2 Rabindra Kumar Samantray

Locality (City/Village)
Bhusandapur
District
State
Country
India
Member Type
Pala Gayak

ଗାୟକ କୌସ୍ତୁଭ ରବୀନ୍ଦ୍ର କୁମାର ସାମନ୍ତରାୟ 
 
ଗାୟକ ରତ୍ନ ଲୋକନାଥ କରଙ୍କ ପ୍ରସିଦ୍ଧ କୋଇଲି କବିତା ସେ ଯେତେବେଳେ ମଞ୍ଚରେ ଗାୟନ କରନ୍ତି ଉପସ୍ଥିତ ଦର୍ଶକଙ୍କ ଆଖି ଲୁହରେ ଭିଜିଯାଏ । ସେ ଯେଉଁ ମଞ୍ଚକୁ ପାଲା ଗାଇବାକୁ ଯାଆନ୍ତି ସବୁଠି ଲୋକଙ୍କର ଦାବି ଥାଏ ତାଙ୍କରି ମୁହଁରୁ କୋଇଲି ଶୁଣିବା ପାଇଁ । କରୁଣ ରସ ସମେତ ଭାବପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଦର୍ଶକଙ୍କୁ ବିଳମ୍ବିତ ରାତି ପର‌୍ୟ୍ୟନ୍ତ ବାନ୍ଧି ରଖୁଥିବା ଗାୟନାଚାର‌୍ୟ୍ୟ ହେଉଛନ୍ତି ଗାୟକ କୌସ୍ତୁଭ ରବୀନ୍ଦ୍ର କୁମାର ସାମନ୍ତରାୟ । 
ଖୋର୍ଦ୍ଧ ଜିଲ୍ଲା ଅନ୍ତର୍ଗତ ଭୁଷଣ୍ଡପୁର ଗ୍ରାମରେ ୧୯୬୨ ମସିହାରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ରବୀନ୍ଦ୍ର । ବାପା ବଂଶୀଧର ସାମନ୍ତରାୟ ଓ ମାଆ ବିଳାସିନୀ ସାମନ୍ତରାୟ । ପିଲାଟି ଦିନରୁ ପାଠ ପଢା ସହ ଖେଳ କସରତ କରିବା ଥିଲେ ରବୀନ୍ଦ୍ରଙ୍କ ଅଭ୍ୟାସ । ଛୋଟବେଳୁ କଳା, ସାହିତ୍ୟ ଓ ସଙ୍ଗୀତ ପ୍ରତି ମଧ୍ୟ ରହିଥିଲା ଅହେତୁକ ଆଗ୍ରହ । ସେହି ଗ୍ରାମରେ ଜନ୍ମ ନେଇଥିଲେ ଓଡିଶାର ପ୍ରଖ୍ୟାତ ପାଲା ଗାୟକ ମାର୍କଣ୍ଡେୟ ବାହିନୀପତି । ପିଲାଦିନରୁ ବାହିନୀପତିଙ୍କ ପ୍ରଭାବ ପଡିଥିଲା ରବୀନ୍ଦ୍ରଙ୍କ ଉପରେ । ସେ ଛୋଟବେଳୁ ପାଲା ଦେଖିବା ସହ ପାଲା କଳାକାରଙ୍କ ସହ ମିଶିବାର ସୁଯୋଗ ମଧ୍ୟ ପାଇଥିଲେ । 

Rabindra Kumar Samantray


୧୯୭୯ ମସିହାରେ ମାଟ୍ରିକ ପାସ୍ କରି ଆଇଏ ପଢୁଥିବା ସମୟରେ ରବୀନ୍ଦ୍ର ପାଲା ଶିଖିବା ପାଇଁ ମନ ବଳାଇଲେ । ମାନସିକ ସ୍ତରରେ ସ୍ୱର୍ଗତ ବାହିନୀପତିଙ୍କୁ ଗୁରୁରୁପେ ଧ୍ୟାନ କରି ପାଲାରେ ଆଗକୁ ଆଗେଇବା ବେଳେ ପଣ୍ଡିତ ମହେଶ୍ୱର ଦାଶଙ୍କର ଅସୀମ କରୁଣା ଲାଭ କଲେ । ସେ ରବୀନ୍ଦ୍ରଙ୍କୁ ସଂସ୍କୃତ ସାହିତ୍ୟରେ ଦକ୍ଷତା ଅର୍ଜନ କ୍ଷେତ୍ରରେ ଅକୁଣ୍ଠ ସହାୟତା ପ୍ରଦାନ କଲେ । ସେହିପରି ଗାୟକ ପ୍ରଦୀପ ଭ୍ରମରବର ମହାରଣାଙ୍କୁ ମଧ୍ୟ ଗୁରୁ ରୁପେ ବାଛିନେଲେ ରବୀନ୍ଦ୍ର । ପାଠପଢା ସହିତ ପାଲା ମଧ୍ୟ ଚାଲିିଥାଏ । ପ୍ରଚଣ୍ଡ ଅଧ୍ୟବସାୟ ଏବଂ ବିଭୁ କୃପାରୁ ଧୀରେ ଧୀରେ ରବୀନ୍ଦ୍ର ସାରା ରାଜ୍ୟରେ ଜଣେ ପ୍ରତିଷ୍ଠିତ ଗାୟକ ଭାବେ ପରିଚିତ ହେଲେ । 

ରାଜ୍ୟର ବିଭିନ୍ନ ପାଲା ମଞ୍ଚରେ ଆଗଧାଡିର ଗାୟକ ମାନଙ୍କ ସହ ବାଦିପାଲାରେ ଅବତୀର୍ଣ୍ଣ ହୋଇ ରବୀନ୍ଦ୍ର ସାମନ୍ତରାୟ ବହୁ ପ୍ରଶଂସାର ଅଧିକାରୀ ହୋଇଛନ୍ତି । ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର, ଉପାଧି ଓ ସମ୍ବର୍ଦ୍ଧନା । ତେବେ ପାଲା ଜଗତରେ ସେ ଗାୟକ କୌସ୍ତୁଭ ଭାବରେ ପରିଚିତ । ସାଧାରଣ ଜୀବନରେ ବେଶ୍ ସ୍ପଷ୍ଟବାଦୀ ରବୀନ୍ଦ୍ର ସାମନ୍ତରାୟ । ତାଙ୍କ ଉଚ୍ଚାରଣ ଯାହା ଆଚରଣରେ ମଧ୍ୟ ତାହା ପ୍ରତିଫଳିତ । ପାଲା ପାଇଁ ନିଜକୁ ସମର୍ପଣ କରି ଉଚ୍ଚ ସରକାରୀ ଚାକିରିକୁ ସେ ପ୍ରତ୍ୟାକ୍ଷାନ କରିଦେଇଥିଲେ । ପାଲା ସହ ଜଣେ ପରୋପକାରୀ ସମାଜ ସଂସ୍କାରକ, ସମାଜସେବୀ ଭାବରେ ସେ ପରିଚିତ । ଗାଁ ମାଟି ପାଇଁ କିଛି କରିବା, ଅଞ୍ଚଳର ଆଧ୍ୟାତ୍ମିକ ଓ ସାମାଜିକ ବିକାଶ ପାଇଁ ସେ ସଦା ତତ୍ପର । ପାଲା ଜଗତରେ ରବୀନ୍ଦ୍ର ସାମନ୍ତରାୟ ଭାବେ ପରିଚିତ ହେଉଥିବା ବେଳେ କିନ୍ତୁ ଭୁଷଣ୍ଡପୁର ଅଞ୍ଚଳରେ ସେ ରବି ଭାଇନା ଭାବେ ଘରେ ଘରେ ସୁପରିଚିତ । 

Rabindra Kumar Samantray


ପାଲା କଳାର ପ୍ରଚାର ପ୍ରସାର ସହ ଏହାର ମାନବୃଦ୍ଧି ପାଇଁ ମଧ୍ୟ ସବୁବେଳେ ରବୀନ୍ଦ୍ର ସାମନ୍ତରାୟ ପ୍ରୟାସ ଜାରି ରଖିଛନ୍ତି । ସମୟ ସହ ତାଳ ଦେଇ ପାଲାକୁ ଯୁଗୋପଯୋଗୀ କରିବା ପାଇଁ ମଧ୍ୟ ସେ ସବୁବେଳେ ଚେଷ୍ଟିତ । ଜଣେ ଭାଷାବିତ୍, ସମାଜ ସଂସ୍କାରକ, ଜଗନ୍ନାଥ ସଂସ୍କୃତିପ୍ରେମୀ ତଥା ଭାବପୂର୍ଣ୍ଣ ଗାୟକ ଭାବେ ପ୍ରସିଦ୍ଧ ରବୀନ୍ଦ୍ର ସାମନ୍ତରାୟ । ଗୁରୁଜନଙ୍କୁ ସମ୍ମାନ ଓ ଅନୁଜମାନଙ୍କୁ ଅସୀମ ସ୍ନେହଶ୍ରଦ୍ଧା ପ୍ରଦାନରେ ସେ କେବେ କୁଣ୍ଠିତ ହୋଇନାହାଁନ୍ତି । ଖାସ୍ ଏଥିପାଇଁ ସେ ସବୁ ବର୍ଗର ପାଲା କଳାକାରଙ୍କର ପ୍ରିୟ ପାତ୍ର ହୋଇପାରିଛନ୍ତି ।  
 

Rabindra Kumar Samantray