ଗାୟକ ସୁଧାକର ପ୍ରଫେସର ନିରଞ୍ଜନ ପଣ୍ଡା
ପାଲା ଜଗତରେ ପ୍ରଥମ ଉଚ୍ଚ ଶିକ୍ଷିତ ଗାୟକ ଭାବେ ପାଦ ଦେଇଥିଲେ ଡକ୍ଟର ନିରଞ୍ଜନ ପଣ୍ଡା । ୧୯୪୨ ମସିହା ଜାନୁଆରି ୪ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ମଲ୍ଲିକେଶ୍ୱରପୁର ଗ୍ରାମରେ ଏକ କୁଳୀନ ବ୍ରାହ୍ଣଣ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ । ବାପା ସୁନାକର ପଣ୍ଡା ଥିଲେ ଜଣେ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି, ଯାହାଙ୍କର ପ୍ରଭାବ ପଡିଥିଲା ନିରଞ୍ଜନଙ୍କ ଉପରେ । ପିଲାଟି ଦିନରୁ କଳା, ସାହିତ୍ୟ, ସଙ୍ଗୀତ ପ୍ରତି ନିରଞ୍ଜନଙ୍କର ବହୁ ଆଗ୍ରହ ରହିଥିଲା । ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ସହ ଓଡିଆ ପୁରାଣ, ସାହିତ୍ୟ, କର୍ମକାଣ୍ଡ ଆଦି ସେ ବାପାଙ୍କଠାରୁ ଶିଖିଯାଇଥିଲେ । ଶିକ୍ଷିତ ପରିବାରରେ ଜନ୍ମ ଗ୍ରହଣ କରିଥିବା ନିରଞ୍ଜନ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡିଆରେ ପ୍ରଥମ ଶ୍ରେଣୀରେ ଏମ.ଏ. ପାସ୍ କରିବା ପରେ ରେଭେନ୍ସା କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ ।
ଉଚ୍ଚ ଶିକ୍ଷା ଗ୍ରହଣ କରିବା ସମୟରେ ନିରଞ୍ଜନ ପାଲା ପ୍ରତି ଆକୃଷ୍ଟ ହୋଇଥିଲେ । ନିଜେ ଜଣେ ପାଲା ଗାୟକ ହେବାକୁ ମନସ୍ଥ କରିଥିଲେ । ଗାୟକ ସମ୍ରାଟ୍ ବୈଷ୍ଣବ ଚରଣ ପ୍ରଧାନଙ୍କୁ ଗୁରୁଭାବେ ଗ୍ରହଣ କରି ତାଙ୍କଠାରୁ ସେ ପାଲା ଶିଖିଥିଲେ । ଜଣେ ପ୍ରତିଷ୍ଠିତ ଅଧ୍ୟାପକ ସହ ପାଲା ଜଗତରେ ଜଣେ ଧୂରୀଣ ଗାୟକ ଥିଲେ ଡକ୍ଟର ପଣ୍ଡା । ରେଭେନ୍ସା କଲେଜରେ ବାଦୀପାଲାର ଆୟୋଜନ କରିବା ଏବଂ ସୁପ୍ରସିଦ୍ଧ ଗାୟକମାନଙ୍କୁ ବିଜ୍ଞ, ପ୍ରଖ୍ୟାତ ସାହିତ୍ୟିକଙ୍କ ଦ୍ୱାରା ଉପାଧି ପ୍ରଦାନ କରିବାର ପରମ୍ପରା ସୃଷ୍ଟି କରିବା ପଛରେ ଥିଲା ଡକ୍ଟର ପଣ୍ଡାଙ୍କର ଉଦ୍ୟମ । ହରିନାଥଙ୍କୁ ଗାୟକ ରତ୍ନ, ନିରଞ୍ଜନ କରଙ୍କୁ ଗାୟକ ଶିରୋମଣି, ବୈଷ୍ଣବ ପ୍ରଧାନଙ୍କୁ ଗାୟକ ସମ୍ରାଟ୍, ପରମାନନ୍ଦ ଶରଣଙ୍କୁ ଗାୟକ ଚନ୍ଦ୍ର ଆଦି ଉପାଧି ରେଭେନ୍ସା କଲେଜ ହିଁ ପ୍ରଦାନ କରିଥିଲା ।
ରେଭେନ୍ସା କଲେଜ ସହ ସମ୍ବଲପୁରର ଗଙ୍ଗାଧର ମେହେର କଲେଜ, ଅନୁଗୋଳ ସରକାରୀ କଲେଜ, ଢେଙ୍କାନାଳ ମହାବିଦ୍ୟାଳୟ, ଭୁବନେଶ୍ୱରର ରାଜଧାନୀ କଲେଜ ଓ ବିଜେବି କଲେଜ, ପୁରୀର ଏସସିଏସ କେଲଜ, ଗଞ୍ଜାମର ଖଲିକୋଟ ମହାବିଦ୍ୟାଳୟରେ ସେ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । କଟକର ଜାତୀୟ କବି ବିରକିଶୋର ମହାବିଦ୍ୟାଳୟରୁ ବିଭାଗୀୟ ମୁଖ୍ୟଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ ପ୍ରଫେସର ନିରଞ୍ଜନ ପଣ୍ଡା ।
ପାଲାକୁ ଜାତୀୟ ସ୍ତରରେ ପହଞ୍ଚାଇବାରେ ଡକ୍ଟର ନିରଞ୍ଜନ ପଣ୍ଡାଙ୍କର ରହିଛି ପ୍ରମୁଖ ଭୂମିକା । ଧୀରେନ ଦାଶଙ୍କ ସହ ମିଶି ସେ ପ୍ରଥମେ ପାଲା ସମ୍ପର୍କୀତ ଗବେଷଣାତ୍ମକ ପୁସ୍ତକ ରଚନା କରିଥିଲେ । ଉଭୟଙ୍କ ଲିଖିତ ‘ଓଡିଶାର ପାଲା’ ଶୀର୍ଷକ ପୁସ୍ତକକୁ ଖୋଦ୍ ସାହିତ୍ୟ ଏକାଡେମୀ ପ୍ରକାଶ କରିଥିଲା । ଜଣେ ଆଦର୍ଶ ଅଧ୍ୟାପକ ସହ ପ୍ରତିଷ୍ଠିତ ଗାୟକ ଏବଂ ଜଣେ ସୁସାହିତ୍ୟିକ ଥିଲେ ଡକ୍ôଟର ପଣ୍ଡା । ସେ ଅଂଶୁପା, ଅମ୍ବରୀଷ ଆଦି କାବ୍ୟ ରଚନା କରିବା ସହ ବହୁ ପତ୍ର ପତ୍ରିକାରେ ଅନେକ ପ୍ରବନ୍ଧ ରଚନା କରିଛନ୍ତି ।
ସାମାଜିକ ଜୀବନରେ ପ୍ରଫେସର ପଣ୍ଡା ଥିଲେ ଅତି ଉତ୍ତମ ବ୍ୟକ୍ତିତ୍ୱର ଅଧିକାରୀ । ବାଦୀପାଲାରେ ସେ କେବେ କୌଣସି ପ୍ରତିପକ୍ଷ ଗାୟକଙ୍କୁ କଟୁ ସମାଲୋଚନା କରନ୍ତି ନାହିଁ, ବରଂ ଉପାଦେୟ ପରାମର୍ଶ ଦିଅନ୍ତି । ସେ ଜଣେ ସଫଳ ସଂଗଠକ ଭାବେ ପାଲା ପାଇଁ ଅନେକ କାର୍ଯ୍ୟ କରିଯାଇଛନ୍ତି । ଦୀର୍ଘବର୍ଷ ଧରି ସେ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ଉପସଭାପତି ଦାୟିତ୍ୱରେ ରହିଥିଲେ । ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ପାଲା ଏବଂ ପାଲା କଳାକାରଙ୍କ ପାଇଁ ସେ ଥିଲେ ସମର୍ପିତ । ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ପୁରପଲ୍ଲୀ ତଥା ବହୁ ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ତାଙ୍କୁ ଗାୟକ ସୁଧାକର, ଗାୟକ ବିଦଗ୍ଧ ବିନୋଦ, ଗାୟକ ରସଶ୍ରୀ, ଗାୟକ ଲଳିତ ଆଦି ଉପାଧିରେ ଭୂଷିତ କରିଛନ୍ତି । ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ୱୀକୃତି ପ୍ରାପ୍ତ କଳାକାର ରହିବା ସହ ସେ ଆଧ୍ୟାତ୍ମିକ ଚ୍ୟାନେଲ ପ୍ରାର୍ଥନାର ବାଦୀପାଲା କାର୍ଯ୍ୟକ୍ରମରେ ଜଜ୍ ଭାବେ କାର୍ଯ୍ୟ ତୁଲାଇଥିଲେ । ଜଣେ ସମୀକ୍ଷକ ଓ ବିଚାରପତି ଭାବେ ତାଙ୍କ ପରାମର୍ଶ ଏବଂ ଉପଦେଶକୁ ପାଲା କଳାକାରମାନେ ଅକୁଣ୍ଠ ଚିତ୍ତରେ ଗ୍ରହଣ କରୁଥିଲେ ।
ପାଲା ଆକାଶର ଏହି ଉଜ୍ଜ୍ୱଳ ନକ୍ଷତ୍ର ୨୦୧୯ ମସିହା ଡିସେମ୍ବର ୩୧ ତାରିଖରେ ସବୁଦିନ ପାଇଁ ଅସ୍ତ ହୋଇଗଲେ । ଆଜି ତାଙ୍କର ପାର୍ଥିବ ଶରୀର ନାହିଁ ସତ, ହେଲେ ସେ ତାଙ୍କ ପାଲା ମାଧ୍ୟମରେ ସବୁଦିନ ପାଇଁ ଅମର ।