Issue Date
1 Oct, 2020
Genres
‘ଏତେବେଳକୁହେ ମୁଖ ଦିଶିଲାକିଆଜ’ ବୃତ୍ତେ
କବି:ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା
ପ୍ରାଣମିତଣୀରେ ଅନା
ହେଲା ସୁପ୍ରଭାତ ।
ମନ୍ଦ ମନ୍ଦ ବହିଲାଣି,
ସୁଶୀତଳ ବାତ ।୦।
ଶିରେ ଟେକି ରଙ୍ଗଚୂଳ,
ଡାକିଲେ କୁକ୍କୁଟ କୁଳ ।
ଚାଳେ କାକ ଡାଳେ ପିକ,
ଗାଇଲେଣି ଗୀତ ।୧।
ଅପସରି ଯାଏ ତମ,
ପ୍ରାଚୀଭାଗେ ମନୋରମ ।
ସୁରଙ୍ଗ ଅଂଶୁ ଅଜାଡି,
ଉଦେ ଦିନନାଥ ।୨।
ଫୁଟିଲେ ଜଳେ କମଳ,
ଯୁଟିଲେଣି ଅଳି ଦଳ ।
ରଟିଲେଣି ବେଦମନ୍ତ୍ର,
ଉଚ୍ଚେ ଦ୍ୱିଜବ୍ରାତ ।୩।
ଶମ୍ଭୁଆଳେ କମ୍ବୁ ଧ୍ଵନି,
ଘନ ଘନ ଶୁଭିଲାଣି ।
ଜଳଘାଟେ କୁଳବଧୂ ,
ହେଲେଣି ଏକତ୍ର ।୪।
ସଜାଡି ହଳ ଲଙ୍ଗଳ,
ଗଲେଣି କୃଷକ କୁଳ ।
ଗାଏ ପ୍ରଭାତ ମଙ୍ଗଳ,
ମିଶ୍ର ରମାକାନ୍ତ ।୫।