2 Karunasindhu Nayak

Locality (City/Village)
Brahmanapal, Dhusuri
District
State
Country
India
Member Type
Pala Gayak

ଗାୟକ ଭୂଷଣ କରୁଣାସିନ୍ଧୁ ନାୟକ
ଓଡିଶାର ଜଣେ ସୁପ୍ରତିଷ୍ଠିତ ପାଲା ଗାୟକ ଭାବେ ଜଣାଶୁଣା ସାହିତ୍ୟାଚାର୍ଯ୍ୟ, ଗାୟକ ଭୂଷଣ କରୁଣାସିନ୍ଧୁ ନାୟକ । ସେ ଏକାଧାରରେ ଜଣେ ସଂସ୍କୃତ ଶିକ୍ଷକ, କବି ଓ ଦୃଢ ସଂଗଠକ ଭାବେ ପରିଚିତ । ୧୯୩୦ ମସିହା ମେ ମାସ ୨୫ ତାରିଖରେ ଭଦ୍ରକ ଜିଲ୍ଲା ଧୂଷୁରୀ ନିକଟସ୍ଥ ବ୍ରାହ୍ମଣପାଳ, ସାଗୁଳାଇ ସାହିରେ ଏକ କ୍ଷତ୍ରୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ କରୁଣାସିନ୍ଧୁ ନାୟକ । ବାପା ଗୋପିନାଥ ନାୟକ ଏବଂ ମାଆ ଲକ୍ଷ୍ମୀ ଦେବୀ । ପିଲାଟି ଦିନରୁ କରୁଣାସିନ୍ଧୁ୍‌ଙ୍କର କଳା, ସାହିତ୍ୟ, ସଂସ୍କୃତି ପ୍ରତି ଅହେତୁକ ଆଗ୍ରହ ରହିଥିଲା । କୋଠାରୀ ସରକାରୀ ଉଚ୍ଚବିଦ୍ୟାଳୟରେ ଯେତେବେଳେ ନବଣ ଶ୍ରେଣୀରେ ପଢୁଥିଲେ ସେ ସମୟରେ ସେ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ପାଲା ପରିବେଷଣ କରିଥିଲେ । କରୁଣାସିନ୍ଧୁଙ୍କୁ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ଗାୟକ ପୋଷାକରେ ସଜାଇଦେଇଥିଲେ, ମଥାରେ ଚନ୍ଦ୍ରିକା ଖଚିତ ପଗଡି ବାନ୍ଧିଦେଇ ହାତକୁ ଚାମର ଟେକିଦେଇ ଆଶିଷ ପ୍ରଦାନ କରି ସାଫଲ୍ୟ କାମନା କରିଥିଲେ । 

Karunasindhu Nayak


କରୁଣାସିନ୍ଧୁଙ୍କର ବାଲ୍ୟ ଜୀବନରେ ପରିବାରର ଆର୍ଥିକ ଅବସ୍ଥା ସେତେଟା ସ୍ୱଚ୍ଛଳ ନଥିଲା । ଏପରି କି ବିଦ୍ୟାଳୟର ଦେୟ ଦେବା ପାଇଁ ଅସମର୍ଥ ହେବାରୁ କରୁଣାସିନ୍ଧୁଙ୍କର ପାଠପଢାରେ ପୂର୍ଣ୍ଣଛେଦ ପଡିଥିଲା । ଏହାପରେ ସେ ପାଲା ଗାୟନ ପାଇଁ ଆଗ୍ରହୀ ହେଲେ । ବଂଶୀଧର ମିଶ୍ରଙ୍କର ସହଯୋଗରେ ପାଲା ଦଳଟିଏ ଗଢିଲେ । ପାଲାରେ ସଂସ୍କୃତର ଆବଶ୍ୟକତା ରହିଥିବାରୁ ଶ୍ରୀନାୟକ ନିକଟସ୍ଥ ଗୋବିନ୍ଦଜୀଉ ଟୋଲରେ ନାମଲେଖାଇ, ୧୯୫୪ ମସିହାରେ ପ୍ରଥମା, ୧୯୫୮ ମସିହାରେ ମଧ୍ୟମା ପାସ୍ କରିଥିଲେ । ୧୯୬୫ ମସିହାରେ ନଦୀଗାଁ ହାଇସ୍କୁଲରେ ସେ ସଂସ୍କୃତ ଶିକ୍ଷକ ଭାବେ ନିଯୁକ୍ତି ପାଇଲେ । ଏହାପରେ ତାଙ୍କର ପେଷା ସିନା ହେଲା ଶିକ୍ଷକତା, ହେଲେ ନିଶା ପାଲଟିଲା ପାଲା ଗାୟନ କରିବା । ପାଲା ଗାଇବା ସହ ସେ ଘରୋଇ ଭାବରେ ପରୀକ୍ଷା ଦେଇ ୧୯୭୦ ମସିହାରେ ଶାସ୍ତ୍ରୀ ଓ ୧୯୭୦ ମସିହାରେ ସଂସ୍କୃତରେ ସର୍ବୋଚ୍ଚ ଡିଗ୍ରୀ ସାହିତ୍ୟାଚାର୍ଯ୍ୟ ପାସ କରିଥିଲେ ।
୧୯୮୦ ମସିହାରେ ରାଜ୍ୟ ପାଲା ଗାୟକ ପରିଷଦର ଶାଖା- ବାଲେଶ୍ୱର ଜିଲ୍ଲା ପାଲା ଗାୟକ ପରିଷଦ ଗଠନ କରି ସେ ଏହାର ସଭାପତି ଦାୟିତ୍ୱ ତୁଲାଇଥିଲେ । ୧୯୮୬ ମସିହା ବାର୍ଷିକ ସମ୍ମିଳନୀରେ ଶ୍ରୀନାୟକଙ୍କୁ ଗାୟକ ଭୂଷଣ ଉପାଧିରେ ଭୂଷିତ କରାଯାଇଥିଲା ।

Karunasindhu Nayak


ବିଂଶ ଶତାବ୍ଦୀରେ ଓଡିଶାରେ ଯେଉଁ କେତେଜଣ ପ୍ରତିଷ୍ଠିତ ତଥା ବାଗ୍ମୀ ଗାୟକ ଥିଲେ ବା ଅଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ଭୂଷଣ କରୁଣାସିନ୍ଧୁ ନାୟକ । ତାଙ୍କର ପାଲା ପରିବେଷଣ ଶୈଳୀ ସ୍ୱତନ୍ତ୍ର । କାଳିଦାସ, ବିଶ୍ୱନାଥ, ମମର୍ଟ୍ଟ, ଶ୍ରୀହର୍ଷ, ଭବଭୂତି, ଚାଣକ୍ୟ ଆଦି ସଂସ୍କୃତ କବିମାଙ୍କର ଅଳଂକାର ପ୍ରୟୋଗରେ ଶ୍ରୀ ନାୟକ ବେଶ୍ ପାରଦର୍ଶୀ । ପାଲାରେ ପ୍ରାଚୀନ ରାଗରାଗିଣୀର ପ୍ରୟୋଗ ଥିଲା ତାଙ୍କ ପାଲାର ସ୍ୱତନ୍ତ୍ରତା । ପାଲାରେ ହଜାର ହଜାର ଦର୍ଶକଙ୍କୁ ବାନ୍ଧିରଖିବାର କଳା ତାଙ୍କୁ ବେଶ୍‌୍ ଜଣାଥିଲା । ଅତି କଠିନ ସଂସ୍କୃତ ସାହିତ୍ୟକୁ ସେ ଅତି ସରଳ ଭାଷାରେ ଏପରି ବୁଝାଇ ଦେଉଥିଲେ ଯେ, ଲୋକେ ବୁଝିବାକୁ ସକ୍ଷମ ହେଉଥିଲେ । 

Karunasindhu Nayak


ରାଜ୍ୟର ପୁରପଲ୍ଲୀରେ ସଂସ୍କୃତ ବିଦ୍ୱାନ ପାଲା ଗାୟନାଚାର୍ଯ୍ୟ ଭାବେ ପରିଚିତ ଗାୟକ ଭୂଷଣ କରୁଣାସିନ୍ଧୁ ନାୟକ । ଜଣେ ପ୍ରତିଷ୍ଠିତ ଗାୟକ ଭାବେ ପାଲା ପରିବେଷଣ କରି ସେ ବିଭିନ୍ନ ଅନୁଷ୍ଠାନରୁ ପାଇଛନ୍ତି ଅନେକ ପୁରସ୍କାର ଓ ସମ୍ମାନ । ଏହି ବରେଣ୍ୟ ପ୍ରତିଭା ଏବେ ବୟସର ସାୟାହ୍ନରେ ଉପନୀତ, ଶରୀର ସାଥ୍ ଦେଉନି ସତ ହେଲେ ତାଙ୍କ ମନରେ, ପ୍ରାଣରେ ଏବେ ବି ଖାଲି ପାଲା ଆଉ ପାଲା ।