ସାବଧାନ
ରଚନା- ଲକ୍ଷ୍ମୀଧର ପଣ୍ଡାଶର୍ମା
କଣ୍ଟକିତ ଏହି ସମାଜ
ଖଣ୍ଟ ବୁଲନ୍ତି ଯେତେ
ଖାଣ୍ଟି ସାଧୁପଣ ଦେଖାଇ
ତଣ୍ଟି କାଟନ୍ତି କେତେ ।
ଆଡମ୍ବର ପୂର୍ଣ୍ଣ ପୋଷାକ
ବଡ ଭାଷଣ ଦେଇ
ଗୋଡକୁ ଭିଡନ୍ତି ଡରରେ
ଜଡ ଉପାଧି ନେଇ ।
ପୋହଳାଏଣ୍ଡୁଅ ଯେତେକ
ଦେହ ରଙ୍ଗ ବଦଳେ
ବହଳିଆ ମୁହାଁ ବେହିଆ
ବହପିଆଙ୍କ ଦଳେ ।
ତୋଷାମଦିଆଙ୍କ ମେଳରେ
ନିଶାପିଆ ବସନ୍ତି
ପେଷାରେ ପରଘର ଭାଙ୍ଗି
ଖାସା ଭାଷା ଭାଷନ୍ତି ।
ହସ ପରିପୂର୍ଣ୍ଣ ବଦନ
ବିଷ ହୃଦୟ ମନ
ଅସରନ୍ତି ଆଶା ବାଟନ୍ତି
ତୂଷ ବହ୍ନି ଯେସନ ।
କାମ ସରିଗଲେ ଭୁଳନ୍ତି
ନାମ ଗୋତ୍ର ଠିକଣା
ହୋମ ବେଳେ ଘୃତ ଆହୁତି
ଧୂମ ମୁଖରେ ପଣା ।
ଧରମ ଛଡାଙ୍କ ମୁହଁରେ
ଶରମ ଟିକେ ନାହିଁ
କରମଦଶାକୁ ଭୋଗିବା
ମରମ କଥା ଭାଇ ।
ଚକାଆଖି ସବୁ ଦେଖୁଛି
ତକାଇ କାମକର
ଡକା ପକାଉଛି ଲକ୍ଷିଆ
ଧିକ୍କାର ନ ଆଦର ।