2 Chakradhar Barik

Locality (City/Village)
Haripur
District
State
Country
India
Phone Number
9937 690556
Member Type
Pala Gayak

ଗାୟକ ଅରୁଣ ଚକ୍ରଧର ବାରିକ
ଖୋର୍ଦ୍ଧା ଜିଲ୍ଲା ହରିପୁର ଗାଁରେ ୧୯୫୧ ମସିହା ନଭେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ଚକ୍ରଧର ବାରିକ । ବାପା ନୀଳକଣ୍ଠ ବାରିକ ଏବଂ ମାଆ ଯମୁନା ଦେଈଙ୍କର ତିନି ପୁଅ ଏବଂ ଦୁଇ ଝିଅଙ୍କ ମଧ୍ୟରେ ଜ୍ୟେଷ୍ଠ ପୁଅ ହେଉଛନ୍ତି ଚକ୍ରଧର । ପିଲାଦିନରୁ କଳା, ସାହିତ୍ୟ, ସଂସ୍କୃତି ଓ ପୁରାଣ ପ୍ରତି ଅହେତୁକ ଆଗ୍ରହ ରହିଥିଲା ଚକ୍ରଧରଙ୍କର । ମାଟ୍ରିକ ପାସ୍ କରିବା ପରେ ନିରାକାରପୁର କଲେଜରେ ବିଜ୍ଞାନ ଛାତ୍ରଭାବେ ପାଠ ପଢୁଥିଲେ, ଏହି ସମୟରେ ପାରିବାରିକ ସମସ୍ୟା କାରଣରୁ ତାଙ୍କୁ ପାଠପଢାରେ ଡୋରୀ ବାନ୍ଧିବାକୁ ପଡିଥିଲା । ୧୯୭୫ ମସିହାରେ ସେ ଭୁବନେଶ୍ୱର ସ୍ଥିତ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଓୟୁଏଟିରେ କିରାଣୀ ଭାବେ ଚାକିରି କଲେ ।
    ଚକ୍ରଧରଙ୍କର ପିଲା ଦିନରୁ ପାଲା ପ୍ରତି ରହିଥିଲା ଦୁର୍ବଳତା । ଚାକିରି ପରେ ମଧ୍ୟ ସେ ପାଲା ଦେଖିବା ଭୁଲି ନଥିଲେ, ବରଂ ନିଜେ ଜଣେ ପାଲା ଗାୟକ ହେବାକୁ ମନେ ମନେ ସ୍ଥିର କରିଥିଲେ । ପ୍ରତିଦିନ ସେ ଭୁଷଣ୍ଡପୁର ଷ୍ଟେସନରୁ ଟ୍ରେନରେ ଭୁବନେଶ୍ୱର ଯିବା ଆସିବା କରୁଥିଲେ । ୧୯୭୬ ମସିହାର କଥା, ଦିନେ ନିଜ ଗ୍ରାମର ଗାୟକ ପ୍ରଦୀପ ଭ୍ରମରବର ମହାରଣା ଭୁଷଣ୍ଡପୁରରୁ ଖୋର୍ଦ୍ଧା ଯାଉଥିଲେ । ଟ୍ରେନରେ ଉଭୟଙ୍କର ଦେଖାହେଲା । ସେ ସମୟରେ ଛାନ୍ଦର ବିଭିନ୍ନ ଅର୍ଥ କରିବାରେ ମହାରଣା ସାରା ରାଜ୍ୟରେ ପରିଚିତ ହୋଇସାରିଥିଲେ । ଚକ୍ରଧର ଏକ ଛାନ୍ଦର ଅର୍ଥ ଜାଣିବା ପାଇଁ ମହାରଣାଙ୍କ ନିକଟକୁ ଯାଇଥିଲେ । ଟ୍ରେନ ଭିତରେ ମହାରଣା ଛାନ୍ଦର ଅର୍ଥ କରିବା ସହ ଅଧିକ ଜାଣିବାକୁ ଚାହୁଁଥିଲେ ଘରକୁ ଆସ ବୋଲି ପରାମର୍ଶ ଦେଇଥିଲେ । ସେଦିନ ଚାକିରିରୁ ଫେରିବା ପରେ ଚକ୍ରଧର ଖାତା ଧରି ଯାଇଥିଲେ ମହାରଣାଙ୍କ ଘରକୁ ।  
ଗୁରୁ ତାଙ୍କୁ କିଛି ଶ୍ଲୋକ ଲେଖି ଦେବା ସହ କହିଥିଲେ, ‘ଆରେ ଏସବୁ ପାଠ ଗାଁଁରେ ରହିଯିବ, ବାହାରକୁ ଯାଇପାରିବନି’ । ଏହି କଥା ପଦକ ଚକ୍ରଧରଙ୍କ ମନରେ ଆଲୋଡନ ସୃଷ୍ଟି କଲା, ପୂର୍ବରୁ ତ ମନରେ ଗାୟକ ହେବାର ଆଗ୍ରହ ଥିଲା, ତେଣୁ ସେ ଆଉ ବିଳମ୍ବ ନକରି  ପରଦିନ ଗାଁର ୫ ଜଣ ସାଥିଙ୍କୁ ଧରି ଆଖଡା ଆରମ୍ଭ କଲେ । କିଛି ଦିନର ଆଖଡା ପରେ ଦୁର୍ଗାପୂଜା ଦିନ ଗୁରୁ ଭ୍ରମରବର ମହାରଣା ଚାମର ଦାନ କଲେ ଚକ୍ରଧରଙ୍କୁ ।

Chakradhar Barik

ପ୍ରତିଦିନ ଚାକିରିକୁ ଟ୍ରେନରେ ଯିବା ସମୟରେ ଉପର ସିଟକୁ ଉଠି ଯାଆନ୍ତି ଚକ୍ରଧର, ଆଉ ଭୁବନେଶ୍ୱରରେ ପହଂଚିବା ଯାଏ ସେଠାରେ ଶ୍ଲୋକ ମୁଖସ୍ତ କରନ୍ତି । ସେହିପରି ଘରକୁ ଫେରିବା ପରେ କିଛି ଖାଇଦେଇ ବିଳମ୍ବିତ ରାତି ଯାଏ ଆଖଡା ହୁଏ । ୧୯୭୫ ମସିହାରେ ଶ୍ରୀ ନୀଳାଚଳ ପାଲା ଗାୟକ ପରିଷଦ ଗଠନ କରିଥାନ୍ତି ଗାୟକ ବିଷାରଦ ମାର୍କଣ୍ଡେୟ ବାହିନୀପତି । ୧୯୭୬ ମସିହାରେ ଏହି ପରିଷଦ ସହ ଜଡିତ ହେଲେ ଚକ୍ରଧର, ଏହାସହ ବାହିନୀପତିଙ୍କୁ ଅନ୍ୟତମ ଗୁରୁ କରି ତାଙ୍କଠାରୁ ଅଧିକ ଶିକ୍ଷା ଗ୍ରହଣ କଲେ । ୧୯୮୦ ମସିହାରେ ଓଡିଶା ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ତରଫରୁ ବାହିନୀପତିଙ୍କ ଅଧୀନରେ ଏକ ପାଲା ତାଲିମ କେନ୍ଦ୍ର ସ୍ଥାପନ କରାଗଲା । ଏଥିରେ ତତ୍କାଳୀନ କଟକ ଜିଲ୍ଲାରୁ ଗାୟକ ସୁରେନ୍ଦ୍ରନାଥ ଛୋଟରାୟ ଏବଂ ପୁରୀ ଜିଲ୍ଲାରୁ ଗାୟକ ଚକ୍ରଧର ବାରିକ ଛାତ୍ରଭାବେ ମନୋନିତ ହେଲେ । ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜଣେ ପ୍ରତିଷ୍ଠିତ ଗାୟକ ଭାବେ ସାରା ରାଜ୍ୟରେ ପରିଚିତ ହେବାକୁ ଲାଗିଲେ ଚକ୍ରଧର ।

Chakradhar Barik

ସଂସ୍କୃତ କାବ୍ୟ, ନାଟକ ଓ ଓଡିଆ ସାହିତ୍ୟ ଛାନ୍ଦ ଆଦିର ଅର୍ଥ ଆଲୋଚନା କରିବାରେ ବେଶ୍ ସିଦ୍ଧହସ୍ତ ଚକ୍ରଧର ବାରିକ । ଅଳଂକାର ପ୍ରୟୋଗ, ବ୍ୟାକରଣ, ତତ୍ୱଭିତିକ ପ୍ରାସଙ୍ଗିକ ଆଲୋଚନା ତଥା ଶୁଦ୍ଧ ପରିମାର୍ଜିତ ଭାଷା ସହିତ ରସାନୁକୂଳ ରୀତିରେ ଗାୟନ କରିବା ଚକ୍ରଧରଙ୍କର ବିଶେଷ ଗୁଣ । ତାଙ୍କ ପାଲାରେ ସାମାଜିକ ସଂସ୍କାର ସହ ବୈଜ୍ଞାନିକ ଚିନ୍ତାଧାରା ଦେଖିବାକୁ ମିଳେ । 
ଜଣେ ପାଲା ସଂଗଠକ ଭାବେ ପରିଚିତ ଚକ୍ରଧର ବାରିକ । ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦକୁ ଚାରି ଦଶନ୍ଧୀ ଧରି ଚଳାଇ ଆସିବାରେ ଯେଉଁ ସୁର, ସୁଦର୍ଶନ, ଚକ୍ରଙ୍କର ପ୍ରମୁଖ ଭୂମିକା ରହିଛି ବୋଲି କୁହାଯାଏ, ସେଥିରେ ଅନ୍ୟତମ ଚକ୍ରଧର ବାରିକ । ପାଲା ଗାୟକ ପରିଷଦ ଶାଖା ଅଖଣ୍ଡ ପୁରୀ ଜିଲ୍ଲାର ସେ ଦୀର୍ଘ ଦିନ ଧରି ସମ୍ପାଦକ ରହିବା ସହ ରାଜ୍ୟ ପାଲା ଗାୟକ ପରିଷଦର ସହସମ୍ପାଦକ, ସାଂସ୍କୃତିକ ସମ୍ପାଦକ ଓ ସଂଗଠନ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇ ଆସିଛନ୍ତି । ୧୯୯୭ ମସିହାରୁ ଅଦ୍ୟାବଧି ସେ ରାଜ୍ୟ ପାଲା ଗାୟକ ଟ୍ରଷ୍ଟବୋର୍ଡର ସମ୍ପାଦକ ଭାବେ କାର୍ଯ୍ୟରତ ।
ଉଲ୍ଲେଖନୀୟ ପାଲା ପ୍ରଦର୍ଶନ ପାଇଁ ଚକ୍ରଧର ବାରିକଙ୍କୁ ମିଳିଛି ଅନେକ ପୁରସ୍କାର, ସମ୍ମାନ । ବିଶ୍ୱ ସନାତନ ସେବା ସଂଘଦ୍ୱାରା ତାଙ୍କୁ ଗାୟକ ଅରୁଣ ଉପାଧି ପ୍ରଦାନ କରାଯାଇଥିଲା । ସେହିପରି ତାଙ୍କୁ ଗାୟକ ସାରଥି, ଗାୟକ ରସସାଗର, ଗାୟକ ଅଳଂକାର ବାରାନିଧି, ଗାୟକ ଗୌରବ, ଗାୟକ ଭୂଷଣ ଆଦି ଉପାଧି ପ୍ରଦାନ କରାଯାଇଛି ।