ପଙ୍କଜମୁଖ ଗଲି ସରି,ହେ,ଶଙ୍ଖଧାରୀ ବୃତ୍ତେ
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା
ଭଣଜା ମରା ମାମୁଁ ମରା,
ଏ,ଡହରାଟା
ମାଇଁହରା ବୋଲି ଗୋପ-
ପୁରେ ବାଜେ ନାଗରାଟା ।।୦ ।।
ଜାରଜଶଳା ଏ ଶଳା-
ଲଣ୍ଡା କରା ବୋଲି ଧରା-
ଯାକର କଳଙ୍କ ପସରାଟା
ଥନ୍ତଲପେଟା ୟା ବୋପା ଗାଈଚରାଟା
ଅଇଁଠା ଗୋଇଠା ଖିଆ,
ପାଲଟା ବାସ ଚୋରାଟା ।।୧।।
କେଳା କେଉଟ ଏ ଗଧ-
ପଦଧରା ଅପବାଦ-
ଅରଜିଛି ମାଙ୍କଡ଼ ମରାଟା
ବାରବୁଲୀ ଟେରୀଭାର୍ଯ୍ୟା କରଧରାଟା
ନିଆଁଗିଳା ଷଣ୍ଢମରା,
ଡାହୁକ ବଂଶ ମରାଟା ।।୨।।
କୁଜୀକୁ ପୀରତି କଲା,
ଭାରିଯାକୁ ଛାଡିଥିଲା ।
ଶଳାଭାଉଜର ଏ ମହତସରାଟା
ଅଲକ୍ଷଣୀ ଦେଢ଼ଶାଶୁ ବାସହରାଟା
ବଙ୍କାଗୋଡିଆର ପୋଡ଼-
ଖୁଣ୍ଟାପରି ଚେହେରାଟା ।।୩।।
କି କହିବି ଭାଇଗୁଣ,
ବ୍ରାହ୍ମଣୀ କଲା ହରଣ ।
ଭିଖାରୀ ଭିକ୍ଷା ଝୁଲି ଧରାଟା
ଶଶୁର ଘରରେ ସଦା ବାସକରାଟା
ରମାକାନ୍ତ ଦିଏ ଗାଳି,
ଶାଗଖିଆ ବକରାଟା ।।୪।।
କେତେକ ଶବ୍ଦର ଅର୍ଥ:
ଜାରଜଶଳା=ପାଣ୍ଡବଙ୍କ ଶଳା ।। ଶଳା=ଶିଶୁପାଳ ।। ମାଙ୍କଡ଼ମରା= ବାଳିମରା ।। ଟେରୀଭର୍ଯ୍ୟା=ଲକ୍ଷ୍ମୀ ଯାହାର ଭାର୍ଯ୍ୟା ।। ଶଳାଭାଉଜ=ବୃନ୍ଦା ।। ଭାଇଗୁଣ=ଇନ୍ଦ୍ରଙ୍କ ଗୁଣ ।। ବ୍ରାହ୍ମଣୀ=ଅହଲ୍ୟା ।। ଶାଗଖିଆ= ବିଦୁର ଘରେ ଶାଗ ଖାଇଥିଲେ ।। ବକରାଟା=ଛେଳି ପତ୍ର ଇତ୍ୟାଦି ଖାଉଥିବାରୁ କବି ବକରା ଶବ୍ଦ ପ୍ରୟୋଗ କରିଛନ୍ତି ।।