ମହାମାନବ ଆଲବର୍ଟ ଆଇନଷ୍ଟାଇନ (ଜନ୍ମ ଓ ପିଲାଦିନ)

Submitted by Content Manager on

ଜନ୍ମ ଓ ପିଲାଦିନ 

ଜର୍ମାନର ଉଲ୍‍ମ ସହରରେ ବାସ କରୁଥିଲେ ହର୍ମାନ ଆଇନଷ୍ଟାଇନ ଓ ତାଙ୍କ ସ୍ତ୍ରୀ ପଉଲିନ ଆଇନଷ୍ଟାଇନ । ହର୍ମାନ ଜଣେ ଇଂଜିନିୟର ତଥା ବ୍ୟବସାୟୀ ଥିଲେ । ୧୮୭୯ ମସିହା ମାର୍ଚ୍ଚ ମାସ ୧୪ ତାରିଖରେ ହର୍ମାନ ଓ ପଉଲିନଙ୍କର ଏକ ପୁଅ ଜନ୍ମ ଗ୍ରହଣ କରିଥିଲା । ତାର ନାମ ରଖିଥିଲେ ଆଲବର୍ଟ । ଆଲବର୍ଟ ଜନ୍ମ ହେବା ପର ବର୍ଷ ୧୯୮୦ ମସିହାରେ ପରିବାର ଲୋକେ ଚାଲିଗଲେ ମୁନିଚ୍ଚ ସହରକୁ । ଧିରେ ଧିରେ ଆଲବର୍ଟ ବଡ଼ ହେବାକୁ ଲାଗିଲେ । ୫ ବର୍ଷ ବୟସରେ ସେ ପ୍ରଥମେ ଏକ କ୍ୟାଥୋଲିକ ଏଲିମେଣ୍ଟାରି ସ୍କୁଲକୁ ପାଠ ପଢ଼ିବାକୁ ଗଲେ । ସେଠାରେ ତିନି ବର୍ଷ ପାଠ ପଢ଼ିବା ପରେ ଗଲେ ଲୁଇଟପୋଲ୍‍ଡ ଜିମନାସିଅମକୁ । ଏଠାରେ ସେ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ଗ୍ରହଣ କଲେ । ପ୍ରାଥମିକ ସ୍ତରରେ ଆଲବର୍ଟ ଜଣେ ମେଧାବୀ ଛାତ୍ର ଥିଲେ । ଶ୍ରେଣୀରେ ସବୁବେଳେ ପ୍ରଥମ ହେଉଥିଲେ । 

Albert Einstein
ଭଉଣୀଙ୍କ ସହ ଆଇନଷ୍ଟାଇନ

ଜନ୍ମବେଳକୁ ଆଲବର୍ଟଙ୍କ ମୁଣ୍ଡର ପଛ ପାଖ ବହୁତ ବଡ଼ଥିଲା । ଏଥିସହ ସାଧାରଣ ପିଲାଙ୍କ ପରି ତାଙ୍କର ଅଭିବୃଦ୍ଧି ଘଟିନଥିଲା । ଆଲବର୍ଟ ଯେତେବେଳେ ପାଠପଢ଼ିବା ଆରମ୍ଭ କଲେ ପ୍ରତିକଥାରେ ଏହା କାହିଁକି ହେବ ବୋଲି ପ୍ରଶ୍ନ କରୁଥିଲେ । ଏଥିପାଇଁ ତାଙ୍କ ଉପରେ ଶିକ୍ଷକମାନେ ମଧ୍ୟ ବିରକ୍ତ ହେଉଥିଲେ । ଆଲବର୍ଟ ଯେ କୌଣସି ପ୍ରଶ୍ନର ଉତ୍ତର ଦେଲାବେଳେ ତାର ସମସ୍ତ ଦିଗ ଉପରେ ବିଚାର କରୁଥିଲେ । ଫଳରେ ଅତି ସାଧାରଣ 
ପ୍ରଶ୍ନର ଉତ୍ତର ଦେଲାବେଳକୁ ତାଙ୍କର ବହୁ ବିଳମ୍ୱ ହେଉଥିଲା । ପ୍ରତିକଥାରେ କାହିଁକି ପାଇଁ ଆଲବର୍ଟ ସ୍କୁଲ ଆଉ ବନ୍ଧୁବାନ୍ଧବଙ୍କ ମଧ୍ୟରେ ପରିଚିତ । ଏଥିପାଇଁ ପ୍ରଶ୍ନବାଣରୁ ରକ୍ଷା ପାଇବାକୁ ତାଙ୍କ ମାମୁଁ ସବୁବେଳେ ତାଙ୍କୁ କଠିନ ଗଣିତ କଷିବାକୁ ଦେଇଥାନ୍ତି । ହେଲେ ଆଲବର୍ଟ ତାର ସମାଧାନ ଏତେ ଶୀଘ୍ର କରିଦେଇଥାନ୍ତି ଯେ, ମାମୁଁ ତାହା ବିଶ୍ୱାସ କରିପାରନ୍ତିନି । 
ସ୍କୁଲରେ ସାହିତ୍ୟ, ବ୍ୟାକରଣ ଆଦି ପଢ଼ିବାକୁ ଆଲବର୍ଟଙ୍କର ମୋଟେ ଇଛା ହେଉନଥିଲା । ତେବେ ଇତିହାସ ପଢ଼ିବାଙ୍କୁ ତାଙ୍କର ବହୁତ ଆଗ୍ରହ ଥିଲା, କିନ୍ତୁ ବହିରେ ଥିବା ଏତେସବୁ ଐତିହାସିକ ତାରିଖ ଘୋଷି ମନେ ରଖିବାକୁ ସେ ମୋଟେ ଚାହୁଁନଥିଲେ । ଏତେସବୁ ସତ୍ତ୍ୱେ ସେ ବିଦ୍ୟାଳୟରେ ପ୍ରଥମ ହେଉଥିଲେ । ବିଦ୍ୟାଳୟରେ ଅନ୍ୟ ପିଲାମାନେ ଖେଳ କୌତୁକ କରୁଥିବାବେଳେ ଆଲବର୍ଟ ଗୋଟିଏ ସ୍ଥାନରେ ବସି ଭାବୁଥାନ୍ତି । ଏପରି କି ଘଣ୍ଟାଘଣ୍ଟା ଧରି ଆକାଶର ତାରା, ଝରଣା ବା ନଦୀର ଜଳଧାରାକୁ ନିରୀକ୍ଷଣ କରୁଥାନ୍ତି । ପିଲାଦିନେ ଥରେ ଆଲବର୍ଟଙ୍କୁ ଜ୍ୱର ହେଲା, ଆଉ ବାପା ତାଙ୍କପାଇଁ ଏକ କମ୍ପାସ ଆଣି ଦେଇଥିଲେ । ଏହି ଯନ୍ତ୍ରଠାରୁ ହିଁ ତାଙ୍କର ବିଜ୍ଞାନ ପ୍ରତି ଆଗ୍ରହ ଦେଖାଦେଇଥିଲା । 

Albert Einstein