ରଚନା- ଲକ୍ଷ୍ମୀଧର ପଣ୍ଡାଶର୍ମା (ଗାୟକ ଜ୍ଞାନ ଗୌରବ)
ସା-କରଡାପଲ୍ଲୀ, ପୋ-ବାଣିଆ, ଭା-କଳାପଥର, ଜିଲ୍ଲା-କଟକ
ଫୋନ-9937222583, 7381884756
ଧନ୍ୟ ହେ ଈଶ୍ୱର ଜଗତ ତୁମର
ଧନ୍ୟ ତୁମ ଦୟା ଗୁଣ
ଜାତି ଜାତି ଜୀବ ସୃଜିଲ ସୃଷ୍ଟିରେ
ସୁନ୍ଦରିମା ପରିପୂର୍ଣ୍ଣ ।
ପ୍ରକୃତିର ଲୀଳା ବିଚିତ୍ର ବିସ୍ମୟ
ମହତ ଗୁଣ ନିଧାନ
କାର୍ଯ୍ୟ ଗଉରବେମଣ୍ଡିତ ସରବେ
କରନ୍ତି ସୁଖ ବିଧାନ ।
ଜଗତ ପାଳନ ପାଇଁ ମେଘମାଳା
ବୃଷ୍ଟି କରେ ସୁଧା ଧାରା
ବହୁଛି ପବନ ରଖଇ ଜୀବନ
ସ୍ନେହ ମୟ ସୃଷ୍ଟି ସାରା ।
ଉଦ୍ଭିଦ ଜଗତ ଅକୁଣ୍ଠିତ ଚିତ୍ତେ
ପୋଷନ୍ତି ସକଳ ପ୍ରାଣୀ
ନଦନଦୀ ଗିରିକନ୍ଦର ନିର୍ଝର
ଅଳଙ୍କାରେ ଶୋଭାରାଣୀ ।
ଅନନ୍ତ ଗଗନେ ଗ୍ରହ ଉପଗ୍ରହ
ଚନ୍ଦ୍ର ସୂର୍ଯ୍ୟ କୋଟି ତାରା
କର୍ତ୍ତବ୍ୟ ରଜ୍ଜୁରେ ଆବଦ୍ଧ ସରବେ
କର୍ମରତ ଗତିଧାରା ।
ଜଗତ କଲ୍ୟାଣ ପାଇଁ ଏପ୍ରକୃତି
ସତ୍ୟ ଶିବ ସୁନ୍ଦରତା
ମହତ ଗୁଣକୁ ହୋଇ ବିମଣ୍ଡିତ
ସଦାକର୍ମ ତତ୍ପରତା ।
ଜନନୀ ଅଟଇ ସଦା ଦୟାବତୀ
କୁଟିଳ ବିହୀନ ମନ
ଶିଷ୍ଟ ଦୁଷ୍ଟ ନିର୍ବିଶେଷରେ ତା ସ୍ନେହ
ଲାଭରେ ସର୍ବେ ଭାଜନ ।
ମାତ୍ର ଆଜି ମାତା କାନ୍ଦୁଛି ନୀରବେ
ଅଯୋଗ୍ୟ ସନ୍ତାନ ପାଇଁ
ଦୀର୍ଘ ଶ୍ବାସ ଛଳେବତାସ ଆସୁଛି
ହୃଦୟ ସ୍ଥଳ କମ୍ପାଇ ।
ଅଶ୍ରୁଧାରବହି ପୂର୍ଣ୍ଣ ହୁଏ ନଈ
ଚିତ୍କାର ତା ବଜ୍ରନାଦ
ଦାରୁଣ ଆଘାତ ସହି ନପାରଇ
କରୁଥାଏ ପ୍ରତିବାଦ ।
ଏଡ଼େ ଦୟାବତୀ ଜନନୀ ମୋହର ନିର୍ଦ୍ଦୟ ସୁତ ଜନମି
ପରସ୍ପର ଦ୍ବେଷ ବଶରୁବିନାଶ
ପଥେଗମେ ଭ୍ରମି ଭ୍ରମି।।.. ।।