(ତେର ଜିଲ୍ଲା ମାଳିକା)
କବି: ଗାୟକ ବିଦ୍ୟାଭୂଷଣ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ରମାକାନ୍ତ ମିଶ୍ରଶର୍ମ୍ମା, ଜଟଣୀ, ଖୋର୍ଦ୍ଧା
ପୂରିଛି ରୂପେ ପୀୟୂଷ,
କଟକ ମୋହନ ପୁଂସ ।
ନାସା ତଳେ କି ସୁନ୍ଦର
ପରଜାପତିଆ ନିଶ ।୦।
ରୂପ ଦେଖି ବାଳେଶ୍ୱର,
ପୂଜା କରିବେ ଈଶ୍ଵର ।
କୁଞ୍ଚିତ ତା କଳାହାଣ୍ଡି
ମୟୂର- ଭଞ୍ଜନ କେଶ ।୧।
କେଉଁ- ଝରଣାର ବାରି,
ଢାଳିଲେ ପିନାକଧାରୀ ।
ତା ଅଙ୍କ ସୁନ୍ଦର- ଗଡ଼
ରାଣୀକୁ ଦେବେ ଆଦେଶ ।୨।
ସମ୍ବଳ- ପୁରେ ନଥାଉ,
ଫୁଲ- ବାଣୀଶରେ ଦେଉ ।
କୋରାପୁଟ ପୂଜୁ ଯାହା
କରିବେ କମଳା ଈଶ ।୩।
ଗଞ୍ଜା- ମରାଇ କାଳୀ କି,
ପୂଜିବା ଭାଷେ ଆଳୀକି ।
ଢେଙ୍କାନା- ଲଗାଇ କାମ
ଜୀବନ କଲାଣି ଶେଷ ।୪।
ଶୋଭାରେ କେ- ବଳାଙ୍ଗୀର,
ବଳି ନଯିବ ଅନ୍ତର ।
କଳି ତେର ଜିଲ୍ଲା ରମା-
କାନ୍ତ ରଚେ ଗୀତ ରସ ।୫।
ବିଶେଷ ଦ୍ରଷ୍ଟବ୍ୟ:
୧୯୮୫ ମସିହା ମୋ ପାଲା ଶିକ୍ଷାର ଦ୍ୱିତୀୟ ବର୍ଷ । ମୋ ପୂଜ୍ୟ ଗୁରୁଙ୍କୁ ପୁରୁଷ ବର୍ଣ୍ଣନା ଚତୁଷ୍ପଦୀ ମାଗନ୍ତେ, ସେତେବେଳେ ତେର ଜିଲ୍ଲା ଥିବାରୁ ଏହି ତେର ଜିଲ୍ଲା ମାଳିକା ପୁରୁଷ ବର୍ଣ୍ଣନା ମୋତେ ଦେଇଥିଲେ । -ଗାୟକ ଶ୍ରୀ ଶରତ ଚନ୍ଦ୍ର ଦାଶ
ତେର ଜିଲ୍ଲା ନାମ- ୧- ପୁରୀ, ୨- କଟକ, ୩- ବାଲେଶ୍ଵର ୪- କଳାହାଣ୍ଡି, ୫- ମୟୂରଭଞ୍ଜ, ୬-କେଉଁଝର, ୭- ସୁନ୍ଦରଗଡ଼, ୮-ସମ୍ବଲପୁର, ୯-ଫୁଲବାଣୀ, ୧୦- କୋରାପୁଟ, ୧୧- ଗଞ୍ଜାମ, ୧୨- ଢେଙ୍କାନାଳ, ୧୩- ବଲାଙ୍ଗୀର ।
କେତେକ ଶବ୍ଦର ଅର୍ଥ:-
ପୀୟୂଷ-ଅମୃତ । କଟକ-ଭୁବନ, ପୁରୀ ।
(ବାଳା+ଈଶ୍ଵର (ଶ୍ରେଷ୍ଠ)=ବାଳେଶ୍ୱର) - ଶ୍ରେଷ୍ଠବାଳା ।
ପିନାକ ଧାରୀ- ଶିବ
ସମ୍ବଳ= ଧନ ସମ୍ପତ୍ତି ।
(ବାଣୀଶରେ=ବାଣୀ (ସରସ୍ଵତୀ)+ ଈଶ (ସ୍ଵାମୀ) ରେ)- ନାରାୟଣଙ୍କ ଠାରେ ।
କୋରାପୁଟ (କୋରା+ପୁଟ (ପୁଡା)= କୋରା ପୁଡିଆ ।
ଢେଙ୍କାନା- (ଗଡ଼ଜାତ ଶବ୍ଦ- ଟେକା, ଢେଙ୍କଣା , ଢେଲା )।।
ବଳାଙ୍ଗୀ(ବଳିଲା ବଳିଲା ଅଙ୍ଗ ଯେଉଁ ନାରୀର ତାକୁ ବଳାଙ୍ଗୀ କୁହାଯାଏ ।)
ସଟୀକ ଅନୁବାଦ
ଅନୁବାଦକ:
ଗାୟକ ଶ୍ରୀ ଶରତ ଚନ୍ଦ୍ର ଦାଶ
ରଇଁଶୋଲ, ପିପିଲି, ପୁରୀ
ପିନ୍- ୭୫୨୧୦୪
ଯୋଗାଯୋଗ- ୯୮୬୧୪୭୦୫୦୫
୮୭୬୩୩୩୧୦୩୭
।।"୦"ଘୋଷା ପଦ।।
ଅର୍ଥ- ରୂପରେ (ପୀୟୂଷ) ଅମୃତ ପୂରିଛି, ଅର୍ଥାତ୍ ଲାବଣ୍ୟରୂପ।(କଟକ) ଭୁବନ ବା ପୁରର ମୋହନ ଏ ପୁରୁଷ ଅଟନ୍ତି । ନାସାତଳେ ସୁନ୍ଦର ପରଜାପତିଆନିଶ ।।୦।।
।। ୧ମ ପଦ ।।
ଅର୍ଥ- (ବାଳା+ଈଶ୍ଵର(ଶ୍ରେଷ୍ଠ)=ବାଳେଶ୍ୱର) ଶ୍ରେଷ୍ଠାବାଳା ଏରୂପ ଦେଖି ଈଶ୍ୱରଙ୍କୁ ପୂଜିବେ । କଳାହାଣ୍ଡି ଭଳି ମୟୂର ଗର୍ବ (ଭଞ୍ଜନ) ଗଞ୍ଜନ କୁଞ୍ଚିତ କେଶ ।।୧।।
।। ୨ୟ ପଦ ।।
ଅର୍ଥ- କେଉଁ ଝରଣାର (ବାରି)ଜଳ ଢାଳିଲେ (ପିନାକଧାରୀ) ଶିବ (ତା) ପୁରୁଷର (ଅଙ୍କ) କୋଳ ରୂପ ସୁନ୍ଦର ଗଡରେ ରାଣୀ ହେବାକୁ ଆଦେଶ ଦେବେ ।୨।
।। ୩ୟ ପଦ ।।
ଅର୍ଥ- (ସମ୍ବଳପୁରେ) ପୁରେ (ସମ୍ବଳ) ଧନ-ସମ୍ପତି ନଥାଉ(ବାଣୀ)ସରସ୍ଵତୀ ଈଶ ନାରାୟଣଙ୍କଠାରେ ଫୁଲ ଓ କୋରା-ପୁଡିଆ ଦେଇ ପୂଜିଲେ(କମଳା ଈଶ) ନାରାୟଣ ଯାହା କରିବେ ।।୩।।
।। ୪ର୍ଥ ପଦ।।
ଅର୍ଥ- (ଆଳିକି) ସଖିକି କହେ ଗଞ୍ଜା ମାରି କାଳୀଙ୍କୁ ପୂଜିବି । କାମ (କନ୍ଦର୍ପ) (ଢେଙ୍କାନା) ଢେଲା ପକାଇ ମୋ ଜୀବନ ଶେଷ କଲାଣି ।।୪।।
।। ୫ମ ପଦ ।।
ଅର୍ଥ- କେଉଁ ବଳାଙ୍ଗୀ(ସୁନ୍ଦରୀ) ର ଅନ୍ତର ଏ ଶୋଭାରେ ବଳି ନଯିବ ? ତେର ଜିଲ୍ଲା କଳନାକରି ରମାକାନ୍ତ ଗୀତ-ରସ ରଚିଛି ।।୫।।