2 Balabhadra Panda

Locality (City/Village)
Surangapur, Pipili
District
State
Country
India
Member Type
Pala Gayak

ଭାଗବତ ଭୂଷଣ ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡା
ଏକବିଂଶ ଶତାବ୍ଦୀରେ ପାଲା ଜଗତରେ ଯେଉଁ କେତେଜଣ ଗାୟକ ବିପ୍ଳବ ଆଣିଛନ୍ତି, ନୂଆ ଧାରା ସୃଷ୍ଟି କରିଛନ୍ତି ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେଉଛନ୍ତି ଭାଗବତ ଭୂଷଣ ତଥା ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡା । ବିଶେଷ କରି ପାଲାରେ ଆଧ୍ୟାତ୍ମିକ ଚିନ୍ତନ, ସାମାଜିକବାର୍ତା, ସମାଜ ଶିକ୍ଷା, ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୋଧରେ ସଚେତନତା ଆଦି ପ୍ରବେଶ କରାଇଥିଲେ ବଳଭଦ୍ର ପଣ୍ଡା । ସବୁଠାରୁ ବଡକଥା ହେଉଛି ପାଲାରେ ଭାଗବତକୁ ବ୍ୟାପକ ଭାବେ ପ୍ରଥମେ ବଳଭଦ୍ର ପଣ୍ଡା ହିଁ ପ୍ରବେଶ କରାଇଥିଲେ । ତାଙ୍କୁ ଦେଖି ଆଜି ଅନେକ ଗାୟକ ପାଲାରେ ଭାଗବତ ଗାୟନ କରୁଛନ୍ତି । ପାଲାକୁ ସାଧାରଣ ଲୋକଙ୍କଠାରୁ ଆଣି ବୁଦ୍ଧିଜୀବୀଙ୍କ ପାଖରେ ପହଂଚାଇବାରେ ମଧ୍ୟ ପଣ୍ଡା ମହୋଦୟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । 
୧୯୪୫ ମସିହା ଜୁଲାଇ ୧ ତାରିଖରେ ପୁରୀ ଜିଲ୍ଲା ପିପିଲି ନିକଟବର୍ତୀ ସଂସ୍କୃତି ସଂପନ୍ନ ସୁରଙ୍ଗପୁର ଗ୍ରାମରେ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବଳଭଦ୍ର ପଣ୍ଡା । ବାପା କୃଷ୍ଣଚନ୍ଦ୍ର ପଣ୍ଡା ଓ ମାଆ ମୁକ୍ତାଦେବୀ । ୫ ବର୍ଷ ବୟସରେ ବଳଭଦ୍ରଙ୍କର ପାଠପଢା ଆରମ୍ଭ ହୋଇଥିଲା ଚାଟଶାଳୀରୁ । ବର୍ଣ୍ଣବୋଧ, କଡାଗଣ୍ଡା ପଣିକିଆ ଶେଷ ହେବାପରେ ସେ ଛାନ୍ଦରତ୍ନାକର, ଚାଣକ୍ୟ ନୀତି, ବଳି ବାମନାଷ୍ଟକ, ଗୋବିନ୍ଦ ବିରୁଦାବଳୀ, ଅମରକୋଷ ଆଦି ମୁଖସ୍ତ କଲେ । ଏସବୁ ତାଙ୍କୁ ପରେ ପାଲାରେ ବହୁତ ସହାୟକ ହୋଇଥିଲା । ବଳଭଦ୍ରଙ୍କୁ ଯେତେବେଳେ ମାତ୍ର ୭ ବର୍ଷ, ସେତେବେଳେ ବାପାଙ୍କର ବିୟୋଗ ହେଲା । ଏଇଠି ତାଙ୍କ ପାଠପଢାରେ ଡୋରୀ ବନ୍ଧାହେଲା । ୯ ବର୍ଷ ବେଳେ ବ୍ରତୋପନୟନ ପରେ ସେ ଗ୍ରାମର ଠାକୁର ଶ୍ରୀ ଶ୍ରୀ ରାଧାମୋହନ ଦେବଙ୍କ ପୂଜାର୍ଚ୍ଚନାରେ ଲାଗିଲେ । ସଂଧ୍ୟାବେଳେ ଗାଁରେ ଖଞ୍ଜଣୀ ଭଜନରେ ନିଜକୁ ସାମିଲ କରି ଆଧ୍ୟାତ୍ମିକ ଦିଗପ୍ରତି ଆକୃଷ୍ଟ ହୋଇପଡିଲେ ।

Balabhadra Panda


ପାଲା ଜଗତରେ ବଳଭଦ୍ର ପଣ୍ଡାଙ୍କର ପ୍ରବେଶ ଥିଲା ଏକ ଘଟଣା କ୍ରମରେ । ୧୯୬୬ ମସିହା କଥା । ସାଙ୍ଗମାନଙ୍କ ସହ ସେ ପାଲା ଦେଖିବାକୁ ଯାଇଥିଲେ କୁଦିଆରି ଗ୍ରାମକୁ । ମୂରଲୀଧର ପ୍ରଧାନ ଓ ବଂଶୀଧର ଚଇନିଙ୍କ ମଧ୍ୟରେ ଚାଲିଥିଲା ବାଦିପାଲା । ମଂଚରେ କୌଣସି ପ୍ରସଙ୍ଗରେ ବଂଶୀଧର ଚଇନିଙ୍କ ମତକୁ ଜଣେ ସ୍ଥାନୀୟ ଲୋକ ତୀବ୍ର ବିରୋଧ କରିଥିଲେ । ଏହା ବଳଭଦ୍ରଙ୍କୁ ଅସହ୍ୟ ହେଲା, ସେ ସଂପୃକ୍ତ ବ୍ୟକ୍ତିଙ୍କ ସହ ଯୁକ୍ତି କରିଥିଲେ । ଯେଉଁ ବ୍ୟକ୍ତି ବଂଶୀଧର ଚଇନିଙ୍କ ପରି ବିଶିଷ୍ଟ ପାଲା ଗାୟକଙ୍କ ମତକୁ ଗ୍ରହଣ କରୁନାହିଁ ସେ କାହିଁକି ଏଇ ଯୁବକଙ୍କ କଥାକୁ କର୍ଣ୍ଣପାତ କରିବ । ଯାହା ହେଉ ପାଲା ଦେଖି ସମସ୍ତେ ଫେରିଲେ । କିନ୍ତୁ ଫେରିବା ବେଳେ ବଳଭଦ୍ରଙ୍କ ଗାଁର ଜଣେ ବାୟକ ଆଦିକନ୍ଧ ପରିଡା ତାଙ୍କୁ ଅନୁରୋଧ କଲେ ପାଲା ଗାୟନ ଆରମ୍ଭ କରିବାକୁ । ଥରେ କି ଦୁଇଥର ନୁହଁ ପୂରା ରାସ୍ତା ସାରା ଗୋଟିଏ କଥା, ଭାଇନା ତୁମେ ପାଲା ଦଳଟିଏ ଗଠନ କରି ଗାଇବା ଆରମ୍ଭ କର । ଏପଟେ ବଳଭଦ୍ର ନାହିଁ ନାହିଁ କରୁଥାନ୍ତି । ରାସ୍ତାରେ ପଡିଲା ଦୟା ନଦୀ, ଏଇ ନଦୀ ଭିତରେ ଆଣ୍ଠୁଏ ପାଣିରେ ବଳଭଦ୍ରଙ୍କୁ ପାଲା ଗାଇବା ପାଇଁ ଶପଥ ପାଠ କରାଇଲେ ଆଦିକନ୍ଧ । ତଥାପି ବଳଭଦ୍ର ମନା କରୁଥାନ୍ତି । ଶେଷରେ ବଳଭଦ୍ରଙ୍କ ଅତିପ୍ରିୟ ସାଙ୍ଗ ଉଲ୍ଲାସ ଚନ୍ଦ୍ର ପ୍ରଧାନ ଏଥିରେ ହସ୍ତକ୍ଷେପ କଲେ । ସେ କହିଲେ ମୁଁ କହୁଛି ଶପଥ କର । ଉଲ୍ଲାସଙ୍କ ସହ ବଳଭଦ୍ରଙ୍କର ଏପରି ସମ୍ପର୍କ ଥିଲା ଯେ ଜଣେ ଯାହା କହେ ଅନ୍ୟ ଜଣେ କେବଳ ପାଳନ କରେ, କୌଣସି ପ୍ରଶ୍ନ ପଚାରେ ନାହିଁ । ପରଦିନ ସକାଳେ ବଳଭଦ୍ର ଶୋଇଥାନ୍ତି, ଏଇ ସମୟରେ ଘରେ ପହଂଚିଲେ ଉଲ୍ଲାସ । ସାଙ୍ଗକୁ ସାଥିରେ ଧରି ଟ୍ରେନରେ କଟକ ଚାଲିଲେ । କଟକ ଷ୍ଟେସନରେ ଓହ୍ଲାଇ ବାହାରିଲେ ବଡ ବହି ଦୋକାନ ଅଭିମୁଖେ । ଶେଷରେ ଧର୍ମଗ୍ରନ୍ଥ ଷ୍ଟୋରରୁ ସେତେବେଳ ସମୟରେ ୭୫୧ ଟଙ୍କାର ବହି କିଣା ଗଲା । ଏହାପରେ ଯେତେବେଳେ ଚାମର କିଣିବାକୁ ଉଲ୍ଲାସ କହିଲେ, ସେତେବେଳେ ବଳଭଦ୍ର ବୁଝିଲେ ଯେ, ପାଲା ଗାୟନ ପାଇଁ ଏସବୁ କାମ ଚାଲିଛି । ବହି କିଣା ପରେ ୭୦ ଟଙ୍କାରେ ଚାମର, ୪୦ ଟଙ୍କାରେ ପୋଷାକ, ୧୦ ଟଙ୍କାରେ ଗିନି କିଣା ହେଲା । ଗାଁର ସାଥୀ ପିଲାମାନଙ୍କୁ ଧରି ଆରମ୍ଭ ହେଲା ପାଲା ଶିଖିବା । 

Balabhadra Panda


ପ୍ରାୟ ୩ରୁ ୪ ମାସ ଆଖଡା ହେବା ପରେ ଗୁରୁ ଖୋଜିବା ଆରମ୍ଭ ହେଲା । ସେତେବେଳେ ବେଶ୍ ନାଁ କରିଥାନ୍ତି ଗାୟକ ସମ୍ରାଟ୍ ଅଭୟ ଚରଣ ସ୍ୱାଇଁ । ତାଙ୍କୁ ଗୁରୁ କରିବାକୁ ଚାହିଁଥିଲେ ବଳଭଦ୍ର । ଶ୍ରୀପଂଚମୀ ପୂର୍ବରାତିରେ ସେ ପହଂଚିଲେ । ପରଦିନ ଭୋରରୁ ଚାମର ଦାନ କଲେ । ଏହିଠାରୁ ଆରମ୍ଭ ହେଲା ବଳଭଦ୍ର ପଣ୍ଡାଙ୍କର ପାଲା ଯାତ୍ରା । ପାଲାକୁ ଗତାନୁଗତିକ ଧାରାରୁ ବାହାର କରି ଭିନ୍ନ ଏକ ଦିଗରେ ଆଣିବା ପାଇଁ ସେ ପ୍ରଥମ ଦିନରୁ ପ୍ରୟାସ ଆରମ୍ଭ କରିଥିଲେ । ପରବର୍ତୀ ସମୟରେ ଯେତେବେଳେ ପାଲାରେ ମାଳିକାକୁ ଅମରେଶ୍ୱର ଦାସ,  ସମାଲୋଚନାକୁ ଲକ୍ଷ୍ମୀଧର ରାଉତ, ବେଦ, ବେଦାନ୍ତ ଦର୍ଶନକୁ ଦତକୃଷ୍ଣ ପଣ୍ଡା, ପଂଚସଖା ସାହିତ୍ୟକୁ ଲକ୍ଷ୍ମୀଧର ଦାଶ ପ୍ରବେଶ କରାଇଥିଲେ ସେତେବେଳେ ବଳଭଦ୍ର ପଣ୍ଡା ଭାଗବତକୁ ପାଲାକୁ ଆଣିଥିଲେ । ଭାଗବତ ସହ ଗୀତା, ବେଦ, ଉପନିଷଦ, ଦର୍ଶନରେ ମଧ୍ୟ ବଳଭଦ୍ରଙ୍କର ଗଭୀର ପ୍ରବେଶ । ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର, ସମ୍ମାନ । ପାଲା ଆକାଶର ଏହି ଉଜ୍ଜ୍ୱଳ ନକ୍ଷତ୍ର ଆଜି ଘରେ ଘରେ ପରିଚିତ । ପାଲା ଜଗତକୁ ସେ ଅନେକ ଛାତ୍ରଛାତ୍ରୀ ମଧ୍ୟ ଭେଟି ଦେଇଛନ୍ତି । ପାଲାର ବିକାଶ ଓ ସଂରକ୍ଷଣ ପାଇଁ ମଧ୍ୟ କାର୍ଯ୍ୟରତ ବଳଭଦ୍ର ପଣ୍ଡା ।