Issue Date
15 Aug, 2020

Genres
ରଚନା- ଲକ୍ଷ୍ମୀଧର ପଣ୍ଡାଶର୍ମା
ଆମ୍ଭ ନାଁ ବଳି ନାହାକ,
ଆମ୍ଭେ କଳିଆ ଯାକରେ ଶିରୋମଣି ହେ।
କାଖରେ ପାଞ୍ଜିଟା ଧରି ବୁଲୁଥାଉ
ଭବିଷ୍ୟତ କହୁ ଟିପଗଣିହେ। ।୦।
ଚୁଗୁଲିଆ ପଣ ଆମ୍ଭର
ଡହରାଙ୍କ ମଧ୍ୟେ ସର୍ଦ୍ଦାର
ଖଡିଗୋଟାଳିଟା ମୁଣ୍ଡରେ ଲଗାଇ
ଅଣ୍ଟାରୁ ପଇସା ନେଉ ଟାଣିହେ। ।୧।
ମୁଣ୍ଡେ ସରୁ ତିଳକ ଚିତା
କାନ୍ଧେ ମୋଟ ଧୋବ ପଇତା
ପାନଖିଲେ ଯାକି କରୁ ଭଲଲୋକି
କଥାରେ ପଥର କରୁ ପାଣିହେ। ।୨।
ପାଞ୍ଚଖଣ୍ଡି ଗାଁରେ ଡାକୁ
ପଣ୍ଡିତ କେ ବଳି ଆମ୍ଭକୁ
କାହାଘରେ କେତେ ସୋରିଷ ଫୁଟଇ
ଦଣ୍ଡକରେ ଆମ୍ଭେ ପାରୁଜାଣିହେ। ।୩।
ବଳେପଶି ସମ୍ପର୍କ ଯୋଡୁ
ଆଗକହୁ କେହି ନଲୋଡୁ
ନିର୍ଲ୍ଲଜ ଥୋବରା ଠାପୁଆ ବେଠିଆ
ନାଟୁଆ ହାଟୁଆ ଆମ୍ଭ ଘଣିହେ। ।୪।
ଆମ୍ଭ ବୁଦ୍ଧି କଉଶଳରେ
ପଶିଯାଉ ସବୁ ସ୍ଥଳରେ
ଭାଷେ ଲକ୍ଷ୍ମୀଧର ତୋଷାମଦିଆର
ପାଶକୁ ନଯାଅ ଯୋଡେପାଣିହେ। ।୫।