ଗାୟକ'ଶ୍ରୀ' ଦାମୋଦର ଦାଶ
ବାରିକପୁର ବଜାର, ଭଦ୍ରକ
The essay is the riverie, the frame of mind. The essence of which is personal sensation, personal impression evoked by something strange or beautiful or curious or interesting or amusing. - A. C. Benson
The essay is a kind of monologue, a thinking a loud at random, diversified by castle-building in the air, an exercise in direct self-depreciation. - K. R. Srinivas Iyrngar
"କଥାୟା° ସରସବସ୍ତୁ ଗଦ୍ୟୈରେବ ବିନିର୍ମିତମ୍ |" ଗଦ୍ୟର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି କଥନୀୟ ଉକ୍ତି | ବିଶ୍ୱନାଥ କବିରାଜଙ୍କ ସାହିତ୍ୟ ଦର୍ପଣ ମତରେ ଛନ୍ଦ ବିହୀନ ରଚନା ହେଉଛି ଗଦ୍ୟ | 'କାବ୍ୟାଦର୍ଶ'କାର ଦଣ୍ଡୀଙ୍କ ମତରେ ମଧ୍ୟ ପାଦଲକ୍ଷଣ ବିହୀନ ଅର୍ଥାତ ଛନ୍ଦଲକ୍ଷଣ ବିହୀନ ପଦସମୂହ ହେଉଛି ଗଦ୍ୟ | ପଦ୍ୟରେ କଳ୍ପନା ଓ ମଧୁର ମିଥ୍ୟାର ବିଳାସ( ଯଦିଓ କିଛି କବିତା ବାସ୍ତବଧର୍ମୀ, ଭକ୍ତି ଆଧାରିତ ତଥା ସଂସ୍କାରଧର୍ମୀ ) ପ୍ରାଧାନ୍ୟ ଲାଭ କଲାବେଳେ ଗଦ୍ୟରେ ସତ୍ୟ, ତଥ୍ୟ ଓ ତତ୍ତ୍ୱ, ଜୀବନର ବହୁବିଧ ସମସ୍ୟା ଓ ସମାଧାନ, ଜୀବନର ଜିଜ୍ଞାସା ଓ ଯୁକ୍ତି, ଅଭିଜ୍ଞତା ଓ ଅନୁଭୂତି ପ୍ରାଧାନ୍ୟ ଲାଭ କରିଥାଏ | ବୋଧହୁଏ ଏହି କାରଣରୁ ଦିନେ ଆଚାର୍ଯ୍ୟ ବାମନ ମତ ଦେଇଥିଲେ, "ଗଦ୍ୟ କବିନା° ନିକଷ8 ବଦନ୍ତି |" ଗଦ୍ୟ ହେଉଛି ବାସ୍ତବିକ ସାହିତ୍ୟିକ ପ୍ରତିଭାର କଷଟି ପଥର |
ପ୍ରାଚୀନ କାଳରେ ଯେ କୌଣସି କାବ୍ୟକୁ ପ୍ରବନ୍ଧ ନାମରେ ଅଭିହିତ କରାଯାଇ ଥିବାର ଦୃଷ୍ଟାନ୍ତ ସଂସ୍କୃତ ସାହିତ୍ୟରୁ ମିଳେ, କିନ୍ତୁ ଆଜି ତାହା କେବଳ ବିଶିଷ୍ଟ ପ୍ରକାରର ଗଦ୍ୟ ରଚନାକୁ ବୁଝାଉଛି | ବସ୍ତୁତଃ ପ୍ରବନ୍ଧ ଗଦ୍ୟ ସାହିତ୍ୟର ବିଭିନ୍ନ ବିଭାଗ ମଧ୍ୟରୁ ଅନ୍ୟତମ |
ପ୍ରବନ୍ଧର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି ପ୍ରକୃଷ୍ଟ ବନ୍ଧନ | କଳ୍ପନା, ଚିନ୍ତା, ବୋଧଶକ୍ତି ଓ ବୁଦ୍ଧି ସାହାଯ୍ୟରେ ରଚିତ ତଥ୍ୟନିଷ୍ଟ, ଜ୍ଞାନନିଷ୍କାତ, ମନନଧର୍ମୀ, ନାତି ଦୀର୍ଘ ସରସ ଓ ଭାବଗର୍ଭକ ଗଦ୍ୟଶିଳ୍ପ ହେଉଛି ପ୍ରବନ୍ଧ |
ଇଂରାଜୀ ସମାଲୋଚକ Saintsbury ପ୍ରବନ୍ଧ ସାହିତ୍ୟକୁ "A work of prose art" ବୋଲି ମତ ପୋଷଣ କରିଛନ୍ତି | ପ୍ରବନ୍ଧ ସାହିତ୍ୟରେ ଲେଖକର ଭାଷା ବିଷୟାନୁସାରୀ, ଭାବୋଦ୍ଧୀପକ ଓ ମନୋଜ୍ଞ ହେବା ଉଚିତ୍ | ଉତ୍କୃଷ୍ଟ ନିବନ୍ଧରେ ବିଚାରଧାରାରେ ପରସ୍ପର ସଂଗତି ରହିଥାଏ ଓ ପ୍ରତ୍ୟେକ ବିଚାରଧାରା ଏକତ୍ର ହୋଇ ପାଠକକୁ କୌଣସି ଏକ ବିଶିଷ୍ଟ ଭାବନାରେ ଉପନୀତ କରାଇଥାଏ | ନିବନ୍ଧ ଅଧିକ ବିସ୍ତୃତ ନ ହେବା ଉଚିତ୍ ଓ ବସ୍ତୁର ବିବେଚନା ବାସ୍ତବଧର୍ମୀ ହେବା ବିଧେୟ |
ପ୍ରବନ୍ଧକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇ ପାରେ : ବ୍ୟକ୍ତିନିଷ୍ଠ ଓ ବସ୍ତୁନିଷ୍ଠ | ବ୍ୟକ୍ତିନିଷ୍ଠ ପ୍ରବନ୍ଧରେ ଥାଏ ଲେଖକର ଅଭିଜ୍ଞତା, ଅନୁଭୂତି ଓ ପ୍ରାଣର ସ୍ପର୍ଶ, ବସ୍ତୁନିଷ୍ଠ ପ୍ରବନ୍ଧରେ ଥାଏ ତଥ୍ୟାନୁସନ୍ଧିତ୍ସା ଓ ପ୍ରଜ୍ଞାର ବ୍ୟାପ୍ତି | ବିଷୟବସ୍ତୁ ର ସ୍ୱାତନ୍ତ୍ର୍ୟ ଓ ବିଭିନ୍ନତା ଦୃଷ୍ଟିରୁ ବସ୍ତୁନିଷ୍ଠ ପ୍ରବନ୍ଧ ପୁଣି ବିବରଣାତ୍ମକ, ବର୍ଣ୍ଣନାମୂଳକ, ଚିନ୍ତାତ୍ମକ, ତାତ୍ତ୍ୱିକ, ତଥ୍ୟମୂଳକ, ସମ୍ବାଦଧର୍ମୀ ଓ ସମୀକ୍ଷାତ୍ମକ ପ୍ରଭୃତି ଭେଦରେ ବିଭକ୍ତ ହୋଇପାରେ |
ସମାଜରେ ତଥାକଥିତ ଅଶିକ୍ଷିତ ଲୋକଙ୍କର ସଂଖ୍ୟା କମି କମି ଯାଉଛି, ଡିଗ୍ରୀଧାରୀ ଶିକ୍ଷିତ ସଂଖ୍ୟା ବଢିଛି ଓ ବଢୁଛି ମଧ୍ୟ | ଏହା ସତ୍ତ୍ୱେ ସମାଜରେ ସାଧାରଣ ବୋଧଶକ୍ତି ନିମ୍ନଗାମୀ ହେଉଛି କାହିଁକି ? ସାମାନ୍ୟ ଉନ୍ନତ ରୁଚିର ସାହିତ୍ୟ ମଧ୍ୟ ଦୁର୍ବୋଧତା ଦୋଷରେ ଦୁଷ୍ଟ ହେବା ସଙ୍ଗେ ସଙ୍ଗେ ସାଧାରଣରେ ଅନାଦୃତ ଓ ଗଣ ସାହିତ୍ୟ ଭାବରେ ପ୍ରତ୍ୟାଖ୍ୟାତ ହେଉଛି | ଏଥିରେ ବିଚରା କବି ତଥା ପ୍ରାବନ୍ଧିକ ବ୍ୟସ୍ତ ଓ ବିବ୍ରତ ହୋଇ ରଚନାକୁ ଗଣମାନସ ଧର୍ମୀ କରିବା ଲକ୍ଷରେ ପାହାଚେ ପାହାଚେ ତଳକୁ ଖସିବାରେ ଲାଗିଛନ୍ତି | ହେଲେ ସାହିତ୍ୟର ଗତି ଓ ପ୍ରକୃତି କେଉଁଠି ପହଞ୍ଚିଲାଣି ସେ କଥା ବୋଧହୁଏ କହିବାକୁ ପଡିବ ନାହିଁ |
ସମୟ ଏପରି ଅବସ୍ଥାରେ ପହଞ୍ଚିଲାଣି ଭାଷାରୁ ତତସମ ଶବ୍ଦ ଗୁଡିକ ସମ୍ପୂର୍ଣ ବାଦ ଦେବା ଆବଶ୍ୟକ ହେଉଛି | ସମାସ ଧର୍ମୀ ଗଦ୍ୟ ବା ପଦ୍ୟ ରଚନାକୁ ବୁଝୁଛି ବା କିଏ? ବର୍ତ୍ତମାନ ପ୍ରଶ୍ନ ହେଉଛି - ଏହି ସାଧାରଣ ବୋଧଶକ୍ତି ର ହ୍ରାସ ପାଇଁ ଦାୟୀ କିଏ? ସମାଜ? ସାହିତ୍ୟ? ନା ସାହିତ୍ୟିକ? ସମ୍ଭବତଃ ପରିବେଶକୁ ଦାୟୀ କରିବା ଅତି ସହଜ ଏବଂ ତା ତରଫରୁ ମଧ୍ୟ ପ୍ରତିବାଦ ହେବାର ନାହିଁ | ହେଲେ ଆମ ସମସ୍ତଙ୍କର ଏଥିପାଇଁ କିଛି କର୍ତ୍ତବ୍ୟ ଅଛିକି? ଚିନ୍ତାଶୀଳ ବ୍ୟକ୍ତିମାନେ ବିଚାର କରନ୍ତୁ | କେବଳ ଯେନେତେନ ପ୍ରକାରେଣ କହି ଜାଣିବା ବା ଲେଖି ଜାଣିବା ପାଇଁ ଭାଷାର ଆବଶ୍ୟକତାକୁ ସବୁସ୍ତରରୁ ବିରୋଧ କରାଯିବା ଉଚିତ | ଅପରନ୍ତୁ ଶବ୍ଦଜ୍ଞାନ ଓ ବୋଧଜ୍ଞାନର ଉନ୍ନତି ପାଇଁ ପ୍ରୋତ୍ସାହନମୂଳକ ପଦକ୍ଷେପ ବିଭିନ୍ନ ସ୍ତର ରୁ ବିଶେଷତଃ ଶିକ୍ଷିତ, ବିଜ୍ଞ, ପ୍ରାଜ୍ଞ ବ୍ୟକ୍ତିମାନଙ୍କ ତରଫରୁ ଗ୍ରହଣ କରାଯିବ ଉଚିତ | ଏହା ଯେତେ ଶୀଘ୍ର ହେବ ସେତେ ମଙ୍ଗଳ |