ଭଗବାନ ଶଙ୍କରଙ୍କ ନିବାସ ସ୍ଥଳ
ପୁରାଣରେ ପ୍ରବାଦ ରହିଛି କୈଳାସ ହେଉଛି ଦେବଦେବ ମହାଦେବଙ୍କ ନିବାସ ସ୍ଥଳ । ବିଶେଷ କରି ଶିବ ପୁରାଣ, ସ୍କନ୍ଧ ପୁରାଣ, ମତ୍ସ୍ୟ ପୁରାଣ ଆଦିରେ କୈଳାସ ପର୍ବତ ସମ୍ପର୍କରେ ଉଲ୍ଲେଖ ରହିଛି । ବିଶ୍ବାସ ରହିଛି କି ଯେଉଁବ୍ୟକ୍ତି ଜୀବନରେ ଭଲ କାମ କରିଥାଏ, ମୃତ୍ୟୁପରେ ଏହି କୈଳାସରେ ସ୍ଥାନ ପାଇଥାଏ । ଏହି କୈଳାସରେ ଅନେକ ଆଶ୍ଚର୍ଯ୍ୟ ଶକ୍ତି ରହିଥିବାର ମଧ୍ୟ କୁହାଯାଏ ।
କୈଳାସର ଅବସ୍ଥିତି ଓ ଆକୃତି
ହିମାଳୟ ପର୍ବତମାଳାରେ ଅବସ୍ଥିତ କୈଳାସ ପର୍ବତର ଆକାର ଏକ ପିରାମିଡ୍ ସଦୃଶ । ବୈଜ୍ଞାନିକମାନେ ଏହି ପର୍ବତକୁ ପୃଥିବୀର କେନ୍ଦ୍ର ବୋଲି ବିଶ୍ବାସ କରନ୍ତି । ପୃଥିବୀ ଅକ୍ଷ'ର ଏକ ମୁଣ୍ଡି ହେଉଛି କୈଳାସ । ଏହାକୁ ପୃଥିବୀର ନାଭି କେନ୍ଦ୍ର ବୋଲି ମଧ୍ୟ କୁହାଯାଏ । ଏହି କୈଳାସରେ ଅନେକ ଅଲୌକିକ ଶକ୍ତି ରହିଥିବାର ପ୍ରମାଣ ରହିଛି । ବର୍ତ୍ତମାନ ଚୀନ ଅଧୀନସ୍ଥ ତିବ୍ଦତ ପ୍ରଦେଶରେ ରହିଛି କୈଳାସ । ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ୬ ହଜାର ୬୩୮ ମିଟର ।
ହିମାଳୟର କେନ୍ଦ୍ର କୈଳାସ
ପୃଥିବୀ ଦୁଇଟି ଗୋଲାର୍ଦ୍ଧରେ ବିଭକ୍ତ, ଉତ୍ତର ଏବଂ ଦକ୍ଷିଣ ଗୋଲାର୍ଦ୍ଧ । ଏହି ଦୁଇ ଗୋଲାର୍ଦ୍ଧର ମଝିରେ ହିମାଳୟ ପର୍ବତ ଅବସ୍ଥିତ, ଏବଂ ହିମାଳୟର କେନ୍ଦ୍ରରେ ଅବସ୍ଥିତ କୈଳାସ ପର୍ବତ । କୈଳାସ ପର୍ବତ ଉପରକୁ ଚଢିବା ଉପରେ ବର୍ତ୍ତମାନ ପ୍ରତିବନ୍ଧକ ଲାଗିଛି । ଏଠାକୁ ଚଢ଼ିବା ପାଇଁ ଯେଉଁମାନେ ପ୍ରୟାସ କରିଛନ୍ତି, ଆଜି ପର୍ଯ୍ୟନ୍ତ କେହି ଜୀବନ ଧରି ଫେରିନାହାଁନ୍ତି । ତେବେ ଏକାଦଶ ଶତାବ୍ଦୀରେ ଜଣେ ବୌଦ୍ଧ ସନ୍ନ୍ୟାସୀ କୈଳାସରୁ ଜୀବନ ଧରି ଫେରିଥିବା କୁହାଯାଏ । ତାଙ୍କୁ ଛାଡିଦେଲେ ଆଉ କେହି ଏଥିରେ ସଫଳ ହୋଇନାହାଁନ୍ତି ।
କୈଳାସରୁ ବାହାରିଛି ୪ ନଦୀ
କୈଳାସ ପର୍ବତରୁ ଚାରିଟି ପବିତ୍ର ନଦୀ ବାହାରିଛି ତା ହେଲା- ସିନ୍ଧୁ, ବ୍ରହ୍ମପୁତ୍ର, ସତଲେଜ ଓ ଘାଘରା ବା କର୍ଣ୍ଣାଲି । କୈଳାସ ପାଦ ଦେଶରେ ରହିଛି ଦୁଇଟି ହ୍ରଦ, ଗୋଟିଏ ଦୁନିଆର ସବୁଠୁ ଉଚ୍ଚରେ ଥିବା କୈଳାସ ମାନସରୋବର ହ୍ରଦ ଏବଂ ଅନ୍ୟଟି ରାକ୍ଷସ ତାଲ୍ , ଯାହା ପୃଥିବୀର ସର୍ବୋଚ୍ଚ ଲୁଣିଆ ହ୍ରଦ । ମାନସରୋବରର ରଙ୍ଗ ଋତୁ ଅନୁସାରେ ବଦଳୁଥାଏ, ଏହା ଅତ୍ୟନ୍ତ ସୌନ୍ଦର୍ଯ୍ୟପୂର୍ଣ୍ଣ । ମାନସରୋବରର ଜଳ ସବୁବେଳେ ସ୍ଥିର ଥିବାବେଳେ ରାକ୍ଷସ ତାଲ୍ କିନ୍ତୁ ସବୁବେଳେ ଅଶାନ୍ତ ଥାଏ, ତେଣୁ ଏଠାକୁ ପ୍ରାୟତଃ କେହି ଯାଇନଥାନ୍ତି ।
ଅଲୌକିକ କୈଳାସ
କୈଳାସ ପର୍ବତ ନିକଟରେ ଅନେକ ସାଧୁ, ସନ୍ଥ ଓ ମହାତ୍ମା ଏବେ ବି ଜପ, ତପ କରୁଥିବାର ବିଶ୍ବାସ କରାଯାଏ । ସେମାନଙ୍କର ପ୍ରଭାବରେ ଏହାର ବାତାବରଣରେ ଏକ ପ୍ରକାରର ଆଲୌକିକତା ଭରି ରହିଛି । ବର୍ତ୍ତମାନ କେବଳ କୈଳାସ ମାନସରୋବର ପର୍ଯ୍ୟନ୍ତ ଯିବା ପାଇଁ ଲୋକଙ୍କୁ ଅନୁମତି ରହିଛି, ତେବେ ଏଠାରେ ଏକ ପ୍ରକାରର ଧ୍ବନି ଶୁଣିବାକୁ ମିଳିଥାଏ । ଏଠାକାର ପବନରେ ଓଁ ଏବଂ ଡମ୍ବରୁର ଶବ୍ଦ ଗୁଞ୍ଜରିତ ହୋଇଥାଏ । ତେବେ କିଛି ବୈଜ୍ଞାନିକଙ୍କ କହିବା କଥା ଯେତେବେଳେ ପବନ ବରଫ ପାହାଡରେ ବାଡେଇ ହୋଇଥାଏ, ଏବଂ ବରଫ ତରଳିବାକୁ ଲାଗେ, ସେତେବେଳେ ଏହି ଧ୍ବନି ବାହାରିଥାଏ । ତେବେ ବିଜ୍ଞାନ ଯାହା କହୁନା କାହିଁକି ପୁରାଣ ଯୁଗରୁ ଆଜି ପର୍ଯ୍ୟନ୍ତ କୈଳାସ ଏକ ରହସ୍ୟମୟ ସ୍ଥାନ ହୋଇ ରହିଛି । ହିନ୍ଦୁ ମାନଙ୍କ ସହ ବୌଦ୍ଧ, ଜୈନ ଏବଂ ତିବ୍ଦତର ବୌନ୍ ସମ୍ପ୍ରଦାୟର ଲୋକେ ମଧ୍ୟ ଏହାକୁ ଏକ ଦିବ୍ୟସ୍ଥାନ ମନେ କରନ୍ତି । ଜୈନମାନେ ବିଶ୍ବାସ କରନ୍ତି ଯେ, ପ୍ରଥମ ଜୈନ ତୀର୍ଥଙ୍କର ରିଷଭଦେବ ଏହି କୈଳାସରେ ନିର୍ବାଣ ପ୍ରାପ୍ତି ହୋଇଥିଲେ । ବୌଦ୍ଧମାନେ ମଧ୍ୟ ଏହାକୁ ପବିତ୍ର ସ୍ଥଳ ମନେ କରନ୍ତି, ଏହାର ନିକଟରେ ଅନେକ ବୌଦ୍ଧସ୍ତୁପ ନିର୍ମାଣ କରାଯାଇଛି ।