ଶିବ ବନ୍ଦନା (ରମାକାନ୍ତ ମିଶ୍ର)

'ପଞ୍ଚାନନ ତାଣ୍ଡବ ନୃତ୍ୟକାରୀ' ବୃତ୍ତେ
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା

Ramakanta Mishra


ମହେଶ୍ଵର,
         କୈଳାସ ଶୈଳବିହାରୀ ।
ହର ହର ଦୁଃଖ ମୋର,
      ଶ୍ରୀପଦେ କରେ ଗୁହାରି  ।।୦।।

ସାଗର ମନ୍ଥନ କାଳେ,
      ଗରଳ ଗିଳିଲ ହେଳେ ।
ସଗର ବଂଶଜେ କୃପା,
     କଲ ଶିରେ ଗଙ୍ଗା ଧରି  ।।୧।।

ତ୍ରିପୁରାସୁର ସଂହାରି,
       ତ୍ରିପୁରେ ଶାନ୍ତି ବିତରି ।
ନାକସଦ ଅକନାଶ,
       କଲହେ ପିନାକଧାରୀ  ।।୨।।

କାମ ପରେ କରି କୋପ,
       ଅନଳେ କରିଲ ଲୋପ ।
ଉମା କାମନା ପୂରଣେ,
      ହୋଇଥିଲ ବ୍ରହ୍ମଚାରୀ  ।।୩।।

ଭୂତନାଥ ଭବାନୀଶ,
      ଭବେ ଭୂତି ପରକାଶ ।
ଭାବେ ରମାକାନ୍ତ ଆଶ,-
      ପୂରିବ କି ଦୁଃଖହାରୀ  ।।୪।।

କେତେକ ଶବ୍ଦର ଅର୍ଥ:-
ସଗର ବଂଶଜ=ଭଗୀରଥ ।।
ନାକସଦ=ସ୍ବର୍ଗ ।। ଅକନାଶ=ଦୁଃଖ, ପାପ ।। ଅନଳେ=ଅଗ୍ନି ।।