ବରିଷ୍ଠ ଗାୟକ ଅମରନାଥ ନାୟକ
ସେ ଜଣେ ଦୃଷ୍ଟିଶକ୍ତୀ ନଥିବା ଗାୟକ, ପିଲାଦିନରୁ ଦୁନିଆର ରଙ୍ଗ କଣ ତାଙ୍କୁ ଜଣାନାହିଁ, ହେଲେ ସେ ଦୁନିଆକୁ ସାହିତ୍ୟର ରଙ୍ଗରେ ଏମିତି ରଙ୍ଗେଇ ଦିଅନ୍ତି ଯେ, ଲୋକେ ତାଙ୍କ ପାଲା ଦେଖୁଥିଲେ ଅଧାରୁ ଛାଡିଯିବାକୁ ମନ କରିନଥାନ୍ତି । ସେ ଯେତେବେଳେ ଶ୍ରବଣ କୁମାର ବିଷୟ ପରିବେଷଣ କରନ୍ତି, କରୁଣ ରସରେ ଏଭଳି ଆଚ୍ଛନ୍ନ କରି ରଖନ୍ତି ଯେ, ଦର୍ଶକଙ୍କ ଆଖିରେ ଲୁହ ଆସିଯାଏ । ନିଜେ ଜନ୍ମାନ୍ଧ ହୋଇଥିବାରୁ ଜନ୍ମାନ୍ଧ ବାପା ମାଆଙ୍କର ପୁଅ ଶ୍ରବଣ କୁମାର ସହ ସମ୍ପର୍କର ଏଭଳି ଚିତାକର୍ଷକ ବର୍ଣ୍ଣନା କରନ୍ତି ଯାହା ଅନନ୍ୟ । ସେହି ଯୋଗଜନ୍ମା ଗାୟକ ହେଉଛନ୍ତି ଅମରନାଥ ନାୟକ ।
ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ପଦ୍ମପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଅମରନାଥ ନାୟକ । ପିଲାଦିନରୁ ସେ ଦୃଷ୍ଟିଶକ୍ତି ହରାଇବସିଥିଲେ । ପିଲାଦିନେ ସାଙ୍ଗସାଥୀ ମେଳରେ ସେ ମଧ୍ୟ ବିଦ୍ୟାଳୟକୁ ଯାଆନ୍ତି । ଅନ୍ୟମାନେ ଯାହା ପଢନ୍ତି ତାକୁ ସେ ପାଖରେ ବସି ଶୁଣନ୍ତି । ଏଭଳି ଶୁଣିଶୁଣି ସେ ଅନେକ ପାଠ ମନେ ରଖୁଥିଲେ । ଯେତେବେଳେ ତାଙ୍କୁ ୮ ବର୍ଷ ବୟସ ସେତେବେଳେ ମାଆ କନକ ଦୁର୍ଗାଙ୍କ ପ୍ରତି ତାଙ୍କର ଭକ୍ତିଭାବ ପ୍ରକଟ ହେଲା । ଏହା ମଧ୍ୟରେ ସେ ପୁରାଣ, ଶାସ୍ତ୍ର ଶୁଣିଲେ । ଧୀରେଧୀରେ ପାଠଶାଳାକୁ ଯିବା ବଦଳରେ ପୁରାଣ ଶାସ୍ତ୍ର ଶୁଣିବାକୁ ଲାଗିଲେ । ଏହା ମଧ୍ୟରେ ସେ ନିକଟସ୍ଥ ଗ୍ରାମମାନଙ୍କୁ ଯାଇ ପାଲା ଶୁଣିଲେ । ସାଥୀ ପିଲାମାନେ ତାଙ୍କୁ ହାତ ଧରି ପାଲା ମଞ୍ଚ ନିକଟକୁ ନେଇ ଯାଉଥିଲେ । ୧୩ ବର୍ଷ ବୟସ ବେଳେ ସେ ଇଚ୍ଛା କଲେ ନିଜେ ପାଲା ଗାଇବାକୁ । ହେଲେ ଦୃଷ୍ଟିଶକ୍ତି ନଥିବାରୁ ଆତ୍ମବିଶ୍ୱାସ ପାଉନଥାଏ । ଏହା ମଧ୍ୟରେ ଗୋଟେ ସ୍ଥାନରେ ବାଦୀପାଲା ଚାଲିଥିଲା । ସେ ସେଠାକୁ ଯାଇଥିଲେ ପାଲା ଶୁଣିବା ପାଇଁ । ସେଠାରେ ଜଣେ ପ୍ରତିଷ୍ଠିତ ଗାୟକ ଏକ ଶ୍ଲୋକ ଆବୃତ୍ତି କରିଥିଲେ, ଯାହା ଅମରଙ୍କ ମନକୁ ଛୁଇଁ ଥିଲା । ସେ ସେହି ଶ୍ଲୋକଟି ଆଣିବା ପାଇଁ ଗାୟକଙ୍କ ବସା ଘରକୁ ଗଲେ । ତେବେ ଗାୟକ ପରଦିନ ଆସିବା ପାଇଁ କହିଲେ । ସେଠାରେ ୫ ଦିନ ପାଲା ହେଲା, ତେବେ କେବଳ ସେହି ଶ୍ଲୋକଟି ଆଣିବା ପାଇଁ ଅମର ସବୁଦିନ ସେଠାକୁ ଯାଉଥିଲେ । ତେବେ ଶେଷ ଦିନ ଗାୟକ ମହୋଦୟ ଶ୍ଲୋକଟି ଦେବାକୁ ସିଧା ମନା କରିଦେଲେ, ଯାହା ଅମରନାଥଙ୍କୁ ବହୁତ ବାଧିଥିଲା । ସେ ଏତେ ମର୍ମାହତ ହୋଇଥିଲେ ଯେ, ଆତ୍ମହତ୍ୟା କରିବାକୁ ସ୍ଥିର କଲେ । ନିକଟସ୍ଥ ବଜାରକୁ ଯାଇ ସେ ଦୁଇ ଅଣାର ବିଷ କିଣି ଆଣିଲେ । ସେ ସମୟରେ ତାଙ୍କ ବାପା ଘନଶ୍ୟାମ ନାୟକ ବାହାରେ ଚାକିରି କରୁଥିଲେ । ଯେଉଁଦିନ ବିଷ ପିଇବାକୁ ଅମର ସ୍ଥିର କରିଥିଲେ, ସେଦିନ ସକାଳୁ ବାପା ଆସି ଘରେ ପହଞ୍ଚିଲେ । ସବୁ ପିଲାମାନଙ୍କ ମଧ୍ୟରେ ଅମରଙ୍କୁ ବାପା ଅଧିକ ସ୍ନେହ କରନ୍ତି, ଦିନସାରା ପାଖରେ ବସାଇ ଅନେକ କଥା କହିଲେ, ଫଳରେ ସେଦିନ ଆଉ ବିଷ ଖାଇପାରିଲେ ନାହିଁ । ସେଦିନ ରାତିରେ ମାଆ କନକ ଦୁର୍ଗା ସ୍ୱପ୍ନରେ ଆବିର୍ଭୂତା ହେଲେ, ଆଉ କହିଲେ, ତୁ ଏହି ଶ୍ଲୋକଟା ପାଇଁ ଆତ୍ମହତ୍ୟା କରିବାକୁ ଭାବୁଛୁ, ତୁ ଚେଷ୍ଟା କଲେ ନିଜେ ଜଣେ ଗାୟକ ହୋଇପାରିବୁ । ଏତିକିରେ ଅମରଙ୍କ ନିଦ ଭାଙ୍ଗିଗଲା, ଭାବିଲେ ସ୍ୱପ୍ନ କେବେ ସତ ହୁଏନା, ସ୍ୱପ୍ନ କେବଳ ସ୍ୱପ୍ନ । ପରଦିନ ସକାଳେ ଦେବୀଙ୍କୁ ଦର୍ଶନ କରି ଆସିଲେ, ସ୍ଥିର କଲେ ଆଜି ନିଶ୍ଚିତ ବିଷ ଖାଇବି । ହେଲେ ସେଦିନ ମଧ୍ୟ ସମ୍ଭବ ହେଲାନି, ତେବେ ରାତିରେ ପୁଣି ସ୍ୱପ୍ନରେ ମାଆ କନକ ଦୁର୍ଗା ଦର୍ଶନ ଦେଲେ, ଏଥର ମାଆ କହିଲେ, ତୁ ମୋତେ ବିଶ୍ୱାସ କରୁନୁ, ତା ହେଲେ ଏଇ ଶ୍ଲୋକଟା ମନେ ରଖ, ଏହା କହି ଗୋଟିଏ ଶ୍ଲୋକ ମାଆ ଶୁଣାଇଲେ । ଏହାପରେ ଅମରଙ୍କ ନିଦ ଭାଙ୍ଗିଗଲା, ହେଲେ ସ୍ୱପ୍ନରେ ମାଆ ଯେଉଁ ଶ୍ଲୋକ ଡାକିଦେଇଥିଲେ, ତାହା ତାଙ୍କର ସମ୍ପୂର୍ଣ୍ଣ ମନେ ରହିଯାଇଥିଲା । ଏଥର ଭାବିଲେ, ଏହା ମଧ୍ୟରେ ନିଶ୍ଚିତ କିଛି ନିହିତ ରହିଛି । ଏଥର ଆତ୍ମହତ୍ୟା କଥା ପୂରା ମନରୁ ଭୁଲିଗଲେ । କିଛିଦିନ ପରେ ସାଙ୍ଗସାଥୀମାନଙ୍କୁ ଧରି ପାଲା ଶିଖିଲେ । ଗାୟକ ଦିବ୍ୟସିଂହ ଦାସଙ୍କୁ ଗୁରୁ କରି ତାଙ୍କଠାରୁ ଚାମର ଗ୍ରହଣ କଲେ । ପଣା ସଂକ୍ରାନ୍ତି ଦିନ ପ୍ରଥମେ ମାଆ କନକ ଦୁର୍ଗାଙ୍କ ନିକଟରେ ପାଲା ଗାଇଲେ । ସେଦିନ ମଧ୍ୟ ସେ ପ୍ରଥମ କରି ଶ୍ରବଣ କୁମାର ଚରିତ ଗାଇଥିଲେ । ପରବର୍ତ୍ତୀ ସମୟରେ ଅନେକ କାବ୍ୟ ନାଟକ ଶିଖିଥିଲେ ଅମର । ମାଆଙ୍କ କୃପାରୁ ତାଙ୍କ ସ୍ମରଣଶକ୍ତି ଏତି ପ୍ରଖର ଥିଲା ଯେ, ସେ କେବଳ ଶୁଣିଶୁଣି ଶ୍ଲୋକ ସବୁ ମନେ ରଖିପାରୁଥିଲେ ।
ଏହି ଯୋଗଜନ୍ମା ଗାୟକ ରାଜ୍ୟର ପୁରପଲ୍ଲୀରେ ପାଲା ପରିବେଷଣ କରି ଅନେକ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ଅଲ୍ ଇଣ୍ଡିଆ ରେଡିଓର ସେ ଜଣେ ମାନ୍ୟତା ପ୍ରାପ୍ତ କଳାକାର । ବୟସରେ ସାୟାହ୍ନରେ ଉପନିତ ହୋଇଥିବା ଏହି କଳାରପୂଜାରୀ ଏବେ ଆଉ ପୂର୍ବଭଳି ପାଲା ଗାଉନାହାଁନ୍ତି ସତ, ହେଲେ ତାଙ୍କ ମନ, ପ୍ରାଣ ଆଉ ଆତ୍ମାରେ କେବଳ ପାଲା, ଆଉ ପାଲା ।