Issue Date
6 Jun, 2020
Genres
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମା
ଯତି ମୋହନା, ହାତୀ ଗମନା,
ମୋହିଲା ମୋ ମତି କାହା ନବୀନା ।୦।
ବାଳାକୁ ପଲଙ୍କେ, ବସାଇଣ ଅଙ୍କେ,
ଶୁଣିବ ଯେ ପ୍ରୀତି ଭାଷା କଉତୁକେ ।
ଇନ୍ଦ୍ର ସମ୍ପତି, କୁବେର ଭୂତି,
ତୁଚ୍ଛ ମଣିବ ସେ ନାଗର ସିନା ।୧।
ଅତି ଉଚ୍ଚ କୁଚ, ଦିଶେ କି ସୁସଞ୍ଚ,
କୁଞ୍ଚିତ କୁନ୍ତଳା ପିନ୍ଧାଶାଢ଼ୀ କୁଞ୍ଚ ।
ଦେଖିକା ଛାତି, ଧରିବ ଧୃତି,
କୃତ୍ତିବାସ ନ ରହିବେ ତା ବିନା ।୨।
ନିତମ୍ବ ଚୁମ୍ବିନୀ, ବିଲମ୍ବିତା ବେଣୀ,
ରଚୁଛି କି କ୍ରୀଡା ଅସିତ ନାଗୁଣୀ ।
ବାଙ୍କଚାହାଁଣି, ମରମ ହାଣି,
ପକାଉଛି ଧନ୍ୟ ଏଣୀନୟନା ।୩।
ସରୁଆ କଟିକି, ଦେଲେ ଦୋହଲାଇ,
ଯୁବାଦମ୍ଭସିନ୍ଧୁ ଦେବ ଚହଲାଇ ।
ଆରୁଣାଧରୀ, କରୁଣା କରି,
ରମାକାନ୍ତେ ଥରେ ଲେଉଟିଅନା ।୪।