ହେ ମାୟାଧର (ରମାକାନ୍ତ ମିଶ୍ର)

ଭଗବାନଙ୍କ ନିକଟରେ *ସ୍ଥବିର ଭାବନାର ଜଣାଣ*

Ramakanta Mishra


କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା

ହେ ମାୟାଧର,
       ବାୟା ହେଉଛି ଜଞ୍ଜାଳେ ।
ସଂସାର- ତାୟାରେ ଥୋଇ,
       ଭାଜୁଛ ତାପ ଅନଳେ  ।।୦।।

କାୟାତୁଲେ ଛାୟାପରି,
        ଚାଲେ ତୋତେ ଅନୁସରି ।
ସରିଗଲା କି ତୋ ଦୟା,
       ଦୟାନିଧି କହବାରେ   ।।୧।।

ଜନକ ଜନନୀ କୋଳେ,
       ବଢ଼ାଇଲ ପ୍ରେମଭୋଳେ ।
ଅଜ୍ଞାନ ନାଶି ସୁଜ୍ଞାନ,
      ଦେଲ ନେଇ ଗୁରୁ ଆଗେ  ।।୨।।

ଯଉବନେ ଜାୟାକର,
       ଧରାଇ ପ୍ରେମସାଗର-
ତରଙ୍ଗରେ ମଜ୍ଜାଇଲ,
       ମଜ୍ଜାକୁ ମୋ କୁତୁହଳେ  ।।୩।।

ସନ୍ତାନ ସୁଖେ ସନ୍ତତ,
        ତିନ୍ତାଇଲ ମୋର ଚିତ୍ତ ।
କିବା ଅପରାଧେ କ୍ରୋଧେ,
       କ୍ଷେପି ଦେଉଅଛ ଖାଲେ।।୪।।

କ୍ରମେ ତନୁ ଗ୍ରାସେ ଜରା,
       ଶୂନ୍ୟ ଦିଶୁଛି ଏ ଧରା ।
ତୋ ନାମ କରି ଆଶରା,
      କିବା ଲେଖାଅଛି ଭାଲେ  ।।୫।।

ନାହିଁ ଯଉବନ ରଙ୍ଗ,
     ବଦଳିଲା ଅଙ୍ଗ ଢଙ୍ଗ ।
ଚମ୍ରରେ ହେଲାଣି ଭଙ୍ଗ,
       ଭାଙ୍ଗୁଛି ମନ ବ୍ୟାକୁଳେ ।।୬।। 

କ୍ଷୀଣହୁଏ ନେତ୍ରତାରା,
       ଶ୍ରବଣ ହୁଏ ବଧିରା ।
ଅସ୍ଥିଗ୍ରନ୍ଥି କଟମଟ,
       ବସିବା ଉଠିବା କାଳେ ।।୭।।

କାତରେ ଦେଉଛି ଡାକ,
      ବାତରେ ରହିଛି ଦକ ।
ରଖ ରଖ ପଦ୍ମମୁଖ,
     ବସି ରମାକାନ୍ତ ଭାଳେ ।।୮।।