(ବାର ରାଶି ମାଳିକା)
କବି: ଗାୟକ ବିଦ୍ୟାଭୂଷଣ ଶ୍ରୀଯୁକ୍ତ ରମାକାନ୍ତ ମିଶ୍ରଶର୍ମ୍ମା
କେଉଁ ରସବତୀ ରୂପ,
ଚାହିଁ ମୋହି ନୋହିବରେ ।
ମାର ଶରେ ହୋଇ ଘାରି
ଧଇର୍ଯ୍ୟ ନ ରହିବରେ ।୦।
ଏକ ବାହନ ଦୀପତି,
ଦୁଇ ପତି ପଦେ ମତି ।
ରଖି ତିନି ରସେ ଚାରି-
ପଦ ଦଶା ଦହିବରେ ।୧।
ପାଞ୍ଚ ଏ ପୁରୁଷେ ସିନା,
ଛଅ କେ ଲଭିବ ଧନ୍ୟା ।
ସାତ ନାହିଁ ରୂପ ଚାହିଁ
ଆଠ ଜ୍ଵାଳା ସହିବରେ ।୨।
ନଅକୁ ଧରିଣ କର,
ଦଶକେତୁ ବାର ବାର ।
ପୀଡ଼ା ଦେବତ ଅପାର
ପରାଣ ନ ରହିବରେ ।୩।
କାହା ଏଗାର ଉରଜ,
ଉପରେ ଦେବ କରଜ ।
ଏ ଶୋଭା ବଡ଼ଶୀ ଗୋରୀ
ମନବାର ଧରିବରେ ।୪।
ଗୀତେ କହେ ରମାକାନ୍ତ,
ଏ ବାର ରାଶିରେ ଅର୍ଥ ।
ସଧୀରେ ବୁଝ ପଣ୍ଡିତ
ତେବେ ଧନ୍ୟ ହୋଇବରେ ।୪।
------++++-----
ଅନୁବାଦ
କବିଙ୍କ ଚରଣାଶ୍ରିତ ଶିଷ୍ୟ
ଗାୟକ ଶ୍ରୀ ଶରତ ଚନ୍ଦ୍ର ଦାଶ
ରଇଁଶୋଲ,ପିପିଲି,ପୁରୀ,୭୫୨୧୦୪
ଯୋଗାଯୋଗ- ୯୮୬୧୪୭୦୫୦୫
୮୭୬୩୩୩୧୦୩୭
ବାରରାଶି ନାମ:-
ମେଷ ବୃଷ ମିଥୁନ କର୍କଟ
ସିଂହାଃ କନ୍ୟା ତୁଳାଥ ବୃଶ୍ଚିକ
ଧନୁରଥ ମକରଶ୍ଚ କୁମ୍ଭୋ
ମୀନ ଇତି ଦ୍ଵାଦଶ ରାଶୟଃ ।।
ଅର୍ଥ:- ୧- ମେଷ,୨- ବୃଷ,୩- ମିଥୁନ ୪-କର୍କଟ,୫- ସିଂହ,୬- କନ୍ୟା,୭- ତୁଳା,୮- ବିଛା,୯- ଧନୁ,୧୦- ମକର, ୧୧- କୁମ୍ଭ,୧୨- ମୀନ । ଏମାନେ ବାର ରାଶି ଅଟନ୍ତି ।
"୦"ଘୋଷା ପଦ-
କେଉଁ (ରସବତୀ) ରସିକା ଏ ରୂପ ଚାହିଁ ମୋହିହେବନାହିଁ । (ମାରଶରେ) କନ୍ଦର୍ପଶରରେ ଘାରିହୋଇ ଧୈର୍ଯ୍ୟ ନ ହରାଇବ ? ।।୦।।
୧ ମ ପଦ
(ଏକବାହନ- ମେଷ ବାହନ) ଅଗ୍ନିଙ୍କ ପରି ଯାହାଙ୍କ (ଦୀପତି- ଦୀପ୍ତି)ତେଜ । (ଦୁଇ ପତି=ବୃଷପତି) ଶିବଙ୍କପାଦରେ (ମତି) ମନରଖି (ତିନିରସେ=ମିଥୁନ- ରସେ) ମୈଥୁନରେ ମାତି (ଚାରିପଦ- କଙ୍କଡ଼ା ପାଦ) କାମଦଶଦଶା (ଦହିବ) ପୋଡିଦେବ ।।୧।।
୨ ୟ ପଦ
{(ପାଞ୍ଚ) ସିଂହ ଏ ପୁରୁଷେ ସିନା} ଏ ସିନା ପୁରୁଷସିଂହ ଅଟନ୍ତି । { (ଛଅ) କନ୍ୟାକେ ଲଭିବ ଧନ୍ୟା} ଯେଉଁ କନ୍ୟା ଏହାଙ୍କୁ ଲଭିବ, ସେ ଧନ୍ୟା ହୋଇଯିବ। (ସାତନାହିଁ=ତୁଳା ନାହିଁ) ଏହାଙ୍କ ରୂପକୁ କେହି ସମାନ ନାହିଁ । (ଆଠ=ବିଛା) ଏ ରୂପ ଦେଖିଲେ ଏହାଙ୍କୁ ନପାଇ ବିଛାର ଜ୍ଵାଳା ଭଳି ଜ୍ଵାଳା ସହିବାକୁ ପଡ଼ିବ ।।୨।।
୩ ୟ ପଦ
(ନଅକୁ) ଧନୁକୁ ହାତରେ ଧରି (ଦଶ-କେତୁ=ମକର କେତୁ) କନ୍ଦର୍ପ ବାର ବାର ପୀଡ଼ା ଦେବ, ତାହାଦ୍ୱାରା ପ୍ରାଣ ରହିବ ନାହିଁ ।।୩।।
୪ ର୍ଥ ପଦ
କାହା (ଏଗାର ଉରଜ) କୁମ୍ଭ ସ୍ତନ ଉପରେ (କରଜ) ନଖ କ୍ଷତ ଦେବ ? ଏ ଶୋଭାରୂପକ (ବଡଶୀ) ବନିଶୀରେ କେଉଁ ଗୋରୀର (ମନବାର) ମନରୂପ ମୀନକୁ ଧରିବ ? ।।୪।।
୫ ମ ପଦ
ବାର ରାଶିରେ ଅର୍ଥ ପ୍ରକାଶ ପାଉଥିବା ଏ ଗୀତକୁ ରମାକାନ୍ତ କହିଛି । ହେ ପଣ୍ଡିତେ ଧୀର ସହିତରେ ବୁଝ, ତାହାହେଲେ ଧନ୍ୟ ହୋଇଯିବ ।।୫।।
ପୁରୁଷକୁଦେଖି ରସିକାର ଭାବନା
(ଯୋଗ ମାଳିକା)
କବି: ଗାୟକ ବିଦ୍ୟାଭୂଷଣ ଶ୍ରୀଯୁକ୍ତ ରମାକାନ୍ତ ମିଶ୍ରଶର୍ମ୍ମା
କାମବାମ ରୂପଚାହିଁ,
କାମବାମ ହୋଇଲାରେ ।
ବାମଦେବ ବାମନେତ୍ରୀ
କୃପା କାହିଁ ନୋହିଲାରେ ।୦।
ଏକ ଭକ୍ଷିବିରେସଖି,
ଦୁଇ ଯେବେ ନୁହେଁ ଚାଖି ।
ତିନି ଚାରିରେ ମୋ ଥିଲେ
ପାଞ୍ଚ ପାଞ୍ଚ ହୋଇଲାରେ ।୧।
ବିହିକି ଛଅ ହୋଇବ,
ସାତପଣ ହଜାଇବ ।
ଆଠ ହଜେ ନଅ ଘାତେ
ଦଶ ରସେ ଧୋଇଲାରେ ।୨।
ଏଗାର ହେଲାଣି ବ୍ୟଥା,
ବାର ସଖିରେ ଏ କଥା ।
ତେର ନାଶେ ଚଉଦକୁ
ପନ୍ଦର ଶିରେ ହେଲାରେ ।୩।
ଷୋଳ ଯିବା ହେଲା ମୂଳ,
ସତର ହୋଇଲା କାଳ ।
ଅଠର କି ହେବ ମୋର
ଉଣିଶେ ଯା ମାରିଲାରେ ।୪।
କୋଡି ବିନା ଏକୋଇଶ,
ଅଛି କାହାର ବାଇଶ ।
କାର୍ଯ୍ୟେ ତେଇଶେ ଚବିଶେ
ଦୃଷ୍ଟି ଫେଇବ ହେଲାରେ ।୫।
ପଚିଶ ଛବିଶ ପଦ,
ସଖିରେ କରନ୍ତି ରଦ ।
ରମାକାନ୍ତ କହେ ସତା-
ଇଶ ନୁହଁ ଛଇଳାରେ ।।୬।।
ଅନୁବାଦ
କବିଙ୍କ ଚରଣାଶ୍ରିତ ଶିଷ୍ୟ
ଗାୟକ ଶ୍ରୀ ଶରତ ଚନ୍ଦ୍ର ଦାଶ
ରଇଁଶୋଲ, ପିପିଲି,ପୁରୀ
ପିନ୍- ୭୫୨୧୦୪
ଯୋଗାଯୋଗ- ୯୮୬୧୪୭୦୫୦୫
୮୭୬୩୩୩୧୦୩୭
ସତାଇଶ ଯୋଗ ନାମ:-
ବିଷ୍କୁମ୍ଭଃ ପ୍ରୀତିରାୟୁଷ୍ମାନ୍
ସୌଭାଗ୍ୟ°ଶୋଭନସ୍ତଥା
ଅତିଗଣ୍ଡଃ ସୁକର୍ମା ଚ
ଧୃତିଃ ଶୂଳ°ତଥୈଵ ଚ ।
ଗଣ୍ଡୋ ବୃଦ୍ଧିର୍ଧ୍ରୁବଶ୍ଚୈବ
ବ୍ୟାଘାତୋ ହର୍ଷଣସ୍ତଥା
ବଜ୍ରଃ ସିଦ୍ଧିର୍ବ୍ୟତିପାତୋ
ବରୀୟାନ୍ ପରିଘଃ ଶିଵଃ ।
ସିଦ୍ଧଃ ସାଧ୍ୟଃ ଶୁଭଃ ଶୁକ୍ଲୋ
ବ୍ରହ୍ମେନ୍ଦ୍ରୌ ଵୈଧୃତିସ୍ତଥା ।।
ଅର୍ଥ:
୧- ବିଷ୍କୁମ୍ଭ, ୨- ପ୍ରୀତି, ୩- ଆୟୁଷ୍ମାନ୍,
୪- ସୌଭାଗ୍ୟ, ୫-ଶୋଭନ, ୬- ଅତିଗଣ୍ଡ,
୭- ସୁକର୍ମା, ୮- ଧୃତି, ୯- ଶୂଳ, ୧୦- ଗଣ୍ଡ,
୧୧-ବୃଦ୍ଧି, ୧୨- ଧ୍ରୁବ, ୧୩- ବ୍ୟାଘାତ,
୧୪-ହର୍ଷଣ, ୧୫- ବଜ୍ର, ୧୬- ସିଦ୍ଧି,
୧୭-ବ୍ୟତିପାତ, ୧୮- ବରୀୟାନ୍,
୧୯- ପରିଘ, ୨୦-ଶିବ, ୨୧-ସିଦ୍ଧ, ୨୨-ସାଧ୍ୟ
୨୩-ଶୁଭ, ୨୪-ଶୁକ୍ଳ, ୨୫-ବ୍ରହ୍ମ, ୨୬-ଇନ୍ଦ୍ର,
୨୭- ବୈଧୃତି ।
ଏହା ସତାଇଶ ଯୋଗ ନାମ ଅଟେ ।
"୦"ଘୋଷାପଦ
{କାମ(କନ୍ଦର୍ପ)+ବାମ(ଲାବଣମୟ)}
କାମଲାବଣ୍ୟରୂପକୁ ଦେଖି (କାମ) କନ୍ଦର୍ପ (ବାମ) ଶତ୍ରୁ ହେଲା। କାହିଁକି
(ବାମଦେବ)ଶିବ(ବାମନେତ୍ରୀ)ପତ୍ନୀ}
ପାର୍ବତୀଙ୍କର କୃପା ହେଲା ନାହିଁ? ।୦।
୧ମ ପଦ
ହେସଖି! ଏ ପୁରୁଷ ସହିତ ଯେବେ (ଦୁଇରେ ଯୋଗ- ପ୍ରୀତି) ପ୍ରୀତି କରି ନ ପାରିଲେ, (ଏକ ଭକ୍ଷିବି) ଏକରେ ଯୋଗ ବିଷ୍କୁମ୍ଭ ଅର୍ଥାତ୍ କୁମ୍ଭେ ବିଷ ପିଇ ପ୍ରାଣ ହାରିବି। (ତିନି ଯୋଗ- ଆୟୁଷ୍ମାନ୍, ଚାରି ଯୋଗ- ସୌଭାଗ୍ୟ,
ପାଞ୍ଚ ଯୋଗ- ଶୋଭନ, ପାଞ୍ଚ- ବିଚାର) ମାେ ସୌଭାଗ୍ୟରେ ଏ ଆୟୁଷ୍ମାନ୍ ଥିଲେ, ମୋର (ପାଞ୍ଚ) ବିଚାର (ପାଞ୍ଚ) ଶୋଭନ ହେବ। ।୧।
୨ୟ ପଦ
{(ଛଅ ଯୋଗ- ଅତିଗଣ୍ଡ,ସାତଯୋଗ- ସୁକର୍ମା)} (ବିହିକି)ବିଧାତା କ'ଣ ତାର ସୁକର୍ମା ପଣକୁହଜାଇ (ଅତିଗଣ୍ଡ) ବଡ଼ ମୂର୍ଖ ହୋଇଯିବ ? (ଆଠଯୋଗ-ଧୃତି, ଅ ଯୋଗ- ଶୂଳ) ଶୂଳ ଆଘାତରେ ଧର୍ଯ୍ୟ ଉଡିଯିବ । (ଦଶ ରସେ) (ଦଶ ରେ ଯୋଗ- ଗଣ୍ଡ) (ରସେ- ଜଳେ) ଏଦୁଃଖରେ ମୋ ଆଖିରୁ ଲୁହ ଜଳ ଝରିଗଣ୍ଡ ଦେଶକୁ ଧୋଇଦେଲାଣି ।।୨।।
୩ୟ ପଦ
(ଏଗାର ଯୋଗ- ବୃଦ୍ଧି, ବାର ଯୋଗ- ଧ୍ରୁବ) ହେ ସଖି ! ମୋର ବ୍ୟଥା ବୃଦ୍ଧି ହେଲାଣି । ଏ କଥା (ଧ୍ରୁବ) ସତ୍ୟ ଅଟେ । (ତେର ଯୋଗେ- ବ୍ୟାଘାତ, ଚଉଦ ଯୋଗ- ହର୍ଷଣ, ପନ୍ଦରଯୋଗ-ବଜ୍ର) ମୋ ହର୍ଷତାରେ ଅର୍ଥାତ୍ ସୁଖରେ ବ୍ୟାଘାତ ହେଲାଣି, ମୋ ଶିରରେ ବଜ୍ର- ପାତ ହେଲା ।।୩।।
୪ୟ ପଦ
(ଷୋଳ ଯୋଗ- ସିଦ୍ଧି,ସତର ଯୋଗ- ବ୍ୟତିପାତ, ଅଠରଯୋଗ-ବରୀୟାନ୍, ଊଣେଇଶ ଯୋଗ- ପରିଘ) ମୋର ମୂଳକାର୍ଯ୍ୟ ସିଦ୍ଧିହେବାରେ କାଳର (ବ୍ୟତିପାତ) ଦୀର୍ଘତା ହେଉଛି, ଅର୍ଥାତ୍ ଅଳ୍ପ ସମୟ ଦୀର୍ଘତା ଭଳି ଜଣା ଯାଉଛି କିନ୍ତୁ ମୂଳ କାର୍ଯ୍ୟ ସିଦ୍ଧି ହେଉନାହିଁ । ଏ (ବରିୟାନ୍) ବରିଷ୍ଠ କ'ଣ ମୋର ନିଜର ହେବେ । ଏହା (ପରିଘ ଆଘାତ) ଯନ୍ତ୍ରଣା ଦାୟକ ହେଲାଣି ।।୪।।
୫ମ ପଦ
(କୋଡି ଯୋଗ- ଶିବ, ଏକୋଇଶ ଯୋଗ- ସିଦ୍ଧ, ବାଇଶ ଯୋଗ- ସାଧ୍ୟ, ତେଇଶ ଯୋଗ- ଶୁଭ,ଚବିଶ ଯୋଗ-ଶୁକ୍ଳ) ଶିବସେବା ବିନା ଏ କାର୍ଯ୍ୟସିଦ୍ଧ କରିବା ସାଧ୍ୟ ହେବନାହିଁ । ଏହି ଶୁଭ- କାର୍ଯ୍ୟ (ଶୁକ୍ଳ) ପରିଷ୍କାର ହେବା ଦେଖାଗଲା ।।୫।।
୬ଷ୍ଠ ପଦ
(ପଚିଶ ଯୋଗ- ବ୍ରହ୍ମ, ଛବିଶ ଯୋଗ- ଇନ୍ଦ୍ର, ସତାଇଶ ଯୋଗ- ଵୈଧୃତି) ଯଦି ଏହା ହୋଇଯାନ୍ତା ଅର୍ଥାତ୍ ଏ ପୁରୁଷକୁ ପାଇବାରେ ସଫଳତା ମିଳନ୍ତା । ବ୍ରହ୍ମା ଓ ଇନ୍ଦ୍ର ପଦକୁ ମୁଁ ରଦ କରିଦିଅନ୍ତି । ରମାକାନ୍ତ କହୁଛି ହେ ଛଇଳା ! ଧୈର୍ଯ୍ୟହରା ହୁଅନାହିଁ ।।୬।।