ଜଗା ଏଡେ ଦଗାଦିଆ ତୁ (ରମାକାନ୍ତ ମିଶ୍ର)

ନିରାଶଭକ୍ତର ପ୍ରଭୁଙ୍କପ୍ରତି ଅଭିମାନ ଓ  ଆତ୍ମନିବେଦନ ମୂଳକ ଜଣାଣ
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା

Ramakanta Mishra

ଜଗା ଏଡେ ଦଗାଦିଆ ତୁ,
         ଦଗାଦିଆ ରୀତି,
                   ଛାଡିଲୁ ନାହିଁ ।
ଦୀନ ଅଭାଗାକୁ    ଭଗାରି ହସାଇ
 ଅଗାଡି ପଣରେ ରଖିଲୁ କାହିଁ  ।।୦।।

ଅଣୁ ପରମାଣେ କରୁଣା,
       ନକଲୁ ମୁଁ ହେଉଛି ବଣା ।
ଅଣାକର ମୂଲ୍ୟ- ନାହିଁ ମୋ ଜଗତେ
ଖଣାରେ ପକାଇ କରିଲୁ ବାଇ   ।।୧।।

ବାର ବାର ତୋ ଚରଣରେ,
       ପଶୁଅଛି ମୁଁ ଶରଣରେ ।
ଭରଣ ଭରଣ  ଦୁଃଖ ଦେଉଅଛୁ
କରୁଣା ବାରିରୁ କଣେ ନଦେଇ   ।।୨।।

କିସ ତୋତେ ଦେଇ ପୂଜିବି,
       କେଉଁ ନାମ ତୋର ଭଜିବି ।
ସଜୀବିତେ ରଖି   ଦୁଃଖରେ ଘଣ୍ଟାଉ
ଜୀବନହେଲେ ମୋ ଯାଆନ୍ତୁନେଇ ।।୩।।

କାଳିଆ ତୋ ପାଦେ ଏତିକି,
           ଜଣାଉଛି ଘେନ ଶ୍ରୁତିକି ।
ରମାକାନ୍ତ ତୋର   ହଳିଆ ହେଉଛି
ଅଳିଆ ହୃଦରୁ ଦିଅ ତୁଟାଇ  ।।୪।।