1F Lokanath Kara

District
State
Country
India
Member Type
Pala Gayak

ଗାୟକ ରତ୍ନ ଲୋକନାଥ କର
ବାଣପୁର ନିକଟସ୍ଥ ହରିପୁର ଶାସନରେ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଲୋକନାଥ । ବାପା ନାରାୟଣ ଶତପଥୀ ଓ ମାଆ ତିଳୋତ୍ତମା ଦେବୀଙ୍କର ଲୋକନାଥ ଥିଲେ ତୃତୀୟ ତଥା କନିଷ୍ଠ ପୁତ୍ର । ପିତୃବ୍ୟ ଶ୍ରୀ ଭଗବାନ କରଙ୍କର ପୋଷ୍ୟପୁତ୍ର ହୋଇଯାଇଥିଲେ ଲୋକନାଥ । ଏହାପରେ ତାଙ୍କର ନାମ ଲୋକନାଥ ଶତପଥୀରୁ ହୋଇଗଲା ଲୋକନାଥ କର । ପିଲାଦିନ ଅତି ଦୁଃଖକଷ୍ଟରେ କଟିଥିଲା । ଅର୍ଥ ଅଭାବରୁ ମାତ୍ର ପଞ୍ଚମ ଶ୍ରେଣୀରେ ପାଠପଢା ବନ୍ଦ ହେଲା । କିନ୍ତୁ ପରେ ଏକ ସଂସ୍କୃତ ଟୋଲରେ କିଛି ଦିନ ସଂସ୍କୃତ ଅଧ୍ୟୟନ କଲେ । ପିଲାଦିନରୁ ଲୋକନାଥ ପାଲା ପ୍ରତି ଆକୃଷ୍ଟ ହୋଇଥିଲେ । ଗାଁ ମୁଣ୍ଡ ଆମ୍ବ  ତୋଟାରେ ସାଙ୍ଗସାଥୀଙ୍କ ସହ ମିଶି ପାଲା କରୁଥିଲେ । ବେଲ ଖୋଳାକୁ ଗିନି ଏବଂ ଆମ୍ବ ଡାଳକୁ ଚାମର କରି ମିଛିମିଛିକା ପାଲା କରୁଥିଲେ । ପରବର୍ତ୍ତୀ ସମୟରେ ଲୋକନାଥଙ୍କ ଉପରେ ଭଗବାନଙ୍କ କୃପା ହେଲା, ତାଙ୍କ କଳ୍ପନା ବାସ୍ତବ ରୂପ ଧାରଣ କଲା । ଗ୍ରାମର ମହିମାମୟ ଗୋପୀନାଥଙ୍କର ସ୍ୱପ୍ନାଦେଶ ପାଇ ଅଠର ବର୍ଷ ବୟସରେ ସେ ପାଲା ଗାଇବା ଆରମ୍ଭ କଲେ । ଏହାପୂର୍ବରୁ ଷୋହଳ ବର୍ଷ ବୟସ ବେଳେ ବୋଡଙ୍ଗରା ଗାଁରେ ଗ୍ରାମ୍ୟ ଶିକ୍ଷକ ଭାବେ ଶିକ୍ଷକତା କରିଥିଲେ । ତେବେ ଶିକ୍ଷକତାକୁ ଛାଡି ସେ ସବୁଦିନ ପାଇଁ ପାଲା ପ୍ରତି ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ହୋଇଗଲେ ।
ନିଜ ଗାଁର ବରିଷ୍ଠ ଗାୟକ ରାମଚନ୍ଦ୍ର ମହାପାତ୍ରଙ୍କ ସହିତ ପ୍ରଥମ ବାଦିପାଲାରେ ଅବତୀର୍ଣ୍ଣ ହୋଇଥିଲେ ଲୋକନାଥ କର । ଏଥିରେ ଲୋକନାଥ ଦର୍ଶକଙ୍କଠାରୁ ଭୂୟସୀ ପ୍ରଶଂସା ଲାଭ କରିଥିଲେ । ଧୀରେ ଧୀରେ ଲୋକନାଥଙ୍କ ପ୍ରତିଭା ଚତୁର୍ଦିଗକୁ ବ୍ୟାପିବାରେ ଲାଗିଲା । ୧୯୪୦ ମସିହାରେ ପାରଳା ପ୍ୟାଲେସ, ଇଚ୍ଛାପୁର ରାଜବାଟୀରେ ଶ୍ରୀ ସତ୍ୟନାରାୟଣ ଗଜପତି ନାରାୟଣ ଦେଓଙ୍କ ନିମନ୍ତ୍ରଣ ପାଇ ସେ ପାଲା ଗାଇବାକୁ ଗଲେ । ସେଠାରେ ଏକାଦିକ୍ରମେ ଚାଳିଶ ରାତି ପାଲା ପରିବେଷଣ କରି ସେ ଅଗଣିତ ପାଲାପ୍ରେମୀଙ୍କ ମନ ଜିଣିବାରେ ସକ୍ଷମ ହୋଇଥିଲେ । ଏହି ପାଲାରେ ଦର୍ଶକମଣ୍ଡଳୀରେ ଥିଲେ ଖୋଦ୍ ସୁରଙ୍ଗୀ ମହାରାଜା, ମଞ୍ଜୁଷା ମହାରାଜା, ଗଜପତି ଦେଓ, ସୁରଙ୍ଗୀ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ତଥା ରାଣୀ ସାହେବା । ରାଣୀ ଥିଲେ କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜଙ୍କ ପଣନାତୁଣୀ । ଏହି ପାଲାରେ ସନ୍ତୋଷ ଲାଭ କରିବା ପରେ ଲୋକନାଥ କରଙ୍କୁ ସ୍ୱର୍ଣ୍ଣ କୁଣ୍ଡଳ ସହ ସ୍ୱର୍ଣ୍ଣ ଶ୍ରୀପଞ୍ଚ ପ୍ରଦାନ କରାଯାଇଥିଲା । ଏହାସହ ଏଠାରେ ତାଙ୍କୁ ଗାୟକ ରତ୍ନ ଉପାଧିରେ ଭୂଷିତ କରାଯାଇଥିଲା । 
ତକ୍ରାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ନିମନ୍ତ୍ରଣ କ୍ରମେ ହୀରାକୁଦ ନଦୀବନ୍ଧ ଉଦଘାଟନ ଉତ୍ସବରେ ଯୋଗଦେଇଥିଲେ ଲୋକନାଥ କର । ସେଠାରେ ତାଙ୍କୁ ପୁରୀ ଜିଲ୍ଲା ଷଣ୍ଢ ଉପାଧି ପ୍ରଦାନ କରାଯାଇଥିଲା । ରାଜ୍ୟର ପୁରପଲ୍ଲୀରେ ପାଲା ପରିବେଷଣ କରି ଅନେକ ସମ୍ମାନ ଓ ଉପାଧିର ଅଧିକାରୀ ହୋଇଥିଲେ ଲୋକନାଥ କର । ଏହାସହ ସେ ଯୁବ ପାଲା ଗାୟକମାନଙ୍କ ପାଇଁ ଅନେକ ପାଲା କାବ୍ୟ ଓ ଚତୁଷ୍ପଦୀ ମଧ୍ୟ ରଚନା କରିଥିଲେ । କୀର୍ତ୍ତନ, ଦାସକାଠିଆ, ଦଣ୍ଡଯାତ୍ରା, ରାମଲୀଳା ପାଇଁ ମଧ୍ୟ ସେ ଅନେକ ପଦ୍ୟ ରଚନା କରିଯାଇଛନ୍ତି ।
ପାଲା ଜଗତର ଏହି ମହାନ କଳାକାରଙ୍କ ଜୀବନରେ ୧୯୬୬ ମସିହାରେ ଦୁର୍ଦ୍ଦିନ ହୋଇ ମାଡିଆସିଥିଲା କର୍କଟ ରୋଗ । ତେବେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ଚିକିତ୍ସା ପାଇଁ ସରକାରୀ ଅର୍ଥ ଯୋଗାଇଦେଇଥିଲେ । ଉନ୍ନତ ଚିକିତ୍ସା ପାଇଁ ସରକାର ସୁ ବଂଦୋବସ୍ତ କରିଥିଲେ, ଫଳରେ ୧୯୭୦ ମସିହାରେ ସେ ରୋଗମୁକ୍ତ ହୋଇ ଭେଲୋରରୁ ଫେରିଲେ । ଭେଲୋରରେ ରହିବା ସମୟରେ ସେ ରଚନା କରିଥିଲେ ତାଙ୍କର କାଳଜୟୀ କୃତି କୋଇଲି ମାଳିକା । ଜଣେ ଭକ୍ତ, ଜଣେ କଳାକାର ରୋଗରେ ପଡି ଭଗବାନଙ୍କୁ ଦୁଃଖ ଜଣାଉଛି, ତାହା ପୁଣି ଏକ ପକ୍ଷୀ କୋଇଲି ମାଧ୍ୟମରେ । ଓଡିଶାଠାରୁ ବହୁ ଦୂରରେ ଥିବାରୁ ସେ ଏଇ କୋଇଲି ମାଧ୍ୟମରେ ତାଙ୍କର ଦୁଃଖ ଜଣାଉଛନ୍ତି । ଏହି ରଚନା ଏତେ ମର୍ମସ୍ପର୍ଶୀ ହୋଇଛି ଯେ, ଆଜି ମଧ୍ୟ ଗାୟକମାନେ ଯେତେବେଳେ ପାଲାରେ କୋଇଲି ମାଳିକା ପରିବେଷଣ କରନ୍ତି ଦର୍ଶକଙ୍କ ଆଖିରୁ ଆପେ ଆପେ ଲୁହ ଝରିଆସେ ।  
ଲୋକନାଥ କର ଏତେ ସୁନ୍ଦର ଥିଲେ ଯେ, ଲୋକେ କୁହନ୍ତି ପ୍ରସନ୍ନ ବଦନ ଲୋକନାଥ କର । କିନ୍ତୁ ସେ ଭେଲୋରରୁ ଚିକିତ୍ସିତ ହୋଇଫେରିବା ପରେ ତାଙ୍କର ସେହି ସୌମ୍ୟ ମୁଖମଣ୍ଡଳ ବିକୃତ ହୋଇଯାଇଥିଲା । ଦୀର୍ଘ ୧୭ ବର୍ଷ କାଳ ଦୁଃସହ ଜୀବନ ବିତାଇବା ପରେ ୧୯୮୭ ମସିହା ମାର୍ଚ୍ଚ ୨୫ ତାରିଖ ପବିତ୍ର ଦୋଳ ଉତ୍ସବରେ ସେ ଇହଲୀଳା ସାଙ୍ଗ କରିଥିଲେ ।