2 Gobinda Chandra Panigrahi

Locality (City/Village)
Satyanagar
District
State
Country
India
Phone Number
9938112717
Member Type
Pala Gayak

ଗାୟକ ବାଗୀଶ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ

ଯେଉଁ କେତେଜଣ ଗାୟକ ପାଲାକୁ ରାଜ୍ୟରୁ ନେଇ ଜାତୀୟ ସ୍ତରରେ ପହଞ୍ଚାଇଛନ୍ତି, ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ବାଗୀଶ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ । ଉଭୟ ଓଡିଆ ଏବଂ ହିନ୍ଦୀ ଭାଷାରେ ପାଲା ପରିବେଷଣ କରି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । 

କେନ୍ଦୁଝର ଜିଲ୍ଲା ମଞ୍ଜୁରୀ ରୋଡ୍ ନିକଟସ୍ଥ ସତ୍ୟନଗର ଗ୍ରାମରେ ୧୯୫୦ ମସିହା ଜାନୁଆରି ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ । ବାପା ନବକିଶୋର ପାଣିଗ୍ରାହୀ ଏବଂ ମାଆ କ୍ଷେତ୍ରମଣି ଦେବୀଙ୍କ ତିନି ପୁଅଙ୍କ ମଧ୍ୟରେ ବଡ ହେଉଛନ୍ତି ଗୋବିନ୍ଦ । ପରିବାରରେ ପୀଢି ପୀଢି ଧରି ପାଲା ରହିଆସିଥିଲା । ଜେଜେ ବାପାଙ୍କ ବାପା ବୀରଭଦ୍ର ପାଣିଗ୍ରାହୀ ଥିଲେ ଜଣେ ପ୍ରତିଷ୍ଠିତ ପାଲା ଗାୟକ । ସେହିପରି ଜେଜେବାପା ଏବଂ ବାପା ମଧ୍ୟ ପାଲା କଳାକାର ଥିଲେ । ତେଣୁ ଘରେ ପାଲାର ମାହୋଲ ରହିଥିଲା । ପିଲା ଦିନରୁ କଳା, ସାହିତ୍ୟ ଓ ସଙ୍ଗୀତ ପ୍ରତି ଗୋବିନ୍ଦଙ୍କର ରହିଥିଲା ଅହେତୁକ ରୁଚି । ଟିକିଏ ସମୟ ପାଇଲେ ସେ ପଢାପଢିରେ ଲାଗିଯାଉଥିଲେ । ଭବିଷ୍ୟତରେ ଜଣେ ଗାୟକ ହେବା ପାଇଁ ପିଲା ଦିନରୁ ଗୋବିନ୍ଦ ସ୍ୱପ୍ନ ଦେଖୁଥିଲେ । ଆନନ୍ଦପୁର କଲେଜରେ ପଢିବା ସମୟରେ ସେ ପ୍ରଥମେ ପାଲା ପରିବେଷଣ କଲେ । ଗ୍ରାମ ନିକଟସ୍ଥ ଗାୟକ କୃଷ୍ଣଚନ୍ଦ୍ର ସାହୁ ଗୋବିନ୍ଦଙ୍କୁ ପ୍ରଥମେ ପାଲା ଶିଖାଇଥିଲେ । ତେବେ ଉଚ୍ଚତର ଶିକ୍ଷା ଗ୍ରହଣ କରିବା ଯୋଗୁଁ ସେ ପାଲାରେ ମନୋନିବେଶ କରିପାରିନଥିଲେ ।

Gobinda Panigrahi

ଉତକଳ ବିଶ୍ୱବିଦ୍ୟାଳୟରୁ ଓଡିଆରେ ଏମଏ ସହ ହିନ୍ଦୀରେ କୋବିଦ ଶେଷ କରିବା ପରେ ସେ ୧୯୭୨ ମସିହାରେ ବିଧିବଦ୍ଧ ଭାବେ ପାଲା ଜଗତରେ ପାଦ ଥାପିଲେ ।ବିଶିଷ୍ଟ ପାଲା ଗାୟକ ଶୁକଦେବ ଚଣ୍ଡଙ୍କଠାରୁ ଚାମର ଗ୍ରହଣ କରିବା ସହ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କୁ ମାନସ ଗୁରୁ ରୂପେ ଗ୍ରହଣ କରିଥିଲେ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ । ଯଦିଓ ଶିକ୍ଷକତାକୁ ସେ ନିଜର ପେଷା ଭାବେ ଗ୍ରହଣ କରିଥିଲେ, ହେଲେ ତାଙ୍କ ନିଶା ଥିଲା ପାଲା । ଶୟନେ ସ୍ୱପନେ ସବୁବେଳେ ପାଲା କଥା ହିଁ ଭାବୁଥିଲେ । ଅଗାଧ ପାଣ୍ଡିତ୍ୟର ଅଧିକାରୀ ହୋଇ ସେ ତାକୁ ପାଲାରେ ପରିବେଷଣ କରୁଥିଲେ । ପାଲା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସେ ରାଜ୍ୟର କୋଣ ଅନୁକୋଣରେ ପ୍ରତିଷ୍ଠିତ ହୋଇଛନ୍ତି । ବିଶେଷ କରି ରାଜ୍ୟ ବାହାରେ ହିନ୍ଦୀ ଭାଷାରେ ପାଲା ପରିବେଷଣ କରି ସେ ପାଲାକୁ ଜାତୀୟ ସ୍ତରରେ ପରିଚିତ କରାଇଛନ୍ତି । ପୁଟପର୍ତ୍ତି ସ୍ଥିତ ଆଶ୍ରମରେ ସତ୍ୟସାଇ ବାବାଙ୍କ ସମ୍ମୁଖରେ ସେ ପାଲା ପରିବେଷଣ କରି ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ମନ ଜିଣିନେଇଥିଲେ । ଗୋବିନ୍ଦ ପାଣିଗ୍ରାହୀଙ୍କ ପାଲାରେ ମୁଗ୍ଧ ହୋଇ ସତ୍ୟସାଇ ବାବା ସେଠାରେ ତାଙ୍କୁ ସ୍ୱର୍ଣ୍ଣକୁଣ୍ଡଳ ପ୍ରଦାନ କରିଥିଲେ । 

Gobinda Panigrahi

ଜଣେ ଉଚ୍ଚକୋଟୀର ପାଲା ଗାୟକ ହେବା ସହ ଜଣେ ପାଲା ସଂଗଠକ ଭାବେ ପରିଚିତ ଗୋବିନ୍ଦ ପାଣିଗ୍ରାହୀ । ରାଜ୍ୟର ସମସ୍ତ ଆଗଧାଡିର ଖବରକାଗଜରେ ସେ ଜଣେ ନିୟମିତ ସ୍ତମ୍ଭକାର । ଅତିଗୁରୁତ୍ୱପୂର୍ଣ୍ଣ ଜଟିଳ ପ୍ରସଙ୍ଗକୁ ସେ ଉଦାହରଣ ମାଧ୍ୟମରେ ଅତି ସରଳ ଭାଷାରେ ବୁଝାଇଦିଅନ୍ତି । ଖାସ୍ ଏଥିପାଇଁ ତାଙ୍କ ସ୍ତମ୍ଭ ପାଠ କରିବାକୁ ଲୋକଙ୍କ ମଧ୍ୟରେ ଥାଏ ଉତକଣ୍ଠା । ଜଣେ ପ୍ରତିଷ୍ଠିତ ଲେଖକ ଭାବରେ ମଧ୍ୟ ସେ ପରିଚିତ । ଶିଶୁ ମାନଙ୍କ ପାଇଁ ମିଠାକଥା, ଗପ ସିନ୍ଦୁକ ଆଦି ପୁସ୍ତକ ରଚନା କରିଛନ୍ତି । ସେହିପରି ସତ୍ୟସାଇ କୃପାରେ ପାଲା ତ୍ରିଧାରା ତାଙ୍କର ଅନ୍ୟତମ ପୁସ୍ତକ । ଶିଶୁ ସାହିତ୍ୟ ସହ ଗଳ୍ପ, ପ୍ରବନ୍ଧ ଆଦି ରଚନା କରିବାରେ ମଧ୍ୟ ସେ ବେଶ୍ ସିଦ୍ଧହସ୍ତ । ଏହି ବିଶିଷ୍ଟ କଳାକାର ରାଜ୍ୟର ବିଭିନ୍ନ ପାଲାଅନୁଷ୍ଠାନ ଦ୍ୱାରା ଅନେକ ପୁରସ୍କାର, ଉପାଧିରେ ସମ୍ମାନିତ । ଏହାସହ ସେ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।   

Gobinda Panigrahi