ଅଭୟ ଚରଣ ସ୍ଵାଇଁ
ସାହିତ୍ୟାଚାଯ୍ୟର୍ ଅଭୟ ଚରଣ ସ୍ଵାଇଁ । ଜଣେ ସଂସ୍କୃତ ପଣ୍ଡିତ ଭାବରେ ଯେପରି ଜଣାଶୁଣା ପ୍ରଖ୍ୟାତ ପାଲା ଗାୟକ ଭାବେ ସେପରି ପ୍ରତିଷ୍ଠିତ । ଶିକ୍ଷକତା ତାଙ୍କର ପେଷା ଥିଲା ସତ ହେଲେ ପାଲା ତାଙ୍କର ନିଶା । ସାରା ଜୀବନ ସେ ପାଲା ପାଇଁ ନିଜକୁ ଉତ୍ସର୍ଗ କରିଦେଇଛନ୍ତି । ପାଲାକାର ଜୀବନରେ ତାଙ୍କ କୃତି ଶିକ୍ଷକତାର ବଳୟ ପାର ହୋଇ ମଧୁଝରା ହୋଇ ବହିଯାଇଛି ଓଡିଶାର ବହୁ ପ୍ରାନ୍ତକୁ । ମାର୍ଜିତ ଭାଷା, ପରିବେଷଣରେ ଭାବୋଦ୍ଦୀପକ ଭଙ୍ଗୀ ଏବଂ ସଂସ୍କୃତ କାବ୍ୟ ନାଟକର ସମୀକ୍ଷାୟନରେ ସେ ଜଣେ ଧୂରୀଣ ପଥିକ । ତାଙ୍କ ଆଲୋଚନାରେ ଉତର ମଧ୍ୟ ଯୁଗୀୟ ଛିଟା ଥିଲେ ବି ପୂର୍ବ ଆଧୁନିକତାରେ ସମୃଦ୍ଧ । ମନୋବୈଜ୍ଞାନିକ ଚରିତ୍ର ବିଶ୍ଳେଷଣ ତାଙ୍କର ବିଶେଷ ପ୍ରଜ୍ଞାଦର୍ଶୀ ଉଦ୍ୟମ । ଲଳିତ କଣ୍ଠସ୍ଵର ଏବଂ ଉପସ୍ଥାପନରେ ନାଟକୀୟତା ତାଙ୍କୁ ଶ୍ରୋତାଙ୍କ ମହଲରେ ଚିର ସବୁଜ କରିରଖିଛି ।
୧୯୩୪ ମସିହା ଜୁନ ମାସ ୪ ତାରିଖ, ଖୋର୍ଦ୍ଧା ଜିଲ୍ଲାର ମୁକ୍ତାପୁର ଗାଁରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ଅଭୟ ଚରଣ ସ୍ଵାଇଁ । ଡାକ ନାଁ ଥିଲା ଅପନି । ବାପା ସିଦେ୍ଧଶ୍ଵର ସ୍ଵାଇଁ ଓ ମାଆ ସାବିତ୍ରୀ ଦେବୀ । ବାପାଙ୍କର ଆର୍ଥିକ ଅବସ୍ଥା ସେତେଟା ଭଲ ନଥିଲା । ତଥାପି ସେ ସମୟରେ ସେମାନେ ଅଭୟଙ୍କୁ ପାଠପଢାଇଥିଲେ । ଚାହାଳି ଗୁରୁ ନାଥ ଦାଶଙ୍କ ପାଖରେ ଆରମ୍ଭ ହେଲା ଖଡିଛୁଆଁ । ପିଲାଟି ଦିନରୁ ଅଭୟଙ୍କ ପାଖରେ କଳା ପ୍ରତିଭା ବାରି ହୋଇପଡୁଥିଲା । ଚାଟଶାଳିରେ ସେ କେଶବ କୋଇଲି ଗୀତ ଅତି ସୁନ୍ଦର ଭାବେ ବୋଲୁଥିଲେ । ଏତେ ସୁମଧୁର କଣ୍ଠରେ ସେ ଏହି ଗୀତ ବୋଲନ୍ତି ଯେ ରାସ୍ତାରେ ଯାଉଥିବା ଲୋକମାନେ ଠିଆ ହୋଇ ଶୁଣନ୍ତି । ଚାଟଶାଳି ପଢା ଶେଷ ହେବା ପରେ ସେ ଗାଁର ପ୍ରାଥମିକ ସ୍କୁଲରେ ପଢିଲେ । ସେତେବେଳେ ସ୍କୁଲର ଶିକ୍ଷକ ଥିଲେ ବାଞ୍ଛାନିଧି ପଟ୍ଟନାୟକ ଓ ପ୍ରଧାନ ଶିକ୍ଷକ ଥିଲେ ତ୍ରିଲୋଚନ ବାରିକ ।
ତୃତୀୟ ଶ୍ରେଣୀରେ ପଢିବା ବେଳେ ଅଭୟ ଗାଁର ସାଥୀ ପିଲା ହଜାରି ସ୍ଵାଇଁ , ବଂଶୀଧର ସ୍ଵାଇଁ , କେଳୁ ଚରଣ ସ୍ଵାଇଁ , ଦୁଆରି ସ୍ଵାଇଁ , ଲୋକନାଥ ମହାରଣାଙ୍କ ସହ ମିଶି ଗାଁ ମୁଣ୍ଡ ନୃସିଂହ ଆମ୍ବଗଛ ତଳେ ପାଲା ଗାଆନ୍ତି । ଆମ୍ବ ଡାଳ ହୁଏ ଚାମର ଆଉ ନଡିଆ ଷଢେଇ ହୁଏ ଝାଞ୍ଜ । ଯାହା ମନକୁ ଆସେ ସବୁ ପିଲା ପାଟି କରି ବୋଲନ୍ତି । ଏମିତି ସବୁଦିନ କଟୁଥିଲା । ଏହା ଦେଖି ଗାଁର ବାଞ୍ଛାନିଧି ସାହୁ ସବୁ ପିଲାଙ୍କ ବାପାମାନଙ୍କୁ ଭେଟିଲେ । ପିଲାମାନଙ୍କ ପାଇଁ ପାଲା ଶିଖିବାର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଲେ । ବାଞ୍ଛାନିଧିଙ୍କ ପରାମର୍ଶ ପରେ ନିକଟସ୍ଥ ଖଜୁରିପଦା ଗାଁର ଗୁରୁ ଗୋପାଳ ପଣ୍ଡାଙ୍କୁ ନିମନ୍ତ୍ରଣ କରାଗଲା । କିଏ ଗାୟକ ହେବ ବିଚାର ପଡିଲା । ସମସ୍ତଙ୍କ ବାପାମାନେ କହିଲେ ସେମାନଙ୍କ ପୁଅ ଗାୟକ ହେଉ । ଏଥିରେ ବଡ ଦ୍ଵନ୍ଦରେ ପଡିଲେ ଗୁରୁ । ସେ କହିଲେ ଏଥି ପାଇଁ ସେ ଏକ ପରୀକ୍ଷା କରିବେ । ବଳି ବାମନାଷ୍ଟକରୁ ଆଠଟି ଶ୍ଳୋକ ଲେଖି ସମସ୍ତଙ୍କୁ ଦେଲେ, କହିଲେ ଯିଏ ଆଜି ସଂଧ୍ୟା ସୁଦ୍ଧା ସବୁ ମୁଖସ୍ତ କରି ପରିଷ୍କାର ଭାବେ ବୋଲି ପାରିବ ସେ ଗାୟକ ହେବ । ସବୁ ପିଲା ଶ୍ଳୋକ ଘୋଷିବାରେ ଲାଗିଲେ, ହେଲେ ଅଭୟଙ୍କୁ ଛାଡି ଆଉ କେହି ସଂପୂର୍ଣ୍ଣ କରିପାରିଲେ ନାହିଁ । ଶେଷରେ ଅଭୟଙ୍କୁ ଗାୟକ କରିବାକୁ ସ୍ଥିର ହେଲା । ଶ୍ରୀଗୁଣ୍ଡିଚା ଦିନ ନାରାୟଣ ମୂର୍ତି ସ୍ଥାପନ ହେଲା, ଗାଁର ନୃସିଂହ ଠାକୁରଙ୍କ ନିକଟରେ ପାଲା ଗାଇବା ଆରମ୍ଭ ହେଲା ।
ପାଲାକୁ ସମୃଦ୍ଧ କରିବା ପାଇଁ ବିଶିଷ୍ଟ ଗାୟକ ବିଶ୍ଵନାଥ ପଟ୍ଟଯୋଶୀଙ୍କ ପରାମର୍ଶ କ୍ରମେ ଅଭୟ ସଂସ୍କୃତ ଶିଖିଲେ । ହଳଦିଆ ସ୍ଥିତ ସଂସ୍କୃତ ଟୋଲରେ ମଧ୍ୟମା ପାସ୍ କଲେ । ଅଧିକ ଶିକ୍ଷା ପାଇଁ ପୁରୀ ସଦାଶିବ ସଂସ୍କୃତ ମହାବିଦ୍ୟାଳୟରେ ନାଁ ଲେଖାଇଲେ । ସେଠାରେ ୪ ବର୍ଷ ପାଠ ପଢି ସାହିତ୍ୟାଚାଯ୍ୟର୍ ପାସ୍ କଲେ । ପାଠ ପଢା ସମୟରେ ଅର୍ଥ ବାଧକ ସାଜିଥିଲା, ହେଲେ ଅଭୟଙ୍କ ପ୍ରତିଭା ଆଗରେ ତାହା ହାର ମାନିଥିଲା । ସେ ସମୟର ଅଧ୍ୟକ୍ଷ ପଦ୍ମଲୋଚନ ଉପାଧ୍ୟାୟ କଲେଜରୁ ମାସିକ ୨୦ ଟଙ୍କାର ବୃତି ଦେଇଥିଲେ । କଲେଜର ବାର୍ଷିକ ଉତ୍ସବରେ ପାଲା ପରିବେଷଣ କରି ସେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ସେ କାଳିଦାଶଙ୍କ ମେଘଦୂତ କାବ୍ୟର ସଂସ୍କୃତରେ ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ସାଙ୍ଗ ହରିବନ୍ଧୁ ମିଶ୍ର ଯକ୍ଷ ହୋଇଥିବା ବେଳେ ସେ ଯକ୍ଷ ପତ୍ନୀ ହୋଇଥିଲେ । ଏହି ନୃତ୍ୟ ଏତେ ପ୍ରଭାବଶାଳୀ ଥିଲା ଯେ, ସରକାରଙ୍କ ଲୋକ ସଂପର୍କ ବିଭାଗ ପକ୍ଷରୁ ତାଙ୍କୁ ମାସିକ ୧୦୦ ଟଙ୍କାର ବୃତି ମିଳିଲା । ପଢା ଶେଷ ପରେ ହଳଦିଆ ହାଇସ୍କୁଲରେ ମାସିକ ୬୦ ଟଙ୍କା ଦରମାରେ ଅଭୟ ଏକ ବର୍ଷ ଶିକ୍ଷକତା କଲେ । ପରେ ଗୋଳାପୋଖରୀ ହାଇସ୍କୁଲରେ ୨ ବର୍ଷ ଏବଂ ଇଟାମାଟି ବାମନ ଅବକାଶ ହାଇସ୍କୁଲରେ ୬ ବର୍ଷ କଟାଇଥିଲେ । ପାଲା ଗାଉ ଥିବା ଯୋଗୁଁ ସେ ଅନ୍ୟ ଶିକ୍ଷକମାନଙ୍କର ଚକ୍ଷୁଶୂଳ ହେଉଥିଲେ । ୧୯୬୯ ମସିହାରେ ସ୍କୁଲ ସଂପୂର୍ଣ୍ଣ ସରକାରୀ ହୋଇଯିବାରୁ ତାଙ୍କର ବଦଳି ହେଲା, ଚାଲିଗଲେ ପୁରୀ ଜିଲ୍ଲା ଗୋପ ହାଇସ୍କୁଲକୁ । ସେଠାରେ ୫ ବର୍ଷ କଟାଇ ଆସିଲେ ଖୋର୍ଦ୍ଧା ବାଳିକା ଉଚ୍ଚ ବିଦ୍ୟାଳୟକୁ । ସେଠାରେ ସେ ଦୀର୍ଘ ୧୭ ବର୍ଷ ରହିଥିଲେ । ଏଠାରେ ତାଙ୍କୁ ପାଲା ଗାଇବାରେ ସେତେଟା ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥିଲା । ତେବେ ପାଲା ଗାଇବା ପାଇଁ ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡୁଥିଲା । ରାତିରେ ପାଲା ଗାଇ ଦିନରେ କ୍ଲାସ କରିବାକୁ ପଡୁଥିଲା ଅଭୟଙ୍କୁ । ତାଙ୍କ କହିବା କଥା ଢେଙ୍କାନାଳରେ ରାତିରେ ପାଲା ଗାଇ ସକାଳେ କ୍ଲାସ କରିବାକୁ ପଡିଛି । ଏମିତି ଅନେକ କଷ୍ଟ କରିବାକୁ ପଡୁଥିଲେ ମଧ୍ୟ ଏଥିପାଇଁ ସେ କେବେ ଦୁଃଖ ଅନୁଭବ କରିନଥିଲେ । ସେ କୁହନ୍ତି, ମନର ବଳ ଓ ପ୍ରଭୁଙ୍କ ସଦିଚ୍ଛା ଯୋଗୁଁ ବିଶେଷ ଶାରୀରିକ କଷ୍ଟ ଅନୁଭବ କରିନାହାଁନ୍ତି ।
ଉନ୍ନତମାନର ପାଲା ପରିବେଷଣ ପାଇଁ ଅନେକ ଅନୁଷ୍ଠାନ ପକ୍ଷରୁ ସେ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । ବହୁ ଉପାଧି ମଧ୍ୟ ତାଙ୍କୁ ମିଳିଛି । ୨୦୦୯ ମସିହା ମାର୍ଚ୍ଚ ୧୬ ତାରିଖରେ ପୁରୀ ଦୋଳବେଦୀ ପାଲା ମଣ୍ଡପ ପକ୍ଷରୁ ତାଙ୍କୁ ଗାୟକ ସମ୍ରାଟ ଉପାଧି ପ୍ରଦାନ କରାଯାଇଥିଲା । ପରିବାରର ବାରଣ ପରେ ବି ୮୩ ବର୍ଷ ବୟସ ଯାଏଁ ସେ ପାଲା ପରିବେଷଣ କରୁଥିଲେ । ତେବେ ଗତ କିଛି ବର୍ଷ ହେଲା ସେ ପାଲା ଗାୟନରୁ ଅବସର ନେଇଛନ୍ତି । ପତ୍ନୀ, ପୁଅ, ବୋହୂ, ନାତି, ନାତୁଣୀଙ୍କୁ ନେଇ ଏକ ଆଦର୍ଶ ପରିବାରରେ ଏବେ ସମୟ ବିତାଉଛନ୍ତି ପଣ୍ଡିତ୍ ଅଭୟ ଚରଣ ସ୍ଵାଇଁ ।