ହିନ୍ଦୁ ଧର୍ମରେ ଯେତେ ମଙ୍ଗଳ କାର୍ଯ୍ୟ ହୁଏ, ପ୍ରାରମ୍ଭରେ ନଡ଼ିଆ ବା ଶ୍ରୀଫଳ ଭଙ୍ଗାଯାଇଥାଏ । ଜଗନ୍ନାଥଙ୍କ ରଥକାର୍ଯ୍ୟ ଆରମ୍ଭ ହେଉ, କି ଗୃହ ପ୍ରବେଶ, ନୂଆ ଗାଡ଼ି, କୌଣସି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ, ଇତ୍ୟାଦି ଶୁଭ କାର୍ଯ୍ୟ ନଡ଼ିଆ ଭାଙ୍ଗି ଆରମ୍ଭ କରାଯାଏ । ହିନ୍ଦୁ ଧର୍ମରେ ନଡ଼ିଆକୁ ମଙ୍ଗଳର ପ୍ରତୀକ ମନେକରାଯାଇଥାଏ । ପୂଜାପାଠ, ହୋମ ଯଜ୍ଞରେ ନଡ଼ିଆ ଦରକାର ହୋଇଥାଏ । ମାଆ ତାରିଣୀଙ୍କର ନଡ଼ିଆ ହେଉଛି ଅତି ପ୍ରିୟ । ଅଗ୍ରପୂଜ୍ୟ ଗଣେଶଙ୍କର ମଧ୍ୟ ନଡ଼ିଆ ପ୍ରିୟ ଫଳ । ନଡ଼ିଆ ହେଉଛି ସମୃଦ୍ଧି ଓ ସୌଭାଗ୍ୟର ଚିହ୍ନ । ପୃଥିବୀରେ ଥିବା ପବିତ୍ର ଫଳମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଶ୍ରୀଫଳ ।
ଆସନ୍ତୁ ଜାଣିବା କୌଣସି ଶୁଭ କାମ ଆରମ୍ଭରେ କାହିଁକି ନଡ଼ିଆ ଭଙ୍ଗାଯାଇଥାଏ । ପୁରାଣରେ ବର୍ଣ୍ଣନା ରହିଛି ଯେ, ଋଷି ବିଶ୍ବାମିତ୍ର ଶ୍ରୀଫଳ ନିର୍ମାଣ କରିଥିଲେ । ଏହାର ଉପର ଅତି ଶକ୍ତ ଓ କଠିନ, ତା ଭିତର ଅତି କୋମଳ ଓ ସ୍ବାଦିଷ୍ଟ । ଏହା ଦର୍ଶାଇଥାଏ ଯେ, କୌଣସି କାର୍ଯ୍ୟ ପ୍ରଥମରୁ ଅତି କଠିନ ହୋଇଥାଏ, ଏବଂ ଯିଏ ନିଷ୍ଠାର ସହ କାର୍ଯ୍ୟ କରିଥାଏ ପରବର୍ତ୍ତୀ ସମୟରେ ସେ କାମର ସୁଫଳ ପାଇଥାଏ । ନଡ଼ିଆରେ ଥିବା ପାଣି ଅତି ପବିତ୍ର, ଏହି ପାଣି ଯେଉଁ ସ୍ଥାନରେ ପଡ଼ିଥାଏ ତାହା ନକାରାତ୍ମକ ଶକ୍ତିକୁ ଦୂର କରିଥାଏ ।
ନଡ଼ିଆ ଭାଙ୍ଗିବାର ଅର୍ଥ ନିଜର ଅହଂକାର ଛାଡ଼ିବାକୁ ମଧ୍ୟ ଦର୍ଶାଇଥାଏ । ନଡ଼ିଆ ମଣିଷର ଶରୀରକୁ ଦର୍ଶାଇଥାଏ ଏବଂ ଯେତେବେଳେ ଜଣେ ନଡ଼ିଆ ଭାଙ୍ଗିଥାଏ, ତାହା ନିଜକୁ ସମର୍ପଣ କରିବା ସହ ସମାନ ବୋଲି ମଧ୍ୟ କୁହାଯାଏ । ନଡ଼ିଆରେ ତିନୋଟି ଆଖି ରହିଛି, ଏହି ତିନି ଆଖି ଭଗବାନ ଶିବଙ୍କର ତିନି ଆଖି ବୋଲି ମନେ କରାଯାଏ । ନଡ଼ିଆ ମାଧ୍ୟମରେ ଭଗବାନ ଶିବ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।
ନଡ଼ିଆକୁ ସଂସ୍କୃତରେ ଶ୍ରୀଫଳ କହନ୍ତି, ଶ୍ରୀ ଅର୍ଥ ଲକ୍ଷ୍ମୀ, ମହାଲକ୍ଷ୍ମୀଙ୍କ ବିନା କୌଣସି କାର୍ଯ୍ୟ ସଫଳ ହୁଏନାହିଁ । ତେଣୁ ଶୁଭ କାର୍ଯ୍ୟରେ ଶ୍ରୀଫଳ ବ୍ୟବହାର ହୁଏ । ବିବାହ ଆଦିରେ ଘର ଆଗରେ ପୂର୍ଣ୍ଣକୁମ୍ଭ ଉପରେ ଶ୍ରୀଫଳ ରଖାଯାଏ । ନଡ଼ିଆ ଗଛକୁ ସଂସ୍କୃତରେ କଳ୍ପବୃକ୍ଷ କୁହାଯାଏ । କଳ୍ପବୃକ୍ଷ ଯେପରି ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାଏ, ନଡ଼ିଆ ସେହିପରି ମନସ୍କାମନା ପୂର୍ଣ୍ଣକରିଥାଏ ବୋଲି ବିଶ୍ବାସ ରହିଛି ।