ମଣିଷ ପାଇଁ ଘର ହେଉଛି ତାର ସ୍ଵର୍ଗ, ତେଣୁ ଘରକୁ ସବୁବେଳେ ଅଶୁଭ ଶକ୍ତିଠାରୁ ଦୂରେଇ ରଖିବା ଉଚିତ୍, ନଚେତ୍ ଘରେ ଅଶାନ୍ତି ଲାଗି ରହିବ ।
କେଉଁ ସବୁ ଜିନିଷ ଘର ଆଗରେ ରହିଲେ, ଘରେ ଅଶାନ୍ତି ଲାଗିରହେ, ଘରର ବାତାବରଣ ପ୍ରଦୂଷିତ ହୁଏ ଆସନ୍ତୁ ତା ଉପରେ ନଜର ପକାଇବା ।
୧- ଅପରିଷ୍କାର ପାଣି
ମୁଖ୍ୟ ଦ୍ଵାର ଦେଇ ଘର ଭିତରକୁ ଦେବଦେବୀ ପ୍ରବେଶ କରିଥାନ୍ତି । ବିଶେଷ କରି ମାଆ ଲକ୍ଷ୍ମୀଠାକୁରାଣୀ ପରିଷ୍କାର ପରିଚ୍ଛନ୍ନ ଘରକୁ ଯିବା ପାଇଁ ପସନ୍ଦ କରିଥାନ୍ତି ବୋଲି ବିଶ୍ଵାସ ରହିଛି । ତେଣୁ ଘରର ମୁଖ୍ୟ ଦ୍ଵାର ଆଗରେ ଅପରିଷ୍କାର ପାଣି ଜମା ରଖିବା ଅନୁଚିତ୍ । ଯଦି ଘରର ପଶ୍ଚିମ ଦିଗରେ ଖରାପ ପାଣି ଜମା ହେଉଛି, ତେବେ ଆପଣଙ୍କର ଧନହାନୀ ହେବାର ଆଶଙ୍କା ରହିଛି ।
୨- ଘର ସାମ୍ନାରେ କେଉଁ ଗଛ ରଖିବେ ନାହିଁ
ଘରର ମୁଖ୍ୟ ଦ୍ଵାର ଆଗରେ କେବେ ମଧ୍ୟ କୌଣସି କଣ୍ଟାଯୁକ୍ତ ଗଛ ରଖିବେ ନାହିଁ । ଏହାସହ ଦ୍ଵାର ସାମ୍ନାରେ ଘରଠାରୁ ଉଚ୍ଚ କୌଣସି ଗଛ ରଖିବା ଅନୁଚିତ୍ । ଏହାଦ୍ଵାରା ଶତ୍ରୁଭୟ ରହିବ, ଘରର ସଦସ୍ୟଙ୍କ ଭିତରେ ମତଭେଦ ରହିବ ଏବଂ ଶାରୀରିକ ଅସୁସ୍ଥତା ଲାଗି ରହିବ ।
୩- ଘର ଆଗରେ ଡଷ୍ଟବିନ ରଖନ୍ତୁ ନାହିଁ କିମ୍ବା ଅଳିଆ ଜମା କରନ୍ତୁନାହିଁ
ଘରର ମୁଖ୍ୟ ଦ୍ଵାର ଆଗରେ କେବେ ମଧ୍ୟ ଡଷ୍ଟବିନ ରଖନ୍ତୁ ନାହିଁ, କିମ୍ବା ଅଳିଆ ଆବର୍ଜନା ଜମା କରନ୍ତୁନାହିଁ । କିଛି ଲୋକ ଘର ଝାଡୁ କରି ଅଳିଆକୁ ଘର ସାମ୍ନାରେ ଝାଡ଼ି ଦିଅନ୍ତି, ଏପରି ଅଭ୍ୟାସ କେବେ ମଧ୍ୟ କରନ୍ତୁ ନାହିଁ । ଏହାର ବହୁତ କୁପ୍ରଭାବ ଘର ଉପରେ ପଡ଼ିଥାଏ, ବହୁତ ଧନହାନୀ କରିଥାଏ । ଘରକୁ ପ୍ରବେଶ କରିବା ମାତ୍ରେ ଯେପରି ଡଷ୍ଟବିନ ଉପରେ ନଜର ନପଡ଼େ ସେଥିପ୍ରତି ସଚେତନ ରହିବେ ।
୪- ଘର ସାମ୍ନାରେ କୌଣସି ଲଟା ଜାତୀୟ ଗଛ ଲଗାନ୍ତୁନାହିଁ
ଘରର ସାମ୍ନା କାନ୍ଥରେ ଅନେକ ଲୋକ ଲଟା ଜାତୀୟ ଘରସଜା ଗଛ ଲଗାଇଥାନ୍ତି, ତେବେ ଏପରି କରନ୍ତୁ ନାହିଁ, ସାମ୍ନାଠାରୁ କିଛି ଦୂରରେ ଏଭଳି ଗଛ ଲଗାନ୍ତୁ । ଘର ଆଗରେ ଏହି ଗଛ ଲଗାଇଲେ ଘର ଲୋକଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ।
୫- ଘରର ଦ୍ଵାରଠାରୁ ରାସ୍ତାର ଉଚ୍ଚତା ଅଧିକ ନହେଉ
କୌଣସି ପରିସ୍ଥିତିରେ ମଧ୍ୟ ରାସ୍ତାଠାରୁ ଘରର ମୁଖ୍ୟ ଦ୍ଵାର ତଳୁଆ କରନ୍ତୁ ନାହିଁ, ସବୁବେଳେ ଏହା ରାସ୍ତାଠାରୁ ଉଚ୍ଚରେ ରହିବା ଆବଶ୍ୟକ । ଘରର ମୁଖ୍ୟ ଦ୍ଵାରଠାରୁ ରାସ୍ତା ଉଚ୍ଚରେ ରହିଲେ ଘର ପ୍ରତି ବାସ୍ତୁଦୋଷ ଲାଗିଥାଏ । ଏଭଳି ସ୍ଥିତିରେ ତୁରନ୍ତ ଘରର ମରାମତି କରିଦେବା ଦରକାର, ନଚେତ୍ ଏହା କ୍ଷତିକାରକ ହେବ ।