ବିଦ୍ୟା ବାଗୀଶ ହେ ବିଭୁ ପଦାଶ୍ରିତ ଥାଇ
ବିପନ୍ନ ପାଲାକାରଙ୍କୁ ଦିଅ ଥରେ ଚାହିଁ
ବିଧି ବିଧାନକୁ ଛାଡି
ବିଦଗ୍ଧ ସଂସ୍କୃତି ଯାଏ କୁପଥରେ ମାଡି।
ଶାରଦା ସନ୍ତାନ ଗଣ ନିଶାଗ୍ରସ୍ତ ଭାବେ
ଶାସ୍ତ୍ରୀୟ ସଙ୍ଗତି ହୀନ ବିକୃତ ବିରାବେ
ଶାଶିତ ବାଣୀ ହାଣନ୍ତି
ଶାଳିନତା ଚ୍ୟୁତ, କାହିଁ ସମାଜ ଉନ୍ନତି।
ରବିଅସ୍ତ ଗତେ ଯଥା ପେଚକ ବିରବି
ରକ୍ଷ ନିଶାଚର ମନ୍ଦବୁଦ୍ଧି ସୁଖେ ଦ୍ରବି
ରହେ ସାଧୁ ଲୁଚି ଡରେ
ରସିକ ଗ୍ରାହକ ଛପିଲେଣି ସମାଜରେ।
ଦୟାକର ଥରେ ହେ ଭୁଷଣ୍ଡ ପୁର ଷଣ୍ଢ
ଦମ୍ଭୀ-ଦମ୍ଭୋଳି ପଣ୍ଡିତବର ମାରକଣ୍ଡ
ଦରଶନ ଦିଅ ଆସି
ଦଇନ ଭାବେ ଡାକନ୍ତି ଏ ଉତ୍କଳ ବାସୀ।
ଓଡ଼ିଶାର ପାଲାଜଗତର ପ୍ରଜ୍ଞାପୁରୁଷଙ୍କ ପୁଣ୍ୟଜନ୍ମତିଥିରେ
ଆକୁଳ ନିବେଦନ ଓ କୋଟି କୋଟି ପ୍ରଣାମ।
ରଚନା- ଲକ୍ଷ୍ମୀଧର ପଣ୍ଡା