1E Ghanashyam Nayak

Locality (City/Village)
Mallipur
District
State
Country
India
Member Type
Pala Gayak

ଗାୟକ ଭୂଷଣ ଘନଶ୍ୟାମ ନାୟକ

ପାଲା ଜଗତରେ ଜଣେ ପ୍ରସିଦ୍ଧ ନର୍ତକ ଗାୟକ ଭାବେ ପରିଚିତ ଘନଶ୍ୟାମ ନାୟକ । ପାଲାରେ ଦକ୍ଷିଣୀ, ପଡି, ଆଠତାଳି, ନଦିଆ କୀର୍ତନ, ମନ୍ଦିରା ବାଦନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବାରେ ବେଶ ସିଦ୍ଧହସ୍ତ ଥିଲେ ଗାୟକ ଭୂଷଣ ଘନଶ।।ମ ନାୟକ । 
ଏହି ପ୍ରଖ୍ୟାତ ପାଲା ଗାୟକ ୧୯୧୧ ମସିହାରେ ଯାଜପୁର ଜିଲ୍ଲା ମଲ୍ଲିପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଗ୍ରାମ ସ୍କୁଲରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ପରେ ସେ ଯାତ୍ରା ଓ ଲୀଳା ଦଳରେ ସାମିଲ ହୋଇଥିଲେ । ବିଶେଷ କରି ବୈଷ୍ଣବ ପାଣିଙ୍କ ବହୁ ଗୀତିନାଟ୍ୟରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ଘନଶ୍ୟାମ । ଶେଷରେ ନିଜେ ଏକ ନାଟଦଳ ଗଠନ କରିବା ସହ ନିଜେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ପରେ ପରେ ସେ ପାଲା ପ୍ରତି ଆକୃଷ୍ଟ ହୋଇପଡିଲେ । 

ବିଶିଷ୍ଟ କବି ଓ ପଣ୍ଡିତ ଭୀମସିଂହ ରାୟଙ୍କୁ ଗୁରୁ କରି ଘନଶ୍ୟାମ ପାଲା ଶିଖିବା ଆରମ୍ଭ କଲେ । ପଣ୍ଡିତ ଦାଶରଥି ଦାଶ କାବ୍ୟତୀର୍ଥଙ୍କଠାରୁ ଦୀର୍ଘ ୭ ବର୍ଷ ଧରି ସଂସ୍କୃତ ଶିଖିଲେ । ଏହା ମଧ୍ୟରେ ସେ ଅସାଧାରଣ ପ୍ରତିଭାର ଅଧିକାରୀ ହୋଇଥିଲେ । ତେବେ ସେ ବିଧିବଦ୍ଧ ଭାବେ ୧୯୩୧ ମସିହା ଶ୍ରୀପଞ୍ଚମୀ ଦିନ ମଲ୍ଲୀପୁରର ଗାୟକ ଭାସ୍କର ଚନ୍ଦ୍ର ପଣ୍ଡାଙ୍କଠାରୁ ଚାମର ଗ୍ରହଣ କରି ପାଲା ଗାଇବା ଆରମ୍ଭ କଲେ । ଧୀରେ ଧୀରେ ଘନଶ୍ୟାମଙ୍କ ପାଲା ସାରା ରାଜ୍ୟରେ ଆଦର ଲାଭ କଲା । ବିଶେଷ କରି ଗଡଜାତ ଅଂଚଳରେ ଘନଶ୍ୟାମଙ୍କ ସୁନାମ ବଢିଲା । ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ଆଳି, କନିକା ଆଦି ଅନେକ ରାଜବାଟୀରେ ପାଲା ଗାଇ ସେ ସ୍ୱର୍ଣ୍ଣ, ରୌପ୍ୟ ଓ ତାମ୍ର ପଦକ ଲାଭ କରିଥିଲେ । ୧୯୬୭ ମସିହାରେ ଯାଜପୁର ସାନକଳାର ପାଲା ମଣ୍ଡପରେ କବି ମଞ୍ଜୁଳ କୃଷ୍ଣପ୍ରସାଦ ବସୁ ତାଙ୍କୁ ଗାୟକ ଭୂଷଣ ଉପାଧି ପ୍ରଦାନ କରିଥିଲେ । 

ଗାୟକ ଭୂଷଣ ଘନଶ୍ୟାମ ନାୟକ ଜଣେ ପ୍ରସିଦ୍ଧ ପାଲା ଗାୟକ ସହ ଜଣେ ବିଶିଷ୍ଟ କବି ଥିଲେ । ସେ ବହୁ ପାଲା କାବ୍ୟ, ଭଜନ, ଜଣାଣ, ମନଶିକ୍ଷା ଆଦି ରଚନା କରିଯାଇଛନ୍ତି, ଯାହାକୁ ଆଜି ମଧ୍ୟ ଗାୟକମାନେ ପାଲାରେ ପରିବେଷଣ କରୁଛନ୍ତି । ରାଜ୍ୟରେ ୪୦ରୁ ଅଧିକ ଶିଷ୍ୟଙ୍କୁ ସେ ପାଲା ଜଗତକୁ ଆଣିଛନ୍ତି, ଯେଉଁମାନଙ୍କ ମଧ୍ୟରେ ଅନେକ ପ୍ରସିଦ୍ଧ ଗାୟକ ରହିଛନ୍ତି । ଏହି ଯୋଗଜନ୍ମା ଗାୟକ ୧୯୮୬ ମସିହା ନଭେମ୍ବର ୧୦ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ପାର୍ଥିବ ଶରୀର ଆଜି ନାହିଁ ସତ, ହେଲେ ତାଙ୍କ ଦକ୍ଷ ପାଲା ଗାୟନ ଆଜି ମଧ୍ୟ ହଜାର ହଜାର ପାଲା ଦର୍ଶକଙ୍କ ମନରେ ରହିଯାଇଛି ।