ଆଜିଠାରୁ ଖୋଲିଲା ବଦ୍ରିନାଥଙ୍କ କବାଟ
ଆଜିଠାରୁ ଖୋଲିଛି ବାବା ବଦ୍ରିନାଥଙ୍କ କବାଟ । ବ୍ରାହ୍ମମୁହୂର୍ତ୍ତରେ ବୈଦିକ ମନ୍ତ୍ରପାଠ ମଧ୍ୟରେ ବଦ୍ରିନାଥଙ୍କ କବାଟ ଖୋଲାଯାଇଛି । ପୂର୍ବରୁ ଅନ୍ୟ ତିନି ଧାମ ଗଙ୍ଗୋତ୍ରୀ, ଯମୁନେତ୍ରୀ ଓ କେଦାରନାଥଙ୍କ କବାଟ ଖୋଲି ସାରିଛି । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ କେଦାରନାଥ ଓ ବଦ୍ରିନାଥଙ୍କ କବାଟ ଖୋଲିବାରେ ବିଳମ୍ବ ହୋଇଛି । ଆସନ୍ତୁ ଜାଣିବା ବାବା ବଦ୍ରିନାଥଙ୍କ ସମ୍ପର୍କରେ କିଛି ତଥ୍ୟ-
ବଦ୍ରିନାଥ କେମିତି ହେଲା ଭଗବାନ ବିଷ୍ଣୁଙ୍କ ଆବାସ ସ୍ଥଳ
ପୁରାଣରେ ବର୍ଣ୍ଣନା ଅନୁସାରେ ବଦ୍ରିନାଥ ପ୍ରଥମେ ଭଗବାନ ଶଙ୍କରଙ୍କ ଆବାସ ଥିଲା । ଏଠାକାର ନିରୋଳା ସ୍ଥାନରେ ପରିବାର ସହ ରହୁଥିଲେ ମହାଦେବ । ତେବେ ଧ୍ୟାନ କରିବା ପାଇଁ ଭଗବାନ ବିଷ୍ଣୁ ଏକ ନିରୋଳା ସ୍ଥାନ ଖୋଜୁଥିଲେ । ଏହି ସମୟରେ ବିଷ୍ଣୁଙ୍କୁ ଏହି ବଦ୍ରିନାଥ ପସନ୍ଦ ଆସିଥିଲା, କିନ୍ତୁ ସେତେବେଳେ ଏଠାରେ ଶିବ ପରିବାର ସହ ରହୁଥିଲେ । ଶିବଙ୍କୁ କିପରି ଏହି ସ୍ଥାନ ମାଗିବେ ସେ ନେଇ ଭଗବାନ ବିଷ୍ଣୁ ଚିନ୍ତାରେ ପଡ଼ିଲେ, ଏହାପରେ ସେ ଏକ ଲୀଳା ଆରମ୍ଭ କଲେ।
ବିଷ୍ଣୁ ଏକ ବାଳକ ରୂପ ଧାରଣ କରି ମହାଦେବଙ୍କ ନିବାସ ଆଗରେ କାନ୍ଦିବାକୁ ଲାଗିଲେ । ମାତା ପାର୍ବତୀଙ୍କ ନଜରକୁ ଏହା ଆସିବା ପରେ ସେ ପିଲାଟିର ପାଖକୁ ଯାଇ ବୁଝାଇବାକୁ ଲାଗିଲେ, ହେଲେ ପିଲାଟି ମୋଟେ କାନ୍ଦ ବନ୍ଦ କଲାନାହିଁ । ମାତା ପାର୍ବତୀ ସିନା ପିଲାଟିକୁ ଚିହ୍ନିନଥିଲେ, ହେଲେ ଶିବ ସବୁ ଜାଣିପାରିଲେ । ପିଲାଟିକୁ ବୁଝାଇବାକୁ ଯାଇ ମାଆ ତାଙ୍କୁ କୋଳରେ ବସାଇ ଘରକୁ ନେଲେ, ଆଉ ଶୁଆଇ ଦେଲେ । ପାର୍ବତୀ ବାହାରକୁ ଆସିବା ପରେ ସେଠାରେ ଭୋଳାନାଥ ପହଞ୍ଚିଥିଲେ । ଶିବଙ୍କୁ ଦେଖି ପିଲାଟି କହିଥିଲା ମୋତେ ଏହି ସ୍ଥାନ ବହୁତ ପସନ୍ଦ ହୋଇଛି, ମୁଁ ଏଠାରେ ରହିବି, ଆପଣ କେଦାରନାଥ ଚାଲିଯାଆନ୍ତୁ । ବିଷ୍ଣୁଙ୍କ କଥା ରଖି ଭଗବାନ ଶଙ୍କର ପରିବାର ସହିତ ସେଠାରୁ କେଦାରନାଥ ଚାଲିଯାଇଥିଲେ । ଏହାପରଠାରୁ ବଦ୍ରିନାଥ ହୋଇଥିଲା ଭଗବାନ ବିଷ୍ଣୁଙ୍କ ଆବାସ ସ୍ଥଳୀ ।
ସ୍ଥାନର ନାମ ବଦ୍ରିନାଥ କିପରି ହେଲା
କୁହାଯାଏ ଥରେ ବିଷ୍ଣୁଙ୍କ ସହିତ ଲକ୍ଷ୍ମୀଙ୍କର କଳି ଲାଗିଲା । ବିଷ୍ଣୁ ଘରୁ ଚାଲିଯାଇ ଏକ ବଦରି ବା ବରକୋଳି ଗଛରେ ବସି ଧ୍ୟାନ କରିବାକୁ ଲାଗିଲେ । ତେଣେ ଲକ୍ଷ୍ମୀ ସ୍ବାମୀଙ୍କୁ ଖୋଜିବାକୁ ବାହାରିଗଲେ, ବହୁ ଖୋଜାଖୋଜି ପରେ ଏହି ବରଗଛ ଉପରେ ପାଇଲେ । ଭଗବାନଙ୍କର ଏହି ଧ୍ୟାନକୁ ଦେଖି ଲକ୍ଷ୍ମୀ ମଜାରେ ମଜାରେ ବଦରିନାଥ ଡାକିବାକୁ ଲାଗିଲେ । ଏହାପରଠାରୁ ଏହି ସ୍ଥାନ ବଦ୍ରିନାଥ ହୋଇଗଲା ।
ନର ନାରାୟଣଙ୍କ ବାସସ୍ଥାନ ବଦ୍ରିନାଥ
ଅଳକାନନ୍ଦା ନଦୀ କୂଳରେ ଅବସ୍ଥିତ ବଦ୍ରିନାଥ ଧାମ । ଏହା ଦୁଇଟି ପର୍ବତ ମଧ୍ୟରେ ଅବସ୍ଥିତ । ଏଠାରେ ପୂଜା ପାଉଥିବା ଭଗବାନଙ୍କ ମୂର୍ତ୍ତି ଶାଳଗ୍ରାମରେ ନିର୍ମିତ । କୁହାଯାଏ କି ଅଷ୍ଟମ ଶତାବ୍ଦୀରେ ଶଙ୍କରାଚାର୍ଯ୍ୟ ନାରଦ କୁଣ୍ଡରୁ ଏହି ଶାଳଗ୍ରାମକୁ ଉଦ୍ଧାର କରି ଗୁମ୍ଫାରେ ସ୍ଥାପନା କରିଥିଲେ । ପରବର୍ତ୍ତୀ ସମୟରେ ସେହି ମୂର୍ତ୍ତି ବିଲୁପ୍ତ ହୋଇଯାଇଥିଲେ । ପରେ ସନ୍ଥ ରାମାନୁଜାଚାର୍ଯ୍ୟ ବର୍ତ୍ତମାନର ମୂର୍ତ୍ତିକୁ ସ୍ଥାପନା କରିଥିଲେ । ତେବେ ୧୬ ଶହ ଶତାବ୍ଦୀରେ ଗଢ଼ଓ୍ବାଲର ରାଜା ବର୍ତ୍ତମାନର ମନ୍ଦିର ନିର୍ମାଣ କରିଥିଲେ, ଆଉ ଗୁମ୍ଫା ଭିତରୁ ମୂର୍ତ୍ତିକୁ ଆଣି ମନ୍ଦିରରେ ପ୍ରତିଷ୍ଠା କରିଥିଲେ ।
ଏଠାରେ ପୂଜା ପାଉଥିବା ବିଷ୍ଣୁ ହେଉଛନ୍ତି ଚତୁର୍ଭୁଜ । ଗୋଟିଏ ହାତରେ ଶଙ୍ଖ, ଅନ୍ୟ ହାତରେ ଚକ୍ର, ଏବଂ ଅନ୍ୟ ଦୁଇ ହାତ ଯୋଗ ମୁଦ୍ରାରେ ରହିଛି । ମୂର୍ତ୍ତିର ଲଲାଟରେ ଲାଗିଛି ହୀରା । ଏହି ଦିବ୍ୟ ମୂର୍ତ୍ତିକୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ବର୍ଷକୁ 6 ମାସ ଏହି ମନ୍ଦିର ଖୋଲା ଯାଇଥାଏ । ପ୍ରବଳ ତୁଷାରପାତ ଯୋଗୁଁ ୬ ମାସ ମନ୍ଦିର ବନ୍ଦ ରହିଥାଏ ।