯ୍ୟନ୍ତ ଯାଇପାରିବ । ଚାଲିବା ସମୟରେ ଅନ୍ୟ କୌଣସି ଦିଗକୁ ଲକ୍ଷ୍ୟ ନକରି କେବଳ ନିଜର ପହୁଣ୍ଡ ଯେତିକି ଦେଖି ଚାଲିବ । ହସିଲେ ଅଧର ପଲ୍ଲବ ପର୍ଯନ୍ତ ଅର୍ଥାତ୍ ଉଚ୍ଚ ସ୍ୱରରେ ନହସି ମୃଦୁ ହାସ ହସିବ । ଯେତେ ଅଧିକ ରାଗ ଆସିଲେ ମଧ୍ୟ ମୌନାଚାରୀ ହେବ । ଏ ସମସ୍ତ କଥାର ଅବଧି ଥିଲେ ହେଁ ପରିବାରର ସମସ୍ତ ସଦସ୍ୟଙ୍କୁ ଏ ପ୍ରକାର ପ୍ରେମ କରୁ ଅର୍ଥାତ୍ ଭଲ ପାଉ । କୁଳର ମର୍ଯ୍ୟାଦା ରକ୍ଷା ହେଉ । 
ପ୍ରକୃତି କବି ଗଙ୍ଗାଧର ମେହେର ନାରୀ ଶିକ୍ଷା ସମ୍ବନ୍ଧରେ ମଧ୍ୟ କମ୍ କହି ନାହାଁନ୍ତି । ଯଥା-
ଶାଶୁଙ୍କ ଚରଣ ସେବା କରୁଥିବୁ ଗୃହର ଦେବତା ମଣି
ଶାଶୁଟି ସ୍ୱାମୀଙ୍କ ପୂଜା ସିଂହାସନ ସର୍ବ ସଂପଦର ଖଣି ।
ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ ସ୍ୱାମୀ ସେବା ନାରୀ ଧର୍ମ
ଆଉ ଏକ ଉପଦେଶ ଗୃହସ୍ଥମାନଙ୍କ ପାଇଁ-
ସନ୍ତୁଷ୍ଟୋ ଭାର୍ଯ୍ୟାୟା ଭକ୍ର୍ସ୍ରା ଭାର୍ଯ୍ୟା ତଥୈବଚ
ଯସ୍ମିନ୍ନେବ କୁଳେ ନିତ୍ୟଂ ତତ୍ର ବୈକଲ୍ୟତାଂ ଧୃବଂ 
(ମନୁ)
ଯେଉଁ ଗୃହରେ ସ୍ତ୍ରୀ ପ୍ରତି ସ୍ୱାମୀ ଓ ସ୍ୱାମୀଙ୍କ ପ୍ରତି ସ୍ତ୍ରୀ ସନ୍ତୁଷ୍ଟ, ସେ ଗୃହକୁ ମା ଲକ୍ଷ୍ମୀ ଠାକୁରାଣୀ କେବେ ଛାଡନ୍ତି ନାହିଁ ।  ଲକ୍ଷ୍ମୀ ନଛାଡିଲେ ନାରାୟଣ ମଧ୍ୟ ଛାଡନ୍ତି ନାହିଁ । ତେଣୁ ସେ ଘରଟି ବୈକୁଣ୍ଠ ସମାନ ହୋଇଯାଏ । 
ବୈକୁଣ୍ଠ ସମାନ ଆହା ଅଟେ ସେହି ଘର
ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।
ଆହୁରି ମଣିଷ ସମାଜରେ ଶିକ୍ଷାର ପ୍ରଭାବ ଗୀତା ଓ ଭାଗବତ ଶାସ୍ତ୍ରଙ୍କର କମ୍‌ ନୁହେଁ । ଶ୍ରୀ ଗୀତା କର୍ମ-ଜ୍ଞାନ-ଭକ୍ତିର ମାର୍ଗ ଦେଖାଇଥିବା ବେଳେ ସରଳ ସାବଲୀଳ ଭାଷାରେ ଓଡିଆ ଭାଗବତରେ ଅତିବଡି ଜଗନ୍ନାଥ ଦାସ କର୍ମ, ଜ୍ଞାନ, ଭକ୍ତି ଉପରେ କମ୍ କଥା କହିନାହାଁନ୍ତି । 
କର୍ମ ଆୟତ ହୋଇ ଜନ     ଦଣ୍ଡର ହୁଅନ୍ତି ଭାଜନ ।
ଏ ଘେନି ପାପୀ ପ୍ରାଣୀମାନେ   ଅଧମ ଅଧର୍ମରେ  ଜନ୍ମେ ।
ସତ୍କର୍ମ ଯେମାନେ କରନ୍ତି      ସ୍ୱକର୍ମ ଫଳ ସେ ଲଭନ୍ତି ।
ମନ୍ଦ କରମ ଯୁକ୍ତ ଯେହୁ       ସ୍ୱକର୍ମ ଭୁଞ୍ଜିବେ ସେ କାହୁଁ ।

Balabhadra Panda

ଭୋ ପିତା କର୍ମ ପଦେ          ସେବ  କର୍ମହୁଁ ନାହିଁ ଆନ ଦେବ ।
ପୂର୍ବ ଅର୍ଜିଲା କର୍ମ ମାନ         ବେଳ ହୁଁ ହୁଅ ସାବଧାନ ।
ଏ ଜୀବ ନିଜ କର୍ମ ଫଳେ     ଭୁଞ୍ଜଇ ରହି ଏ ଶୟଳେ ।
କର୍ମର ମତେ ଦୁଃଖସୁଖ       ଜନ୍ମ ମରଣ ହୁଏ ଦେଖ ।
କର୍ମଟି ଦୁଃଖ ସୁଖ ଦାତା       ବିଶ୍ୱ ସଂସାରେ ବଳବନ୍ତା ।
ଜ୍ଞାନମାର୍ଗ, ଅବଶ୍ୟ କଠିନ ହେଲେ ହେଁ ପାଲା ମାଧ୍ୟମରେ ଲୋକଶିକ୍ଷା ଦେବା ପାଇଁ ପାଲାକାରମାନେ ପଛାନ୍ତି ନାହିଁ ।   
ଯସ୍ୟସର୍ବେ ସମାରମ୍ଭା କାମ ସଂକଳ୍ପ ବର୍ଜିତା
ଜ୍ଞାନାଗ୍ନି ଦଗ୍ଧ କର୍ମଣାଂ ତମାହୁଃ ପଣ୍ଡିତଂ ବୁଧାଃ । 
ତ୍ୟକ୍ତ୍ୱା କର୍ମଫଳାସଙ୍ଗଃ ନିତ୍ୟ ତୃପ୍ତୋ ନିରାଶ୍ରୟଃ
କର୍ମଣ୍ୟ ଭି ପ୍ରବୃତୋଽପି ନୈବ କିଂଚିତ୍ କରୋତି ଯଃ
ବ୍ରହ୍ମାର୍ପଣ ବ୍ରହ୍ମହର୍ବି ର୍ବହ୍ମାନୌ ବ୍ରହ୍ମଣା ହୁତମ୍ 
ବ୍ରହ୍ମୈବ ତେନ ଗନ୍ତବ୍ୟ ବ୍ରହ୍ମ କର୍ମ ସମାଧିନା । (ଗୀତା) 
ଏହା ବହୁତ କଠିନ, ତେଣୁ ପାଲାକାରମାନେ ଭକ୍ତିକୁ ଅଗ୍ରଧୀକାର ଦିଅନ୍ତି । ବିଭିନ୍ନ ପ୍ରକାର ଭକ୍ତିଗୀତ ସାଙ୍ଗକୁ ଭକ୍ତିଗ୍ରନ୍ଥ ଭାଗବତରୁ ମଧ୍ୟ ଶିକ୍ଷା ଦିଆଯାଏ । ଯଥା-
ସତ୍ୟ ପରମାନନ୍ଦ ହରି 
ଯାହା ଭାବିଲେ ଉବୁତରି ।
ଯାହାକୁ ରକ୍ଷିବେ ଅନନ୍ତ 
କି କରି ପାରେ ବଳବନ୍ତ ।
ଭକ୍ତି ଯୋଗରେ ମୋତେ ଧ୍ୟାୟି 
ଯେ ମୋତେ ହୃଦରେ ଦେଖଇ ।
ପରମ ପଦକୁ ଲଭଇ 
ଯେଣୁ ଏକାଗ୍ର ଭାବେ ଧ୍ୟାୟି ।
ଏହିପରି ଅନେକ ଗଣଶିକ୍ଷା ଯଥା- ରାଜଧର୍ମ, ପ୍ରଜାଧର୍ମ, ପୁରୁଷୋଚିକ୍ସ କର୍ମ, ଗୁରୁଶିଷ୍ୟ ଧର୍ମ ଆଦି ଅନେକ ଲୋକକଥା ଉପସ୍ଥାପନା କରାଯାଏ । - 

ଦୁର୍ଗମ ପଥ ଏ ଭଜନ
ଭୟେ ବାଜିଲେ ଯୋଗୀ ଜନ ।
ଅମୃତ ବିନୟ ବଚନ
କହି ତୋଷିବ ପ୍ରାଣୀ ମନ ।
ସକଳ ଦେହେ ନାରାୟଣ
ବସନ୍ତି ଅନାଦି କାରଣ ।
ଦୁଃଖେ ସଂଚିତ ଯେତେ ଧନ
ସେ ନୁହେଁ ସୁଖେ ପ୍ରୟୋଜନ ।
ଧନ ଅର୍ଜିଲେ ଧର୍ମ କରି
ଧର୍ମେ ପ୍ରାପତ ନରହରି ।
ଧନ୍ୟ ଜୀବନ ଏ ଜଗତେ
ଯେ ପ୍ରାଣ ଧରେ ପ୍ରାଣୀ ହିତେ ।
ମର୍ତ୍ୟ ମଣ୍ଡଳେ ଜନ୍ମ ହୋଇ
ଦେବତା ହେଲେ ହେଁ ମରଇ ।
ଯହିଁ ଅନେକ ଜନ ମିଳି
ଅବଶ୍ୟ ଉପୁଜଇ କଳି ।
ଏ ଦେହ ଥିଲେ ଜ୍ଞାନ ପାଇ
ଜଳେ ଯେସନ ଚନ୍ଦ୍ର ଛାଇ ।
ବାଳକେ ମୋର ବୋଲ କର
ବେଳହୁଁ ଗୋବିନ୍ଦ ସୁମର ।
ସର୍ବ ଶରୀର ମଧ୍ୟେ ସାର
ଦୁର୍ଲ୍ଲଭ ନର କଳେବର ।
ଏଣୁ ଦୁର୍ଜନ ସଙ୍ଗ ଦୋଷ
କରେ ସକଳ ଜ୍ଞାନ ଧ୍ୱଂସ ।
ସାକ୍ଷାତେ ଗୁରୁ ଯେ ଈଶ୍ୱର
ଗୁରୁଙ୍କୁ ନମଣିବ ନର ।
ଏହିପରି ଅନେକ ଶିକ୍ଷା, ବିଦଗ୍ଧ କଳା ପାଲା ମାଧ୍ୟମରେ ହିଁ ଦିଆଯାଇଥାଏ । ଏଣୁ ହେ ସଜ୍ଜନ ସହୃଦୟ ପୂର୍ବକ ଏହି ପାଲା କଳାକୁ ନିଜେ ଅନୁଭବ କରିବା ସହ ଅନ୍ୟମାନହଙ୍କୁ ଉତ୍ସାହିତ କରାଇପାରିଲେ ଏ କଳାର ସାର୍ଥକତା ହେବ ।

Balabhadra Panda