ll ନେତ ପିଲା ll
ପୁରୀ ସେବାୟତ ସମାଜର ଏକ ନିଆରା ପରମ୍ପରା । ଯାହା ବଳିପୂଜା ବା ଜହ୍ନି ଓଷା ନାମରେ ପରିଚିତ । କୁମାରୀ କନ୍ଯା ଭବିଷ୍ଯତ ରେ ଭଲ ସ୍ବାମୀ ପାଇବା ନିମନ୍ତେ ଏହି ବ୍ରତ ପାଳନ କରିଥାନ୍ତି ।ଆଶ୍ଵିନ ଶୁକ୍ଳ ପଞ୍ଚମୀ ଠାରୁ ଅଷ୍ଟମୀ ପର୍ଯ୍ୟନ୍ତ ମାର୍କଣ୍ଡେଶ୍ୱର ପୁଷ୍କରିଣୀ କୁ ଋଷିଗଣଙ୍କୁ ପୂଜା କରିବାକୁ ଯାଇଥାନ୍ତି ।ସନ୍ଧ୍ୟା ରେ ଜହ୍ନି ଫୁଲ ଓ ଫଳଆଦି ବଳିପୂଜା କରିସାରିବା ପରେ ଚନ୍ଦ୍ର ଦର୍ଶନ କରି ମହାପ୍ରସାଦ ଭୋଜନ କରି ବ୍ରତ ପାଳନ କରିଥାନ୍ତି ।
ନେତ ପିଲା ପରମ୍ପରା :-
"ବଳି ରେ ବଳି ନ କର କଳି
କାଲି ଆଣିଦେବି ସରୁଚା କୋଳି
ସରୁଚ କୋଳି ଯେ ଉପରେ ଘିଅ
ଧୂପ କଟି ଗଲେ ରଜା ଙ୍କ ବୋହୁ
ରଜାଙ୍କ ବୋହୁ ଯେ ବଡ଼ ବିନ୍ଧାଣୀ
ଟେକି ଧରିଥିଲେ ସପତ ଫେଣି
ଅଇନ କଲେ କି ବଇନ କଲେ
ମୁଣ୍ଡ ପୋତି କରି ସ୍ନାହାନ କଲେ "

ପ୍ରତିବର୍ଷ ଶାରଦୀୟ ଦୁର୍ଗା ପୂଜାର ପଞ୍ଚମୀ ତିଥିରେ ଶ୍ରୀକ୍ଷେତ୍ରର ମାର୍କଣ୍ଡେଶ୍ୱର ପୁଷ୍କରିଣୀ କୂଳରେ ଟିକି ଟିକି ପିଲାଙ୍କ କଣ୍ଠରୁ ଶୁଣିବାକୁ ମିଳେ ଉକ୍ତ ଲୋକ ଗୀତ । ଆଶ୍ୱିନ ଶୁକ୍ଳ ପଞ୍ଚମୀ ଦିନଟିକୁ ନେତ ପଞ୍ଚମୀ ମଧ୍ୟ କୁହା ଯାଇଥାଏ। ତେବେ ଏହି ନେତ ପରମ୍ପରା ଦେଖିବାକୁ ମିଳିଥାଏ ମହାପ୍ରଭୁଙ୍କ ସେବାୟତ ଘରର ଛୋଟ ଛୋଟ ଝିଅଙ୍କ ମଧ୍ୟରେ ।
ଝିଅଟି ଅଢେଇ / ପାଞ୍ଚ / ସାତ / ନଅ ବର୍ଷ ବୟସ ହେଲେ ନେତ ପିଲା ହୋଇପାରିଥାଏ। ଭାଦ୍ରବ ପୂର୍ଣ୍ଣିମାରୁ ଆଶ୍ୱିନ ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ ଏହି ବ୍ରତ ପାଳନ କରିଥାନ୍ତି ଏହି ଝିଅ ମାନେ। ଏହି ୨୧ ଦିନ ମଧରେ ପ୍ରତିଦିନ ସନ୍ଧ୍ୟା ରେ ଘରର ତୁଳସୀ ଚଉରା ମୂଳେ ବଳିପୂଜା କରିଥାନ୍ତି ଏହି କୁନି କୁନି ଝିଅ ମାନେ। ଏହି ସମୟରେ ଗୋଟିଏ ଗୁଆ ଓ ୭ ଟି କଉଡ଼ି କୁ ଫରୁଆରେ ରଖି ଶିବ ରୂପେ ପୂଜା କରିଥାନ୍ତି। ପ୍ରତିଦିନ ମୁଣ୍ଡିଆ ମାରି ଦୁଇ ଆଞ୍ଜୁଳି ଫୁଲ ଧରି ପୁଷ୍ପାଞ୍ଜଳି ଦିଅନ୍ତି ।
ଆଶ୍ୱିନ ଶୁକ୍ଳ ପଞ୍ଚମୀ ରୁ ଅଷ୍ଟମୀ ପର୍ଯ୍ୟନ୍ତ ଏହି କୁନି କୁନି ଝିଅ ନେତ ହୋଇଥାନ୍ତି । ପାରମ୍ପରିକ ବେଶରେ ସଜ୍ଜିତ ହୁଅନ୍ତି । ପାଟ ଲୁଗା କୁ କଛା ମାରି ପିନ୍ଧନ୍ତି ଓ ବିଭନ୍ନ ପାରମ୍ପରିକ ଅଳଙ୍କାର ପରିଧାନ କରିଥାନ୍ତି। ହାତରେ ଏକ ରୂପାର କରାଟ ରେ ହଲଦୀଗୁଣ୍ଡ , କଉଡ଼ି , ବଳି ପୂଜା ନିମନ୍ତେ ଗୁଆ ରଖି ଥାନ୍ତି ଏବଂ ଆଉ ଏକ ଟୋକାଇ ରେ ଜହ୍ନି , କମଳା , କାକୁଡ଼ି , ନଡ଼ିଆ , ପଇତା , ହଳଦୀ ଆଦି ନେଇ ଘରର ମୁରବି ଶ୍ରେଣୀ ବ୍ୟକ୍ତି ଯଥା ଆଈ / ପିଉସୀ ଙ୍କ ସହ ମାର୍କଣ୍ଡେଶ୍ୱର ପୁଷ୍କରିଣୀ ନିକଟକୁ ଯାଇଥାଆନ୍ତି। ସେଠାରେ ବାଲୁକା ନିର୍ମିତ ଶିବଲିଙ୍ଗ କରି ହରଗୌରୀଙ୍କୁ ଉପସନା କରିଥାନ୍ତି ।

ନେତ ପିଲା ପରିଧାନ କରୁଥିବା ଅଳଙ୍କାର ମାନ : -
ମସ୍ତକ - ଅଳକା , କେତକିରେଖା ପାନପତ୍ର , ଦକ୍ଷିଣ ପଟେ ଧାରେ ଜହ୍ନ ପରି ରାଗିଡି , ବାମ ପଟେ ପୂର୍ଣ୍ଣଚନ୍ଦ୍ର , ବେଣୀ ନିମନ୍ତେ ସୁନା କାକରା , ବେଣୀର ଅଗ୍ର ଭାଗରେ ରୂପା ର ଫୁଲି ।
କାନ - କାନଫୁଲ ପେଣ୍ଡି , ମଲକଢ଼ି , ବାଉଳି , ଫିରିଫିରା , ଫାସିଆ
ନାକ - ବାମ ପଟେ ନୋଥ , ଦକ୍ଷିଣ ପଟେ ଗୁଣା ଏବଂ ମଝିରେ ଦଣ୍ଡି
ବେକ - ଚାପସରି , ସୋରିଷିଆ ମାଳି , ଧାନୁଆ ମାଳି , ଗିନି ମାଳି , ଡଙ୍ଗୀ ମାଳି , କୁରୁଜାତକ , ଚାପୁଆଣି ମାଳ , ମଉଡ଼ ମାଳି
ବାହୁ : ବଳା , କାଠି ଡେଉଁରିଆ , ସୁନା ରସୁଣିଆ , ତାଡ଼ , ବାଜୁ ବନ୍ଧ
ଅଣ୍ଟା - ଅଣ୍ଟା ମାଳ , ପାଉଁଜି ବିଛା , ଚନ୍ଦ୍ର ହାର
ଗୋଡ଼ - ଗୋଡ଼ ମୁଦି , ଶିକୁଳି ଲଗା ପାଦପଦ୍ମ , ପାଉଁଜି , ବେଙ୍ଗ ପାଟିଆ ଘାଗୁଡି , ମଗର ମୁଣ୍ଡିଆ ଗୋଡ଼ଖଡୁ , ପାହୁଡ଼ , ଜାଲି ବାଙ୍କି
ଏହି ସମସ୍ତ ଅଳଙ୍କାର ପାରମ୍ପରିକ ଉତ୍କଳିୟ ଅଳଙ୍କାର ଅଟେ ।
