Issue Date
3 Sep, 2020
Genres
ବାବାଜୀ ମଦନମୋହନ ଦାଶ
ସତ୍ୟ ସନ୍ଧାନୀ ସତ୍ୟ ଅବତାର
ତୁମେ ଗୁରୁଦେବ ମୋର
କରୁଣା ପରଶେ ଢାଳ ହେ ଆଶିଷ
ମୋ ଉପରେ ନିରନ୍ତର ।
ମୁଁ ଯେ ଅଜ୍ଞାତ ଆଲୋକ ବିହୀନ
ଅନ୍ଧାର ମୂଢଜୀବ
ଜ୍ଞାନର ପ୍ରଦୀପ ଢାଳ ମୋ ଅନ୍ତରେ
ଆହେ ମୋର ଗୁରୁଦେବ ।
ତୁମେ ପୁଣ୍ୟତୋୟା ମୁଁ ପତିତ ଯାହା
ଚାହେଁ ତୁମରି ପରଶ
ସେ ଦିବ୍ୟ ପରଶେ ଧୋଇ ହୋଇଯାଉ
ମୋ ଦେହ ପାପ କଳ୍ମଷ ।
ଅନ୍ତର ମୋର ନିବାସ ତୁମର
ବିଜେ କର ଗୁରୁ ମୋର
ଭକତି ଅର୍ଘ୍ୟ ମୁଁ ଢାଳୁଥିବି ନିତି
ତବ ନାମେ ନିରନ୍ତର ।
ତବ ଶ୍ରୀଚରଣ ପରମ ଆଶ୍ରୟ
ମୋ ପାଇଁକି ଗୁରୁଦେବ
ସେହି ଚରଣରେ ଢାଳିବାକୁ ଚାହେଁ
ମୋର ଅହଂ ବଇଭବ ।
ଅପାର ସଂସାର ଘୋର ସମୁଦର
ଦୁଃଖ ଜୁଆର କଷଣ
ମୋ ଲାଗି ସାଜ ହେ ଉଦ୍ଧାର ନଉକା
ପାରି କର ତତକ୍ଷଣ ।
ମୁଁ ଯେ ତୁମର ତୁମେ ଗୁରୁ ମୋର
ନିତ୍ୟ ଲାଗୁ ଏହି ଭାବ
ତବ ଶ୍ରୀଚରଣେ ପ୍ରଣତି ଢାଳୁଛି
ଘେନ ମୋର ଗୁରୁଦେବ ।।