Issue Date
25 Sep, 2020
Genres
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା
ନାଗରୀ ରଜା ମଜ୍ଜା,
ମଜ୍ଜା ହଜାଇ ଦେଲାରେ ।
ତା ତା ଥେଇଥେଇ ତାଥେଇ ତାଥେଇ
ପାଦ ଝୁମୁକାକୁ,
ବଜାଇ ଦେଲାରେ ।।୦।।
ମାରିଦେଲା ନୟନ ଠାର,
ସେ କି ମାର ରାଜାକୁଠାର ।
ଓଠରେ ଫୁଟାଇ ମୃଦୁ ମୃଦୁ ହସ
କାମାନଳ ତାପେ,
ଭଜାଇ ଦେଲାରେ ।।୧।।
ଗୋଜା ଗୋଜା ଉରଜ ଯୋଡି,
କାଞ୍ଚଲାକୁ ଦେଇଛି ଭିଡ଼ି ।
ବେଳେ ବେଳେ ନୃତ୍ୟ,
ତାଳେ ତାଳେ ସେତ ।
ନାଚି କାମ ବିଷ,
ଭୁଞ୍ଜାଇ ଦେଲା ରେ ।।୨।।
ହଲି ହଲି ନହକା କଟି,
ଯାଉଅଛି ଶୋଭା ଚହଟି ।
ଜଟିଆଙ୍କ ଦମ୍ଭ ହଟାଇ ଦେବାକୁ
ମାର କି ଏହାକୁ
ଖଞ୍ଜାଇ ଦେଲା ରେ ।।୩।।
ନାଚୁଥିଲା ଚରମେ ବେଣୀ,
ଗୁଣୀ ଚିତ୍ତେ ଜହର ବୁଣି ।
ଅପୂର୍ବ ତା ପାଣି- ଅଭିନୟ ଠାଣି
ରମାକାନ୍ତ ମନ,
ରଞ୍ଜାଇ ଦେଲା ରେ ।।୪।।