2 Ramachandra Kara

Locality (City/Village)
Haripur Shasan
District
State
Country
India
Phone Number
9178048833
Member Type
Pala Gayak

ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର

ପୂରାତନ ଶୈଳୀର ପାଲା ପରମ୍ପରାକୁ ଯେଉଁକେତେ ଜଣ ବରିଷ୍ଠ ଗାୟକ ବଜାୟ ରଖିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଋଷି ପ୍ରତିମ ଗାୟନାଚାର୍ଯ୍ୟ ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର । ୧୯୪୩ ମସିହାରେ ତତ୍କାଳୀନ ପୁରୀ ଜିଲ୍ଲା ଗଙ୍ଗାଧରପୁର ନିକଟସ୍ଥ ହରିପୁରଶାସନରେ ଜନ୍ମଗ୍ରହଣ କରିଥିଲେ ରାମଚନ୍ଦ୍ର । ବାପା ଲୋକନାଥ କର ଏବଂ ମାଆ ହାଡିମଣି ଦେବୀ । ବାପା ଓଡିଶାର ପ୍ରଖ୍ୟାତ ପାଲା ଗାୟକ ଭାବେ ପରିଚିତ । ପିଲା ଦିନରୁ ଘରେ ସାହିତ୍ୟ ସଙ୍ଗୀତର ଆସର ଜମୁଥିଲା । ଦୂରଦୂରାନ୍ତରୁ ଗାୟକମାନେ ଘରକୁ ଆସୁଥିଲେ ବାପାଙ୍କଠାରୁ କାବ୍ୟ କବିତା ଆଦି ଶିକ୍ଷା ଗ୍ରହଣ କରିବାକୁ । ରାମଚନ୍ଦ୍ରଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥିଲା । ସାହିତ୍ୟ ପ୍ରତି ରୁଚି ବଢିବା ସହ ବଡ ହେଲେ ବାପାଙ୍କ ପରି ଗାୟକ ହେବାକୁ ଇଛା କରିଥିଲେ ରାମଚନ୍ଦ୍ର । 

Ramachandra Kara

ପ୍ରାଥମିକ ଶିକ୍ଷା ଗ୍ରହଣ ପରେ ରାମଚନ୍ଦ୍ର କୁହୁଡି ସ୍ଥିତ ଜନତା ହାଇସ୍କୁଲରେ ନାମ ଲେଖାଇଲେ । ସେଠାରୁ ସଫଳତାର ସହ ମାଟ୍ରିକ ପାସ୍ କଲେ । ଏହାପରେ ସେ ଚାହିଁଥିଲେ ଚାକିରି କରିପାରିଥାନ୍ତେ, କିନ୍ତୁ ପାଲା ପ୍ରତି ଥିବା ଦୁର୍ବଳତା ତାଙ୍କୁ ସେଦିଗକୁ ଛାଡିନଥିଲା । ସେ ମନେମନେ ପାଲା ଶିଖିବା ଆରମ୍ଭ କରିଦେଲେ । ପୁଅର ମନୋଭାବ ବୁଝିପାରିଥିଲେ ବାପା । ତେଣୁ ସେ ପୁଅକୁ ପାଲା ଗାୟକ କରିବା ପାଇଁ ସ୍ଥିର କଲେ । ୧୯୬୪-୬୫ ମସିହା ବେଳକୁ ରାମଚନ୍ଦ୍ର ପାଲା ଜଗତରେ ପାଦ ଦେଲେ । ଏହି ସମୟରେ ବାପା କର୍କଟ ରୋଗରେ ପୀଡିତ ହେଲେ । ଚିକିତ୍ସା ପାଇଁ ଭେଲୋର ଯିବାକୁ ପଡିଲା । ରାମଚନ୍ଦ୍ର ବାପାଙ୍କୁ ନେଇ ସେଠାକୁ ଗଲେ । ମାଆ ମଧ୍ୟ ରୋଗରେ ପୀଡିତ ହେଲେ । ଉଭୟଙ୍କ ସେବା ଯତ୍ନରେ ଲାଗିଲେ ରାମଚନ୍ଦ୍ର । ତେବେ ପିତାମାତାଙ୍କ ଆଶୀର୍ବାଦରୁ ରାମଚନ୍ଦ୍ର ପାଲା ରାଜ୍ୟରେ ସୁଖ୍ୟାତି ଅର୍ଜନ କଲେ ।

Ramachandra Kara

ବାପାଙ୍କ ସହ ପ୍ରତିଷ୍ଠିତ ପାଲା ଗାୟକ ବଂଶୀଧର ମହାପାତ୍ର ଏବଂ କବି ଗୌରାଙ୍ଗ ବାରିକଙ୍କର ପ୍ରେରଣା ରାମଚନ୍ଦ୍ରଙ୍କୁ ପାଲାରେ ପ୍ରତିଷ୍ଠିତ ହେବାରେ ସାହାଯ୍ୟ କରିଥିଲା । ରଘୁବଂଶ, ଭାରବୀ, ନୈଷଧ ଆଦି ସଂସ୍କୃତ କାବ୍ୟ ନାଟକକୁ ଓଡିଆରେ ନାଟକୀୟ ଶୈଳୀରେ ପରିବେଷଣ କରି ନୂତନ ପରମ୍ପରା ସୃଷ୍ଟି କଲେ ରାମଚନ୍ଦ୍ର, ଯାହା ପାଲା ଦର୍ଶକମାନଙ୍କୁ ଆକୃଷ୍ଟ କରିଥିଲା । ଉଭୟ ଓଡିଆ ଓ ସଂସ୍କୃତ ସାହିତ୍ୟ ଉପରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଓ ଦକ୍ଷତା ରହିଥିଲା । 

Ramachandra Kara


ତତ୍କାଳୀନ ସମୟର ସମସ୍ତ ପ୍ରତିଷ୍ଠିତ ଗାୟକମାନଙ୍କ ସହ ବାଦିପାଲାରେ ଯୋଗଦେଇ ରାମଚନ୍ଦ୍ର ସାରା ରାଜ୍ୟରେ ପ୍ରସିଦ୍ଧି ଅର୍ଜନ କରିବାକୁ ଲାଗିଲେ । ରାମଚନ୍ଦ୍ରଙ୍କର ଋଷି ପ୍ରତିମ ଆଚରଣ ତାଙ୍କୁ ପାଲା ଜଗତରେ ଅନ୍ୟମାନଙ୍କଠାରୁ ନିଆରା କରିଥାଏ । ଉଭୟ ପାଣ୍ଡିତ୍ୟ ଏବଂ ବ୍ୟବହାରରେ ସେ ପ୍ରତିପକ୍ଷ ଗାୟକମାନଙ୍କୁ ମଧ୍ୟ ଆପଣାର କରିନିଅନ୍ତି । କୌଣସି ପ୍ରତିପକ୍ଷ ଗାୟକଙ୍କୁ ସେ କେବେ ମଧ୍ୟ କଟୁ ସମାଲୋଚନା କରନ୍ତି ନାହିଁ । ବରଂ ଭୁଲ ଦେଖିଲେ ସଂଶୋଧନ କରିଦିଅନ୍ତି ଏବଂ ଉପଯୁକ୍ତ ପରାମର୍ଶ ଦିଅନ୍ତି । ସେ ଏଭଳି ଜଣେ ଗାୟକ ଯାହାଙ୍କୁ ସମସ୍ତ ପାଲା କଳାକାର ସମ୍ମାନ ଓ ଆଦର କରନ୍ତି ।

ରାମଚନ୍ଦ୍ର କର ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଶିଷ୍ୟ ଶିଷ୍ୟାଙ୍କୁ ତାଲିମ ଦେଇସାରିଲେଣି । ନିଜେ ମଧ୍ୟ ଅନେକ କାବ୍ୟ କବିତା ରଚନା କରିଛନ୍ତି । ରାମାୟଣ ସମୀକ୍ଷା, ମହାଭାରତ ସମୀକ୍ଷା, ପାତାଳ କେତୁ, ଘୋଷଯାତ୍ରା ଆଦି ଅନେକ କାବ୍ୟ ସେ ରଚନା କରିଛନ୍ତି, ଯାହାକୁ ଗାୟକମାନେ ପାଲାରେ ମଧ୍ୟ ପରିବେଷଣ କରୁଛନ୍ତି । 

ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସାରା ରାଜ୍ୟର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମିଳିଛି ଅନେକ ଉପାଧି ଓ ସମ୍ମାନ । ଭୁବନେଶ୍ୱର ପାଲା ସମ୍ମିଳନୀରେ ପୂର୍ବତମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ରାମଚନ୍ଦ୍ରଙ୍କୁ ଗାୟକ ଦିଗ୍‌ଗଜ ଉପାଧି ପ୍ରଦାନ କରିଥିଲେ । ସେହିପରି ପୂର୍ବତମ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ତାଙ୍କୁ ଗାୟକ ଦକ୍ଷିଣକେଶରୀ ଉପାଧିରେ ସମ୍ମାନିତ କରିଥିଲେ । ପୂର୍ବତନ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଭୂପିନ୍ଦର ସିଂହ ପ୍ରଦାନ କରିଥିଲେ ଗାୟକ ଆଲୋକ ଉପାଧି । ପାଲା କଳା ସହ ଅନ୍ୟ ପାରମ୍ପରିକ କଳାର ବିକାଶ ପାଇଁ ମଧ୍ୟ ରାମଚନ୍ଦ୍ର ସର୍ବଦା ଚେଷ୍ଟା କରିଆସିଛନ୍ତି । ଶ୍ରୀ ନୀଳାଚଳ ନିଖିଳଉତ୍କଳ ପାଲା ଗାୟକ ପରିଷଦର ଅଖଣ୍ଡ ପୂରୀ ଜିଲ୍ଲାର ସେ ସ୍ଥାୟୀ ସଭାପତି ରହିବା ସହ ଏବେ ଖୋର୍ଦ୍ଧା ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ରହିଛନ୍ତି । 

Ramachandra Kara

ସାଧାରଣ ଜୀବନରେ ମଧ୍ୟ ମୁନି ଋଷିଙ୍କ ଭଳି ଜୀବନ ଅତିବାହିତ କରନ୍ତି ରାମଚନ୍ଦ୍ର କର । ନିଜ ଗ୍ରାମ ନିକଟସ୍ଥ ନାଚୁଣୀ ବଡପଦର ଜଗତୀ ପାହାଡ ପାଦଦେଶରେ ତାଙ୍କ ଉଦ୍ୟମରେ ଏକାଧିକ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଏକ ମନୋରମ ପରିବେଶରେ ଏଠାରେ ପୂଜା ପାଉଛନ୍ତି ଶ୍ରୀରାମଚନ୍ଦ୍ର, ହନୁମାନ, ମହାଦେବ । ଏବେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କାମ ଜାରି ରହିଛି । ପ୍ରତିବର୍ଷ ବାପା ଗାୟକ ରତ୍ନ ଲୋକନାଥ କରଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରୁଛନ୍ତି ରାମଚନ୍ଦ୍ର । ଦୁଇ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ରାଜ୍ୟର କୋଣଅନୁକୋଣରୁ ପାଲା କଳାକାରମାନଙ୍କର ସମାଗମ ହୁଏ । ଏହି ଅବସରରେ ଦାସକାଠିଆଠାରୁ ଆରମ୍ଭ କରି ଅନ୍ୟ ଲୋକନୃତ୍ୟ ପରିବେଷଣ କରାଯାଏ । ପ୍ରତିଷ୍ଠିତ ଓ ଯୁବ ପାଲା କଳାକାରଙ୍କ ସମେତ ଅନ୍ୟ କଳାକାର ଓ ଲୁକାୟିତ ପ୍ରତିଭା ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ନିଜସ୍ୱ ଉଦ୍ୟମରେ ରାମଚନ୍ଦ୍ର ସମ୍ମାନିତ କରିଆସୁଛନ୍ତି । 

ପତ୍ନୀ ଶାନ୍ତିଲତା ଦେବୀଙ୍କ ସହ ଗୋଟିଏ ପୁଅ ଏବଂ ତିନି ଝିଅଙ୍କୁ ନେଇ ରାମଚନ୍ଦ୍ରଙ୍କ ସଂସାର । ଝିଅମାନଙ୍କୁ ବିବାହ ଦେଇସାରିଥିବା ବେଳେ ପୁଅ ଏବେ ବିଦେଶରେ । ଘରେ ପତ୍ନୀଙ୍କ ସହ ପାଲା କଳାରେ ବ୍ରତୀ ରାମଚନ୍ଦ୍ର ଉଭୟ ସଂସାରୀ ଓ ସନ୍ୟାସୀ ଜୀବନ ଅତିସୁନ୍ଦର ଭାବେ ଅତିବାହିତ କରୁଛନ୍ତି ।            
 

Ramachandra Kara