ଗାୟକ ବିମଳ ବିଚିତ୍ରାନନ୍ଦ ପଟ୍ଟନାୟକ
ପାଲା ମାଧ୍ୟମରେ ସାହିତ୍ୟ ଚର୍ଚ୍ଚା ସହ ଜନସଚେତନତା ସୃଷ୍ଟି କରିବାରେ ଯେଉଁ କେତେଜଣ ଗାୟକ ରହିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ବିମଳ ବିଚିତ୍ରାନନ୍ଦ ପଟ୍ଟନାୟକ । ବୃତ୍ତିରେ ସେ ଜଣେ ଶିକ୍ଷକ, ହେଲେ ତାଙ୍କ ନିଶା ହେଉଛି ପାଲା, ଆଉ ଏହି ପାଲା ମାଧ୍ୟମରେ ସେ ସମାଜରୁ ଅନ୍ଧବିଶ୍ୱାସ, କୁସଂସ୍କାର ଆଦି ଦୂର କରିବା ସହ ସଚେତନତା ସୃଷ୍ଟି କରିବାକୁ ଆପ୍ରାଣ ଉଦ୍ୟମ କରିଛନ୍ତି । ଯେଉଁ ସମୟରେ ନିପଟ ମଫସଲ ଗ୍ରାମକୁ ରାସ୍ତା ନଥିଲା, ଯାତାୟତ ଦୁରୁହ ଥିଲା ଯାହାକୁ ଆଜିର ପିଲାମାନେ ବିଶ୍ୱାସ କରିପାରିବେ ନାହିଁ, ସେ ସମୟରେ ସେ ଗାଁରୁ ଗାଁକୁ ବୁଲି ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ, ଲୋକଙ୍କୁ ପାଲା ମାଧ୍ୟମରେ ବୁଝାଉଥିଲେ । ତାଙ୍କରି ଉଦ୍ୟମରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ଶହଶହ ପିଲା ସ୍କୁଲ ମାଟିମାଡିଛନ୍ତି, ଅଧାରୁ ପାଠଛାଡିଥିବା ପିଲାଙ୍କୁ ସେମାନଙ୍କ ଅଭିଭାବକ ପୁଣିଥରେ ସ୍କୁଲରେ ଭର୍ତ୍ତି କରିଛନ୍ତି । ସବୁଠାରୁ ବଡକଥା ହେଉଛି ଶହଶହ ବୟସ୍କ ମଧ୍ୟ ଜୀବନର ଅଧା ସମୟ କଟାଇବା ପରେ ହାତରେ ଖଡି ସିଲଟ ଧରି ପାଠ ପଢିବାକୁ ବାହାରିଛନ୍ତି । ଏହା କୌଣସି ସାଧାରଣ କଥା ନୁହେଁ । ସରକାର ବିଭିନ୍ନ ଯୋଜନାରେ ଟଙ୍କା ତ ପଠାଇ ଦିଅନ୍ତି, ହେଲେ ତାକୁ କିଭଳି ସଫଳତାର ସହ କାର୍ଯ୍ୟକାରୀ କରାଯିବା କଥା ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ । ବିଚିତ୍ରାନନ୍ଦ ପଟ୍ଟନାୟକ ନିଜ ଅଞ୍ଚଳରେ ସେ କେବଳ ବିଚିତ୍ରା ସାର୍ ଭାବେ ପରିଚିତ । ସେ ଯେତେବେଳେ ବି କୌଣସି ଗ୍ରାମକୁ ପାଲା ଗାଇବାକୁ ଯାଆନ୍ତି ଅତି ନିଷ୍ଠା ଏବଂ ଆତ୍ମିୟତାର ସହ ଏଭଳି ଲୋକଙ୍କୁ ନିଜର କରିନିଅନ୍ତି, ଫଳରେ ଲୋକେ ତାଙ୍କ କଥାକୁ ଗୁରୁବାଣୀ ଭଳି ପାଳନ କରନ୍ତି ।
୧୯୪୪ ମସିହା ମେ ମାସ ୮ ତାରିଖ ବୈଶାଖ ମାସ ବୁଦ୍ଧ ପୂର୍ଣ୍ଣିମା ଦିନ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗିରିଧର ପ୍ରସାଦ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ବିଚିତ୍ରାନନ୍ଦ । ସେ ହେଉଛନ୍ତି ବାପା ଜନାର୍ଦ୍ଦନ ପଟ୍ଟନାୟକ ଓ ମାଆ ଭୁଲି ଦେଇଙ୍କର ସାନପୁଅ । ନିଜ ଗ୍ରାମରେ ନିମ୍ନ ପ୍ରାଥମିକ ପଢା ଶେଷ ପରେ ନିକଟସ୍ଥ ରଞ୍ଜାଗୋଳ ଏମ.ଇ. ସ୍କୁଲରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢିଲେ । ଏହାପରେ ଖଜୁରିଆକଟା ହାଇସ୍କୁଲରେ ନବମ ଯାଏ ପଢିବା ପରେ ଆର୍ଥିକ ଅନଟନ ଯୋଗୁଁ ପାଠପଢାରେ ଡୋରୀ ବନ୍ଧା ହେଲା । ୧୯୬୦ ମସିହାରେ ବିଚିତ୍ରାନନ୍ଦଙ୍କ ଶିକ୍ଷକତା ଜୀବନ ଆରମ୍ଭ ହେଲା । ତିନି ବର୍ଷ ଚାକିରି କରିବା ପରେ ୧୯୬୩ ମସିହାରେ ସେ ରଞ୍ଜାଗୋଳ ଇ.ଟି. ସ୍କୁଲରେ ତାଲିମ ନେଲେ । ବିଚିତ୍ରାନନ୍ଦଙ୍କ ଗ୍ରାମରେ ତିନି ଜଣ ଗାୟକ ଥିଲେ, ଯାହାର ପ୍ରଭାବ ପଡିଥିଲା ତାଙ୍କ ଉପରେ । ପିଲା ଦିନରୁ ପାଲା ପ୍ରତି ରହିଥିଲା ଦୁର୍ବଳତା, ଯାହା ଏଇ ଇ.ଟି. ତାଲିମ ସମୟରେ କାର୍ଯ୍ୟକାରୀ ହୋଇଥିଲା । ୧୯୬୪ ମସିହାରେ ତାଲିମ କେନ୍ଦ୍ରକୁ କମିଶନର ଆସିବାର କାର୍ଯ୍ୟକ୍ରମ ସ୍ଥିର ହେଲା । ସେତେବେଳେ ସେଠାରେ ତାଲିମ ନେଉଥିଲେ ଗାୟକ କୈଳାସ ଚନ୍ଦ୍ର ପାତ୍ର । ସେ ପ୍ରସ୍ତାବ ଦେଲେ କମିଶନରଙ୍କ ଆଗରେ ପାଲା ପରିବେଷଣ କରିବା ପାଇଁ । ସାଥୀ ଶିକ୍ଷକମାନଙ୍କ ସହ ବିଚିତ୍ରାନନ୍ଦ ପାଳିଆ ଭାବେ କୈଳାସ ଚନ୍ଦ୍ରଙ୍କ ପାଲାରେ ସାମିଲ ହେଲେ । ଏଠାରେ ସ୍ଥିର କଲେ ଭବିଷ୍ୟତରେ ନିଶ୍ଚୟ ଜଣେ ଗାୟକ ହେବି । ସେହି ସ୍ୱପ୍ନ ନେଇ ପଢାପଢି ଆରମ୍ଭ କଲେ । ଏଥିରେ ତାଙ୍କୁ ପ୍ରେରଣା ଦେଲେ ଗ୍ରାମର ବଂଶୀଧର ପଟ୍ଟନାୟକ ।
୧୯୬୮ ମସିହାରେ ପ୍ରଥମେ ଗୋପୀନାଥ ସାହୁଙ୍କୁ ଗୁରୁ ରୂପେ ଗ୍ରହଣ କରି ତାଙ୍କଠାରୁ ବିଚିତ୍ରାନନ୍ଦ ଚାମର ଗ୍ରହଣ କଲେ । ତାଙ୍କଠାରୁ ପାଲାର ପ୍ରାଥମିକ ଶିକ୍ଷା ଗ୍ରହଣ କଲେ । ପରେ ସେ ଗାୟକ ଶେଖର ଜଗନ୍ନାଥ ବେହେରା ଏବଂ ଗାୟକ ସୁଧାକର ନିରଞ୍ଜନ ପଣ୍ଡାଙ୍କୁ ଗୁରୁ ଭାବେ ଗ୍ରହଣ କଲେ ।
ଗୋଟିଏ ପଟେ ଶିକ୍ଷକତା ଏବଂ ଅନ୍ୟପଟେ ପାଲା ଗାୟକ, ଯାହାଙ୍କୁୁ ଗଣ ଶିକ୍ଷକ ବୋଲି କୁହାଯାଏ । ବାସ୍ତବରେ ବିଚିତ୍ରାନନ୍ଦ ଜଣେ ଉଚ୍ଚକୋଟୀର ଶିକ୍ଷକ, ତା ସହ ଗଣଶିକ୍ଷକ ଭାବେ ପାଲାକୁ ଜନମାନସରେ ପହଞ୍ଚାଇବାରେ ସଫଳ ବ୍ୟକ୍ତିତ୍ୱର ଅଧିକାରୀ । ୨୦୦୨ ମସିହାରେ ପ୍ରଧାନ ଶିକ୍ଷକ ଭାବେ ଚାକିରିରୁ ଅବସର ନେଇଛନ୍ତି ସତ, ହେଲେ ପାଲାରୁ ଅବସର ନେଇ ନାହାଁନ୍ତି, ଏବେ ବି ପରିଣତ ବୟସରେ ହାତରେ ଚାମର ଧରି ମଞ୍ଚ ଉପରକୁ ଉଠିଗଲେ ଯୁବସୁଲଭ ଢଙ୍ଗରେ ପାଲା ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଛନ୍ତି ।