ସାରଙ୍ଗ ଶବ୍ଦର ବାରମ୍ବାର ବ୍ୟବହାର
(ଚକାଡୋଳା ମୋ ଦୁଃଖ କାଟିପକା ହେ
ବୃତ୍ତେ
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା
ଜଟଣୀ, ଖୋର୍ଦ୍ଧା
ଲିଙ୍ଗରାଜ ହେ ପଦେ ଗଲି ଶରଣ ।
ଭବଭଙ୍ଗ ମୂରତି କର ତାରଣ ।୦।
ସାରଙ୍ଗମଉଳି କରେ ଧରି ସାରଙ୍ଗ,
ଶାରଙ୍ଗଧର ବନ୍ଦିତ ପଦ ସାରଙ୍ଗ ।
ସାରଙ୍ଗ କୃତ୍ତିବାସ
ଅଙ୍ଗ ସାରଙ୍ଗଭାସ,
ସାରଙ୍ଗବାହିନୀ କି
ବାମାଙ୍ଗେ ବହିତୋଷ ।
ଶମଶାନ ସାରଙ୍ଗ କଲ ବରଣ ।୧।
ସାରଙ୍ଗଭକ୍ଷକୁ କଲ କଣ୍ଠ ସାରଙ୍ଗ,
ଅଙ୍ଗ ବିଭୂତି ସାରଙ୍ଗ ଲେପିତ ଲିଙ୍ଗ ।
ଶିରେ ଫିଙ୍ଗ ସାରଙ୍ଗ,-
ମଧ୍ୟେ ଗଙ୍ଗା ତରଙ୍ଗ ।
ସାରଙ୍ଗେ ଶମଶାନେ,
ରଚି ତାଣ୍ଡବ ରଙ୍ଗ ।
ଡମରୁକ ତାଳରେ ଚାଳି ଚରଣ ।୨।
ସାରଙ୍ଗ ଦିନେ କରରେ ଧରି ସାରଙ୍ଗ
ସାରଙ୍ଗବାଣ ଶ୍ରୀଅଙ୍ଗେ କଲାପ୍ରୟୋଗ
କମ୍ପିଗଲା ସର୍ବାଙ୍ଗ
ଅନଳେ ନେତ୍ର ରଙ୍ଗ,
ସାରଙ୍ଗଵହ ଦେହ-
ଦାହେ ହେଲା ଅନଙ୍ଗ ।
ରତି ସାରଙ୍ଗ ନେତ୍ରୁ ଅଶ୍ରୁ କ୍ଷରଣ ।୩।
ସାରଙ୍ଗବାହନ ପଦେ କରି ଧିକ୍କାର
ସାରଙ୍ଗରେ ତୁମ୍ଭନାମ ଧରେ ଯେ ନର
ସାରଙ୍ଗ ଦୁଃଖ ନାଶ
ହୁଅଇ ତା ଅବଶ୍ୟ,
ସଂସାରେ ପ୍ରକାଶଇ
ସାରଙ୍ଗ ନିନ୍ଦି ଯଶ ।
ରମାକାନ୍ତ ସାରଙ୍ଗ କର ହରଣ ।୪।
ବିଶେଷ ଦ୍ରଷ୍ଟବ୍ୟ
ଏହି ଶିବବନ୍ଦନାଟିରେ ସମୁଦାୟ ୨୩ଟି "ସାରଙ୍ଗ" ଶବ୍ଦ ବ୍ୟବହୃତ ହୋଇଛି । ତାହାର ଅର୍ଥ ନିମ୍ନରେ ପ୍ରଦତ୍ତ ।
୧ ମ ପଦରେ-
୧- ଚନ୍ଦ୍ର, ୨- ମୃଗ, ୩- ବିଷ୍ଣୁଙ୍କ ଧନୁର ନାମ, ୪- ପଦ୍ମ, ୫- ଗଜ, ୬-କର୍ପୂର, ୭- ସିଂହ, ୮- ବାସଭବନ ।
୨ ୟ ପଦରେ-
୯- ମୟୂର, ୧୦-ଆଭରଣ ବା ଅଳଙ୍କାର, ୧୧-ଚନ୍ଦନ, ୧୨-କେଶ, ୧୩- ରାତ୍ରି ।
୩ ୟ ପଦରେ-
୧୪- କନ୍ଦର୍ପ, ୧୫-ଧନୁ, ୧୬-କୁସୁମ, ୧୭- ସୁକାନ୍ତି ବା ସୁଶୋଭା ୧୮- ଖଞ୍ଜନ(କଜ୍ଜ୍ଵଳପାତି ବା ଗୁହୁକାଳିକା=ଛୋଟ ଛୋଟ ଚଳ ଚଞ୍ଚଳ ଆଖି ଯେଉଁ ପକ୍ଷୀର) ।
ଚତୁର୍ଥ ପଦରେ-
୧୯- ମେଘ, ୨୦- ବସୁଧା, ୨୧- କଠିନ, ୨୨- ଶଙ୍ଖ, ୨୩=ବିଘ୍ନ ।
ଟୀକାକାର:
ଗାୟକ ଶ୍ରୀ ଶରତ ଚନ୍ଦ୍ର ଦାଶ
ରଇଁଶୋଲ, ପିପିଲି, ପୁରୀ, ଓଡ଼ିଶା
ପିନ୍- ୭୫୨୧୦୪
ଯୋଗାଯୋଗ:- ୯୮୬୧୪୭୦୫୦୫
୮୭୬୩୩୩୧୦୩୭
"୦"ଘୋଷାପଦ
ହେ ଲିଙ୍ଗରାଜ ! ତୁମ ପଦରେ ଶରଣ ଗଲି ।ହେ (ଭବଭଙ୍ଗ= ସଂସାରଧ୍ଵଂସ) ପ୍ରଳୟର ମୂର୍ତ୍ତି ମୋତେ ତାରଣ କର ।।୦।।
୧ ମ ପଦ
(ସାରଙ୍ଗମଉଳି) ଚନ୍ଦ୍ରଶେଖର (କରରେ) ହାତରେ (ସାରଙ୍ଗଧାରଣ) ମୃଗ ଧରିଛ । (ଶାରଙ୍ଗଧର) ଶାରଙ୍ଗ-ଧନୁଧାରୀ ବିଷ୍ଣୁଙ୍କଦ୍ଵାରା ବନ୍ଦିତ (ସାରଙ୍ଗ) ପଦ୍ମପାଦ । (ସାରଙ୍ଗ) ହାତୀ(କୃତ୍ତି) ଚର୍ମ (ବାସ) ବସ୍ତ୍ରଧାରୀ (ସାରଙ୍ଗ) କର୍ପୂର ଭଳି ଅଙ୍ଗ (ଭାସ)ତେଜ । (ସାରଙ୍ଗ) ସିଂହବାହିନୀଙ୍କି ବାମାଙ୍ଗରେ ବହନ କରି ଆପଣ ସନ୍ତୋଷ । (ସାରଙ୍ଗ) ବାସଭବନ ଭାବରେ ଶମଶାନକୁ ବରଣ କଲ ।।୧।।
୨ ୟ ପଦ
(ସାରଙ୍ଗଭକ୍ଷ- ମୟୂର ଯାହାକୁ ଭକ୍ଷଣ କରେ) ସର୍ପକୁ କଣ୍ଠର (ସାରଙ୍ଗ) ଆଭରଣ ବା ଅଳଙ୍କାରକଲ । ଅଙ୍ଗରେ ବିଭୂତି ଓ ଲିଙ୍ଗରେ (ସାରଙ୍ଗ) ଚନ୍ଦନ ଲେପିତ । ଶିରରେ ପିଙ୍ଗଳ (ସାରଙ୍ଗ) କେଶ, ତା ମଧ୍ୟରେ ଗଙ୍ଗାର ତରଙ୍ଗ । (ସାରଙ୍ଗେ) ରାତ୍ରିରେ ଶ୍ମଶାନରେ ଆପଣ ଡ଼ମ୍ବରୁ ତାଳରେ ଚରଣଚାଳି ତାଣ୍ଡବରଙ୍ଗ ରଚନ୍ତି ।।୨।
୩ ୟ ପଦ
(ସାରଙ୍ଗ) କନ୍ଦର୍ପ ଦିନେ ହାତରେ (ସାରଙ୍ଗ) ଧନୁ ଧରି (ସାରଙ୍ଗବାଣ) ପୁଷ୍ପବାଣ ଶ୍ରୀଅଙ୍ଗରେ ପ୍ରୟୋଗ କଲା । ଆପଣଙ୍କ ସର୍ବାଙ୍ଗ କମ୍ପିଗଲା, କ୍ରୋଧାନଳରେ ନେତ୍ରରଙ୍ଗ
ହୋଇଗଲା ।( ସାରଙ୍ଗଵହ) ସୁକାନ୍ତିକୁ ବହନ କରୁଥିବା ଦେହ ଦାହ ହେବାରୁ ସେ (ଅନଙ୍ଗ) ଅଙ୍ଗ ହୀନ ହୋଇଗଲା । ରତିର (ସାରଙ୍ଗ) ଖଞ୍ଜନ ନେତ୍ରରୁ ଅଶ୍ରୁ କ୍ଷରଣ ହେଲା ।।୩।।
୪ ର୍ଥ ପଦ
(ସାରଙ୍ଗରେ) ବସୁଧାରେ ଯେଉଁ ନର (ସାରଙ୍ଗବାହନ) ମେଘବାହନ ଅର୍ଥାତ୍ ଇନ୍ଦ୍ରଙ୍କ ପଦକୁ ଧିକ୍କାର ବା ତୁଚ୍ଛ ମନେ କରି ତୁମ ନାମକୁ ଧରେ, ତାର (ସାରଙ୍ଗ) କଠିନ ଦୁଃଖ ଅବଶ୍ୟ ନାଶ ହୁଅଇ । ସଂସାରରେ ଆପଣଙ୍କର (ସାରଙ୍ଗ) ଶଙ୍ଖନିନ୍ଦିତ ଯଶପ୍ରକାଶିତ । ଆପଣ ରମାକାନ୍ତର (ସାରଙ୍ଗ) ବିଘ୍ନ ବିନାଶ କରନ୍ତୁ ।।୪।।