ଗାୟକ ସୁଧାକର ପରମାନନ୍ଦ ଶରଣ
ତାଙ୍କ କଣ୍ଠସ୍ୱର ଏତେ ସୁମଧୁର ଯେ, ଲୋକେ କହନ୍ତି ପରମାନନ୍ଦ ଶରଣ ପାଲା ଗାଇଲେ ଅମୃତ ବର୍ଷା ହୁଏ । ପାଲା ଗାୟନ କ୍ଷେତ୍ରରେ ଶୀର୍ଷରେ ପହଞ୍ଚିଥିବା ପରମାନନ୍ଦ ଶରଣଙ୍କ ଜନ୍ମ ୧୯୧୭ ମସିହା ନଭେମ୍ବର ମାସରେ । ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମରେ ଘର । ବାପା କାଙ୍ଗାଳି ଚରଣ ଶରଣ ଏବଂ ମାଆ ଶୁକଦେଇ । ପରିବାରରେ କଳା ଭରି ରହିଥିଲା । ବାପା ଓ ଅଜା ଉଭୟ ସଙ୍ଗୀତରେ ଓସ୍ତାଦ, ଯାହାର ପ୍ରଭାବ ପଡିଥିଲା ପରମାନନ୍ଦଙ୍କ ଉପରେ । ଯାଜପୁର ହାଇସ୍କୁଲରୁ ମାଟ୍ରିକ ପଢା ଶେଷ ପରେ ପୁରୀ ମୁକ୍ତିମଣ୍ଡପର ପଣ୍ଡିତ ଘନଶ୍ୟାମ ଶତପଥୀଙ୍କ ନିକଟକୁ ଯାଇଥିଲେ ସଂସ୍କୃତ ଶିଖିବା ପାଇଁ । ସେଠାରେ ଦୀର୍ଘ ୧୩ ବର୍ଷ ସଂସ୍କୃତ ଅଧ୍ୟୟନ କରିଥିଲେ । ଏହାପରେ ପଣ୍ଡିତ ଘନଶ୍ୟାମ ଶତପଥୀଙ୍କୁ ଗୁରୁ କରି ପାଲା ଶିଖିବା ଆରମ୍ଭ କଲେ । ପରବର୍ତ୍ତୀ ସମୟରେ ପଣ୍ଡିତ ନୀଳକଣ୍ଠ ଦାଶ, ହରେକୃଷ୍ଣ ମହତାବ, ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି, ଜୟକୃଷ୍ଣ ମିଶ୍ର, ଗୌରୀକୁମାର ବ୍ରହ୍ମଙ୍କଠାରୁ ପ୍ରେରଣା ପାଇ ପାଲା କ୍ଷେତ୍ରରେ ଆଗେଇ ଚାଲିଲେ ପରମାନନ୍ଦ ଶରଣ ।
୧୯୩୬ ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବା ଅବସରରେ ପରମାନନ୍ଦ ଶରଣ ନିଜ ଗ୍ରାମରେ ପାଲା ପରିବେଷଣ କରି ନିଜର ଭାଷାପ୍ରେମ ପ୍ରଦର୍ଶନ କରିଥିଲେ । ୧୯୩୯ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ସେ ବ୍ରିଟିଶ ସରକାରଙ୍କ ତରଫରୁ ଯୁଦ୍ଧର ପ୍ରଚାର ପ୍ରସାର ପାଇଁ ପାଲା ଗାୟନ କରିଥିଲେ । ୧୯୪୮ ମସିହାରେ ସେ ପ୍ରଥମେ ଆକାଶବାଣୀରେ ପାଲା ଗାୟନ କରିବାର ସୁଯୋଗ ପାଇଥିଲେ ।
ରାଜ୍ୟର କୋଣ ଅନୁକୋଣ ସହ କଲିକତା, ଛତିଶଗଡ, ରାୟପୁର,ବସ୍ତର, ସିଂହଭୂମ, ମଧ୍ୟପ୍ରଦେଶର ବିଭିନ୍ନ ଅଂଚଳରେ ପାଲା ଗାୟନ କରି ବେଶ ପ୍ରସିଦ୍ଧି ଅର୍ଜନ କରିଥିଲେ ପରମାନନ୍ଦ ଶରଣ । ଏଥିସହ ବିଭିନ୍ନ ରାଜବାଟୀରେ ପାଲା ଗାୟନ କରି ସେ ତତ୍କାଳୀନ ରାଜା ମହାରାଜାମାନଙ୍କର ମଧ୍ୟ ପ୍ରିୟପାତ୍ର ହୋଇପାରିଥିଲେ । ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ, ଆଳି, କନିକା ରାଜବାଟୀରେ ସେ ଅନେକ ଥର ପାଲା ଗାଇବାର ସୁଯୋଗ ପାଇଥିଲେ । କେନ୍ଦୁଝର ରାଜା ବଳଭଦ୍ର ଭଞ୍ଜଙ୍କ ପୁଅ ନୃସିଂହ ଭଞ୍ଜଙ୍କ ଏକୋଇଶା ଅବସରରେ ସେ ଦୀର୍ଘ ୨୬ ଦିନ ପାଲା ଗାଇ ରେକର୍ଡ କରିଥିଲେ । ତାଙ୍କ ପାଲାରେ ମୁଗ୍ଧ ହୋଇ ରାଣୀ ମନୋଜ ମଞ୍ଜରୀ ଦେବୀ ତାଙ୍କୁ ସୁନା ମିଶ୍ରିତ ଚଦର ଉପହାର ଦେଇଥିଲେ । ସେହିପରି ଏଠାରେ ତାଙ୍କୁ ସୁନା ଖଡୁ, ସୁନା କୁଣ୍ଡଳ, ସୁନା ପଦକ, ସୁନା ବେଣ୍ଟ ଲାଗିଥିବା ଚାମର, ସୁନା ମୁଦି ଆଦି ପୁରସ୍କାର ସ୍ୱରୂପ ମିଳିଥିଲା ।
ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗାୟକ ସୁଧାକର ପରମାନନ୍ଦ ଶରଣଙ୍କୁ ମିଳିଥିଲା ଅନେକ ପୁରସ୍କାର ଓ ପଦବୀ । ୧୯୫୯ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ଗାୟକ ଚନ୍ଦ୍ର ଉପାଧି ମିଳିଥିବା ବେଳେ ୧୯୭୦ ମସିହାରେ ରେଭେନସା କଲେଜରୁ ମିଳିଥିଲା ଗାୟକ ସୁଧାକର ଉପାଧି ।
ଜଣେ ସଫଳ ପାଲା ଗାୟକ ହେବା ସହ କବି ଭାବରେ ମଧ୍ୟ ପରମାନନ୍ଦ ଶରଣ ପରିଚିତ । ସାବିତ୍ରୀ ସତ୍ୟବାନ, ଅଷ୍ଟବସୁ ଉଦ୍ଧାର, ଦୁର୍ଯ୍ୟୋଧନ ରକ୍ତନଦୀ ସନ୍ତରଣ, ଉଦୟନ, ବିଶ୍ୱାମିତ୍ର ଉପାଖ୍ୟାନ ଆଦି କାବ୍ୟ ସହ ସେ ଅଶୋକଙ୍କ କଳିଙ୍ଗ ଆକ୍ରମଣ, କାରୁବାକୀ, ସମ୍ରାଟ୍ ଚନ୍ଦ୍ରଗୁପ୍ତ, ଖାରବେଳ, ନରସିଂହ ଦେବ ବିବାହ ଆଦି ଅନେକ ଐତିହାସିକ କାବ୍ୟ ମଧ୍ୟ ରଚନା କରିଯାଇଛନ୍ତି । ତାଙ୍କର ଅନେକ କବିତା ପାଲା ଗାୟକମାନେ ପରିବେଷଣ କରୁଛନ୍ତି, ଯାହା ମାଧ୍ୟମରେ ଆଜି ମଧ୍ୟ ସେ ଜୀବିତ ।