1R Narottam Mohapatra

Locality (City/Village)
Kantabada
District
State
Country
India
Member Type
Pala Gayak

ଗାୟକ ରତ୍ନ ନରୋତ୍ତମ ମହାପାତ୍ର

ସଂଭ୍ରାନ୍ତ ପରିବାରରେ ଜନ୍ମ, ଉଚ୍ଚ ଶିକ୍ଷିତ, ଚାହିଁଥିଲେ ବଡ ଚାକିରି କରିପାରିଥାନ୍ତେ, ହେଲେ ସେ ବାଛିନେଲେ କଳାକାରର ଜୀବନ । ସାହିତ୍ୟ ସାଧନାର ରାସ୍ତା ବାଛିନେଲେ । ଜଣେ ନିର୍ଭୀକ ପାଲା ଗାୟକ ଭାବେ ସାରା ଓଡିଶାରେ ପରିଚିତ ସେହି ବିରଳ ପ୍ରତିଭାର ଅଧିକାରୀ ହେଉଛନ୍ତି ଗାୟକ ରତ୍ନ ନରୋତ୍ତମ ମହାପାତ୍ର ।

Narottam Mohapatra

ଖୋର୍ଦ୍ଧା ନିକଟବର୍ତୀ କଣ୍ଟାବାଡ ଗ୍ରାମରେ ଏକ ସଂଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରନ୍ତି ନରୋତ୍ତମ ମହାପାତ୍ର । ବାପା ସନାତନ ମହାପାତ୍ର ଓ ମାଆ ଶରଧା ଦେବୀ । ବ୍ରିଟିଶ ସରକାର ଅଧୀନରେ ବାପା ଜେଜେବାପା ଥିଲେ ସର୍ବରାକାର । ଆଖପାଖ ୫ ଖଣ୍ଡ ମୌଜା ଥିଲା ତାଙ୍କର ଅଧୀନ । ଏସବୁ ଗ୍ରାମରୁ ଖଜଣା ଆଦାୟ କରି ଖୋର୍ଦ୍ଧା ତହସିଲ ଅଫିସରେ ଦାଖଲ କରନ୍ତି । ସାରା ଅଂଚଳରେ ମହାପାତ୍ର ପରିବାରର ନାଁ ଡାକ । ଏହି ପରିବାରରେ ଅତି ଗେହ୍ଲାରେ ନରୋତ୍ତମଙ୍କ ପିଲା ଦିନ କଟିଲା । ୧୯୪୨ ମସିହାରେ ସେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ପାସ୍ କଲେ । ଏହାପରେ ଆଇଏ ପଢିବା ପାଇଁ ରେଭେନ୍ସା କଲେଜରେ ନାମ ଲେଖାଇଲେ ।

Narottam Mohapatra

ନରୋତ୍ତମଙ୍କ ମାମୁ ହେଉଛନ୍ତି ସାହିତ୍ୟିକ ପ୍ରଫେସର କୁଞ୍ଜବିହାରୀ ତ୍ରିପାଠୀ । ସେହିପରି ଗୁରୁ ଆର୍ତ୍ତବଲ୍ଲଭ ମହାନ୍ତିଙ୍କର ଅତି ସ୍ନେହର ଛାତ୍ର ଥିଲେ ନରୋତ୍ତମ । ପିଲାଟି ଦିନରୁ ନରୋତ୍ତମ ସଙ୍ଗୀତ ପ୍ରିୟ ଥିଲେ । ତାଙ୍କ କହିବା ଅନୁସାରେ ଗୀତ ଥିଲା ତାଙ୍କର ଜୀବନ । ସଫଳତାର ସହ ରେଭେନ୍ସାରୁ ଆଇଏ ଶେଷ ପରେ ନରୋତ୍ତମଙ୍କୁ ଗାଁକୁ ଫେରିଯିବାକୁ ପଡିଥିଲା । ଗୋଟିଏ ପଟେ ସର୍ବରାକାର ପଦ ସମ୍ଭାଳିବାକୁ ଚାପ ପଡିଲା । ସେତେବେଳେ ସରକାର ସର୍ବରାକାରମାନଙ୍କ ପାଇଁ ୧୮ ଏକ ଜାଗିରି ଜମି ଖଞ୍ଜା ଦେଇଥିଲେ । ଏହାସହ ତାଙ୍କ ନିଜର ମଧ୍ୟ ୭ ଏକର ଉର୍ବର ଜମି ଥିଲା ।

Narottam Mohapatra

ସେ ସମୟରେ ଚାକିରି କରିବାକୁ ଲୋକେ ପସନ୍ଦ କରୁନଥିଲେ । ବିଶେଷ କରି ଧନୀ ପରିବାରର ଲୋକେ କହୁଥିଲେ ଆମ ପୁଅ ନୌକରି ଖଟିବାକୁ ଗଲେ ଆମର ଇଜ୍ଜତ ରହିବନାହିଁ । ତେଣୁ ବାଧ୍ୟ ହୋଇ ନରୋତ୍ତମ ଗାଁକୁ ଫେରି ସର୍ବରାକାର କାମ କଲେ । ତେବେ ସେ ମାତ୍ର ଦୁଇ ବର୍ଷ କାମ କରିବା ବେଳକୁ ସରକାର ଏହି ପଦ ଉଠାଇଦେଇଥିଲେ । ଅନ୍ୟପଟେ ମାମୁ କୁଞ୍ଜବିହାରି ତ୍ରିପାଠୀ ଏବଂ ଗୁରୁ ଆର୍ତ୍ତବଲ୍ଲଭ ମହାନ୍ତି ମଧ୍ୟ ଚାହୁଁଥିଲେ ନରୋତ୍ତମ ପାଲା ଗାୟକ ହୁଅନ୍ତୁ ବୋଲି । ନିଜେ ଆର୍ତ୍ତବଲ୍ଲଭ ମହାନ୍ତି ବେତ ବାଡି ଧରି ନରୋତ୍ତମଙ୍କୁ ସଂସ୍କୃତ ଶିକ୍ଷା ଦେଉଥିଲେ । ମାମୁଁ ଓ ଗୁରୁଙ୍କ ପ୍ରେରଣା ନିଜର ଆଗ୍ରହ ଯୋଗୁଁ ଶେଷରେ ପାଲାକୁ ବ୍ରତ ଓ ବୃତ୍ତି  ଭାବରେ ସେ ଗ୍ରହଣ କରିନେଲେ । ଗୁରୁ ବୃନ୍ଦାବନ ଦାଶଙ୍କଠାରୁ ସେ ଚାମର ଗ୍ରହଣ କରିଥିଲେ । 

Narottam Mohapatra


ପାଲା ପାଇଁ କଠିନ ଅଧ୍ୟବସାୟ କରିଥିଲେ ନରୋତ୍ତମ । ତାଙ୍କ ପରି ପ୍ରଚଣ୍ଡ ସାଧନା ବହୁ ଅଳ୍ପ ଗାୟକ କରିଥାଇ ପାରନ୍ତି । ରାତି ୧୧ଟା ପରେ ପତ୍ନୀ ଏବଂ ପିଲାମାନେ ଶୋଇଗଲା ପରେ ସେ ଲଣ୍ଠନ ଲଗାଇ ତାଳପତ୍ର ପୋଥି ପଢିବା ଆରମ୍ଭ କରନ୍ତି । ପଢା ଶେଷ କରି କବାଟ ଖୋଲିବା ବେଳକୁ ଅଧିକାଂଶ ଦିନ ରାତି ପାହି ସକାଳ ହୋଇଯାଇଥାଏ । ଓଡିଶା ସାହିତ୍ୟ ସହ ସଂସ୍କୃତ ଓ ହିନ୍ଦୀ ସାହିତ୍ୟରେ ମଧ୍ୟ ବେଶ୍ ଦକ୍ଷତା ହାସଲ କରିଥିଲେ ନରୋତ୍ତମ  ମହାପାତ୍ର । 

Narottam Mohapatra