ଗାୟକ ସାରସ ସୁଦର୍ଶନ ମହାପାତ୍ର
ପାଲାର ମୌଳିକତା ରକ୍ଷା କରିବା ସହ ସଂସ୍କୃତ ଏବଂ ଓଡିଆ ସାହିତ୍ୟକୁ ଲୋକଙ୍କ ନିକଟରେ ପରିବେଷଣ କରିବାରେ ଜଣେ ଧୁରୀଣ ଗାୟକ ସୁଦର୍ଶନ ମହାପାତ୍ର । ପାଲାରେ ଶ୍ରୀ ଜୟଦେବଙ୍କ ଗୀତ ଗୋବିନ୍ଦ ପରିବେଷଣ କରିବାରେ ସେ ସ୍ୱତନ୍ତ୍ର ପ୍ରତିଭାର ଅଧିକାରୀ ।
୧୯୪୪ ମସିହା ନଭେମ୍ବର ୧୭ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଅରଗୁଳ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ସୁଦର୍ଶନ ମହାପାତ୍ର । ବାପା ରଘୁନାଥ ମହାପାତ୍ର ଓ ମାଆ ବେଙ୍ଗ ମହାପାତ୍ର । ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ ସୁଦର୍ଶନ । ବେଗୁନିଆ ସ୍ଥିତ ଗୋପବନ୍ଧୁ ହାଇସ୍କୁଲରୁ ପ୍ରଥମ ଶ୍ରେଣୀରେ ମାଟ୍ରିକରେ ଉତ୍ତୀନ୍ନ ହେବା ପରେ ଖୋର୍ଦ୍ଧା ପ୍ରାଣନାଥ କଲେଜରୁ ବିଏ ପାସ୍ କଲେ । ଜଣେ ମେଧାବୀ ଛାତ୍ର ଥିବାରୁ ସେ ଚାହିଁଥିଲେ ସେତେବେଳେ ବଡ ଚାକିରି କରିପାରିଥାନ୍ତେ । ହେଲେ ପିଲାଦିନରୁ ପାଲା ପ୍ରତି ରହିଥିଲା ଅହେତୁକ ଦୁର୍ବଳତା । ଭବିଷ୍ୟତରେ ସାହିତ୍ୟ ସାଧନା କରିବା ସହ ପାଲା ଗାୟକ ହେବାକୁ ଥିଲା ଲକ୍ଷ୍ୟ । ପାଲାକୁ ଜୀବନର ବ୍ରତ କରିବାକୁ ସେ ଲକ୍ଷ୍ୟ ରଖିଥିଲେ, ତେଣୁ ଏହାକୁ ଖାପ ଖାଇବା ପାଇଁ କେବଳ ଗୁଜୁରାଣ ମେଣ୍ଟାଇବାକୁ ଏକ ଚାକିରି ସନ୍ଧାନ କରୁଥିଲେ । ସେ ବିଚାର କଲେ ଯଦି ଶିକ୍ଷକତା କରିବି ତାହେଲେ ପାଲା ପାଇଁ ଯଥେଷ୍ଟ ସମୟ ମିଳିବ । ତେଣୁ ପିପିଲି ସ୍ଥିତ ଇନ୍ଦିରା ଗାନ୍ଧୀ ଟ୍ରେନିଂ ସ୍କୁଲରୁ ଇ.ଟି. ଟ୍ରେନିଂ ନେଇ ଅରଗୁଳ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କର୍ମମୟ ଜୀବନ ଆରମ୍ଭ କଲେ । ଏହାସହିତ ହିନ୍ଦୀରେ ପରିଚୟ ଏବଂ ସଂସ୍କୃତରେ ପ୍ରଥମା ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହେଲେ ।
ପିଲା ଦିନରୁ ପାଲା ଗାଇବା ପାଇଁ ସୁଦର୍ଶନ ମହାପାତ୍ରଙ୍କର ରହିଥିଲା ଲକ୍ଷ୍ୟ । ଜଣେ ଉପଯୁକ୍ତ ଗୁରୁଙ୍କ ସନ୍ଧାନରେ ରହିଥିଲେ । ୧୯୬୦ ମସିହାର କଥା, ସେବର୍ଷ ଜଟଣୀକୁ ବାଦୀପାଲା ଗାଇବାକୁ ଆସିଥିଲେ ଗାୟକ ବିଶାରଦ ମାର୍କଣ୍ଡେୟ ବାହିନୀପତି । ସେବର୍ଷ ମରୁଡି ପଡିଥିବାରୁ ଲୋକଙ୍କର ଆଗ୍ରହ ନଥାଏ ପାଲା ପ୍ରତି । ମଂଚ ନିକଟରେ ଜନସମାଗମ ନଥିବାରୁ ବାହିନୀପତି ବ୍ୟସ୍ତ ହୋଇପଡିଲେ । ସେଦିନ ଦ୍ୱିତୀୟ ଥାକରେ ଘୋଷଣା କରିଦେଲେ, ଆସନ୍ତାକାଲି ବର୍ଷା ହେବ, ଆଉ ଯଦି ବର୍ଷା ନହୁଏ ମୁଁ ବ୍ରାହ୍ମଣ ପିଲା ଶପଥ କରି କହୁଛି ପଇତା ଛିଣ୍ଡାଇ ଦେବି । ପରଦିନ ଏହି କଥା ଚାରିଆଡେ ପ୍ରଚାର ହୋଇଗଲା । ବାହିନୀପତି ଆଜି ବର୍ଷା କରିବେ, ଦେଖିବା ପାଇଁ ଶହଶହ ଲୋକ ସଂଧ୍ୟାରୁ ମଞ୍ଚ ନିକଟରେ ବସିଯାଇଥିଲେ । ପ୍ରଥମ ଥାକରେ ବାହିନୀପତି ଋଷ୍ୟଶୃଙ୍ଗ ଉପାଖ୍ୟାନ ବର୍ଣ୍ଣନା କଲେ । ସେଦିନ ଆକାଶ ପୂରା ନିର୍ମଳ ଥିଲା, କିନ୍ତୁ ପାଲା ସରିବାର କିଛି ସମୟ ଆଗରୁ ହଠାତ୍ ମେଘ ମାଡିଆସିଲା, ମୂଶଳ ଧାରାରେ ଅଧ ଘଣ୍ଟାଏ ପର୍ଯ୍ୟନ୍ତ ବର୍ଷା ହେଲା । ସେଦିନର ସେହି ଦୃଶ୍ୟ ନିଜ ଆଖିରେ ଦେଖିଥିଲେ ସୁଦର୍ଶନ । ସେହିଦିନ ହିଁ ସେ ସ୍ଥିର କଲେ ବାହିନୀପତିଙ୍କୁ ଗୁରୁ ରୂପେ ବରଣ କରିବାକୁ ।
୧୯୬୦ ମସିହାରେ ମାର୍କଣ୍ଡେୟ ବାହିନୀପତିଙ୍କୁ ଗୁରୁରୂପେ ବରଣ କରି ପାଲା ଶିଖିବା ଆରମ୍ଭ କଲେ ସୁଦର୍ଶନ । ଏହାସହ ବାଂଛାନିଧି ସାହୁଙ୍କୁ ମଧ୍ୟ ଗୁରୁ ଭାବେ ସେ ଗ୍ରହଣ କରିଥିଲେ । ରାଜ୍ୟର କୋଣ ଅନୁକୋଣରେ ପାଲା ପରିବେଷଣ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଛନ୍ତି ସୁଦର୍ଶନ ମହାପାତ୍ର । ଜଣେ ସଫଳ ଗାୟକ ହେବା ସହ ସେ ଜଣେ ସୁସଙ୍ଗଠକ । ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ ଆରମ୍ଭରୁ ସେ ଦୀର୍ଘ ୩୯ ବର୍ଷ ଧରି ଏହାର ସଂପାଦକ ରହିଥିଲେ । ସେ ଏଭଳି ଜଣେ ବ୍ୟକ୍ତିତ୍ୱର ଅଧିକାରୀ ଯାହାଙ୍କ ମୁହଁରେ ରାଜ୍ୟର ପ୍ରତିଟି ଅଞ୍ଚଳର ଗାୟକଙ୍କ ସୂଚନା ରହିଛି ।
ଦୀର୍ଘ ୪୦ ବର୍ଷ ଶିକ୍ଷକତା କରିବା ପରେ ୨୦୦୨ ମସିହାରେ ସେ ପ୍ରଧାନ ଶିକ୍ଷକ ପଦରୁ ଅବସର ନେଇଛନ୍ତି । ଏହାପରଠାରୁ ପାଲାରେ ସମ୍ପୂର୍ଣ୍ଣ ମନୋନିବେଶ କରିଛନ୍ତି । ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଅନେକ ପୁରସ୍କାର, ମାନପତ୍ର, ଉପାଧି ଆଦି ମିଳିଛି । ଜଣେ ଆଦର୍ଶ ଗୁରୁ ଭାବରେ ସେ ଆଗାମୀ ପୀଢି ପାଇଁ ଅନେକ ଶିଷ୍ୟ ଶିଷ୍ୟା ମଧ୍ୟ ସୃଷ୍ଟି କରିଛନ୍ତି ।