କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା, ଜଟଣୀ
ରସିକେ ବାରେ ଶୁଣ,
ବାଳାଠାରେ ଅଛି ଚୋରଣୀ ଗୁଣ ।
ମୀନ ଖଞ୍ଜନକୁ ନୟନେ ରଖିଛି
ଅଧରେ ମନ୍ଦାର ରାଗକୁ ପୁଣ ।।୦।।
ରସାଳ ଶ୍ରୀଫଳ ଜମ୍ବୁ ସହିତରେ
ବକ୍ଷରେ ରଖିଛି କରି ଯତନ ।
କରେ ପଦ୍ମ ବାହେ- ପଦ୍ମନାଳ ହସେ-
କୁମୁଦ ଭୂରୁରେ ମାର ମାର୍ଗଣ ।।୧।।
କାନ୍ତିରେ ତାରକା- ରଖି ମୁଖେ ମଧୁ
କେଶରେ ଆକାଶ ନୀଳିମା ଜାଣ ।
ପଶୁପତି ପଶୁ- ପତି ବାଦ୍ୟଠାରୁ
କଟୀ କ୍ଷୀଣତାକୁ କଲା ଧାରଣ।।୨।।
ଦଶନେ ଦାଡିମ- ବୀଜ କୁନ୍ଦକଢ଼ି
ହିରକ କଣିକା ରଖି ପରାଣ-
ହରଇ ପୁରୁଷ- କୁଳର ଗଜହୁଁ
ଯତିମତି ଭୂଲା ଝୁଲାଗମନ ।।୩।।
ଚୋରଣୀକି ଦଣ୍ଡ- ଦିଅନ୍ତା ପ୍ରଚଣ୍ଡ
ଚିନ୍ତେ ସଦା ରମାକାନ୍ତର ମନ ।
ଦନ୍ତକୁନ୍ତ ଦଶା- ଙ୍ଗୁଳିଯଷ୍ଟିଘାତେ
ଉଚିତ ତା ମୁଖ ବକ୍ଷ ତାଡ଼ନ ।।୪।।
କେତେକ ଶବ୍ଦର ଅର୍ଥ:
ଖଞ୍ଜନ=କଜ୍ଜଳପାତି ।। ରସାଳ= ଆମ୍ବ ।। ଶ୍ରୀଫଳ=ବେଲ ।। ଜମ୍ବୁ=ଜାମୁକୋଳି ।। କୁମୁଦ=କଇଁ ।। ପଶୁପତି=ସିଂହ ।। ପଶୁପତି(ଶିବ) ବାଦ୍ୟ= ଡମ୍ବରୁ ।।