2 Amareswar Das

Locality (City/Village)
Chhatia
District
State
Country
India
Member Type
Pala Gayak

ମାଳିକା ସମ୍ରାଟ୍‌
ଗାୟକ ଆଚାର୍ଯ୍ୟ ଅମରେଶ୍ୱର ଦାସ

    ପାଲା ଆକାଶକୁ ଅନେକ ଗାୟକ ଆସିଛନ୍ତି, ଅନେକ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରି ବାହୁଡି ଯାଇଛନ୍ତି । ହେଲେ ବେଳେ ବେଳେ ଏମିତି କିଛି ଗାୟକ ଆସିଛନ୍ତି ଯେଉଁମାନଙ୍କର ନଶ୍ୱର ଶରୀର ବିଲୀନ ହୋଇଯାଇଥିଲେ ମଧ୍ୟ ସେମାନେ ଅମର ପାଲଟିଯାଇଛନ୍ତି । ପାଲା ଜଗତରେ ଏମିତି ଜଣେ ଉଜ୍ଜ୍ୱଳ ଜ୍ୟୋତିଷ୍କ, ଅମର ପାଲା ଗାୟକ ହେଉଛନ୍ତି ଅମରେଶ୍ୱର ଦାସ ବା ଘରେ ଘରେ ପରିଚିତ ଅମର ଦାସ । ତାଙ୍କ ପାଇଁ ତାଙ୍କ ନାଁ ହିଁ ଯଥେଷ୍ଟ । ଯେଉଁ ମଂଚରେ ଲୋକ ହେଉନଥାନ୍ତି, ଯଦି ସେଠାକୁ ଅମର ଦାସ ଆସିଛନ୍ତି ବୋଲି ପ୍ରଚାର ହୋଇଯାଏ ଆପେଆପେ ଆଖପାଖ ଗାଁରୁ ଶହଶହ ପାଲା ଦର୍ଶକଙ୍କ ଭିଡ ଜମିଯାଏ । ଏମିତି ଜଣେ ଗାୟକ ଥିଲେ ଅମର ଦାସ । ତାଙ୍କଠାରୁ ମାଳିକା କେଇପଦ ଶୁଣିବା ପାଇଁ ଲୋକେ ସଂଧ୍ୟା ହେବା ପୂର୍ବରୁ ମଂଚ ନିକଟରେ ଗହଳ ଲଗାଇଥାନ୍ତି । ଯୁବକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ଅମର ଦାସଙ୍କ ପାଖରୁ କିଛି ନୀତିଶିକ୍ଷା ଶୁଣିବା ପାଇଁ । 
        ୧୯୫୦ ମସିହା ଜୁଲାଇ ୧୩ ତାରିଖରେ ଯାଜପୁର ଜିଲ୍ଲା ଛତିଆରେ ରାଜକିଶୋର ଦାସ ଏବଂ ବିମଳି ଦେବୀଙ୍କ କୋଳମଣ୍ଡନ କରିଥିଲେ ଅମର ଦାସ । ପିଲାଟି ଦିନରୁ ତାଙ୍କର କଳା, ସାହିତ୍ୟ, ସଂସ୍କୃତି ପ୍ରତିଥିଲା ଢେର ଆଗ୍ରହ । ବିଶେଷ କରି ପାଲା ପ୍ରତି ଛୋଟ ବେଳରୁ ଥିଲା ଆଗ୍ରହ । ମାଟ୍ରିକ ପାସ୍ କରିବା ପରେ ସେ ପାଲା ଜଗତରେ ପ୍ରବେଶ କରିଥିଲେ । ଛତିଆର ଆରାଧ୍ୟ ଦେବତା ଅନନ୍ତ ଗୋପାଳ ଏବଂ ମା ଶାରଳାଙ୍କ ଆଶୀର୍ବାଦରୁ ଅମର ଦାସ ପାଲା ଜଗତରେ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ । ବିଶେଷ କରି ମାଳିକା ଏବଂ ପଂଚସଖା ସାହିତ୍ୟରେ ତାଙ୍କର ଥିଲା ଅଗାଧ ପାଣ୍ଡିତ୍ୟ । ସେ ଜନମାନସରେ ମାଳିକା ସମ୍ରାଟ୍ ଭାବେ ପରିଚିତ ଥିଲେ । 
ଶତୁରୀ ଦଶକରେ ଯେତେବେଳେ ଅମର ଦାସ ପାଲା ଗାଉଥିଲେ, ସେତେବେଳେ ଅନେକ ଯୁବ ଗାୟକ ତଥା ବରିଷ୍ଠ ଗାୟକମାନେ ମଧ୍ୟ ତାଙ୍କ ସହ ବାଦୀପାଲା ଗାଇବାକୁ ଭୟ କରୁଥିଲେ । ଅମର ଦାସ ଥିଲେ ଜଣେ ପ୍ରତ୍ୟୁତ୍ପନ୍ନମତି ଗାୟକ । ସେଭଳି ଯୋଗଜନ୍ମା ଗାୟକ ବିରଳ । 

Amaeswar Das


ଅମର ଦାସ ପାଲାରେ ପ୍ରଥମେ ମାଳିକାକୁ ପ୍ରବେଶ କରାଇଥିଲେ । ଏହା ମାଧ୍ୟମରେ ସେ ସମାଜରୁ କୁସଂସ୍କାର ଦୂର କରିବାକୁ ପ୍ରୟାସ କରୁଥିଲେ । ଲୋକଙ୍କୁ ଆଧ୍ୟାତ୍ମିକ ମାର୍ଗରେ ନେବା ସହ ସମାଜକୁ ସଂସ୍କାର ଧର୍ମୀ କରିବା ପାଇଁ ସେ ପାଲା ମାଧ୍ୟମରେ ଶତଚେଷ୍ଟା କରୁଥିଲେ । 
ଅମର ଦାସ ଥିଲେ ଜଣେ ନିରଳସ ଏବଂ ସ୍ନେହୀ ଗାୟକ । ତାଙ୍କ ପରି ସ୍ନେହ ମମତା ଆଉ କୌଣସି ଗାୟକଙ୍କଠାରୁ ମିଳିନଥାଏ ବୋଲି ଅନେକ ବରିଷ୍ଠ ଓ ଯୁବ ଗାୟକମାନେ ସ୍ୱୀକାର କରନ୍ତି । ସେ ରାତିରେ ପ୍ରତିପକ୍ଷ ଗାୟକଙ୍କୁ ଯେତେ ସମାଲୋଚନା କରିଥାନ୍ତୁ ନା କାହିଁକି ପରଦିନ ସକାଳେ ବସାଘରେ ପହଂଚିଯାଇ ଆପଣାର କରିନିଅନ୍ତି । 
ଜଣେ ଅତ୍ୟନ୍ତ ଆଧ୍ୟାତ୍ମିକ ବ୍ୟକ୍ତି ଥିଲେ ଅମର ଦାସ । ଏହାସହ ସରଳ, ନମ୍ର, ଭଦ୍ର ଏବଂ ଆଶୁ କବି ଥିଲେ । ପାଲା ଜଗତରେ ଏଭଳି ଚତୁର ଗାୟକ ବିରଳ । ଶ୍ରୋତା ହୁଅନ୍ତୁ କିମ୍ବା ପ୍ରତିପକ୍ଷ ଗାୟକ ସେ ସମସ୍ତଙ୍କୁ ତାଙ୍କ ବାକ୍ ଚାତୁରିରେ ଅଭିଭୁତ କରିଦେଉଥିଲେ । ପୂର୍ବ ଗାୟକ ଯେତେ ସୁନ୍ଦର ଭାବେ ପାଲା ପରିବେଷଣ କରିଥାନ୍ତୁ, ସେ ଆସିବା ପରେ ଏଭଳି ଢଙ୍ଗରେ ସମାଲୋଚନା କରନ୍ତି ଯେ, ଶ୍ରୋତା ବିଭୋର ହୋଇଯାନ୍ତି । ଏପରି କି ପ୍ରତିପକ୍ଷ ଗାୟକ ମଧ୍ୟ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ଅମର ଦାସ କଣ ସମାଲୋଚନା କରିବାକୁ ଶୁଣିବା ପାଇଁ । 

Amareswar Das


ଏବେକାର ପାଲା ଗାୟକମାନଙ୍କୁ ନେଇ ଚିନ୍ତିତ ଥିଲେ ଅମର ଦାସ । ଶେଷପର୍ଯ୍ୟନ୍ତ ତାଙ୍କର ଚିନ୍ତା ଓ ଚେତନାରେ କେବଳ ପାଲା ଆଉ ପାଲା ହିଁ ରହିଥିଲା । କିଭଳି ପାଲା ଆହୁରି ଆଗକୁ ଯିବ ଦେଶ ଓ ବିଦେଶରେ ପରିଚିତ ହେବ ସେଥିପାଇଁ ସେ ଉଦ୍ୟମ ଜାରି ରଖିଥିଲେ । ପାଲାରୁ କୁସଂସ୍କାର ଦୂର କରିବା ସହ ପାଳା କଳାକାରମାନେ କିଭଳି ଆଦର୍ଶ ମଣିଷ ହୋଇପାରିବେ ସେଥିପାଇଁ ମଧ୍ୟ ସେ ପ୍ରୟାସ ଚଳାଇଥିଲେ । ସେ କହୁଥିଲେ ପାଲା ଗାୟକମାନେ ପ୍ରଥମେ ଭଲ ମଣିଷଟିଏ ହୁଅନ୍ତୁ, ନିଜେ ଆଦର୍ଶ ହୋଇ ଅନ୍ୟମାନଙ୍କୁ ଉପଦେଶ ଦେଲେ ହିଁ ତାର ପ୍ରଭାବ ପଡିବ । 
     ୨୦୧୮ ଏପ୍ରିଲ ୧୪ ପଣା ସଂକ୍ରାନ୍ତି ଦିନ ଭୁବନେଶ୍ୱର ଉପକଣ୍ଠ ଭଗବାନପୁର ଗ୍ରାମରୁ ପାଲା ଗାଇ ଭୋର ୩ଟାରୁ ଅଟୋରେ ଘରକୁ ଫେରୁଥିବା ବେଳେ ଜଗତପୁର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ ଅମର ଦାସ । ୭ ଦିନ କୋମାରେ ରହିବା ପରେ ଏପ୍ରିଲ ୨୨ ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କଲେ । ଅମର ଦାସଙ୍କ ପରଲୋକ ସହ ପାଲା ଆକାଶରୁ ଏକ ଉଜ୍ଜ୍ୱଳ ନକ୍ଷତ୍ରର ଅବସାନ ହୋଇଗଲା । ଆଜି ଏହି ବିରଳ ପ୍ରତିଭା ସ୍ୱଦେହରେ ନାହାଁନ୍ତି ସତ ହେଲେ ତାଙ୍କ ପାଲା ଅମର ହୋଇରହିଯାଇଛି ଲକ୍ଷଲକ୍ଷ ପାଲା ଶ୍ରୋତାଙ୍କ ହୃଦୟରେ ।