
ମାନଭଞ୍ଜନ
(୬ମହାକାବ୍ୟ,୭ବାର,୧୨ରାଶି ମାଳିକା)
ରଚନା- ଲକ୍ଷ୍ମୀଧର ପଣ୍ଡାଶର୍ମା
ଚଳାପାଙ୍ଗିନୀ ଛଇଳା, ସୁକୁମାରୀ ଚାରୁକେଶା
ମେଷ ଦେବି ବୃଷାସନ, ଘରଣୀଙ୍କୁ ରେ ସୁଦୃଶା ।।
ଉତ୍ତମା ଘନ ଚିକୁରା, ମିଥୁନରେ ଆଶା ପରା
ଶୋଭାର ବିତ୍ତ କର୍କଟ, ଗତି ରତି ସୋମହାସା ।୧।
ସିଂହ କଟି ଶୁଣ ଈଶ, ଧନ ଡାକ କନ୍ୟା ଈଶ
ମଙ୍ଗଳ ନାହିଁ ତୋ ତୁଳା, ବଲ୍ଲଭଟି ମୁଁ ସୁଦୃଶା ।୨।
ବୃଶ୍ଚିକ ପରାୟେ କାମ ଶର କରଇ ବିଭ୍ରମ
ଦରଘୁଞ୍ଚା ବୁଧଚିତ୍ତେ, ଗୁରୁ ହେଉଛି ମୋ ଦଶା ।୩।
ଧନୁଭ୍ରୂ ଭଙ୍ଗିମା ତୋର, ତେଜିଛି କି କାମ କର
ସୁକରଜା କୁମ୍ଭସ୍ତନା, ମୀନାକ୍ଷୀ ମୋ ବକ୍ଷ ଭୂଷା ।୪।
ମଦନାଶନି ନିବାର, କହୁଛି ମୁଁ ସାତବାର
ବାର ରାଶି ଷଡ କାବ୍ୟ, ଲକ୍ଷ୍ମୀଧର କବି ଖାସା ।୫।
---------------------------------------------
କୁମାରୀ-କୁମାର ସମ୍ଭବ, ମେଷ, ବୃଷ । ଉତ୍ତମାଘନ- ମାଘ ।
ମିଥୁନ। ଶୋଭାରବିତ୍ତ- ଭାରବି, ରବି। ସୋମ । ସିଂହ ।
ଶୁଣଈଶଧନ- ନଈଷଧ, କନ୍ୟା । ମଙ୍ଗଳ, ତୁଳା । ବଲ୍ଲଭଟି- ଭଟ୍ଟି ।
ବୃଶ୍ଚିକ।ଦରଘୁଞ୍ଚା- ରଘୁବଂଶ, ବୁଧ, ଗୁରୁ । ଧନୁ ।
କାମକର- ମକର । ସୁକରଜା- ଶୁକ୍ର, କୁମ୍ଭ । ମୀନାକ୍ଷୀ- ମୀନ । ମଦନାଶନି- ଶନି ।