ଶଶିଭୂଷଣ ନନ୍ଦଶର୍ମା
ଗାୟକ କାବ୍ୟାଳଙ୍କାର
୧୯୪୪ ମସିହା ଏପ୍ରିଲ ମାସ ୭ ତାରିଖରେ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଥାନା ଅନ୍ତର୍ଗତ ଗଙ୍ଗାଧରପୁର ଶାସନରେ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଶଶିଭୂଷଣ । ବାପା ପଣ୍ଡିତ ଗୋପାଳ ଚନ୍ଦ୍ର ନନ୍ଦ ଓ ମାଆ ଚମ୍ପାଦେବୀଙ୍କର ୩ଟି ସନ୍ତାନ ମଧ୍ୟରେ ଶଶିଭୂଷଣ ଥିଲେ ସର୍ବ କନିଷ୍ଠ । ଶଶିଭୂଷଣଙ୍କୁ ଯେତେବେଳେ ମାତ୍ର ଦେଢ ବର୍ଷ ମାଆ ଚମ୍ପାଦେବୀ ବସନ୍ତ ରୋଗରେ ପଡି ଆରପାରିକୁ ଚାଲିଗଲେ । ଏହି କୁନିକୁନି ଶିଶୁମାନଙ୍କର ସମସ୍ତ ଲାଳନ ପାଳନ ଭାର ପଡିଲା ପିତା ଗୋପାଳ ଚନ୍ଦ୍ରଙ୍କ ଉପରେ ।
ଗୋପାଳ ଚନ୍ଦ୍ର ନନ୍ଦ ମଧ୍ୟ ସ୍ୱଳ୍ପ ସମୟ ପାଇଁ ପାଲା ଗାୟକର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ହେଲେ ପତ୍ନୀ ବିୟୋଗ ପରେ ପାରିବାରିକ ଅସୁବିିଧା ତାଙ୍କୁ ସବୁଦିନ ପାଇଁ ପାଲା ଗାୟକ ଜୀବନରୁ ଦୂରେଇ ଦେଇଥିଲା । ନିଜର ଏହି ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଗୋପାଳ ଚନ୍ଦ୍ରଙ୍କ ନଜରରେ ପଡିଥିଲେ କନିଷ୍ଠ ପୁତ୍ର ଶଶିଭୂଷଣ । ପିଲାଟି ଦିନରୁ ଶଶିଭୂଷଣ ଅପୂର୍ବ ଧିଶକ୍ତି ସମ୍ପନ୍ନ, ବାକ୍ ପଟୁତାରେ ପାରଦର୍ଶୀ, କୌଣସି କଥାକୁ ସହଜରେ ମନେରଖିପାରୁଥିଲେ । ଏସବୁକୁ ଦୃଷ୍ଟିରେ ରଖି ପିତା ଗୋପାଳ ଚନ୍ଦ୍ର ପୁଅ ଶଶିଭୂଷଣଙ୍କୁ ଅନେକ ସଂସ୍କୃତ କାବ୍ୟ, ମହାକାବ୍ୟ, ନାଟକ ଆଦି ପଢିବା ପାଇଁ ଦେଉଥିଲେ । ନିଜେ ଗୁରୁର ଭୂମିକାରେ ପୁଅର ସମସ୍ତ ମସସ୍ୟାର ସମାଧାନ କରିିଦେଉଥିଲେ ।
ସପ୍ତମ ଶ୍ରେଣୀ ପଢା ଶେଷହେବା ପୂର୍ବରୁ ଶଶିଭୂଷଣ ଅନେକ କାବ୍ୟ, ନାଟକ, ମହାକାବ୍ୟର ଶ୍ଲୋକ ଅକ୍ଳେଶରେ କଣ୍ଠସ୍ଥ କରିସାରିଥିଲେ ଓ ଏହାର ଭାବାର୍ଥ ମଧ୍ୟ ଅତି ସୁନ୍ଦର ଭାବେ କରିପାରୁଥିଲେ । ଏହା ବ୍ୟତୀତ ମହାନାଟକ, ଆଧ୍ୟାତ୍ମ ରାମାୟଣ, ବୈରାଗ୍ୟ ଶତକ, ଅମରକୋଶ ଓ ରୀତିଯୁଗୀୟ ସାହିତ୍ୟସବୁକୁ କରାୟତ କରିସାରିଥିଲେ । ସେତେବେଳେ ଗଙ୍ଗାଧରପୁର ଶାସନରେ ଅବସ୍ଥାନ କରୁଥିବା ମହାନ ସଂସ୍କୃତ ପଣ୍ଡିତ ଶ୍ରୀ ପୁରୁଷୋତମ କର ମହୋଦୟଙ୍କର ପରାମର୍ଶ କ୍ରମେ ଶଶିଭୂଷଣଙ୍କୁ ପାଲା ଗାୟକ କରିବାର ଦିନ ଧାର୍ଯ୍ୟ କରାଗଲା । ଯେତେବେଳେ ଶଶିଭୂଷଣଙ୍କୁ ମାତ୍ର ୧୪ ବର୍ଷ ଗ୍ରାମର ପ୍ରସିଦ୍ଧ ଶିବ ମନ୍ଦିର ଶ୍ରୀସ୍ୱପ୍ନେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ଶଶିଭୂଷଣ ଗୁରୁ ପୁରୁଷୋତମ କରଙ୍କ ହାତରୁ ଚାମର ଗ୍ରହଣ କରି ଗାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ।
ଶଶିଭୂଷଣଙ୍କ ବାପା ଗୋପାଳ ଚନ୍ଦ୍ର ନନ୍ଦ ଏକାଧାରରେ ଜଣେ ଗାୟକ, ପଣ୍ଡିତ, ସାହିତ୍ୟିକ, ସମାଲୋଚକ ଓ ସୁୁକବି ମଧ୍ୟ ଥିଲେ । ନିଜର ସମସ୍ତ ଜ୍ଞାନ ଗାରିମାକୁ ପୁଅ ମାଧ୍ୟମରେ ପରିପ୍ରକାଶ କରିବା ପାଇଁ ସେ ଯଥାସାଧ୍ୟ ଉଦ୍ୟମ କରିଥିଲେ । ପୁଅ ଶଶିଭୂଷଣଙ୍କୁ ବିଭିନ୍ନ ସଂସ୍କୃତ କାବ୍ୟ ଓ ମହାକାବ୍ୟରୁ ସରଳ ଓଡିଆ ଅନୁବାଦ କରିଦେଉଥିଲେ ଗୋପାଳ ଚନ୍ଦ୍ର । ଏହାବ୍ୟତୀତ କ୍ଳିଷ୍ଟ ଶ୍ଲୋକ ସବୁର ମଧ୍ୟ ସେ ଅତି ସୁନ୍ଦର ଭାବାର୍ଥ କରିଦେଉଥିଲେ । ଏହିପରି ଭାବରେ ପୁଅକୁ ଜଣେ ବିଦ୍ୱାନ ପାଲା ଗାୟକ କରିବାରେ ପିତା ଗୋପାଳ ଚନ୍ଦ୍ରଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ ।
ଯୋଗ୍ୟ ପିତାଙ୍କର ସୁଯୋଗ୍ୟ ଦାୟାଦ ଭାବରେ ଶଶିଭୂଷଣ ଆଉ ପଛକୁ ଫେରି ଚାହିଁନଥିଲେ । ସେ ଖୁବ୍ କମ୍ ସମୟ ମଧ୍ୟରେ ପାଲା ଜଗତରେ ଜଣେ ଅଦ୍ୱିତୀୟ ଓ ଅପ୍ରତିଦ୍ୱନ୍ଦ୍ୱୀ ଗାୟକ ଭାବେ ଉଭା ହୋଇଥିଲେ । ତାଙ୍କ ପାଲାରେ ସଂସ୍କୃତ ସାହିତ୍ୟ ଥିଲା ପ୍ରମୁଖ ଅଙ୍ଗ । ବିଶେଷ କରି ମହାନାଟକମ୍, କୁମାର ସମ୍ଭବମ୍, ରଘୁବଂଶମ୍, ନୈଷଧୀୟ ଚରିତମ୍, କିରାତାର୍ଜୁନୀୟମ୍, ମାଘକାବ୍ୟ, ଭଟ୍ଟିକାବ୍ୟ ଅନ୍ୟତମ । ଏହା ବ୍ୟତୀତ ରୀତି ଯୁଗୀୟ କାବ୍ୟ କବିତାରେ ମଧ୍ୟ ସେ ଅନନ୍ୟ ଥିଲେ । ବୈଦେହୀଶ ବିଳାସ, ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡସୁନ୍ଦରୀ, ଅବନା ରସତରଙ୍ଗ, ପ୍ରେମସୁଧାନିଧି, ରସକଲ୍ଲୋଳ, ବିଦଗ୍ଧଚିନ୍ତାମଣି, ରାଘବ ବିଳାସ, ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଆଦିରେ ତାଙ୍କର ଗଭୀର ପ୍ରବେଶ ଥିଲା । ରାଧାନାଥ ସାହିତ୍ୟ, ମେହେର ସାହିତ୍ୟ, ବସୁ ସାହିତ୍ୟ ସହ ଜୟଦେବଙ୍କର ଶ୍ରୀଗୀତଗୋବିନ୍ଦ ଗାୟନରେ ମଧ୍ୟ ସେ ସମସ୍ତଙ୍କ ମାନସରେ ଚୀର ସ୍ମରଣୀୟ ହୋଇରହିବେ ।
ପାଲା ମାଧ୍ୟମରେ ଅଭିନୟ ଓ ବିଭିନ୍ନ ରସ ପରିବେଷଣରେ ମଧ୍ୟ ଶଶିଭୂଷଙ୍କର ସ୍ଥାନ ସ୍ୱତନ୍ତ୍ର । ତତ୍କାଳୀନ ଗାୟକ ସମ୍ରାଟ୍ ବେଷ୍ଣବ ଚରଣ ପ୍ରଧାନଙ୍କ ସହ ଶଶିଭୂଷଣଙ୍କର ପ୍ରଥମ ପାଲା ଗାୟନର ଅନୁଭୂତି ଥିଲା ନିଆରା । ପ୍ରଥମ ଦେଖାରେ ପ୍ରଧାନ ମହୋଦୟଙ୍କୁ ପ୍ରଣାମ ଜଣାଇବାରୁ ସେ ଶୁଭାଶୀର୍ବାଦ କରି ଜଣେ ଭଲ ପାଲା ଗାୟକ ହୁଅ ବୋଲି କହିଥିଲେ । ଏହାପରେ ପରୀକ୍ଷା ସ୍ୱରୂପ କହିଥିଲେ, ମୁଁ ଆଜି ନଳଦମୟନ୍ତୀ (ନୈଷଧ) ଗାଇବି । ଅଧାରୁ ବିଷୟ ଛାଡିବି । ତୁମେ ପୂରଣ କରିପାରିବ ତ । ଏହାର ଉତରରେ ଶଶିଭୂଷଣ ହଁ କୁହନ୍ତେ, କେତେ ଶ୍ଲୋକ ଜାଣିଛ ବୋଲି ବୈଷ୍ଣବ ପ୍ରଧାନ ପ୍ରଶ୍ନ କରିଥିଲେ । ଶଶିଭୂଷଣ ୧୨୨ ଶ୍ଲୋକ ଜାଣିଛି କୁହନ୍ତେ, ବୈଷ୍ଣବ ପ୍ରଧାନ ଆଶ୍ଚର୍ଯ୍ୟ ପ୍ରକଟ କରି କହିଲେ, ମୁଁ ମାତ୍ର ୯୦ ଶ୍ଲୋକ ଜାଣିଥିବା ସ୍ଥଳେ ତୁମେ ୧୨୨ ଶ୍ଲୋକ ଜାଣିଛ ।
ସେହିପରି ଗାୟକ ଶେଖର ଜଗନ୍ନାଥ ବେହେରା କହୁଥିଲେ, କୁଜଙ୍ଗରେ ଜଣେ ପ୍ରତିଭାବାନ୍ ଗାୟକଙ୍କର ଆବିର୍ଭାବ ହୋଇଛି । ଆଶୀର୍ବାଦ କରୁଛି ତୁମେ ତୁମ ଲକ୍ଷ୍ୟ ପଥରେ ସଫଳ ହୁଅ । ଶଶିଭୂଷଣ ନନ୍ଦଶର୍ମା ନିଜ ପାଲା ଜୀବନରେ ରାଜ୍ୟର ପ୍ରାୟ ସମସ୍ତ ପ୍ରତିଷ୍ଠିତ ମଂଚରେ ପାଲା ପରିବେଷଣ କରି ସୁନାମ ଅର୍ଜନ କରିଛନ୍ତି । ତାଙ୍କ ସମୟର ସମସ୍ତ ପ୍ରତିଷ୍ଠିତ ଗାୟକଙ୍କ ସହ ବାଦୀପାଲାରେ ଅବତୀର୍ଣ୍ଣ ହୋଇ ସଫଳ ହୋଇଛନ୍ତି । ରାଜ୍ୟର ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । ଏବେ ୭୫ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଯୁବ ସୁଲଭ ଗୁଣରେ ପାଲା ପରିବେଷଣ କରୁଛନ୍ତି । ଯଦିଓ ବୟସ ଆଉ ସାଥ୍ ଦେଉନି, ହେଲେ ସେ ପାଲାକୁ ଛାଡିପାରୁନାହାନ୍ତି ।
ଏବେର ପାଲାକୁ ନେଇ ଓ ପାଲାର ଭବିଷ୍ୟତକୁ ନେଇ ଚିନ୍ତିତ ଶଶିଭୂଷଣ । ଧୀରେଧୀରେ ପାଲା ପ୍ରତି ଲୋକମାନଙ୍କର ଅଭିରୁଚି କମିଯାଉଛି । ଗାୟକମାନେ ଉପଯୁକ୍ତ ଭାବରେ ପାଲା ପରିବେଷଣ କରିପାରୁନାହାଁନ୍ତି । ଗାୟକମାନେ ପ୍ରାଚୀନ କାବ୍ୟ, ଶାସ୍ତ୍ର ଆଦିରେ ପ୍ରବେଶ କରିବାକୁ ଚାହୁଁନାହାଁନ୍ତି । ଯୁବ ଗାୟକମାନେ ମଧ୍ୟ ସାଧନା ବିମୁଖ ହେଉଛନ୍ତି, ଯାହା ଫଳରେ ଦର୍ଶକଙ୍କ ହୃଦୟକୁ ଛୁଇଁଲା ଭଳି ପାଲା ପରିବେଷଣ କରିପାରୁନାହାଁନ୍ତି । ତେଣୁ ଯୁବ ଗାୟକମାନେ ଉପଯୁକ୍ତ ସାଧନା କରନ୍ତୁ ଯାହାଦ୍ୱାରା ସେମାନେ ପାଲାପ୍ରେମୀଙ୍କ ମନ ରାଜ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବେ ବୋଲି କହନ୍ତି ଶଶିଭୂଷଣ ।
https://www.youtube.com/watch?v=P_Gxi1SjoE4
Pala:
https://www.youtube.com/watch?v=Ow-dwl2sDbI&t=4s
https://www.youtube.com/watch?v=-IoGiV7i7Qc
https://www.youtube.com/watch?v=POVDhFFlWzc