1B Niranjan Kara

Locality (City/Village)
Deshapur, Chandola
District
State
Country
India
Member Type
Pala Gayak

ଗାୟକ ଶିରୋମଣି ନିରଞ୍ଜନ କର
ପାଲା ଜଗତରେ ସର୍ବୋଚ୍ଚ ଶିଖରେ ପହଞ୍ଚିଥିବା ବ୍ୟକ୍ତି ତଥା ପାଲାକୁ ସାଧାରଣ ଲୋକଙ୍କଠାରୁ ନେଇ ବୁଦ୍ଧିଜୀବୀଙ୍କ ପାଖରେ ପହଞ୍ଚାଇଥିବା ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ଗାୟକ ଶିରୋମଣି ନିରଞ୍ଜନ କର । ନିରଞ୍ଜନଙ୍କ ପୂର୍ବରୁ ପାଲା ଥିଲା ଅନ୍ୟ ଏକ ରୂପରେ, କିନ୍ତୁ ଗାୟକ ରତ୍ନ ହରିନାଥଙ୍କ ସହ ମିଶି ସେ ଏହାକୁ ଆଜିର ରୂପ ଦେଇଥିଲେ । ପାଲାକୁ କେବଳ ଗ୍ରାମୀଣ ସ୍ତରରେ ନରଖି ସେ ଏହାକୁ ଶିକ୍ଷିତ, ସାହିତ୍ୟିକ, ବୁଦ୍ଧିଜୀବୀ, ଜ୍ଞାନୀଗୁଣି ଲୋକଙ୍କ ପାଖରେ ପହଞ୍ଚାଇଥିଲେ । କହିବାକୁ ଗଲେ ତାଙ୍କରି ସମୟରେ ହିଁ ପାଲାରେ ଏକ ନୂଆ ଯୁଗର ଅୟମାରମ୍ଭ ହୋଇଥିଲା, ଯାହାକୁ ପାଲାର ସୁବର୍ଣ୍ଣ ଯୁଗ ବୋଲି କୁହାଯାଇପାରେ । 

କଟକ ଜିଲ୍ଲା ଚାନ୍ଦୋଳ ଉପଖଣ୍ଡ ଦେଶପୁର ଗ୍ରାମରେ ୧୯୧୦ ମସିହା ଫାଲଗୁନ ଶୁକ୍ଳ ଦଶମୀରେ ନିିରଞ୍ଜନ କର ଜନ୍ମ ଗ୍ରହଣ କରିଥିଲେ । ବାପା ରଘୁନାଥ କର ଓ ମାଆ ଇନ୍ଦ୍ରାମଣି । ଗାଁ ଚାଟଶାଳୀରେ ସେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ । ପିଲା ଦିନରୁ କଳା, ସାହିତ୍ୟ ପ୍ରତି ଥିଲା ରୁଚି, ବିଶେଷ କରି ସେ ଯାତ୍ରା ଦଳରେ ମିଶି ନାଟକ ପ୍ରତି ଆଗ୍ରହୀ ଥିଲେ । ସେତେବେଳେ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ନିରଞ୍ଜନ କଲିକତା ଚାଲିଯାଇଥିଲେ । ସେତେବେଳେ କଲିକତାରେ ରହୁଥିଲେ ତାଙ୍କରି ଗାଁର କୀର୍ତ୍ତନ ଏବଂ ଜନାର୍ଦ୍ଦନ ପ୍ରଧାନ । ୧୯୨୮ ମସିହାରେ ସେ ସେହି କଲିକତାରେ ପ୍ରଥମେ ପାଲା ଗାଇବା ଆରମ୍ଭ କଲେ । କଲିକତାରେ ଥିବା ବେଳେ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଗାୟକ ଦୁର୍ଯ୍ୟୋଧନ ପଣ୍ଡାଙ୍କୁ ସେ ପାଲା ଗୁରୁ ଭାବେ ଗ୍ରହଣ କଲେ । ଏହାପରେ ନିରଞ୍ଜନ ଓଡିଶା ଫେରି ବିଭିନ୍ନ ସ୍ଥାନରେ ପାଲା ଗାଇଲେ ।

ଅସାଧାରଣ ଧୀଶକ୍ତି ଏବଂ ପ୍ରତିତ୍ପନ୍ନମତିତାର ଅଧିକାରୀ ଥିଲେ ନିରଞ୍ଜନ କର । ପୁରାତନ କାବ୍ୟ ନାଟକ ସହ ସେ ତତ୍କାଳୀନ ସାହିତ୍ୟକୁ ଆଣି ପାଲାରେ ପରିବେଷଣ କଲେ ଯାହା ତାଙ୍କୁ ପ୍ରସିଦ୍ଧି ଆଣିଦେଲା । ଅଳ୍ପ ଦିନ ମଧ୍ୟରେ ସେ ରାଜ୍ୟର କୋଣଅନୁକୋଣରେ ଜଣେ ବିଶିଷ୍ଟ ଗାୟକ ଭାବେ ପରିଚିତ ହୋଇଗଲେ । ୧୯୪୮ ମସିହାରେ ରେଭେନ୍ସା କଲେଜରେ ଗାୟକ ରତ୍ନ ହରିନାଥଙ୍କ ସହ ବାଦିପାଲା ଗାୟନ କରି ଗାୟକ ଶିରୋମଣି ଉପାଧି ଲାଭ କଲେ । ସାହିତ୍ୟିକ ଆର୍ତ୍ତବଲ୍ଲଭ ମହାନ୍ତି, ଜୟକୃଷ୍ଣ ମିଶ୍ର, ଚିନ୍ତାମଣି ଆଚାର୍ଯ୍ୟ, ଏପରି କି ହରେକୃଷ୍ଣ ମହତାବଙ୍କ ଦ୍ୱାରା ମଧ୍ୟ ସେ ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏହାପରଠାରୁ ସେ ଅନେକ ଥର ରେଭନସାରେ ପାଲା ଗାଇବା ସହ ବହୁ ରାଜବାଟୀ ଓ ପାଲା ଅନୁଷ୍ଠାନରେ ଗାୟନ କରି ପ୍ରଶଂସାର ଅଧିକାରୀ ହୋଇଥିଲେ । ଆଠଗଡ ରାଜବାଟୀରେ ଏକସମୟରେ ୪୮ ରାତି ପାଲା ଗାୟନ କରି ସେ ନିଜ ଦକ୍ଷତା ପ୍ରତିପାଦନ କରିଥିଲେ । 

ପାଲା ଜଗତର ଏହି ପ୍ରଚଣ୍ଡ ପ୍ରତିଭା ଅନେକ କାବ୍ୟ କବିତା ମଧ୍ୟ ରଚନା କରିଯାଇଛନ୍ତି । ମାତୃଭକ୍ତି, ସେତୁବନ୍ଧ ପ୍ରତିଷ୍ଠା, ମହୀରାବଣ ବଧ, ଶଶିରେଖା ପରିଣୟ, ଦିଲ୍ଲୀପ ଗୋଚାରଣ, ପ୍ରଭାସ ଯଜ୍ଞ, କଚ ଦେବଯାନୀ, ବିଲ୍ୱମଙ୍ଗଳ ଆଦି ଅନେକ କାବ୍ୟ ନିରଞ୍ଜନ କର ରଚନା କରିଛନ୍ତି ଯାହାକୁ ଆଜି ମଧ୍ୟ ଗାୟକମାନେ ପାଲାରେ ପରିବେଷଣ କରୁଛନ୍ତି । ଆଜି ନିରଞ୍ଜନ କରଙ୍କ ପାର୍ଥିବ ଶରୀର ନାହିଁ ସତ ହେଲେ ପାଲା ଆକାଶରେ ଆଜି ମଧ୍ୟ ସେ ମଧ୍ୟାହ୍ନ ସୂର୍ଯ୍ୟଭଳି ଦୀପ୍ତିମନ୍ତ ହୋଇରହିଛନ୍ତି । ଯେତେଦିନ ପର୍ଯ୍ୟନ୍ତ ପାଲା ଥିବ ଆଉ ପାଲା ଗାୟକଙ୍କୁ ନେଇ ଆଲୋଚନା ହେଉଥିବ, ସେତେଦିନ ପର୍ଯ୍ୟନ୍ତ ପ୍ରଥମେ ଆସୁଥିବ ନିରଞ୍ଜନ କରଙ୍କ ନାଁ ।