କବି-ଗାୟକ ଅନନ୍ତ କିଶୋର ସାମଲ, ଯାଜପୁର
ଜନନୀ ଗୋ, ଦୁର୍ଗେ ଦୁର୍ଗତୀ ନାଶିନୀ
ନୃମୁଣ୍ଡ ମାଳିନୀ ଦନୁଜ ଦଳିନୀ
ଅଟୁ ସତ୍ୟ ସନାତନୀ ।୦।
ଆଦ୍ୟ ଯୁଗେ ମାତ ଆଦ୍ୟାଶକ୍ତି କ୍ଷାତ
ଅମର ଭୟ ନାଶିନୀ,
ନାରାୟଣୀ ରୂପେ ହେଲ ଆବିର୍ଭୂତା
ମହିଷାସୁର ମର୍ଦ୍ଦିନୀ ।୧।
ତ୍ରେତୟା ଯୁଗରେ ସୁବର୍ଣ୍ଣ ନଗରେ
ଦାଶରଥି ଆରାଧିନୀ,
ଶତ ଅଷ୍ଟ ପଦ୍ମ ଅର୍ପିଲେ ଶ୍ରୀରାମ
ରକ୍ଷବଂଶ ବିଧ୍ବଂସିନୀ ।୨।
କୁଳ ଅଧିଷ୍ଠାତ୍ରୀ ଦ୍ବାରକାରେ ସ୍ଥିତି
ଦ୍ବାପରରେ ଯଦୁପୁରେ,
ତୋତେ ମା' ଅମାନ୍ୟ କରିଣ ଅଜ୍ଞାନ
ପଡିଲେ ତୋର ଖପରେ ।୩।
ମହା କଳିକାଳ ଆଶ୍ବିନ ଶୁକଳ
ପକ୍ଷରେ ତୋହର ପୂଜା,
ନରନାରୀ ଯେତେ ପୂଜନ୍ତି ସମସ୍ତେ
ଦେଇ କେତେ ବଳି ଭୋଜା ।୪।
ମୁହିଁ ଅକିଞ୍ଚନ ନାହିଁ ମନ୍ତ୍ର ଜ୍ଞାନ
ନ ଜାଣେ ମୁଁ ଆରାଧନା,
ପୂର୍ବ ପୁରୁଷଙ୍କ ଲୋଡୁଛି ପଦାଙ୍କ
ଅନନ୍ତ କରେ ଭାବନା ।୫।