ଦୂତୀବାହନ ଓଷା କଥା
(ଦୁତିଆ ଓଷା ବା ପୁଅ ଜିଉନ୍ତିଆ ଓଷା)
*ପ୍ରଥମ ଛାନ୍ଦ*
ଜୟ ଜୟ ତୁ ଧର୍ମ ନିରଞ୍ଜନ ।
ଜୟ ଜୟ ଧର୍ମ ଦୁତିବାହନ ।।
ଯାହା ନାମ ଗୋଟି ସଂସାରେ ସାର ।
ଶୁଣିଲେ ନାନା ଦୋଷୁ ହୋଇ ପାର ।।
ଦୁତୀୟା ଓଷାର ମହିମା ଯେତେ ।
କଥା ପ୍ରସଙ୍ଗରେ କହୁଛି ଗୀତେ ।।
ବାଞ୍ଝି ମଡ଼ିଛି ଅବିବାହୀ ନାରୀ ।
କାଳପୁରୁଷ ପେଟହରା ସ୍ତିରୀ I।
କୁଳନାଶକୁ କାକ ବାଝା ମିଳେ ।
ଚନ୍ଦ୍ରଗ୍ରହଣ ଫଳ ବନ୍ଧା ଠୁଳେ II
କୁଳଟା ସ୍ତରୀ ଯେ ଅକର୍ମା ନାରୀ ।
ଏ ଓଷା କଲେ ଏତେ ଦୋଷୁ ତରି ।।
ଅତି ଦୁର୍ଗତିରେ ଦୁତୀୟା ଓଷା ।
ପାରିଲା ଲୋକ କରଇ ସହସା ।।
ଆନ ଓଷାରେ ନାହିଁ ଏତେ କାଷ୍ଠା ।
ଫଳ ମିଳେ ଯେହୁ କରଇ ନିଷ୍ଠା।।
ନିଷ୍ଠାରେ ଯେ ଜନ ଓଷା କରିବ ।
ଧନ ଜନ ଗୋପ ଲକ୍ଷ୍ମୀ ଲଭିବ ।।
ଦୁତୀୟା ଓଷାର ଫଳ ବିଶେଷ ।
ଗୀତେ କହିଲେ ପୁରୁଷୋତ୍ତମ ଦାସ ।।
*ଦ୍ବିତୀୟ ଛାନ୍ଦ*
ଆଶ୍ଵିନ କୃଷ୍ଣ ସପ୍ତମୀ ଦିନ ।
ଏକବାର କରି ଓଷା ବିଧାନ ।।
ନାନା ବ୍ୟଞ୍ଜନ କରିଣ ସମ୍ପୂର୍ଣ ।
କ୍ଷିରୀ, ପିଠା ଆଦି ଘୃତାନ୍ନ ଅନ୍ନ ।।
ଏକା ଲେଉଟିଆ ଶାଗକୁ ଛାଡ଼ି ।
ସର୍ବପରିବା ଯେ ଯାହାକୁ ଲୋଡ଼ି ।।
ଏମାନ ସଂଯୋଗ କରି ଥୋଇବ ।
ସୁଗନ୍ଧ ଘେନି ସ୍ନାହାନକୁ ଯିବ ।।
ଦେଖିଣ ଉତ୍ତମ ନଦୀ ପୋଖରୀ ।
ତୋଠ ଓଳିଆଇ ନିର୍ମଳ କରି ।।
ବାଲିରେ ଚିଲ ଶିଆଳ ଗଢ଼ିବ ।
ଦୁହିଁଙ୍କି ଦୁଇ ଦାନ୍ତକାଠି ଦେବ ।।
ଅପମାରଙ୍ଗର ସେ ଦାନ୍ତ କାଠି।
ଆଉ କାଠିମାନ ବିଧି ନୁହେଁଟି ।।
ନାଡ଼ିଲଗା ଜହ୍ନି କାକୁଡ଼ି ମାନ ।
ତାହା ଉପରେ କରିବ ମଣ୍ଡନ ।।
ନାନା ଗନ୍ଧ ପୁଷ୍ପେ ତାଙ୍କୁ ପୂଜିବ ।
ବହୁତ ପ୍ରକାରେ ସ୍ତୁତି କରିବ ।।
ସୂର୍ଯ୍ୟ ଦେବତାଙ୍କୁ ପ୍ରଣାମ କରି ।
ମନର ବାଞ୍ଚା ମନରେ ସୁମରି ।।
ପଛକୁ ଲେଉଟି ଚାହିଁବ ନାହିଁ ।
ଘରକୁ ଆସିବ ମଉନ ହୋଇ ।।
ବସନ ଯେ ଥିବ ଯେମନ୍ତ ଦ୍ରବ୍ୟ ।
ନୂଆବସନ ତ ଅତି ଦୁର୍ଲଭ ।।
ହୃଷ୍ଟମନେ ସବୁ ଯତନ କରି ।
କ୍ଷୀରି, ପିଠା ଆଦି ସମ୍ଭାର ଭରି ।।
ସକଳ ଦ୍ରବ୍ୟ ରାନ୍ଧିଥିବ ଯାହା ।
ସ୍ଥାନ ଲିପି ପୋଛି ବାଢ଼ିବ ତାହା ।।
ଦୁତିବାହାନଙ୍କୁ ନୈବେଦ୍ୟ ଦେବ ।
ତଦନ୍ତେ ଚିଲଶିଆଳି ପୂଜିବ ।।
ବନ୍ଧୁବାନ୍ଧବଙ୍କୁ ଡାକି ଭୁଞ୍ଜିବ ।
ପୁତ୍ର ଗୃହସ୍ଥଙ୍କୁ ସମାନ ଦେବ ।।
ରାତ୍ରିରେ ଏକ ପ୍ରକାର କରିବ ।
ନିଶାରେ ଦୁତିବାହନ ପୂଜିବ ।।
ଏଇ ରୂପେ ଏକବାରକୁ କରି ।
ରାତ୍ରିପାହିଲେ ଯେ ଓଷା ଆଚରି ।।
ଦ୍ବିତୀୟ ଛାନ୍ଦ କଥା ହେଲା ଶେଷ ।
ଗୀତେ ଭଣିଲେ ପୁରୁଷୋତ୍ତମ ଦାସ ।।
*ତୃତୀୟ ଛାନ୍ଦ*
ଅଷ୍ଟମୀ ଦିନ ପ୍ରଭାତରୁ ଉଠି ।
ଚିଲ ଶିଆଳଙ୍କୁ ଯାଇଣ ଭେଟି ।।
ବିଧିବିଧାନେ ସ୍ନାହାନ ସାରିବ ।
ସେ ଦିନଯାକ ଯେ ନିର୍ଜଳା ହେବ ।।
ସନ୍ଧ୍ୟା କାଳରେ ପବିତ୍ର ସ୍ଥାନରେ ।
କୋଠି ସଜାଡ଼ି ଆନନ୍ଦ ମନରେ ।।
ଜାଣିବା ଲୋକ କୋଠି ସଜାଡ଼ିବ ।
ନ ଜାଣିବା ଲୋକ ଦଣ୍ଡ ପାଇବ ।।
ଚାରି କୋଣିଆ କରିଣ ଖୋଳିବ ।
ମଝି ଦୀପଦଣ୍ଡୀ ପରି କରିବ ।।
ଦୈର୍ଘ୍ୟ ପ୍ରାୟ ଦୁଇହାତେ ପ୍ରମାଣ ।
ଏଥିରୁ କେବେ ନ କରିବ ଆନ ।।
କଣି ପୋତିଣ କୁଞ୍ଜ ସଜାଡ଼ିବ ।
ତୁଳସୀ ବୃକ୍ଷକୁ ମଧ୍ୟେ ରୋପିବ ।।
ଉପରେ ଚାନ୍ଦୁଆ ଗୋଟିଏ ବାନ୍ଧି ।
କଇଁଫୁଲ ମଣ୍ଡି ପୂରାଇ ସନ୍ଧି ।।
କୋଠି ମଧ୍ୟରେ କଦଳୀ ଲଗାଇ ।
ଦୁତିବାହାନ ବ୍ରତ ତାକୁ କହି ।।
ବାଞ୍ଝି ମଡ଼ିଛି ପୁତ୍ର ଦୋଷ ପାଇଁ ।
ଦକ୍ଷିଣେ ସ୍ଥାପିବ ଦି’ ଡାଳ ନେଇ ।।
ବାସ ଯୁଈଡାଳ ଆଣି ସତ୍ବର ।
ଯତନେ ରୋପିବ ତହିଁ ପାଶର ।।
ନାନାଦି ବର୍ଣ୍ଣରେ ମୁରୁଜ କରି ।
ସୂର୍ଯ୍ୟ ଦେବଙ୍କୁ ଲେଖିବ ସୁମରି ।।
ଚିଲ ଶିଆଳକୁ ରଖି ଉତ୍ତର ।
ପଶ୍ଚିମରେ ଦୁତିବାହାନ ପୁର ।।
ସକଳେ ପିନ୍ଧିଣ ଶୁକ୍ଳ ବସନ ।
ସିନ୍ଦୂର କଜ୍ଜଳମାନ ଘେନିଣ ।।
ଉତ୍ତମ ରୂପେ ସୁବେଶ ହୋଇବ ।
କୋଠି ସମୀପରେ ଯାଇଁ ବସିବ ।।
ଘୃତ ଦୀପ ଗୋଟି ଜାଳି ଜାଗର ।
ସମ୍ପାଦି ରଖିବ ପୂଜା ସମ୍ଭାର ।।
ନିଆଁ ଲୁହା ଯହିଁ ଲାଗିବ ନାହିଁ ।
ପୂଜା ଦ୍ରବ୍ୟମାନ ଥିବ ଭିଆଇ ।।
ଆଖୁ କନ୍ଦମୂଳ ନଡ଼ିଆ ମୁଗ ।
ପାଚିଲା କଦଳୀ ସୋଲ୍ଲା ନାରଙ୍ଗ ।।
ବଡ଼ଚଣା ମୂଳା ଝାନ କାକୁଡ଼ି ।
ମକା କରମଙ୍ଗା ନିଅର କୋଳି ।।
ଉଆଉ ଜାୟୀଳ ଲେମ୍ବୁ କମଳା ।
କେରନ୍ଦାକୋଳି ଯେ ପଦ୍ମ ପୁଷ୍ପରା ।।
ଜହ୍ନି କଖାରୁ ଆଦି କରି ଯେତେ ।
ଏକୋଇଶଦ୍ରବ୍ୟ ଏହି ସଂଯୁକ୍ତ ।।
ଚାଙ୍ଗୁଡ଼ା ଗୋଟିକେ ସକଳ ଭରି ।
ନୂଆ ବସନକୁ ପାହାଡ଼ାକରି ।।
ପୂଜା ଘେନାଇ ମିଳି କୋଠି ପାଶେ ।
ବସିବେ ସକଳେ ମନ ହରଷେ ।।
ଭଣ୍ଡାର ଘରରେ ଚାଙ୍ଗୁଡ଼ାମାନ ।
ସଜାଡ଼ି ରଖିବ ସବୁ ଯତନ ।।
ଯେଉଁମାନଙ୍କର ପାହାଡ଼ା ଥିବ ।
କୋଠି ଚାରିପାଶେ ବେଢ଼ାଇ ଦେବ ।।
କଉଡ଼ି ଏକୋଇଶ ଗଣ୍ଡା ଗୁଆ ।
ଆଗ କୋଠିରେ ପକାଇବ ତାହା ।।
ଏଥୁ ଉଣା କଲେ ଫଳନପାଇ ।
ଖଣ୍ଡନ କଲେ ଧର୍ମ ଖଣ୍ଡ ହୋଇ ।।
ଦୁତିବାହାନ ନୁହନ୍ତି ସନ୍ତୋଷ ।
ପ୍ରସ୍ତାବେ କହେ ପୁରୁଷୋତ୍ତମ ଦାସ ।।
*ଚତୁର୍ଥ ଛାନ୍ଦ*
ଏଥୁଅନନ୍ତରେ ସାନନ୍ଦ ନାରୀ ।
କଥା ଶୁଣିବ ଏକ ମନ କରି ।।
କୌଣସି ଆଡ଼କୁ ମନ ନ ଦେବ ।
କଥା ଶେଷରେ ହୁଳହୁଳି ଦେବ ।।
ଏଥିଉତ୍ତାରୁ ଶୁଣ ସେହି କଥା ।
ଦୁତିବାହାନଙ୍କ ଯେତେକ ବ୍ୟବସ୍ଥା ।।
ସୂର୍ଯ୍ୟମଣ୍ଡଳ ବୋଲି ନଗ୍ର ଏକ ।
ସେ ନଗ୍ରେବସତି ଅନେକ ଲୋକ ।।
ଅଷ୍ଟପାଟକଙ୍କ ଆଦି ପରଜା ।
ସୁରକ୍ଷିତ ବୋଲି ସେ ରାଜ୍ୟ ରାଜା ।।
ନାନା ଅଇଶ୍ଵର୍ଯ୍ୟ ବଢ଼ଇ ଧନ ।
କାହାରି ବଢ଼ଇ ନାହିଁ ସନ୍ତାନ ।।
ସେ ନଗ୍ରେ ଦୁଲ୍ଲଭା ନାମେ ବ୍ରାହ୍ମଣୀ ।
ବାଳୁତ ବିଧବା ଅଟେ ସେ ପୁଣି ।।
ରୂପ ଗୁଣରେ ସୁଲକ୍ଷଣା ଶୋଭା ।
କି ଅବା ପାର୍ବତୀରତି କି ରମ୍ବା ।।
ସୂର୍ଯ୍ୟଦେବତାଙ୍କୁ ମନେ ବଡ଼ ଭକତି ।
ସୂର୍ଯ୍ୟ ଜପ, ସ୍ତୁତି କରଇ ନିତି ।।
ଅକର୍ମି ନଥାଇ ସୁକର୍ମି ଥାଇ ।
ଉଚିତ ଦୁଃଖ ଯେ ତାହା ପାଳଇ ।।
ସପତ୍ନୀ ନାମେ ଯେ ତାର ପୋଇଲି ।
କୁଟା କରନ୍ତି ରାଣ୍ଡ ଲୋକ ବୋଲି ।।
ଏମନ୍ତେ ତହିଁ କିଛି ଦିନ ଗଲା ।
ଆଶ୍ୱିନ ମାସ ପିତୃ ପକ୍ଷ ହେଲା ।।
ଶ୍ରାଦ୍ଧ କରିବାକୁ ସବୁରି ମନ ।
ସୁରଜିତ ରାଜା କହେ ବଚନ ।।
ମନ୍ତ୍ରୀକି ଚାହିଁ ରାଜା ଆଜ୍ଞା ଦେଲେ ।
ଆମ୍ଭେ ଯେ ଶ୍ରାଦ୍ଧ କରିବା ବୋଇଲେ ।।
ଧାନକୁଟା ଦେବ କୁଟତୁଣିକି ।
କୁଟା ଧାନହିଁ ଦେଲେ ବ୍ରାହ୍ମଣୀକି ।।
ରାଜ ନଅର କୋଠ ଖନ୍ଦା ହେବ ।
ଚାରିଦିନେ ସବୁ ଚାଉଳ ଦେବ ।।
ଖରାକୁ ସିନା ସବୁରି ଭରସା ।
ଦଇବରେ କଲା ଘୋର ବରଷା II
କେହି ନ କୁଟିଲେ କୁଟାର ଧାନ ।
ବ୍ରାହ୍ମଣୀର ହେଲା ଅଧୈର୍ଯ୍ୟ ମନ ।।
କୁଟାଚାଉଳ ରାଜା ଘରେ ତ୍ବରା ।
କେମନ୍ତ ମୁଁ ଦେବି ନହେଲା ଖରା ।।
ଚାଉଳ ନ ଦେଲେ ଦଣ୍ଡିବ ନେଇ ।
ସତ୍ୟ ମନାସିଲା ସୂର୍ଯ୍ୟଙ୍କୁ ଚାହିଁ ।।
ମୋ ପତି ଦେବ ଧର୍ମ ନିରଞ୍ଜନ ।
ଶୁଖାଇ ଦିଅ ମୋ ଉଷୁନା ଧାନ ।।
ସତ୍ୟ ସତ୍ୟ ଯହୁଁ କଲା ବ୍ରାହ୍ମଣୀ ।
ଆକାଶେ ଚଳି ଯାନ୍ତେ ଦିନମଣି ।।
କିରଣ ତେଜେ ଶୁଖାଇଲା ଧାନ ।
ସତ୍ୟ କରିଛି ଦେବ ନିରଞ୍ଜନ ।।
ଶୁଖିଲା ଧାନକୁ କୁଟିଲା ନେଇ ।
ଆଉ ମାନେଛନ୍ତି ସବୁ ଉସେଇଁ ।।
ବ୍ରାହ୍ମଣୀ ସତ୍ୟ ଶୁଣିଛନ୍ତି ସୂର୍ଯ୍ୟ ।
କାମ ଆରତେ ନ ରହଇ ଧୈର୍ଯ୍ୟ ।।
ବୁଡ଼ିଲାବେଳ ଯେ ହୋଇଲା ରାତି ।
ବ୍ରାହ୍ମଣୀ ଘରକୁ ସୂର୍ଯ୍ୟ ଚଳନ୍ତି ।।
ଏମନ୍ତକୃତ୍ୟ ସେ ବ୍ରାହ୍ମଣୀ କଲା ।
ସତ୍ୟ କରି ପୁଣି ନିସତ୍ୟ ହେଲା ।।
ସତ୍ୟ କରିଛି ଆସିବେ ଅବଧି ।
ମନେ ବିଚାରିଲା କପଟ ବୁଦ୍ଧି ।।
ସପନୀ ନାମେଣ ତାହାର ଦାସୀ ।
ସୁବେଶ ତାକୁ କରାଇଲା ବସି ।।
ନାନା ଅଳଙ୍କାର ଭୂଷଣ କରି ।
ପାଟ ଉପରାଣ ପାଟେ ପହୁରି ।।
ଯେଉଁ ଖଟେ ଶୋଇଥାଏ ବ୍ରାହ୍ମଣୀ ।
ତହିରେ ତାକୁ ଶୁଖାଇଲା ଆଣି ।।
ପୋଇଲିଶୁଅଇ ଯେବଣ ଘରେ ।
ବ୍ରାହ୍ମଣୀ ଯାଇ ଶୋଇଲା ତହିଁରେ ।।
ଆଗତ କରି ଦାସୀକି ବୋଲଇ ।
ପୁରୁଷ ଅଇଲେ ଡରିବୁ ନାହିଁ ।।
ତୁକାରକରି ନବୋଲିବୁ ତାଙ୍କୁ ।
ମାଗିଲା ମାତ୍ରକେ ଦେବୁ ଦେହକୁ ।।
କିଛି ନବୋଲି ତୁନି ହୋଇଥିବୁ ।
ଯାହା କହିବେ ମନରେ ରଖିବୁ ।।
ନିଶା ନିର୍ଜନରେ ଶୋଇଲେ ଯାଇ ।
ବିଜେକଲେ ଛାୟା ଦେବୀର ସାଇଁ ।।
ଦିନକର ନାଥ କାମେ ଆରତ ।
ଏତେକ ବ୍ରାହ୍ମଣୀ କରିଛି ସତ୍ୟ।।
ନାନା ରସବନ୍ଧ କରିବେ କେଳି ।
ବିଚାରି ବ୍ରାହ୍ମଣୀ ମନ୍ଦିରେ ମିଳି ।।
ଦେଖିଲେ ସେଠାରେ ବ୍ରାହ୍ମଣୀ ନାହିଁ ।
ପୋଇଲି ଶୋଇଛି ସୁବେଶ ହୋଇ ।।
ସେ ଅନ୍ତର୍ଯ୍ୟାମୀଙ୍କି ଉବାର ନାହିଁ ।
ଦାସୀବୋଲି କରି ଚିହ୍ନିଲେ ତହିଁ ।।
ଏତେ ବିଚାରି ବାହୁଡ଼ିଲେ ବେଗ ।
ଆମେ କି ଛୁଇଁବା ଦାସୀର ଅଙ୍ଗ ।।
ମଦନ ଉଚ୍ଛନ୍ନ ହେଉଛି ଅଙ୍ଗ ।
ଯେଣୁ ହୋଇନାହିଁ କାମିନୀ ସଙ୍ଗ ।।
ସେହି ବ୍ରାହ୍ମଣୀ ଅଗଣା ଭିତରେ ।
ପ୍ରସାବ କଲେ ଲେଉଟିଆ ମୂଳେ ।।
ଯେତେକ ବୀର୍ଯ୍ୟ ଉତ୍ସଗରେ ଥିଲା ।
ପ୍ରସାବ ସଙ୍ଗତେ ଗଛପଡ଼ିଲା ।।
ନିରାଶେ ପ୍ରଭୁ ଚଳିଲେ ଭୂବନ ।
ଶ୍ରୀ ପୁରୁଷୋତ୍ତମ କହେ ବଚନ ।।
*ପଞ୍ଚମ ଛାନ୍ଦ*
ଏଥୁଅନ୍ତେ କଥା ଶୁଣ ସୁଜନ ।
ପୁଣି ନିଶିପାହି ହୋଇଲା ଦିନ ।।
ବ୍ରାହ୍ମଣୀ ଉଠି ଦାସୀଙ୍କୁ ପୁଛିଲା ।
କହଲୋ ରାତ୍ରରେ କେ ଆସିଥିଲା ।।
ଦାସୀ ବୋଇଲା ମୁଁ ଜାଣଇ ନାହିଁ ।
ଦେଖିଲି ଘରେ ଖରା ଥିଲା ହୋଇ ।।
ଶୁଣିଣ ବ୍ରାହ୍ମଣୀ ହେଲା ମଉନ ।
ପାଞ୍ଚିଲା ମୁହିଁ ହେଲି ସତ୍ୟ ଭଗ୍ନ ।।
ଦାସୀ କି ଫେଡ଼ି କିଛି ନ କହିଲା ।
ନେଉଟିଆ ଗଛେ ବୀର୍ଯ୍ୟ ରହିଲା ।।
ଏମନ୍ତେ ଗଲା ଯେ କିଛି ଦିବସ ।
ବ୍ରାହ୍ମଣୀ ହୋଇଲା ପାକ ସରଶ I।
ପଞ୍ଚମ ଦିନେ ଶୁଦ୍ଧ ସ୍ନାନ କଲା ।
ପୋଇଲୀ କି ତାର ରାଇ ବୋଇଲା ।।
ଆହେ ସପତଣୀ ଶୁଣ ତୁ ବେଗ ।
ଅନାବନାକରି କରଲୋ ଶାଗ ।।
ଏକଥା କେହିତ ଜାଣନ୍ତି ନାହିଁ।
ସେହି ଲେଉଟିଆ ତୋଳିଲା ଯାଇ ।।
ଯତନ କରି ଖରଡ଼ିଲା ପୁଣି ।
ଆନନ୍ଦେ ଖାଇଲା ତାହା ବ୍ରାହ୍ମଣୀ ।।
ଅକ୍ଷୟ ବୀର୍ଯ୍ୟତ କ୍ଷୟ ନୋହିଲା ।
ରାଣ୍ଡୀ ବ୍ରାହ୍ମଣୀ ଗର୍ଭବାସ ହେଲା ।।
ଦିନକୁଦିନ ତ ପେଟ ଦିଶିଲା ।
ଭୂଟଭାଟ କଥା ଦାଣ୍ଡ ପଡ଼ିଲା ।।
ରାଜାଙ୍କ ଛାମୁରେ ପଡ଼ିଲା ଯାଇ ।
ଧରାଇ ନେଲେ ଲୋକ ବରଗାଇ ।।
ରାଜା ଆଜ୍ଞା ଦେଲେ ଶୁଣ ବ୍ରାହ୍ମଣୀ ।
ଏତେ ଅନୀତିକଲୁ କାହିଁ ପୁଣି ।।
ରାଜା ବଚନେ ବ୍ରାହ୍ମଣୀ କହଇ ।
ଶୁଣିମା ଦେବ ସାବଧାନ ହୋଇ ।।
ଆଶ୍ୱିନମାସ ପିତୃପକ୍ଷ ହେଲା ।
ଶ୍ରୀନବରୁ ଧାନକୁଟା ପଡ଼ିଲା ।।
ସମସ୍ତ ଘରେ ଧାନ ଦେଲେ ନେଇ ।
ମୋ ଘରେ ଧାନ ଅଜାଡ଼ିଲେ ଯାଇ ।।
ଧାନ ଦେଇ କରି ସେବକ ଗଲେ ।
ଚାରିଦିନକୁ କଣ୍ଟ ସେହୁ କଲେ ।।
ଏମନ୍ତ ତହୁଁ ସେ ବରଷା ହେଲା ।
ଧାନ ଉଆଁଇଲି ଖରା ନକଲା ।।
ଚାଉଳ କେମନ୍ତ ରାଜାଙ୍କୁ ଦେବି ।
ନଦେଲେତ ମୁହିଁ ଦଣ୍ଡ ପାଇବି ।।
ଏମନ୍ତ ମୋର ଚିତ୍ତେ ଚିନ୍ତା କଲି ।
ସୂର୍ଯ୍ୟଦେବତାଙ୍କୁ ମନେ ସୁରିଲି ।।
ମୁହିଁ ବୋଇଲି ଦେବତାଙ୍କୁ ବର ।
ମୋ ଦୁଆରେ ଆସି ଖରାକର ।।
ଖରା କଲେ ମୁହିଁ ଚାଉଳ ଦେବି ।
ତୁମ୍ଭଙ୍କୁ ମୋର ଅଙ୍ଗ ସମର୍ପିବି ।।
ମୋହ ମନ ଦିନକର ଜାଣିଲେ ।
ସେଦିନ ମୋର ଦ୍ଵାରେ ଖରାକଲେ ।।
ଧାନକୁଟିକରି ଚାଉଳ ଦେଲି ।
ରାଜାଙ୍କଠାରେ ନିର୍ଦ୍ଦୋଷୀ ହୋଇଲି ।।
ଏମନ୍ତ ତହୁଁ ସେହି ରଜନୀରେ ।
ଦିନକର ନାଥ ବିଜୟ କଲେ ।।
ମୋର ମନରେ ଯେ କପଟ କଲି ।
ତାହାଙ୍କୁ ମୁହିଁ ଅନ୍ତର ହୋଇଲି ।।
ପୋଇଲୀକି ଯେ ସୁବେଶ କରାଇ ।
ଆପଣା ଖଟେ ଶୁଆଇଲି ନେଇ ।।
ତାହା ଜାଣିଲେ ପ୍ରଭୁ ଦିନକର ।
କପଟ ଦେଖି ବାହୁଡ଼ିଲେ ଖର ।।
ଏମନ୍ତ ତହୁଁ କିଛିଦିନ ଗଲା ।
ମୋହର ଶୁଦ୍ଧ ସ୍ନାହାନ ହୋଇଲା ।।
ଶାଗ ଖାଇବାକୁ ବଳିଲା ମନ ।
ଲେଉଟିଆ ଶାଗ କରି ରନ୍ଧନ ।।
ଏତେ ମାତ୍ରଦେବ ମୁହଁ ଖାଇଲି ।
ଖାଇବା ମାତ୍ରେ ଗର୍ଭବାସ ହେଲି ।।
ଏତକ ଯହୁଁ ସେ ରାଜା ଶୁଣିଲେ ।
ରାଣ୍ଡୀ ବ୍ରାହ୍ମଣୀକି ମେଲାଣି ଦେଲେ ।।
ତାହାର ପ୍ରତି ଦିନକର ନାଥ ।
ଦଣ୍ଡିବାକୁ କେହି ନୁହେଁ ସମର୍ଥ ।।
ଯାହା ଗର୍ଭେ ଅଛି ଦୁତିବାହାନ ।
ମହାତେଜ ମୂର୍ତ୍ତି ସୂର୍ଯ୍ୟର ବର୍ଣ୍ଣ ।।
ରୂପଦେଖିକରି ଦଣ୍ଡିଲେ ନାହିଁ ।
ଗ୍ରାମରୁ ଦେଲେ ବାହାର କରାଇ ।।
ବିଧବା ବ୍ରାହ୍ମଣୀ କାତର ହୋଇ ।
ଶ୍ରୀପୁରୁଷୋତ୍ତମ ଦାସ ଭଣଇ ।।
*ଷଷ୍ଠ ଛାନ୍ଦ*
ଏଥୁ ଅନନ୍ତରେ ଜନେ ଶୁଣିମା ।
ବିଧବା ବ୍ରାହ୍ମଣୀ ଗୁଣଗାରିମା ।।
ଗ୍ରାମ ବାହାରେ କଲା ଏକଘର ।
ଅସତୀ ଦୋଚାରୀ ବୋଲନ୍ତି ନର ।।
ଦଶମାସ ଯହୁଁ ହେଲା ସମ୍ପୂର୍ଣ୍ଣ ।
ଆଶ୍ଵିନ କୃଷ୍ଣ ଅଷ୍ଟମୀର ଦିନ ।।
ଆଦ୍ରାନକ୍ଷତ୍ର ଯେ ରାଶି ମିଥୁନ ।
ଉଦୟେ ଜନମ ଦୁତିବାହାନ ।।
ରୂପଗୁଣ କିସ ଉପମା ଦେବା ।
କାମଦେବ ପ୍ରାୟ ଦିଶଇ ଶୋଭା ।।
ଦିନକୁ ଦିନ ବଢ଼ଇ କୁମର ।
ଶୁକ୍ଳ ପକ୍ଷରେ ଯେହ୍ନ ଶଶଧର ।।
ଦିନକୁ ଦିନ ବୟସ ବିଶେଷ ।
କହୁ କହୁ ହେଲା ପାଞ୍ଚ ବରଷ ।।
ରାଜ ଜେମାଦେଈ ମନ୍ତ୍ରୀ କୁମର ।
ସାଧବ ପୁଅ କଟୁଆଳ ବାଳ ।।
ପଢ଼ନ୍ତି ଯେ ଚାଟଶାଳୀରେ ଯାଇ ।
ଖଡ଼ି ଧରାଇଲେ ପୁତ୍ରକୁ ତହିଁ ।।
ପଢୁପଢୁ ଗଲା କିଛି ଦିବସ ।
ନାନାଦି ବିଦ୍ୟାରେ ହେଲା ଅଭ୍ୟାସ ।।
ଏକ ଦିନକରେ ବସନ୍ତେ ପଢ଼ି ।
କୁମାର ହସ୍ତୁ ଖସିଗଲା ଖଡ଼ି।।
ଦୋସାଧୁ କୁମର ଥାଇ ବୋଇଲା ।
ଅଣବାବୁଆର ଖଡ଼ି ଗଡ଼ିଲା ।।
ଅସତୀ କୁମର ଜାରଜାତକା ।
ଏଡ଼େ ଗରବରେ ବ୍ରାହ୍ମଣ ଟୋକା ।।
ତାହା ଶୁଣି ଦୁତିବାହନ ରୋଷ ।
କାନ୍ଦି କାନ୍ଦି ଘରଠାରେ ପ୍ରବେଶ ।।
କିଛି ନକହିଲା ମାତାଙ୍କଠାରେ ।
ମୁହଁ ମାଡ଼ି କରି ଶୋଇଲା ଘରେ ।।
ମାତା ଯେ ବୋଇଲେ ଦୁତିବାହାନ ।
କାହିଁକି ରୁଷିଲୁ ରଙ୍କୁଣୀଧନ ।।
ଭାଜିଥିବ ଯେବେ ଗଢ଼ାଇ ଦେବି ।
ଯାହା ବୋଲିବୁ ତା ଖୋଜିଆଣିବି ।।
ନୋହିଲେ କାସଙ୍ଗେ କରିଛୁ କଳି ।
ରାଜାଙ୍କୁ କହି ଅଣାଇବି ଧରି ।।
ଦୁତିବାହନ କରି ମହାକୋପ ।
ବୋଇଲା ପୁଣି ନାହିଁ ମୋର ବାପ ।।
ତୁ ଯେବେ ସତୀ ତୋ ପୁଅ ମୁହିଁ ।
ଧିକଜୀବନ ଧରିବି କିମ୍ପାଇଁ ।।
ବାହାନ ବୋଇଲା କହୁଛୁ ମିଛ ।
ବାପା କେ ତାକୁ ଦେଖାଅ ପ୍ରତ୍ୟକ୍ଷ ।।
ବ୍ରାହ୍ମଣୀ ବୋଇଲା ପାହୁ ଏ ରାତି ।
ସକାଳେ ଦେଖିବୁ ଯେ ମୋର ପତି ।।
ଦୁତିବାହନ ଯେ ଶୋଇଲା ଯାଇ ।
ଶ୍ରୀପୁରୁଷୋତ୍ତମ ଦାସ ଗୀତେ ଭଣଇ।।
*ସପ୍ତମ ଛାନ୍ଦ*
ଏଥୁଅନ୍ତେ କଥା ଶୁଣ ସୁଜନ ।
ଦୁତିବାହନଙ୍କ ମହିମାମାନ ।।
ସେଦିନ ନିଶି ପ୍ରଭାତ ହୋଇଲେ ।
ପୂର୍ବଦିଗେ ସୂର୍ଯ୍ୟଉଦୟ ହେଲେ ।।
ମାତା ବୋଇଲେରେ କୁଳନନ୍ଦନ ।
ପିତାତୋର ଏହି କରି ଦର୍ଶନ ।।
ବିଜୟ ସୂର୍ଯ୍ୟ ଏକଚକ୍ର ରଥ ।
ପୁତ୍ରକୁ ଦେଖି ବଢ଼ାଇଲେ ହସ୍ତ ।।
ତାହାଙ୍କ ବଚନେ ଦୁତିବାହନ ।
ପିତାଙ୍କୁ ଚାହିଁ କରନ୍ତି ପ୍ରଣାମ ।।
ଦିନକର ନାଥ ଅତି ସ୍ନେହରେ ।
ପୁତ୍ରକୁ ନେଇ ବସାଇ କୋଳରେ।।
ରତନମଣି କଣ୍ଠରେ ବାନ୍ଧିଲେ ।
ଅମୂଲ୍ୟ କୁଣ୍ଡଳ କର୍ଣ୍ଣେ ଖଞ୍ଜିଲେ ।।
ଚୁମ୍ବନ ଦେଇଣ ଅତି ସ୍ନେହରେ ।
କଙ୍କଣ ବଳୟଭରି ଭୂଜରେ ।।
ପୁତ୍ରକୁ କୋଳେଧରି ମହାସୁଖ ।
ବୋଇଲେ କିମ୍ପାଇଁ ତୋ ମନଦୁଃଖ ।।
ପିତା ବାଣୀ ଶୁଣି ଦୁତିବାହନ ।
ବୋଇଲେ ମୁଁ ଯେବେ ତୁମ୍ଭ ନନ୍ଦନ ।।
ଏଡ଼େ ଲୋକକୁ ଯେ କରିଛି ପତି ।
ସେ କିମ୍ପା ସଂସାରେ ହେଲା ଅସତୀ ।।
ସସ୍ନେହ ବଚନେ ଦେବ ତପନ ।
କହିଲେ ମୋଧନ ଦୁତିବାହନ ।।
ଆନନ୍ଦ ହୋଇଣ ଏବେ ତୁ ଯା ।
ତୋ ମାତା ସଂସାରେ ପାଇବ ପୂଜା ।।
ସାଧବୀ ଭାଜନ ହୋଇବ ନାରୀ ।
ସକଳ ପୂଜିବେ ପାଦ ତୋହରି ।।
ବାନଝା ମଡ଼ିଛି ଯେଉଁ ନାରୀ ହେବେ ।
ତୋତେ ସେବା କରି ବର ପାଇବେ ।।
ଜଗତେ ବିସ୍ତାର ହୋଇବ କୀର୍ତ୍ତି ।
ତୋ ମାତା ହୋଇବ ପରମ ସତୀ ।।
ଏବେ ତୁ ଯାଅ ଯା ମୋହର ସୁତ ।
ଏ ପୁଣ୍ୟ ଓଷା ଜଗତେ ବିଖ୍ୟାତ ।।
ଜଗତ ଜନ ଜାଣିବେ ଯେମନ୍ତ ।
ଆମ୍ଭେ ଅଳଙ୍କାର ଦେବା ତେମନ୍ତ ।।
ଆଶ୍ୱିନ ମାସ କୃଷ୍ଣ ଅଷ୍ଟମୀରେ ।
ଦୁତୀୟା ଓଷାକୁ କରିବେ ନରେ ।।
ତାହା ଶୁଣି ସୁତ ମର୍ତ୍ତେ ପ୍ରବେଶ ।
ଗୀତେ ଭଣିଲେ ପୁରୁଷୋତ୍ତମ ଦାସ ।।
*ଅଷ୍ଟମ ଛାନ୍ଦ*
ଏଥୁଅନନ୍ତରେ ଶୁଣିହେ ନର ।
ମାତାଙ୍କ ଆଗେ ଭେଟିଲେ କୁମର ।।
ଦେହ ଅଳଙ୍କାର ଭୂଷଣ ଦେଖି ।
ଜନନୀ ମନରେ ବହୁତ ଖୁସୀ ।।
ଯେତେ ବଚନ ପିତାଥିଲେ ଭାଷି ।
ଜନନୀଙ୍କ ଆଗେ କହିଲେ ଆସି ।।
କହୁ କହୁ ଦିନ ଦୁଇ ପ୍ରହର ।
ମଥା ଉପରେ ହେଲେ ଦିନକର ।।
ଚିତ୍ରମେଘା ପାଟି ସୁବର୍ଣ୍ଣ ବାହି ।
ପଦକ ନୂପୁର ମେଖଳା ତହିଁ ।।
ବସଣୀ ତାଡ଼ ଯେ ଚାପସରି ।
ନାନା ଅଳଙ୍କାର ବସନେ ଭରି ।।
ସର୍ବ ନରନାରୀ ଅଛନ୍ତି ଚାହିଁ ।
ବ୍ରାହ୍ମଣୀ ଉପରେ ଦେଲେ ପକାଇ ।।
ସୂର୍ଯ୍ୟମଣ୍ଡଳ ବୋଲି ରାଜ୍ୟ ଯେତେ ।
ସବୁରି ଆନନ୍ଦ ପ୍ରସନ୍ନ ଚିତେ ।।
ଧର୍ମଙ୍କ ପତ୍ନୀ ସେ ଧର୍ମ କୁମର ।
ଦର୍ଶନ ପାଇଁକି ଧାଇଁଲେ ନର ।।
ବାଳକ ବୃଦ୍ଧ ସହିତେ ଧାମନ୍ତି ।
ମାନ୍ୟଜନ କଥା କେ ନମାନନ୍ତି ।।
ଧର୍ମ କହିଥିଲେ ଯେତେ ଚରିତ୍ର ।
ଦୁତୀୟାଓଷା ଯେ ଉତ୍ତମ ବ୍ରତ I।
ଯେତେ ଅଳଙ୍କାର ସେ ଦେଇଥିଲେ ।
ମାତା ଅଙ୍ଗରେ ତା ଭୂଷଣ କଲେ ।।
ଦେବସ୍ତିରୀ ଆଦି ସକଳ ଜନ ।
ଦୁତୀୟା ଓଷାକୁ କଲେ ବନ୍ଦନ ।।
ଯେ କାଷ୍ଠାକରି ଯାହା ମନାସଇ ।
ତାକୁ ସେ ଫଳ ଅବଶ୍ୟ ମିଳଇ ।।
ଯେ ବା କାଷ୍ଠା କରି ଏ ଓଷା କଲେ ।
ଧନବତୀ ପୁତ୍ରବତୀ ସେହୁ ହୋଇଲେ ।।
ସେହି ଦିନରୁ ସେ ହେଲା ବିଖ୍ୟାତ ।
ଦୁତିବାହନ ଏ ଓଷା ପବିତ୍ର ।।
ଅଷ୍ଟମ ଛାନ୍ଦ କଥା ହେଲା ଶେଷ ।
ଗୀତେ କହିଲେ ପୁରୁଷୋତ୍ତମ ଦାସ।।
*ନବମ ଛାନ୍ଦ*
ଏଥୁଅନନ୍ତରେ ଶୁଣ ଏବେ ଆନ ।
ଦୁତୀୟା ଓଷାର ମହିମା ମାନ ।।
ଚିଲଶିଆଳ ଗଛ ପରେ ଥିଲେ ।
ଦୁତୀୟା ଓଷା ପୂଜିବାର ବେଳେ ।।
କି ଓଷା କରନ୍ତି ସର୍ବ ତରୁଣୀ ।
ଦୁହେଁ କୁହାକୁହି ହୋଇଲେ ପୁଣି ।।
କାହାର ବ୍ରତ ଏ କାହାର ପୂଜା ।
ଅତି କାଷ୍ଠା ଏହି ବ୍ରତଙ୍କ ରାଜା ।।
ଏମନ୍ତ କାଷ୍ଠା ଆନରେ ନ ଦେଖି ।
ଦୁଇ ଭଉଣୀ ଲୋ କରିବା ଦେଖି ।।
ଏମନ୍ତକରି ସେ ବିଚାର କଲେ ।
ଓଷେଇତିଏ ଯାହା ପୂଜିଥିଲେ ।।
ତାହାଙ୍କ ଛଡ଼ାଛଡ଼ି ଚୋପା ଯେତେ ।
ଛଡ଼ା ମଳୁକୁଟି ସ୍ନାନ ନିମନ୍ତେ ।।
ସେ ମାନ ଘେନି ବ୍ରତ ଆଚରିଲେ ।
ଡାଳ ପରେ ବସି କଥା ଶୁଣିଲେ ।।
ପୂଜା ସାରି ଗଲେ ଯେ ଯାହା ପୁର ।
ଏ ଦୁହେଁ ରହିଲେ ବୃକ୍ଷ ଉପର ।।
ଏଥି ଉତ୍ତାରୁ ଯେ ଯେମନ୍ତ କଲେ ।
ଚିଲ ଶିଆଳ କଥା ଶୁଣ ଭଲେ ।।
ଚିଲଟି ରହିଲା ଗଛ ଉପରେ ।
ଶିଆଳ ପଶିଲା କ୍ରୋଟ ଭିତରେ ।।
ଚିଲଟି ମହାକାଷ୍ଠା ବୁଦ୍ଧି କଲା ।
ଶିଆଳ ଗୋଟି କ୍ରୋଟରେ ପଶିଲା ।।
ଦଇବେ ରଜନୀ ହେଲା ଅପାର ।
ଗ୍ରାମ ବାହାରେ ମହାସେଠି ଘର ।।
ସକାଳ ଓଷା ପୂଜିବାର ବେଳେ ।
ସେ ଯେ ନିନ୍ଦାକଲା ଭାବ ବିହ୍ବଳେ ।।
ବୋଇଲା ଭାତ ଖାଇ ମତ୍ତ ହୋଇ ।
ମିଛେ ମାତନ୍ତି ହୁଳହୁଳି ଦେଇ ।।
ଏମନ୍ତ କରି ଯହୁଁ ନିନ୍ଦା କଲା ।
ଅଦଭୂତେ ତାର ପୁତ୍ର ହି ମଲା ।।
ତାହାକୁ ରାତିରେ ଯେ ସ୍ମଶାନରେ ।
ପକାଇକରି ଅଇଲେ ସତ୍ଵରେ ।।
ଶ୍ଵାନ ଶୃଗାଳ ଥୋକାଏ ଖାଇଲେ ।
ଅସ୍ଥିମାଂସ ହୋଇ ଥୋକାଏ ଥିଲେ ।।
ଶିଆଳ ଖଣ୍ଡିଏ ଲୁଚାଇ ଆଣି ।
କୋରଡ଼ ଭିତରେ ରଖିଲା ପୁଣି ।।
ଶିଆଳ ମନରେ ହୋଇ ବିମୁଖ ।
କାଷ୍ଠାରେ ସହି ନ ପାରିଲା ଭୋକ ।।
ଚିଲ ସଙ୍ଗତରେ ଡାଳେ ନବସି ।
କୋରଡ଼ ଭିତରେ ପଶିଲା ଆସି ।।
କୋରଡ଼ ଭିତରେ ରଖିଛି ଯାହା ।
ମୁଡୁମୁଡୁ କରି ଚୋବାଏ ତାହା ।।
ଚିଲ ଡାକ ଦେଲା ଆଲୋ ଭଉଣୀ ।
ମୁଡୁମୁଡୁ କରି କି ଖାଉ ପୁଣି ।।
ଶିଆଳ ବୋଇଲା ନାହିଁ ତ କିଛି ।
କଅଣ ଖାଇବି ଓଷା କରିଛି ।।
କାଷ୍ଠାରେ ଯାହା ମୁଁ ସ୍ନାନ କଲିଟି ।
ଶୀତେ ମୁଡୁମୁଡୁ ବାଜୁଛି ପାଟି ।।
ତେଣୁ ମୁଁ ଡାଳେ ବସି ନପାରଇ ।
ଶୀତକଲାରୁ କୋରଡ଼େ ପଶଇ ।।
କୋରଡ଼େ ପଶି ମାଉଁସ ଖାଇଲା ।
ଚିଲଟି ଡାଳେ କାଷ୍ଠାରେ ରହିଲା ।।
ଏମନ୍ତ ତହିଁ ପାହିଲା ରାତି ।
ଥୋକାଏ ଦିନ ତହିଁ ଥିଲେ ବର୍ତ୍ତି ।।
ଚିଲଶିଆଳ ପାଇଲେ କଷଣ ।
ଥୋକାଏ ଦିନେ ଲଭିଲେ ମରଣ ।।
ନବମଛାନ୍ଦ କଥା ହେଲା ଶେଷ ।
ଭାବେ ଭଣିଲେ ପୁରୁଷୋତ୍ତମ ଦାସ ।।
*ଦଶମ ଛାନ୍ଦ*
ଏଥୁ ଅନନ୍ତରେ ଶୁଣ ସୁଜନ ।
ଚିଲ ଶିଆଳଙ୍କ ଚରିତ ମାନ ।।
ଦୁତିବାହନ କାଷ୍ଠା ଓଷା ଫଳେ ।
ଦୁହେଁ ଜନମିଲେ ଉତ୍ତମ କୁଳେ ।।
ସୁନ୍ଦରୀ ସୁକୁମାରୀ ସୁଲକ୍ଷଣୀ ।
ଜନମ ହୋଇଲେ ଦୁଇ ଭଉଣୀ ।।
ଶିଆଳଗୋଟି ଜ୍ୟେଷ୍ଠ ଆସିହେଲା ।
ଶାଳାବତୀ ତାର ନାମହୋଇଲା ।।
ଚିଲ ଯେ ହୋଇଲା ସାନଭଉଣୀ ।
କୁଳବତୀ ହେଲା ନାମ ତା ପୁଣି ।।
ସୁକୁମାରୀ ହୋଇ ପିତାର ଘରେ ।
ଆନନ୍ଦହୋଇ ଯେ ବଞ୍ଚିଲେ ଭଲେ ।।
ଏମନ୍ତ ଥୋକାଏ ଦିନଅନ୍ତର ।
ସାଧବ ମନ୍ତ୍ରୀ ଦୁହେଁ ହେଲେ ବର ।।
ଶାଳାବତୀ ଅଟେ ବଡ଼ଭଉଣୀ ।
ମନ୍ତ୍ରୀ ବିଭାହେଲେ ତାହାକୁ ପୁଣି ।।
ଚିଲ ଯେ କୁଳବତୀ ହୋଇଥିଲା ।
ସାଧବନାରୀ ସାଧବାଣୀ ହେଲା।।
ପୂର୍ବକୃତ ଓଷା ପୁଣ୍ୟର ବଳେ ।
ଭୋଗ ଭୁଞ୍ଜିଲେ କରମ ସୁଫଳେ।।
ଶିଆଳ ଯେ ବ୍ରତ ଖଣ୍ଡନ କଲା ।
ମଡିଛି ହୋଇ ସଂସାରେ ରହିଲା ।।
ଚିଲ କାଷ୍ଠାରେ ବ୍ରତ ଆଚରିଲା ।
ଅନେକ ପୁତ୍ର ତହିଁ ଜାତ କଲା ।।
ଏତେ ମହିମାରେ ଦୁତୀୟା ଓଷା ।
କଲା ଲୋକଙ୍କର ସୁଫଳ ଦଶା ।।
ସେହି ଧର୍ମ ନିରଞ୍ଜନ ପୟର ।
ସୁର ଅସୁର ସେବେ ନିରନ୍ତର ।।
ତେଣୁ ସେ ଧର୍ମ ଶ୍ରୀଚରଣେ ଆଶ ।
ପ୍ରସ୍ତାବେ କହେ ପୁରୁଷୋତ୍ତମ ଦାସ ।।
*ଏକାଦଶ ଛାନ୍ଦ*
ଏଥୁଅନନ୍ତରେ ଯେ ଦିବ୍ୟବାଣୀ ।
ଏମନ୍ତ କଲେ ଯେ ଦୁଇଭଉଣୀ ।।
ମନ୍ତ୍ରୀ ଭାରିଯାର ଯେତେକ ହେଲେ ।
ଜନମହୋଇ ସବୁ ତାର ମଲେ ।।
ନାନାବିଧିରେ ନବଞ୍ଚିଲେ କିଛି ।
ଶାଳାବତୀ ହେଲା ମହା ମଡ଼ିଛି ।।
ଚିଲଟି ତହିଁ ମହାକାଷ୍ଠା କଲା ।
ଧନବତୀ ପୁତ୍ରବତୀ ସେହୁ ହୋଇଲା ।।
ଜନମହେଲେ ଏକୋଇଶ ପୁତ୍ର ।
ମହାସୁନ୍ଦର ସେ ଅଟନ୍ତି ସୁତ ।।
ତେଣେ ରହିଥାଇ ପୂର୍ବର ଜ୍ଞାନ ।
କାଷ୍ଠା କରିଥାଇ ଦୁତିବାହନ ।।
ପୁତ୍ର ଗୃହସ୍ଥ ପରିଜନ ମେଳେ ।
ନିରୋଗୀ ଆନନ୍ଦ ହୋଇ ସକଳେ ।।
ଅନେକ ପୋଇଲି ଅନେକ ଧନ ।
କୁଳବତୀ ସୁଖେ କଟାଏ ଦିନ ।।
ଶାଳାବତୀ ହେଲା ମନ୍ତ୍ରୀ କାମିନୀ ।
ଏଡ଼େ ଅଭାଗା ପୂର୍ବ କର୍ମ ଘେନି ।।
ଅନେକ କୁମର ଜାତ ହୁଅନ୍ତି ।
ମଡ଼ିଛି ଦୋଷେ ସମସ୍ତେ ମରନ୍ତି ।।
ନିରତେ ନୟନୁ ଲୁହ ଗଡ଼ଇ ।
ବେଶ ବସନ କିଛି ନ ରୁଚଇ ।।
ସାନଭଉଣୀ ପୁତ୍ରମାନ ଦେଖି ।
ମନେ ହେଉଥାଇ ମହାଦୁଃଖୀ ।।
ମୋହ ସାନ ହୋଇ ଏମନ୍ତ ହେଲା ।
ଅପୂର୍ବ ପୁତ୍ରମାନ ଜାତହେଲା ।।
ଏ ମୋ ସଙ୍ଗତେ ମଡ଼ିଛି ନୋହିଲା ।
ବହୁ ସୁଖେ ଘରଦୁଆର କଲା ।।
ଏତିକି ସହଇ ଦେହ ମୋହର ।
ସାନଭଉଣୀର ଏତେ କୁମର ।।
ଏମନ୍ତ ବିଚାରି ମନ୍ତ୍ରୀର ନାରୀ।
ପୁତୁରାଙ୍କୁ ଦେଖି ହୁଏ ବିଦାରି ।।
ପୂର୍ବରେ ଯାହାର ଅର୍ଜିତ ନାହିଁ ।
ଏଜନ୍ମ ଲୋଡ଼ିଲେ ପାଇବକାହିଁ ।।
ଛନ୍ଦମନ୍ଦ ଯେ ସାଧବାଣୀଠାରେ ।
କିଛି ନଥାଏ ଯେ ଆପଣା ଘରେ ।।
ପୁତ୍ରମାନଙ୍କୁ କହଇ ମଧୁର ।
ନିତି ଯାଉଥିବ ମାଉସୀ ଘର ।।
ଜ୍ୟେଷ୍ଠମାଉସୀ ମାତଠାରୁ ବଳେ ।
ତୁମ୍ଭଙ୍କୁ ଧରୁଥିବ ସେହୁ କୋଳେ ।।
ଦେଖିଲେ ଆନନ୍ଦିତ ହୋଉଥିବ ।
ମନଦୁଃଖ ତାର ପାସୋରିଯିବ ।।
ଏହା ବିଚାରି ସୁତଙ୍କୁ ପେଶଇ ।
ମନ୍ତ୍ରୀ ଭାରିଯା ତାହା ନ ଜାଣଇ ।।
ବୋଲଇ ଦେଖଣା ଚାହାଁଣୀପାଇ ।
ପୁଅକୁ ଦେଉଥାଏ ପଠିଆଇ ।।
ଏମନ୍ତ ସହୁନାହିଁ ମୋର ଦେହ ।
ପୋଡ଼ିଯାଉ କିନା ଏହାଙ୍କ ଦେହ ।।
ଏମନ୍ତ ବିଚାର କରି ନିରତେ ।
ପୁତୁରାମାନ ମାରିବି କେମନ୍ତେ ।।
ମୋହ ସଙ୍ଗତରେ ମଡ଼ିଛି ହେଉ ।
ଦେଖଣାଚାହାଣା ମୋହର ନୋହୁ ।।
କପଟ କରି ତା ପୁଅକୁ ମାରି ।
ଦେଖାଇବିନେଇ ପାଶେ ତାହାରି ।।
ଏତେ ପାଞ୍ଚକରି ସେହି ରମଣୀ ।
ଦାସୀକି ବୋଲଇ ବିଶ୍ବାସ ବାଣୀ ।।
ଆଲୋ ଦାସୀମାନେ ଏମନ୍ତକର ।
ଭଉଣୀ ପୁଅ ଅସହଣି ମୋର ।।
ତାହାକୁ ମାରିବା ବିଶ୍ବାସକରି ।
କେହି ନଜାଣିବେ କପଟେ ଧରି ।।
ସାଆନ୍ତାଣୀ ଯାହା ଆଜ୍ଞା କଲେ ।
ଭାଙ୍ଗି ପାରନ୍ତିକି ପୋଇଲୀ ଭଲେ ।।
ବୋଇଲେ ତୁମ୍ଭ ଆଜ୍ଞା ପରମାଣ ।
କରିବୁ ଆମେ ତାହାଙ୍କ ମରଣ ।।
ଦାସୀଙ୍କ ବାଣୀ ଶୁଣି ମନ୍ତ୍ରୀନାରୀ ।
ମାରିବାପାଇଁ ହୋଇଲେ ତିଆରି ।।
ଶ୍ରୀପୁରୁଷୋତ୍ତମ ଭାବଇ ମନ ।
ମାଇଲେ ରଖିବେ ଦୁତିବାହନ ।।
**ଦ୍ଵାଦଶ ଛାନ୍ଦ *
ଏଥୁ ଉତ୍ତାରେ ଯେ ପୁତୁରାମାନେ ।
ମାଉସୀ ପାଶେ ମିଳିଲେ ବହନେ ।।
ତାହାଙ୍କୁ ଦେଖିକରି ମନେଭାଳି ।
ଗୁପତକରି ତହୁଁ ଦେଲା ଚାଳି ।।
ବୋଲଇ ବାବୁରେ ଏଣିକି ଆସ ।
ଭୁଞ୍ଜିବାକୁ ଦେବି ଦିବ୍ୟ ପଣସ ।।
ବାଳକେ ସିନା ତା ସତ ମଣିଲେ ।
ଯେଣିକି ଡାକିଲା ତେଣିକି ଗଲେ ।।
ସବୁଙ୍କୁ ମାରି କଲା ଖଣ୍ଡ ଖଣ୍ଡ ।
ସ୍ଵରୂପ ନୁହଇ ମାୟାର ପିଣ୍ଡ ।।
ତାହାକୁ ନେଇ ହାଣିବାରୁ ବେଳେ ।
ଦୁତିବାହନ ଜାଣି ଯୋଗବଳେ ।।
ମାୟାରେ ନେଲେ ଅନ୍ତର୍ଦ୍ଧାନ କରି ।
ମାୟା କୁମରକୁ ମାଉସୀ ମାରି ।।
ଦାସିଙ୍କି ବୋଇଲା ସବୁରି ମୁଣ୍ଡ ।
ଚାଙ୍ଗୁଡ଼ି ଗୋଟିକେ କରିଲୋରୁଣ୍ଡ ।।
ଏତେକେ ତାର ସବୁ ପୁତ୍ରମଲା ।
ମୋହ ପରା ହୋଇ ମଡିଛି ହେଲା ।।
ଚାଙ୍ଗୁଡ଼ି ଗୋଟିକେ ପୁରାଇନିଅ ।
ମାତାଙ୍କୁ ଯାଇ ମୁଣ୍ଡଯାକ ଦିଅ ।।
ଦାସୀମାନେ ଶୁଣି ଏମନ୍ତ କଲେ ।
ଚାଙ୍ଗୁଡ଼ିରେ ମୁଣ୍ଡ ପୁରାଇନେଲେ ।।
ଉପରେ ଝୀନବସନ ଘୋଡ଼ାଇ ।
ସାଧବାଣୀ ଦ୍ୱାରେ ମିଳିଲେ ଯାଇ ।।
ଖଟ ଦୋଳିପରେ ବସିଛି ସୁଖେ ।
ଧାଈ ପରିବାରୀ ଅଛନ୍ତି ପାଖେ ।।
ଏ ସମସ୍ତେ ମୁଣ୍ଡ ଚାଙ୍ଗୁଡ଼ିଧରି ।
ସାଧବାଣୀପାଶେ ନେଇଣ କରି ।।
ପୋଇଲୀ ବୋଲେ ଶୁଣ ସାଧବାଣୀ ।
ନେଇରଖ ଯାହାଅଛି ମୁଁ ଆଣି ।।
ତୁମ୍ଭ ଭଉଣୀ ଶାଳାବତୀ ଭଲେ ।
ପୁତୁରାଙ୍କ ପାଇଁ ଯୋଗାଡ଼ ଦେଲେ ।।
ଆପଣ ଆଗ ନୟନରେ ଦେଖ ।
ପୁଅଙ୍କ ପାଇଁକି ସାଇତି ରଖ ।।
ସାଧବାଣୀ ବୋଲେ ଭଉଣୀମୋର ।
ଭଲିଅଛନ୍ତି ତ କହ ନିକର ।।
ମୁଁ ପୁଣି ତାକୁ କେଉଁ ଗୁଣେ ସରି ।
ଦେଇଅଛନ୍ତି ଏତେ ସାମଗିରୀ II
ଦେଖଇସିନା ଥୋ ଯାଅ ଘରେ ।
ବଡ଼ଘର ଭାଡ଼ିପଟା ଉପରେ ।।
ସାଧବାଣୀଠାରୁ ବଚନ ଶୁଣି ।
ଭାଡ଼ିପଟା ପରେ ଥୋଇଲା ଆଣି ।।
ମନ୍ତ୍ରୀଙ୍କ ଘରେ ହୋଇଲା ପ୍ରବେଶ ।
ଏ ଉତ୍ତାରୁ ଶୁଣ ଆନ ରସ ।।
ସାଧବାଣୀ ପୋଏ ଯେତେକ ଥିଲେ ।
ଗୋଟିଏ ଗୋଟିଏ ଘରେ ଅଇଲେ ।।
ଦୁତିବାହାନ ରଖିବେ ଯାହାକୁ ।
ମାଉସୀ ମାରଇ କାହିଁ ତାହାଙ୍କୁ ।।
କୋଳେ କେ କାଖେ କେ ବସିଲେ ଯାଇ ।
ମାତାଙ୍କୁ ମାଗିଲେ ଖାଇବା ପାଇଁ ।।
ମାତା ବୋଇଲେ ଶୁଣରେ କୁମର ।
କି ଦେଇ ଅଛନ୍ତି ମାଉସୀ ଘର ।।
ଦୂତିବାହାନଙ୍କୁ ନାଗି କରାଅ ।
ସବୁପଦାର୍ଥ ବାଣ୍ଟିକରି ଖାଅ ।।
ଯେତେକ ମୁଣ୍ଡ ଚାଙ୍ଗୁଡ଼ିରେ ଥିଲା ।
ସେତକ ସବୁ ନଡ଼ିଆ ହୋଇଲା ।।
ନଡ଼ିଆ ଯାକ ଭାଙ୍ଗିଣ ଖାଇଲେ ।
ସପନ ପ୍ରାୟେ ତାହା ପାଶୋରିଲେ ।।
ବଲେଟି ପୋଏ ଏଡ଼େ ମରଣ ।
ଦୁତୀୟାଓଷାର ଏଡ଼େ କାରଣ ।।
ଏ ଓଷା କରିବେ ଯେତେ ତରୁଣୀ ।
ନଡ଼ିଆ ଛୁଇଁବେ ଏକଥା ଶୁଣି ।।
ଦ୍ଵାଦଶ ଛାନ୍ଦ କଥା ହେଲା ଶେଷ ।
ଭାବେ ଭଣିଲେ ପୁରୁଷୋତ୍ତମ ଦାସ ।।
*ତ୍ରୟୋଦଶ ଛାନ୍ଦ*
ଏଥୁ ଉତ୍ତାରୁ ମନ ଦେଇ ଶୁଣ ।
ଦୁତିବାହିନର ଚରିତ ପୁଣ ।।
ପୁଣି ଯାହାକଲେ ଦୁଇ ଭଉଣୀ ।
ବଡ଼ ଉଷତ ହୁଏ ସାଧବାଣୀ ।।
ବୋଇଲା ମୋ ପୁଅ ମାଉସୀ ମାନେ ।
ଏବେ ଜାଣିଲିଥାନ୍ତି ଅନୁକ୍ଷଣେ ।।
ପୁଅଙ୍କୁ ବୋଇଲା ନଡ଼ିଆ ଖାଇ ।
ବଡ଼ ମାଉସୀକି ଜୁହାର ଯାଇଁ ।।
ତାଙ୍କ କଲ୍ୟାଣକୁ ତୁମ୍ଭ ଭୋଜନ ।
ଜଗି ରଖିଥିବେ ଦୁତିବାହନ ।।
କାହିଁକି ଧାଇଁ ଆସୁଥାଅ ପୁରେ ।
ଖେଳୁଥିବ ସେହି ମାଉସୀ ଘରେ ।।
ନିରୋଗୀ ହୋଇଣ ସବୁ କୁମର ।
ହାତେ ସୁନା ଖଡୁ ପାଦେ ନୂପୁର ।।
ଚଉକି ନୋଳି ବୀରମଲ୍ଲୀମାନ ।
ଭିନ୍ନଭିନ୍ନ କମ ପୁଅଙ୍କ କାନ ।।
ପ୍ରବାଳ କଣ୍ଠିରତ୍ନ ମାଳିମାନ ।
ଯେଉଁ ପୁଅକୁ ଯେମନ୍ତ ଶୋଭନ ।।
କା ମୁଣ୍ଡ ବେଣୀ କାହା ମୁଣ୍ଡ ଜୁଡ଼ା ।
କେଉଁ ପୁଅ ଗୋଟି ବାଳଝାମ୍ପୁଡ଼ା ।।
ପାଟପୀତାମ୍ବର ପତନୀକାନ୍ଥା ।
ପିନ୍ଧିଥାନ୍ତି ଜଙ୍ଘ ଥୋକାଏ ବତ୍ସା ।।
ତେଲ ହଦଳୀ କେବା ଯର ଯର ।
କେବଣ ପୁଅଟି ଧୂଳି ଧୂସର ।।
କେ ଅବା ଚାଲି ନ ଜାଣଇ ଦାଣ୍ଡ ।
କେଉଁ ପୁଅଗୋଟି ଦରୋଟି ତୁଣ୍ଡ ।।
ଭାତ ବତର କେ ଦୁଧ ବତର ।
ଧାଇଁଲେ ସମସ୍ତେ ମାଉସୀ ଘର ।।
ବିଚାରୁଛି ମନେ ସେ ଶାଳାବତୀ ।
ଆଣ୍ଠୁକୁଡ଼ି ହେଲି ମୁଁ ମୂଢ଼ମତି ।।
ସାଧବାଣୀ ପୋଏ ଏକାଳେ ଗଲେ ।
ମାଉସୀ କି ଯାଇ ପ୍ରଣାମ କଲେ ।।
ଚକିତ ହୋଇ କରଇ କଲ୍ୟାଣ ।
ବିଚାରି ବୋଇଲା ପାଅ ମରଣ ।।
ଆସ ମୋ ବାବୁ ଭଲ ହୋଇ ଥାଅ ।
ଯହ୍ନିଫୁଲ ପରି ଆୟୁଷ ପାଅ ।।
ସେ ଯେହ୍ନେ ସଞ୍ଜ ଫୁଟି ବିକଶଇ ।
ସୂର୍ଯ୍ୟ ଉଦୟକୁ ବିନାଶ ପାଇ ।।
ଏମନ୍ତ ବୋଲି ସେ କଲ୍ୟାଣ କଲା ।
ମୁଣ୍ଡ କାଟିଲି କାହୁଁ ଅଇଲା ।।
ସେ ଥର ବଉଁ କେମନ୍ତ ଜୀଇଁଲେ ।
ଏଥରକୁ ନାଶ କରିବି ଭଲେ ।।
କପଟେ ବୋଇଲା ଆସରେ ବାବୁ ।
ତୁମ୍ଭ ଖାଇବାକୁ ରଖିଛି ସବୁ ।।
ଯେଉଁଠାବରେ ନଜାଣିବେ କେହି ।
ବାଳୁତ ପୁଅକୁ ନେଲା ଭଣ୍ଡାଇ ।।
ସମସ୍ତ ମାରି ଚାରିଫାଳ କରି ।
ହାତ କାଟିଲା ଆଖୁ ଗଛପରି ।।
ପାପୁଲି ଅଙ୍ଗୁଳି କାଟିଲା ଭିନ୍ନ ।
ଅଦାଫଡ଼ାମାନ ଦିଶେ ଯେସନେ ।।
ପୁଅଙ୍କୁ କପଟେ ମାରିବା ବେଳେ ।
ଦୁତିବାହନ ଜାଣି ଯୋଗବଳେ ।।
ମାୟାବାଳକ ତାକୁ ଆଣିଦେଲେ ।
ସାଧବପୁଅଙ୍କୁ ଶୂନ୍ୟରେ ନେଲେ ।।
ଚାଙ୍ଗୁଡ଼ା ଗୋଟିକେ ତାହା ପୂରାଇ ।
ଦାସୀକି ବୋଇଲା ଦିଅଲୋ ନେଇ ।।
ଦେଖିବଟି ସେହି ପୁଅଙ୍କ ହାତ ।
ବାହୁନଇ କାନ୍ଦି ହୋଇ ଅନାଥ ।।
ତକ୍ଷଣେ ଦାସୀ ଚାଙ୍ଗୁଡ଼ିରେ ଘେନି ।
ସାଧବାଣୀପୁରେ ହେଲେ କାମିନୀ ।।
ସେ ଖଟଦୋଳି ବାଙ୍କିଆ ଉପରେ ।
ସାଧବାଣୀ ବସିଅଛି ନିର୍ଭରେ ।।
ଦାସୀ ପରିବାରୀ ଅଛନ୍ତି ବେଢ଼ି ।
ସମସ୍ତଙ୍କୁ ଲେଖି ଦେଉଛି ପଡ଼ି ।।
ଏମନ୍ତ ସମୟେ ଚାଙ୍ଗୁଡ଼ି ଧରି ।
ପୋଇଲୀ ଯାଇ ହୋଇଲା ଉଭାରି ।।
ବୋଇଲା ଆଗେ ଆସ ସାଧବାଣୀ ।
ଦ୍ରବ୍ୟ ଦେଇଛନ୍ତି ତୁମ୍ଭ ଭଉଣୀ ।।
ତୁମ୍ଭଠାରେ ତାଙ୍କୁ ବହୁତ ସୁଖ ।
ଦେଖି କରି ଏହା ସାଇତି ରଖ ।।
ସାଧବାଣୀ ବୋଲେ ମୋ ବୋଲକର ।
ଭାଙ୍ଗିଯାଉ ଆମ୍ଭ ଘର ଗହଳ ।।
କେତେବେଳେ ଯାଏ ଥିବଟି ରହି ।
ବଡ଼ଘରେ ଦେଇଯାଅ ଗୋ ଥୋଇ ।।
ସାଧବାଣୀ ବୋଲେ ଚାଙ୍ଗୁଡ଼ି ଗୋଟି ।
ଥୋଇଣ ପୋଇଲୀ ଗଲା ଲେଉଟି ।।
ସାଧବାଣୀ ପୋଏ କେତେ ବେଳରେ ।
ଗୋଟି ଗୋଟି ହୋଇ ମିଳିଲେ ଘରେ ।।
ଖାଇବା ପାଇଁ କି ମାଗିଲେ ଯାଇଁ ।
ସାଧବାଣୀ ବୋଲେ ପୁଅଙ୍କୁ ଚାହିଁ ।।
କିଦେଇଅଛନ୍ତି ମାଉସୀ ଘର ।
ଦେଖିକରି ଖାଅ ସବୁ କୁମର ।।
ଦୁତିବାହନକୁ ଲାଗି କରାଅ ।
ସବୁ ଭାଇ ଯାଇ ବାଣ୍ଟିଣ ଖାଅ ।।
ଶୁଣି ପୁଅମାନେ ଧାଇଁଲେ ଖରେ ।
ଚାଙ୍ଗୁଡ଼ି କାଢ଼ି ଦେଲେ ତଳେ ।।
ହାତ ଖଣ୍ଡ ଖଣ୍ଡ କାଟିଛି ଯାହା ।
ଆଖୁ ଖଣ୍ଡ ଖଣ୍ଡ ହୋଇଛି ତାହା ।।
ଆଙ୍ଗୁଳି ପାପୁଲି କାଟିଛି ଯେତେ ।
ଅଦାଫଡ଼ାମାନ ହୋଇଛି ତେତେ ।।
ଆଖୁଗଣ୍ଡିରା ଅଦା ଫଡ଼ାମାନ ।
ଆନନ୍ଦେ ଖାଇଲେ ସବୁ ନନ୍ଦନ ।।
ଦୁତୀୟା ଓଷାର ମହିମା ଏତେ ।
ଓଷାଇତିମାନେ ଶୁଣ ସୁଚିତ୍ତେ।।
ଓଷାଇତିମାନେ ଏକଥା ଶୁଣି ।
ଆଖୁ ଅଦାରେ ହାତଦିଆ ପୁଣି ।।
ତ୍ରୟୋଦଶ ଛାନ୍ଦ ହୋଇଲା ଶେଷ ।
ଗୀତେ ଭଣିଲେ ପୁରୁଷୋତ୍ତମ ଦାସ ।।
*ଚତୁର୍ଦ୍ଦଶ ଛାନ୍ଦ*
ଏଥୁଅନ୍ତରେ ଶୁଣ ଏକମନ ।
ଦୁତିବାହାନଙ୍କ ମହିମାମାନ ।।
ଯାହାକଲେ ଏହି ଦୁଇ ଭଉଣୀ ।
ଏକମନେ ଶୁଣ ସର୍ବ ତରୁଣୀ ।।
ଆଖୁ ଅଦାରୁ ପେଟେ ପେଟେ ଖାଇ ।
ମାତାଙ୍କ ପାଖରେ ବସିଲେ ଯାଇଁ ।
ଅତି ଆନନ୍ଦ ସାଧବାଣୀ ମନ ।
ପୁଅଙ୍କ ମୁଖରେ ଦେଲା ଚୁମ୍ବନ ।।
ମାତାଙ୍କୁ ବୋଇଲେ ସବୁ କୁମର ।
ଭଲା ଆମେ ଯିବୁ ମାଉସୀ ଘର ।।
ମାତା ଯେ ବୋଇଲେ ଶୁଣରେ ବାବୁ ।
ମାଉସୀର ଦୟା ଅଟଇ ସବୁ ।।
ଏବେ ଯାଅ ଦେଖୁ ମାଉସୀ ଘର ।
ବସିଥିବା ଯାଇ ସବୁ କୁମର ।।
ମାତାର ବଚନେ ସବୁ କୁମରେ ।
ଚଞ୍ଚଳେ ମିଳିଲେ ମାଉସୀ ଘରେ ।।
ମାଉସୀ କେତେ ମଣୁଥିଲା ସୁଖ ।
ଦେଖିକରି ମନେ ପାଇଲା ଦୁଃଖ ।।
ବୋଇଲା ନମରି ଜୀଇଁଲେ ଏହୁ ।
କେଉଁ ଦେବତା ଜଗିଥୁଲା କାହୁଁ ।।
ପୁତୁରାମାନେ ହୁଅନ୍ତି ଓଳଗି ।
କଲ୍ୟାଣ କରି ବୋଲେ ମର ବେଗି ।।
ଦେଖି ମନେ କଲା ବଡ଼ରୋଷ ।
ଟିକି ଟିକି କରି କାଟିବି ମାଂସ ।।
ସେହିମତି କରି ଗୁପତ ସ୍ଥାନ ।
ମାରିବା ବେଳକୁ ଦୁତିବାହନ ।।
ପୁଅମାନଙ୍କୁ କେଣେ ନେଲେ ହରି ।
ମାୟା କୁମରକୁ ମାଉସୀମାରି ।।
ମନରେ କରି ବଳିଆର ରୋଷ ।
ବୋଇଲା ଏଥର କାଟିବି ମାଂସ ।।
ଥୋକାଏ କଲା ମୁଗ ପ୍ରାୟ କରି ।
ଥୋକାଏ କାଟିଲା ଚଣାର ସରି ।।
ପୁଣି ଥୋକାଏ ବଡ଼ ତହୁଁ କଲା ।
ଯେମନ୍ତ ପରାଏ ଦିଶଇ ସୋହ୍ମା ।।
ଚାଙ୍ଗୁଡ଼ା ଗୋଟିକେ ସର୍ବ ପୂରାଇ ।
ପୋଇଲୀକି ବୋଲେ ଆସିଲେ ଦେଇ ।।
ଦେଖି ତା ପୁଅଙ୍କ ମାଉଁସ କାଟି ।
ଏଥର ରଖିବ କେଉଁ ଦିଅଁଟି ।।
ତାହା ଶୁଣି ଦାସୀ ଚାଙ୍ଗୁଡ଼ା ଧରି ।
ସାଧବାଣୀ ପାଶେ ତ୍ବରିତେ ମିଳି ।।
ମାଜଣା ହେଉଥିଲା ସାଧବାଣୀ ।
ପୋଇଲୀ ଭେଟିଲା ଚାଙ୍ଗୁଡ଼ା ଘେନି ।।
ପୋଇଲୀ ବୋଲେ ଆଗୋ ସାଧବାଣୀ ।
ଚାଙ୍ଗୁଡ଼ା ଦେଲେ ତୁମ୍ଭର ଭଉଣୀ ।।
କିକି ଦେଇଅଛନ୍ତି ଦେଖୁ ଥାଅ ।
କହିଛନ୍ତି ଏହା ଖାଇବେ ପୁଅ II
ବୋଲେ ସାଧବାଣୀ ଦେଖଇ ସିନା ।
ଥୋଯାଆ ଗୋ ନପାଅ ବେଦନା ।।
ଶୁଣିଣ ପୋଇଲୀ ଥୋଇଲା ଘରେ ।
ଘିଅ ଘରବାଡ଼ି ପଟା ଉପରେ ।।
ଥୋଇଦେଇ କରି ଗଲା ପୋଇଲୀ ।
ପୋଏ ଅଇଲେ ଦାଣ୍ଡେ ବୁଲିବାଲି I।
ପୁଅମାନଙ୍କୁ ସାଧବାଣୀ କହି ।
ମାଉସୀ ଯାହାକି ଅଛନ୍ତି ଦେଇ ।।
ଦେଖିକରି ତୁମେ ଖାଅରେ ବାବୁ ।
ଦୁତିବାହାନଙ୍କ ମହିମା ସବୁ ।।
ଶୁଣି ପୁଅମାନେ ଆନନ୍ଦହୋଇ ।
ଚାଙ୍ଗୁଡ଼ି ଆଣି ଦେଖିଲେକ ତହିଁ ।।
ମୁଗ ତହୁଁ ଥୋକାଏ ବଡ଼ଚଣା ହେଲା ।
ବଡ଼ ଖଣ୍ଡିମାନ ହୋଇଛି ସୋହ୍ମା ।।
ଏକା ମାଂସ ତିନିରୂପ ହୋଇଲା ।
ଦେଖିଲେ ମୁଗ ବଡ଼ଚଣା ସୋହ୍ନା ।।
ପୁତ୍ରମାନେ ତହୁଁ ହରଷ ହୋଇ ।
କଉତୁକ କରି ଖାଇଲେ ଯାଇ ।।
ଦୁତିବାହାନଙ୍କ ମହିମା ଏତେ ।
ଓଷାଇତିମାନେ ଶୁଣ ସୁଚିତେ ।।
ଏକଥା ଯେତେବେଳେ ଶେଷ ହେବ ।
ମୁଗ ବଡ଼ଚଣା ସୋହା ଛୁଇଁବ ।।
ଯେ ଧର୍ମ ଅଟନ୍ତି ଦୁତିବାହନ ।
ସୁର ଅସୁର ସେ ଦେବା ନନ୍ଦନ ।।
ତେଣୁ ସେ ଧର୍ମର ଚରଣ ତଳେ ।
ପୁରୁଷୋତ୍ତମ ଭଜଇ ନିଶ୍ଚଳେ।।
*ପଞ୍ଚଦଶ ଛାନ୍ଦ*
ଏଥୁ ଅନନ୍ତରେ ଶୁଣ କାହାଣୀ ।
ଦୁତିବାହନଙ୍କ ଚରିତ ପୁଣି ।।
କାଟିଣ ଭଉଣୀ ପୁଅଙ୍କ ମାଂସ ।
ସେ ରାତିରେ ହେଲା ଅତି ହରଷ ।।
ମନେବିଚାରଇ ଅବଧୂ ମଲେ ।
କେଉଁଯୋଗୁଁ ସିନା ମେଣ୍ଟାଉ ଥିଲେ ।।
ଏମନ୍ତେ ଦିନ ପାଗଲା ତହିଁ ।
ପୁତୁରାମାନେ ଭେଟ ହେଲେ ଯାଇ ।।
ଦେଖିଣ ମାଉସୀ ମନେ କାତର ।
ପୁଣିତ ଜୀଇଁ ଅଇଲେ କୁମର ।।
ଏତେ ମାଇଲି ଜୀଉଛନ୍ତି କାହିଁ ।
କେଉଁ ରୂପରେତ ପାରିଲି ନାହିଁ ।।
ପୁଣି ଡାକିନେଲା ଗୁପତ କରି ।
ଖଡ଼ଗ ଧରି ଆଗ ବଧ କରି ।।
ମାରିଣ ହୋଇ କୋପେ ପ୍ରଜ୍ୱଳିତ ।
ସବୁ ପୁଅଙ୍କର ଭାଙ୍ଗିଲା ଦାନ୍ତ ।।
ଅନ୍ତ କାଢ଼ି ପକାଇଲା ଚିରି ।
ଅନ୍ତ ଦାନ୍ତଙ୍କୁ ଚାଙ୍ଗୁଡ଼ିରେ ଭରି ।।
ପୋଇଲୀକି ବୋଲେ ଦେଇ ଆସଯା ।
ସାଧବାଣୀ ପୁଣି ପାଇବ ଲଜ୍ଜା ।।
ଶୁଣିଣ ପୋଇଲୀ ଚାଙ୍ଗୁଡ଼ିଧରି ।
ସାଧବାଣୀ ପୁରେ ତୁରିତେ ମିଳି ।।
ଭୁଞ୍ଜିଣ ବସିଥିଲା ସାଧବାଣୀ ।
ପୋଇଲୀ ମିଳିଲା ଚାଙ୍ଗୁଡ଼ି ଘେନି ।।
ଡାକିଲା ଏଣିକି ଆସ ଗୋ ମାଏ ।
ଭଉଣୀ ଦେଇଛନ୍ତି କି କି ଇଏ ।।
ତାହା ଦେଇଛନ୍ତି ତୁମ୍ଭର ହିତେ ।
ଦେଖି ରଖିଲେ ନଥିବା ଅପ୍ରତେ ।।
ସାଧବାଣୀ ବୋଲେ ଭୁଞ୍ଜୁଛି ମୁହିଁ ।
ଦେଖଇସିନା ଦେଇଯାଅ ଥୋଇ ।।
ସାଧବାଣୀ ବୋଲ ଶୁଣିଲା ଯହୁଁ ।
ଚାଙ୍ଗୁଡ଼ି ରଖି ଲେଉଟିଲା ତହୁଁ ।।
କେତେକ୍ଷଣ ପରେ ସେ ପୁଅମାନେ ।
ମିଳିଲେ ଆସି ମାତା ସନ୍ନିଧାନେ ।।
ମାତା ବୋଇଲେରେ ବାଳକ ମୋର ।
ବହି ଖାଅରେ ମାଉସୀଘର ।।
ଏବେ କି ଦ୍ରବ୍ୟ ଦେଇଛନ୍ତି ଆଣି ।
ଖାଅଯାବୋଲି କହେ ସାଧବାଣୀ ।।
ପୁତ୍ର ଧାଇଁଲେ ମାତାଙ୍କ ବଚନେ ।
ଚାଙ୍ଗୁଡ଼ି କାଢ଼ିଲେ ଯାଇ ବହନେ ।।
ଉତ୍ତମ ମକା ହୋଇଅଛି ଦାନ୍ତ ।
କନ୍ଦମୂଳ ଯେ ହୋଇଅଛି ଅନ୍ତ ।।
ଦୁତିବାହନଙ୍କୁ ସୁମରି ମନ।
ମକା କନ୍ଦମୂଳ କଲେ ଭୋଜନ ।।
ଦୁତିବାହାନ ରଖୁଛନ୍ତି ଯାକୁ ।
ମାଉସୀ ମାତ୍ର କି କରିବ ତାଙ୍କୁ ।।
ଯେଉଁ ପୁରୁଷ ଧର୍ମ ନିରଞ୍ଜନ ।
ସେହି ସିନା ଅଟେ ଦୁତିବାହାନ ।।
ଓଷାଇତିମାନେ ଏ କଥା ଶୁଣି ।
ମକା କନ୍ଦମୂଳ ଛୁଇଁବ ପୁଣି ।।
ଏଣୁ ସେ ଧର୍ମ ପୁରୁଷକୁ ଆଶ ।
ଶରଣ ମାଗଇ ପୁରୁଷୋତ୍ତମ ଦାସ ।।
*ଷୋଡ଼ଶ ଛାନ୍ଦ*
ଏଥୁ ଅନନ୍ତରେ ଶୁଣିବା ଆନ ।
ଆନନ୍ଦ ହୋଇ ଶାଳାବତୀ ମନ ।।
କାଢ଼ି ଶିରାଅନ୍ତ ଭାଙ୍ଗିଲି ଦାନ୍ତ ।
ଏହି ଥର ମରି ଯିବେଟି ସୁତ ।।
ସାଧବାଣୀ ଏବେ ମୋହର ମତ ।
ବାହୁନି କାନ୍ଦିବ କେତେ ଯୁଗତ ।।
ଏମନ୍ତ ବିଚାରି ମନେ ହରଷ ।
ତହିଁ ଚାଲି ଗଲା କେତେ ଦିବସ ।।
ସାଧବାଣୀର ଯେତେକ କୁମର ।
ସକଳେ ମିଳିଲେ ମାଉସୀ ଘର ।।
କେତେ ପରକାରେ ମାଇଲି ମୁହିଁ ।
ନିଜ ପିଣ୍ଡ ନ ଗଲା କିମ୍ପାଇ ।।
କେଉଁପୁରୁଷ କେମନ୍ତେ ରଖଇ ।
କେମନ୍ତ ବଞ୍ଚାଏ ମୁଁ ତ ମାରଇ ।।
ଏବେ କି କରିବି ପରିବେ କାହିଁ ।
ବିଚାରି ଗମ୍ଭୀର ଘରକୁ ନେଇ ।।
ଖୋଳି ପକାଇଲା ସବୁଙ୍କ ଆଖି ।
କାଟି ଖଣ୍ଡ ଖଣ୍ଡ ହୋଇଲାସୁଖୀ ।।
ପୁଣି କେତେବେଳେ ଦୁତିବାହାନ ।
ଶୂନ୍ୟରେ ହରିଲେ ସେ ପୁତ୍ରମାନ ।।
ମାୟା କୁମରଙ୍କୁ କଲା ଏ ନାଶ ।
ଦାସୀକି ବୋଲେ ବେଗେ ଦେଇ ଆସ ।।
ପୁଣି ସଜାଡ଼ିଲା ଯତନ କରି ।
ସାଧବାଣୀ ଘର ତୁରିତେ ମିଳି ।।
ବୋଇଲା କି କରୁଅଛି ଗୋ ମାଏ ।
କି କି ମାନ ତୁମ ଭଉଣୀ ଦିଏ ।।
ସାଧବାଣୀ ବୋଲେ ଥୋଇଯା ଘରେ ।
ଦେଖନ୍ତି ସିନା ଅଇଲେ କୁମରେ ।।
ତାହା ଶୁଣି ଦାସୀ ଥୋଇଲା ଘରେ ।
ବାହୁଡ଼ି ପୋଇଲୀ ଗଲା ସତ୍ଵରେ ।।
ଥୋକାଏ ବେଳେ ସାଧବାଣୀ ପୋଏ ।
ମିଳିଲେ ଆସି ଗୋଟିଏ ଗୋଟିଏ ।।
ସାଧବାଣୀ ବୋଲେ ଶୁଣ ମୋ ବାବୁ ।
ମାଉସୀ ଦେଇଛି ଖାଆ ଯା ସବୁ ।।
ତାହା ଶୁଣି ପୋଏ ଧାଇଁଲେ ଖରେ ।
ଥୋଇଲା ଚାଙ୍ଗୁଡ଼ି ଆଣି ସତ୍ଵରେ ।।
କମଳା ଲେମ୍ବୁ ହୋଇଅଛି ଡୋଳା ।
ନାରଙ୍ଗ ଖାଇଣ ଧାଇଁରେ ବଳା ।।
ଖାଇଣ ପୋଏ ହୋଇଲେ ଆନନ୍ଦ ।
ମାଉସୀରକେବେ ନ ଗଲା ଦ୍ୱନ୍ଦ୍ୱ ।।
ଓଷାଇତିମାନେ ଏ କଥା ଶୁଣି ।
ଲେମ୍ବୁ ନାରଙ୍ଗକୁ ଛୁଇଁବେ ପୁଣି ।।
ଷୋଡ଼ଶ ଛାନ୍ଦ ଏ ହୋଇଲା ଶେଷ ।
କହେ ଅଧମ ପୁରୁଷୋତ୍ତମ ଦାସ ।।
*ସପ୍ତଦଶ ଛାନ୍ଦ*
ଏଥି ଉତାରୁ ଏବେ ଶୁଣ ଆନ ।
ପୁଣିଗଲେ ସାଧବାଣୀ ନନ୍ଦନ ।।
ଦେଖି ମାଉସୀର ବୁଡ଼ିଲା ଜ୍ଞାନ ।
ବୋଇଲେ କାହୁଁ ପାଇଲେ ଜୀବନ ।।
ବିଚାରି ମନେକଲା ମହାରୋଷ ।
ମାଇଲା ଗୁପତେ ବାଳୁତ ଶିଷ୍ୟ ।।
ଚେକାଚେକା କରି ଥୋକାଏ କାଟି ।
ଅନ୍ତ ଲାଗିଥାଏ ଯେହ୍ନେଲେଉଟି ।।
ବକୁଳ ଫୁଲ ପରାଏ ଥୋକାଏ ।
କେତେକ କେରନ୍ଦା କୋଳି ପରାଏ ।।
ଥୋକାଏ ମାଂସ ଫଡ଼ ଫଡ଼ା କଲା ।
ପୋଇଲୀ ହାତେ ପଠିଆଇ ଦେଲା ।।
ସାଧବ ଦୁଆରେ ସେ ମାଂସ ଘେନି ।
ଚଞ୍ଚଳ ମିଳିଲା ଯାଉ କାମିନୀ ।।
ସାଧବାଣୀ ଘରେ ଆଡ଼ତି ଥିଲା ।
ପୋଇଲୀ ଥୋଇ ବାହୁଡ଼ି ଗଲା ।।
କେତେହେଁକ ବେଳେ ବାଳୁତ ଶିଷ୍ୟ ।
ଘରଠାରେ ଯାଇଁ ହେଲେ ପ୍ରବେଶ ।।
ମାତା ବୋଇଲେ ଶୁଣ ଆରେ ବାଳ ।
ଖାଅ ଯା ମାଉସୀ ଦ୍ରବ୍ୟ ସକଳ ।।
ତାହା ଶୁଣି ପୋଏ ଦେଖିଲେ ଯାଇ ।
ଦୁତିବାହାନଙ୍କୁ ସୁମରି ତହିଁ ।।
ଚେକି ଚେକି ହୋଇ ଯେତେକ ଥିଲା ।
ପଦ୍ମ ପୁଷ୍କର ଯେ ସେତକ ହେଲା I।
କଳାପିତ୍ତ ଯେ କାଟିଥିଲା ବାଳୀ ।
ଥୋକାଏ ହୋଇଛି କେରନ୍ଦାକୋଳି ।।
ଥୋକାଏ ହୋଇଛି ନିଅର କୋଳି ।
ଖାଇଣ ବାଳକେ କରନ୍ତି କେଳି ।।
ଫଡ଼ ଫଡ଼ା କରି କାଟିଛି ଯେତେ ।
କରମଙ୍ଗା ହୋଇ ଅଛଇ ସେତେ ।।
ପଦ୍ମପୁଷ୍କର ଯେ କେରନ୍ଦା କୋଳି ।
କରମଙ୍ଗା ପୋଏ ଖାଇଲେ ମିଳି ।।
ଓଷାଇତିମାନେ ଏହା ଶୁଣିଲେ ।
ଏଡ଼ି ଦ୍ରବ୍ୟମାନ ଛୁଇଁବେ ଭଲେ ।।
ଏମନ୍ତ ଦୁତିବାହାନଙ୍କ ରସ ।
ପ୍ରସ୍ତାବେ କହେ ପୁରୁଷୋତ୍ତମ ଦାସ ।।
*ଅଷ୍ଟାଦଶ ଛାନ୍ଦ*
ଏଥୁ ଉତ୍ତାରୁ ଶୁଣ ଆନ ରୀତି ।
ପୁଏ ନ ମରି ରହିଲା କୀରତି ।।
ପୁଣିଗଲା ତହିଁ କେତେ ଦିବସ ।
କ୍ଷୟ ନୋହିଲେ ଯେ ବାଳୁତ ଶିଷ୍ୟ ।।
କଉତୁକ କରି ଖେଳିବା ପାଇଁ ।
ଶାଳାବତୀ ପୁରେ ମିଳିଲେ ଯାଇଁ ।।
ଦେଖିଲେ ମାଉସୀ ଜିଭକାମୁଡ଼ି ।
ଜୀଇଛନ୍ତି ବୋଲି ମୋହରେ ପଡ଼ି ।।
କ୍ରୋଧେ ପ୍ରଜ୍ଜଳିତ ହୋଇଣ ବାଳୀ ।
ବାଳକଙ୍କୁ ଧରି ସ୍ଵହସ୍ତେ ମାରି ।।
ଛାଲି ପକାଇଲା ଦେହରୁ ଚମ ।
ହାଡ଼ ମାଉଁସ କଲା ଭିନ୍ନ ଭିନ୍ନ ।।
ଅନ୍ତ ମାଉଁସ ମୁଦା ମୁଦା କଲା ।
ହାଡ଼ ଚମ ଭିନ୍ନ ଭିନ୍ନ ରଖିଲା ।।
ଚାଙ୍ଗୁଡ଼ା ଗୋଟିକେ ସବୁ ପୁରାଇ ।
ପୋଇଲୀକି ବୋଲେ ଦିଅଲୋ ନେଇ।।
ତା ଘେନି ପୋଇଲୀ ହେଲା ବାହାର ।
ଦେଇ ଆସିଲା ସାଧବାଣୀ ପୁର ।।
ଦୁତିବାହାନଙ୍କ ମହିମାବଳେ ।
ସର୍ବ ପୋଏ ଯାଇ ମିଳିଲେ ଘରେ ।।
ଅଳି ଯେ କରନ୍ତି ମାତାଙ୍କଠାରେ ।
ଆହାର ମାଗନ୍ତି କ୍ଷୁଧା ଆତୁରେ ।।
ମାତା ବୋଇଲେ କୁମରକୁ ଚାହିଁ ।
ମାଉସୀ ଦେଇଛି ଖାଅ ଯା ଯାଇଁ ।।
ଶୁଣି ପୁଅମାନେ ଧାଇଁଲେ ଖରେ ।
ଚାଙ୍ଗୁଡ଼ି କାଢ଼ି ଦେଖିଲେ ତଳରେ ।।
ଛାଲି ଦେଇଥିଲେ ଯେତେକ ଚମ ।
ସେ ପାଟି କାନ୍ଥ ହୋଇଛି ଉତ୍ତମ ।।
ମାଉଁସ ଅନ୍ତ ମୁଦା ମୁଦା ଯାହା ।
ଉଆଟିମାନ ହୋଇଛି ତାହା ।।
ଲମ୍ବ ଲମ୍ବ ମାଂସ କାଟିଛି ଯେତେ ।
ପାଚିଲା କଦଳୀ ହୋଇଛିତେତେ ।।
ଯେତେକ ହାଡ଼ ତହି ଦେଇଥିଲା ।
ହାଡ଼ ଯାକ ସବୁ ମୂଳା ହୋଇଲା ।।
ଦୁତିବାହାନଙ୍କୁ ସ୍ମରି ହୃଦୟେ ।।
ଖାଇଲେ ପିନ୍ଧିଲେ ବାଳୁତ ପୁଏ ।।
ଏକଥା ଯେତେବେଳେ ଶେଷ ହେବ ।
ଏହି ଦ୍ରବ୍ୟମାନ ସର୍ବେ ଛୁଇଁବ ।।
ଦୁତିବାହାନଙ୍କ ମହିମା ଏତେ ।
ବଞ୍ଚିଲେ ସୁଖେ ସାଧବାଣୀ ସୁତେ ।।
ତେଣୁ ସେ ଦୁତିବାହନଙ୍କ ଆଶ ।
ପ୍ରସ୍ତାବ କହେ ପୁରୁଷୋତ୍ତମ ଦାସ ।।
*ଉନବିଂଶ ଛାନ୍ଦ*
ଶୁଣ ଶୁଣ ଏବେ ଏମନ୍ତ ରୀତି ।
ଦିନକୁ ଦିନ ମୃତ୍ୟୁଠାରୁ ବଞ୍ଚି।।
ଦୁତିବାହନଙ୍କ ମହିମା ଯେଣୁ ।
ସାଧବାଣୀ ପୋଏ ନ ମଲେ ତେଣୁ ।।
ପୁଣି କିଛି ଦିନେ ବାଳକ ମତେ ।
ଖେଳିବାକୁ ଗଲେ ସାଧବ ସୁତେ ।।
ମାଉସୀ ମନ୍ଦିରେ ମିଳିଲେ ଯାଇ ।
ଦେଖି ମାଉସୀ ମୋହଗଲା ଚାହିଁ ।।
ବିଚାରଇ ମୁଁ ତ ମାଇଲି ଏତେ ।
ଜୀଇଁ ଆସୁଛନ୍ତି କେବଣ ମତେ ।।
ଏବେ କି କରି ମୁଁ ନେବି ଜୀବନ ।
କାଟି ପକାଇଲା ସବୁରି କାନ ।।
ପୁଣି ସବୁରି ଗୋଡ଼ ହାତ ଆଣି ।
ଶିରା ଶିରା କରି ଚିରିଲା ଜାଣି ।।
ହାତ ଗୋଡ଼ ଗଣ୍ଠି କାନ ସହିତ ।
ପୁଣି ଚାଙ୍ଗୁଡ଼ିରେ ଭରି ସମସ୍ତ II
ପୋଇଲୀ କି ବେଲେ ଆସ ଲୋ ଦେଇ ।
ଜୀଉଛନ୍ତି ସେହୁ କେମନ୍ତ ହୋଇ ।।
ଶୁଣି ପୋଇଲୀ ସେମାନ ପୂରାଇ ।
ଧାଇଁଲା ମନରେ ଆନନ୍ଦ ହୋଇ ।।
ସାଧବାଣୀ କି ପୋଇଲୀ ବୋଇଲା ।
ଭଉଣୀ ଘରୁ ଯୋଗାଡ଼ ଅଇଲା ।।
ଆସ ସାଧବାଣୀ ସାଇତିରଖ ।
ତୁମ୍ଭଠାରେ ତାଙ୍କୁ ବହୁତ ସୁଖ ।।
ସାଧବାଣୀ ବୋଲେ ଦେଖିବା ପଛେ ।
ଖେଳି ଆସନ୍ତୁ ମୋ ବାଳୁତ ବସେ ।।
ଥୋଇ ଦେଇ ଯାଅଗମ୍ଭୀର ଘର ।
ଆସିଲେ ପୋଏ ଖାଇବେ ମୋହର ।।
ଶୁଣି ପୋଇଲୀ ଥୋଇ ଲେଉଟିଲା ।
ମନ୍ତ୍ରୀ ମନ୍ଦିରେ ଯାଇଣ ମିଳିଲା ।।
କେତେହେଁକ ବେଳେ ସାଧବ ପୋଏ ।
ଦାଣ୍ଡ ଖେଳ ସାରି ମନ୍ଦିରେ ହୋଏ ।।
ମାତାଙ୍କୁ ମାଗିଲେ ଖାଇବା ପାଇଁ ।
ମାତା କହିଦେଲେ ଖାଆ ଯା ଯାଇଁ ।।
ଭିତରୁ କାଢ଼ି ଆଣିଲେ ନନ୍ଦନ ।
କାନ ଯାକ ସବୁ ହୋଇଛି ପାନ ।।
ଚିରି ହାତଗୋଡ଼ ଦେଇଛି ଯାହା ।
ଜହ୍ନି କଖାରୁ ହୋଇଅଛି ତାହା ।।
ଯେତେକ ମାଦଳି ଅଛଇ ପଡ଼ି ।
କେତେକ ହୋଇ ଅଛଇ କାକୁଡ଼ି ।।
ଦୁତିବାହାନଙ୍କ ମହିମା ଏତେ ।
ଆନନ୍ଦେ ଖାଇଲେ ସାଧବ ସୁତେ ।।
ଏ କଥା ଯେତେବେଳେ ଶେଷ ହେବ ।
ପାନ କାକୁଡ଼ି କଖାରୁ ଛୁଇଁବ ।
ଆବର ହିଁ ଜହ୍ନିମାନ ଛୁଇଁବ ।।
ଦୁତିବାହନଙ୍କୁ ସୁମରୁ ଥିବ ।
ଦୁତିବାହନଙ୍କ ମହିମା ରସ ।
ଗୀତେ ଗାଇଲେ ପୁରୁଷୋତ୍ତମ ଦାସ ।।