ବର୍ତ୍ତମାନ ସମୟର ଉଦିୟମାନ ପାଲା ଗାୟକ ଲମ୍ବୋଦର ବେହେରା । ପୁରୀ ଜିଲ୍ଲା ନିରାକାରପୁର କଉଡ଼ିଖଣି ଗ୍ରାମରେ 1973 ମସିହା ସେପ୍ଟେମ୍ବର 17 ତାରିଖରେ ଲମ୍ବୋଦରଙ୍କ ଜନ୍ମ । ବାପା ଲକ୍ଷ୍ମୀଧର ବେହେରା ଓ ମାଆ ବୁଦ୍ଧିମତି ବେହେରା । ପିଲାଦିନରୁ କଳା, ସାହିତ୍ୟ, ସଂସ୍କୃତି ପ୍ରତି ରୁଚି ରଖିଥିଲେ ଲମ୍ବୋଦର । ଓଡ଼ିଆରେ ସ୍ନାତକୋତ୍ତର ପରେ ସେ ସିଟି ତାଲିମ ଗ୍ରହଣ କରିବା ପରେ ଶିକ୍ଷକତାକୁ ନିଜର ପେଶା ଭାବେ ଗ୍ରହଣ କରିଛନ୍ତି ।
1994 ମସିହା ସରସ୍ଵତୀ ପୂଜା ଦିନ ଲମ୍ବୋଦର ପାଲା ଶିକ୍ଷା ଆରମ୍ଭ କରିଥିଲେ । ବିଶିଷ୍ଟ ପାଲା ଗାୟକ ଜଗନ୍ନାଥ ବାରିକ ତାଙ୍କୁ ଚାମର ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ଗାୟକ ବ୍ୟାସ ଲକ୍ଷ୍ମୀଧର ଦାଶ ଏବଂ ଗାୟକ କୌସ୍ତୁଭ ରବୀନ୍ଦ୍ର କୁମାର ସାମନ୍ତରାୟଙ୍କୁ ଗୁରୁକରି ପାଲା ଜଗତରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି ଲମ୍ବୋଦର ବେହେରା । ଜଣେ ଯୁବ ଗାୟକ ହେଲେ ମଧ୍ୟ ତାଙ୍କ ପାଲାରେ ଛାନ୍ଦ, ଚଉପଦୀ, ଭକ୍ତିରସ, ଶ୍ରୀଜଗନ୍ନାଥ ସଂସ୍କୃତି, ଆଧୁନିକ ସାହିତ୍ୟ ଆଦି ପରିବେଷଣ ହେଉଥିବାରୁ ସବୁ ବର୍ଗର ଲୋକେ ପସନ୍ଦ କରୁଛନ୍ତି ।