Issue Date
8 Aug, 2020

Genres
ଗାୟକ 'ଶ୍ରୀ' ଦାମୋଦର ଦାଶ
ନବ ଯୁବତୀର ବାହୁ ବନ୍ଧନେ ଆମୋଦିତ ହେଲା ବେଳେ
ଭଗବାନ ତୁମେ ମନେ ତ ପଡ଼ନା ଜହ୍ନ ଧଉଳା ନିଶିଥରେ ।।୦।।
ବିଅର ବାରରେ, ଜୁଆ ଆଡଡାରେ, ଥିଲାବେଳେ ସାଙ୍ଗ ମେଳେ
ତୁମ କଥା କେବେ ସ୍ମରଣ ଆସେନା, ଯୌବନ-ଜଉ ଘରେ ।।୧।।
ମୁନାଫାଖୋର, ମହଜୁଦକାରୀର ଅପମିଶ୍ରଣ କାଳେ
କଳାଟଙ୍କାର ସୁନେଲି ସ୍ଵପ୍ନରେ ମସଗୁଲ ଥିଲାବେଳେ ।।୨।।
ଛଳ କପଟ ଓ ମିଥ୍ୟାଚାରର, ଜାଲ ବୁଣିଲା ବେଳେ
ଭଗବାନ କାହିଁ ମନେ ତ ଆସନା, ଥାଅ ତୁମେ କେଉଁଠାରେ ।।୩।।
କ୍ଷମତା ଲିପସୁର ଦମନଲୀଳାର ତାଣ୍ଡବ ନୃତ୍ୟ ବେଳେ
ମନେ ତ ପଡ଼ନା ଭଗବାନ ତୁମେ, ଭୋଗର ରଙ୍ଗଶାଳାରେ ।।୪।।
ଅତ୍ୟାଚାରୀ ତା ଧନ ଗର୍ବର ଓଜନିଆ ପାଦତଳେ
ନିଷ୍ପେଷିତର କରୁଣ ବିଳାପ ନିସ୍ପନ୍ଦ କଲାବେଳେ ।।୫।।
ନିଜ ସ୍ଵାର୍ଥ ପାଇଁ ସଦାଚାରକୁ ଆହୁତି କରିଲା ବେଳେ
କାହିଁକି ଜମାରୁ ମନେପଡ଼ନାହିଁ, ଖୋଲି କହିବ କି ଥରେ ।।୬।।