ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ର
ପାଲା ଆକାଶର ଉଜ୍ୱଳତମ ନକ୍ଷତ୍ର ଗାୟକ ବିଦ୍ୟାଭୂଷଣ ପଣ୍ଡିତ ରମାକାନ୍ତ ମିଶ୍ର । ୧୯୫୭ ମସିହା ଡିସେମ୍ବର ୧୭ ତାରିଖରେ ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ଅଖାରିଆ ଗ୍ରାମରେ ରମାକାନ୍ତ ଜନ୍ମ ଗ୍ରହଣ କରିଥିଲେ । ବାପା ହରେକୃଷ୍ଣ ମିଶ୍ର ଏବଂ ମାଆ ରତ୍ନମଣି ଦେବୀଙ୍କର ୩ ପୁଅ ଏବଂ ୪ ଝିଅଙ୍କ ମଧ୍ୟରେ ରମାକାନ୍ତ ପଞ୍ଚମ ସନ୍ତାନ । ବାପା ପୁରୋହିତ କର୍ମ କରିବା ସହ ଜଣେ ପ୍ରସିଦ୍ଧ ଜ୍ୟୋତିର୍ବିତ ଥିଲେ । ଘରେ ସାହିତ୍ୟ ସଙ୍ଗୀତର ଚର୍ଚ୍ଚା ହୁଏ, ଯାହାର ପ୍ରଭାବ ପିଲାଟି ଦିନରୁ ପଡିଥିଲା ରମାକାନ୍ତଙ୍କ ଉପରେ । ବାପାଙ୍କଠାରୁ ସେ ବିଭିନ୍ନ ଶ୍ଲୋକ, ଛାନ୍ଦ, ଜଣାଣ, ଭଜନ ଆଦି ଶିଖିଥିଲେ ।
ଗୌରପୁଟ ଝାଙ୍ଗିରାମ ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ ରମାକାନ୍ତ ଶରଣକୂଳ ସ୍ଥିତ ବ୍ରଜେନ୍ଦ୍ର ସଂସ୍କୃତ ଟୋଲରେ ନାମ ଲେଖାଇଲେ । ସେଠାରୁ ସାହିତ୍ୟରେ ଶାସ୍ତ୍ରୀ ପାସ୍ କଲେ । ଏହା ମଧ୍ୟରେ ସେ ବିଭିନ୍ନ ସ୍ଥାନକୁ ପାଲା ଦେଖିବାକୁ ଯାଆନ୍ତି । ୧୯୭୮ ମସିହାରେ ଭୁବନେଶ୍ୱର ଉପକଣ୍ଠ ସିଜୁଆଠାରେ ବାଦିପାଲା ଅନୁଷ୍ଠିତ ହେଉଥିଲା ଗାୟକ ପରମାନନ୍ଦ ଶରଣ ଏବଂ ଗାୟକ କ୍ଷେତ୍ରବାସୀ ମିଶ୍ରଙ୍କ ମଧ୍ୟରେ । ଏହି ପାଲା ତାଙ୍କୁ ଏତେ ଆକୃଷ୍ଠ କଲା ଯେ, ସେ ସ୍ଥିର କଲେ ନିଜେ ଜଣେ ଗାୟକ ହେବା ପାଇଁ ।
ପରବର୍ତ୍ତୀ ବର୍ଷ ସିଜୁଆକୁ ପାଲା ଗାଇବା ପାଇଁ ଆସିଥିଲେ ଗାୟକ ବିଶାରଦ ମାର୍କଣ୍ଡେୟ ବାହିନୀପତି । ରମାକାନ୍ତ ସେଠାରେ ମାର୍କଣ୍ଡେୟ ବାହିନୀପତିଙ୍କୁ ଗୁରୁଭାବେ ବରଣ କରିଥିଲେ । ରମାକାନ୍ତଙ୍କ ସମ୍ପର୍କୀୟ ଭିଣୋଇ ପୂର୍ଣ୍ଣଚନ୍ଦ୍ର କର ଥିଲେ ଗାୟକ, ସେ ମଧ୍ୟ ପାଲା ଗାୟନ ପାଇଁ ପ୍ରେରଣା ଯୋଗାଇଥିଲେ ।
ପାଲା ଗାୟନ ପୂର୍ବରୁ ସେ ବିଭିନ୍ନ ପ୍ରକାରର ଭଜନ, ଜଣାଣ, ଚାନ୍ଦ, ଚଉପଦୀ ଆଦି ରଚନା କରୁଥିଲେ, ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି । ୧୯୮୦ ମସିହାରେ ରମାକାନ୍ତ ପୁରୀ ଜିଲ୍ଲା ଡେଲାଙ୍ଗ ଅନ୍ତର୍ଗତ ଗୋଡିପୁଟ୍ ମାଟିଆପଡା ପଞ୍ଚାୟତ ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ଭାବେ ଯୋଗଦେଲେ । ଗୋଟିଏ ପଟେ ବୃତ୍ତି ଶିକ୍ଷକତା ହୋଇଥିବା ବେଳେ ବ୍ରତ ଥିଲା ପାଲା । ତେବେ ଏଥିରେ ତାଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯଥେଷ୍ଟ ସହାୟତା କରିଥିଲେ । ସେ ପାଲା ଗାଇବା ସ୍କୁଲର ଗର୍ବ ଆଉ ଗୌରବ ବୋଲି ପ୍ରଧାନଶିକ୍ଷକ ମନେ କରୁଥିଲେ, ତେଣୁ ତାଙ୍କୁ ଦରକାର ବେଳେ ବିନା ଦ୍ୱିଧାରେ ଛୁଟି ମଞ୍ଜୁର କରୁଥିଲେ । ଫଳରେ ରାଜ୍ୟର କୋଣଅନୁକୋଣରେ ପାଲା ଗାଇବାରେ ରମାକାନ୍ତଙ୍କର କୌଣସି ଅସୁବିଧା ହେଉନଥିଲା ।
ରମାକାନ୍ତ ମିଶ୍ର ପାଲା ପ୍ରତି ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଦେଇଥିଲେ, ଏଥିରେ ତାଙ୍କୁ ବେଶ୍ ସହାୟତା କରୁଥିଲେ ପତ୍ନୀ ପ୍ରମିଳା ମିଶ୍ର । ସେ ପାଲା ପାଇଁ ବାହାରେ ରହିଲେ ପତ୍ନୀ ଦୁଇ ପୁଅ ଆଉ ପରିବାରର ଦେଖାଶୁଣା କରୁଥିଲେ । ବର୍ତ୍ତମାନ ଚାକିରିରୁ ଅବସର ନେଇ ସମ୍ପୂର୍ଣ୍ଣ ଭାବେ ସାହିତ୍ୟ ଚର୍ଚ୍ଚାରେ ନିଜକୁ ହଜାଇ ଦେଇଛନ୍ତି ଏହି ବର୍ଷିୟାନ ଗାୟକ ।
ବର୍ତ୍ତମାନ ପାଲାରେ ପାରମ୍ପରିକତା କମିବାରେ ଲାଗିଛି ବୋଲି ଉଦବେଗ ପ୍ରକାଶ କରନ୍ତି ରମାକାନ୍ତ ମିଶ୍ର । ଏବେର ଗାୟକମାନେ ଛାନ୍ଦ, ଚଉପଦୀ, ଚମ୍ପୂ, ଓଡିଶା ଆଦି ଗାୟନ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର ବୋଲି ସେ ମତ ଦିଅନ୍ତି ।