ରହସ୍ୟ ମଞ୍ଜରୀ
ପ୍ରଥମ ଛାନ୍ଦ
(ମଙ୍ଗଳ ରାଗେଣ ଗୀୟତେ ଶ୍ରୀ ଜୟ ଜଗନ୍ନାଥ)
କବି- ଦେବଦୁର୍ଲ୍ଲଭ ଦାସ
କ୍ଷୀର ନୀର ଦଧି ଘୃତ ସୁରା,
ଇକ୍ଷୁ ଲବଣାଦି ସପତ ସାଗରା । ଜୟ ଜଗନ୍ନାଥ ।୧।
କ୍ରୌଞ୍ଚ ଶାକ ଶାଳ୍ମଳୀ ପୁଷ୍କର,
ପ୍ଲକ୍ଷ କୁଶ ଜମ୍ବୁଦ୍ବୀପ ଶ୍ରେଷ୍ଠସାର । ଶ୍ରୀଜଗନ୍ନାଥ ।୨।
ଯମନିକ ନାମେ ତୀର୍ଥ ଆଦ୍ୟ,
ତହିଁ ଯମେଶ୍ବର ଦେବତା ପ୍ରସିଦ୍ଧ । ଶ୍ରୀଜଗନ୍ନାଥ ।୩।
ତହିଁ ଯମ ସମକ୍ଷରେ ଆସି,
କ୍ରମ ସଂକ୍ରମଣେ ଯାଇ ପାପ ନାଶି । ଶ୍ରୀଜଗନ୍ନାଥ ।୪।
ତେହ୍ନେ କ୍ଷେତ୍ର ନୀଳ ମହାଗିରି,
ଲକ୍ଷେ ଯୋଜନ ଉତ୍ସର୍ଗ କାୟା କରି । ଶ୍ରୀଜଗନ୍ନାଥ ।୫।
ଭାସ୍କର ଦେବତା ପନ୍ଥ ସରି,
ପନ୍ଥ ମାଗନ୍ତେ ବିରଞ୍ଚି ଗୋପ୍ୟକରି । ଶ୍ରୀଜଗନ୍ନାଥ ।୬।
ନୀଳ ମହୀଧର ତା ମୁକୁଟେ,
ନାମ ଶ୍ରୀପୁରୁଷୋତ୍ତମ ଓଡ଼ରାଷ୍ଟ୍ରେ । ଶ୍ରୀଜଗନ୍ନାଥ ।୭।
କଳପ ମହୀରୁହ ନିକଟେ,
ମୁକ୍ତି ମଣ୍ଡପ ବିଚିତ୍ର ଥାନ ଘଟେ । ଶ୍ରୀଜଗନ୍ନାଥ ।୮।
ସିଦ୍ଧ ଗଣପତି ବଟମୂଳେ,
ସିଦ୍ଧ ପ୍ରଚଣ୍ଡ ନନ୍ଦନ ବସେ ଡାଳେ । ଶ୍ରୀଜଗନ୍ନାଥ ।୯।
ବଟ ରୋହିଣୀ କୁଣ୍ଡ଼ ଉତ୍ତରେ,
ପ୍ରଭୁ ବିଜେ ବଡ଼ ଦେଉଳ ଭିତରେ । ଶ୍ରୀଜଗନ୍ନାଥ ।୧୦।
ଅଷ୍ଟଦଳ କମଳ କେଶରେ,
ତଥି ମହାଯୋଗପୀଠର ଶରୀରେ । ଶ୍ରୀଜଗନ୍ନାଥ ।୧୧।
ଖୀନ କଟି ନେତର କାଛେଣୀ,
ଚକା ଚରଣ ବଇଠି ତଟ ଜିଣି । ଶ୍ରୀଜଗନ୍ନାଥ ।୧୨।
ହୃଦୟ ଲାଞ୍ଛନ ଶ୍ରୀ ବତ୍ସଙ୍କ,
ଗନ୍ଧ ଚନ୍ଦନ ପର୍ବତ ଚାରୁଅଙ୍ଗ । ଶ୍ରୀଜଗନ୍ନାଥ ।୧୩।
କଉସ୍ତୁଭମଣି କଣ୍ଠ ତଟ,
ହେମ ମଣି ରତ୍ନ ହୃଦେ ଝଟ ଝଟ । ଶ୍ରୀଜଗନ୍ନାଥ ।୧୪।
ଦଇତ ଦଳନ ଭୁଜଦଣ୍ଡ,
ଶଙ୍ଖ ଚକ୍ର ଜ୍ୟୋତି ବିଧୁ ମାରତଣ୍ଡ । ଶ୍ରୀଜଗନ୍ନାଥ ।୧୫।
ଅଧର ପ୍ରବାଳ ଜବାରୁଣ,
ଚଣ୍ଡକର ଜିଣି କୁଣ୍ଡଳ କିରଣ । ଶ୍ରୀଜଗନ୍ନାଥ ।୧୬।
ଶ୍ବେତ ପଦ୍ମ ଲୋଚନ ବୃଷାଳ,
ଲୁବ୍ ଧ ମଧୁପାନେ ମଧୁପ ନିଚଳ । ଶ୍ରୀଜଗନ୍ନାଥ ।୧୭।
ନିବିଡ଼ ଜଳଦ ଝଳି ଭାଲ,
ମଳୟଜ ବିନ୍ଦୁ ଇନ୍ଦୁ ଝଲ ମଲ । ଶ୍ରୀଜଗନ୍ନାଥ ।୧୮।
କିରୀଟ ମୁକୁଟ ଅବତଂସ,
ଭକ୍ତଜନ ଅଘତିମିର ବିନାଶ । ଶ୍ରୀଜଗନ୍ନାଥ ।୧୯।
ଶିରେ ଶୋଭା ଦୟେଣାର ଚୂଳ,
ନାନା କୁସୁମେ ତୁଳସୀ ଧଣ୍ଡାମାଳ । ଶ୍ରୀଜଗନ୍ନାଥ ।୨୦।
ଛାମୁରେ ଗରୁଡ଼ ଯୋଡ଼ି କର,
କଳା ଶ୍ରୀମୁଖଙ୍କୁ ଚାହିଁଣ କିଙ୍କର । ଶ୍ରୀଜଗନ୍ନାଥ ।୨୧।
ସିଦ୍ଧ ରୁଦ୍ରଗଣ ବିଦ୍ୟାଧର,
ସେବା ଖଟୁଛନ୍ତି ଯୋଗେ ଯେ ଯାହାର । ଶ୍ରୀଜଗନ୍ନାଥ ।୨୨।
ଛତ୍ରାଲମ୍ବ ଜଳଦ ଡାମ୍ବର,
କୋଟି କୋଟି ସିନ୍ଧୁ ଲହରୀ ଚାମର । ଶ୍ରୀଜଗନ୍ନାଥ ।୨୩।
ଭେରୀ ଶଙ୍ଖ ଉପାଙ୍ଗ କାହାଳ,
ବେଣୁ ବୀଣା ତାଳ ମୃଦଙ୍ଗ ଚହଳ । ଶ୍ରୀଜଗନ୍ନାଥ ।୨୪।
ଗାବନ୍ତି ଗନ୍ଧର୍ବେ ମିଳି ସଙ୍ଗେ,
ମଧ୍ୟେ ନାଚନ୍ତି କିନ୍ନରୀ ନାନାରଙ୍ଗେ । ଶ୍ରୀଜଗନ୍ନାଥ ।୨୫।
ନୃତ୍ୟ ଗୀତ ବାଦ୍ୟ ରସ ରଙ୍ଗ,
ନାନା ଗତି ଭ୍ରାନ୍ତି ଚାତୁରୀ ତରଙ୍ଗ । ଶ୍ରୀଜଗନ୍ନାଥ ।୨୬।
ସୁଭଦ୍ରା ସୁଦର୍ଶନ ଶ୍ରୀପତି
ବଳଦେବ ଆଦି ଚତୁର୍ଦ୍ଧା ମୂରତି । ଶ୍ରୀଜଗନ୍ନାଥ ।୨୭।
ଶ୍ବେତ ପୀତ ରକ୍ତ ନୀଳ ଚାରି,
ଚାରିବର୍ଣ୍ଣ ଏକ କଳେବର ଧାରୀ । ଶ୍ରୀଜଗନ୍ନାଥ ।୨୮।
ସହସ୍ର ବଦନେ ବେଦଧାରୀ,
କୋଟି କୋଟି କଳ୍ପେ କହି ତ ନପାରି । ଶ୍ରୀଜଗନ୍ନାଥ ।୨୯।
ମୋ ଛାର ପାମର ମୁଢ଼ମତି,
ତାହା କହିବାକୁ କିସ ମୋ ଶକତି । ଶ୍ରୀଜଗନ୍ନାଥ ।୩୦।
କେବଳ ଭରସା ମୋର ଏହି,
ଦୀନବନ୍ଧୁ ବୋଲି ନାମ ଅଛ ବହି । ଶ୍ରୀଜଗନ୍ନାଥ ।୩୧।
ଆରତ ଭଞ୍ଜନ ବଜ୍ରସେହ୍ନା,
କୋଟି ବ୍ରହ୍ମାଣ୍ଡେ ଉଡୁଛି ଯାର ବାନା । ଶ୍ରୀଜଗନ୍ନାଥ ।୩୨।
ଏବେ ଯା ସ୍ଫୁରୁଛି ମୋର ମନ,
ତାହା କହିବାକୁ ହୁଅ ପରସନ୍ନ । ଶ୍ରୀଜଗନ୍ନାଥ ।୩୩।
ଆନ ମୁ ଯେ କିଛି ମାଗୁନାହିଁ,
ତୁମ୍ଭ ଚରଣେ ଶରଣ ଭାବଗ୍ରାହୀ । ଶ୍ରୀଜଗନ୍ନାଥ ।୩୪।
ରହସ୍ୟ-ମଞ୍ଜରୀ ନାମେ ଗୀତ,
ଆଜ୍ଞା ହୋଇଲେ ମୁଁ କରିବି ଉକତ । ଶ୍ରୀଜଗନ୍ନାଥ ।୩୫।
ଛନ୍ଦିବି ବିବିଧ ରସେ ଛାନ୍ଦ,
ମୋର ହୃଦେ ବିଜେ କରିବା ଗୋବିନ୍ଦ । ଶ୍ରୀଜଗନ୍ନାଥ ।୩୬।
ସରସ୍ବତୀ ରୂପେ ବାକ୍ୟଦେବୀ,
କଣ୍ଠେ ପ୍ରଳମ୍ବ ଅଛରୁ ବାକ୍ୟ ସ୍ରବି । ଶ୍ରୀଜଗନ୍ନାଥ ।୩୭।
ସର୍ବ ସୁଖ ଦାୟିନୀ ଚରଣେ,
ଦେବ ନିରନ୍ତର ପଶିଲା ଶରଣେ । ଶ୍ରୀଜଗନ୍ନାଥ ।୩୮।
ଇତି ଶ୍ରୀ ରହସ୍ୟ ମଞ୍ଜରୀ ଛାନ୍ଦେ,
ନୀଳାଦ୍ରି ଚନ୍ଦ୍ରମା ଚରଣାରବିନ୍ଦେ,
ଦ୍ବିତୀୟ ଛାନ୍ଦ ବର୍ଣ୍ଣନେ କେବଣ ବୃତ୍ତାନ୍ତ,
କହିବାକୁ ଆଜ୍ଞା ହେଉ ଶ୍ରୀଜଗନ୍ନାଥ ।
--------------------------------------